PanchayatPoll: ପ୍ରଥମ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳାରେ ଶେଷ ହେଲା

Published: Feb 19, 2022, 6:50 am IST

ଭୁବନେଶ୍ବର: ଆଜି ଅପରାହ୍ନରେ ଶେଷ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ହାରାହାରି 71 ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ତେବେ ପ୍ରଥମ ପର୍ଯ୍ୟାୟରେ ଯେପରି ଗଣ୍ଡଗୋଳ ହୋଇଥିଲା 2ୟ ପର୍ଯ୍ୟାୟରେ ସେପରି ହୋଇ ନ ଥିଲା। କାଁ ଭାଁ ଗଣ୍ଡଗୋଳ ଛାଡି ଦେଲେ ଭଲ ମତଦାନ ହୋଇଥିବାର ଜଣାପଡିଛି।

ନିର୍ବାଚନ କମିଶନର କାର୍ଯ୍ୟାଳୟ ଅନୁସାରେ ଜଗତସିଂହପୁର ଏବଂ ଯାଜପୁରରେ କିଛି ବୁଥରେ ବିଶୃଙ୍ଖଳା ଯୋଗୁଁ ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା। ପରବର୍ତ୍ତି ସମୟରେ ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ସେହିପରି କେତେକ ସ୍ଥାନରେ ବାଲଟ ପେପରରେ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।

ତେବେ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁଠି ବିଶୃଙ୍ଖଳା ଦେଖାଦେଇଛି ତାହାର ସଂପୂର୍ଣ୍ଣ ରିପୋର୍ଟ ନିର୍ବାଚନ କମିଶନର ରିପୋର୍ଟ ମାଗିଛନ୍ତି। ଏହି ରିପୋର୍ଟ ମିଳିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କେତେକ ସ୍ଥାନରେ ହିଂସାତ୍ମକ କାର୍ଯ୍ୟ ହୋଇଥିବାର ପରିଲକ୍ଷିତ ହୋଇଥିଲା। ଫଳରେ ନିର୍ବାଚନ କମିଶନର ପୋଲିସ ଡିଜିଙ୍କ ସହିତ ଆଲୋଚନା କରି ଏହା ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବ ଅପେକ୍ଷା ଭଲ ଭାବେ ସଂପର୍ଣ୍ଣ ହୋଇପାରିଛି।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକରେ ଏହି ନିର୍ବାଚନ ହୋଇଥିଲା।ଏଥିରେ ୧୮୬ଟି ଜିଲ୍ଲା ପରିଷଦ ନିର୍ବାଚନରେ ୭୪୭ ଜଣ ପ୍ରାର୍ଥୀ ଲଢେଇରେ ସାମିଲ ହୋଇଛନ୍ତି। ଏଥିସହିତ ୧ ହଜାର ୫୧୪ଟି ପଞ୍ଚାୟତରେ ନିର୍ବାଚନ ହୋଇଥିଲା। ଏଥିପାଇଁ ୨୦ ହଜାର ୪୩୬ଟି ବୁଥର କରାଯାଇଥିଲା।

ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ରବିବାର ଦିନ କରାଯିବ। ଏଥର ପଞ୍ଚାୟତ ନିର୍ବାଚନ ପାଞ୍ଚୋଟି ପର୍ଯ୍ୟାୟରେ କରାଯାଉଛି। ବର୍ତ୍ତମାନ ଦୁଇଟି ପର୍ଯ୍ୟାୟ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟ 20 ତାରିଖରେ, ଚତୁର୍ଥ ପର୍ଯ୍ୟାୟ 22 ତାରିଖରେ ଏବଂ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ 24 ତାରିଖରେ କରାଯିବ। 28 ତାରିଖରେ ଭୋଟଗଣତି କରାଯିବ।

Related posts