ପ୍ରକାଶ ଦଳାଇ
ଏଇ ମହାଶିବରାତ୍ରୀ ଦିନର ଘଟଣା। ସକାଳେ ମନ୍ଦିରର ଆଗରେ ଥିବା ଏକ ଦୋକାନରୁ ମୁଁ ଦୀପଟିଏ କିଣୁଥିଲି। ଦୋକାନରୁ ଟିକିଏ ଦୂରରେ ଜଣେ କେହି ପାଟି କରି କାହା ସହିତ ଫୋନରେ କଥା ହେଉଥିଲା। ସେପଟେ ଥିବା ଲୋକକୁ ସେ କହୁଥିଲା ଯେ, ସେ ଟଙ୍କା ମୁଁ ଆଉ ଫେରାଇ ପାରିବି ନାହିଁ, ତୁ କଣ କରୁଛୁ କର ?? କିଛି ଭଦ୍ର କିଛି ଅଭଦ୍ର ଭାଷାରେ ସେ ଗାଳି କରି ଚାଲିଥାଏ। ତୁ କାହିଁକି ଏପରି ପାଟି କରୁଛ ବୋଲି ମଝିରେ ମଝିରେ ଦୋକାନୀ ତାଙ୍କୁ ତାଗିଦ କରୁଥିଲେ। ବୋଧହୁଏ ତାଙ୍କର ଚିହ୍ନା ପରିଚୟ।
କଥାବାର୍ତ୍ତା ସରିବା ପରେ ସେହି ବ୍ୟକ୍ତି ରାଗ ତମତମ ହୋଇ ଦୋକାନୀ ପାଖକୁ ଆସିଲା। ଦୋକାନୀକୁ କହିଲେ, ମାମୁଁ କହିଲ, ଭୁବନେଶ୍ବରରେ ମୁଁ ବହୁତ କାମ ଧରିଛି କି ନାହିଁ। ଏତେ କାମ ଭିତରେ ମୋର ଗାଁକୁ ଯିବାର ସମୟ କାହିଁ ? ସେ ବାରମ୍ବାର ଫୋନ କରି ଗାଁ କୁ ଆସ, ଗାଁକୁ ଆସ ବୋଲି ଡାକିଲା। ମୁଁ ଗଲି ନାହିଁ। ତଥାପି ଆସ, ଆସ ବୋଲି ସେ ବାଧ୍ୟ କଲା।
ଶେଷରେ ତା ଆଡୁ ସେ କହିଲା ଯେ ଗାଁକୁ ଆସିବା ପାଇଁ ତୋ ପାଖକୁ ପାଞ୍ଚ ହଜାର ଟଙ୍କା ପଠାଉଛି। ସକାଳୁ ସକାଳୁ ଆସି ପହଁଚିବୁ। ପୁରା ତମ ପରିବାର ସମସ୍ତେ ଆସିବ, ଭୋଟ ଦେଇ ପଳାଇଯିବ। ଫୋନ-ପେ ରେ ସେ ମୋ ପାଖକୁ ଟଙ୍କା ପଠାଇବାରୁ ମୁଁ ଆଉ ମୋ ପରିବାର ବାଧ୍ୟ ହୋଇ ଗାଁକୁ ଗଲୁ। ଭୋଟ ଦେଇ ତା ପରଦିନ ଆସିଲୁ। ଏବେ ସେ ମୋତେ କହୁଛି କଣ ନା, ସେହି ଟଙ୍କା ଫେରେଇ ଦିଅ। କହିଲ ମାମୁଁ, ମୁଁ କଣ ତାକୁ ଟଙ୍କା ମାଗୁଥିଲି। ସେ କାହିଁକି ଟଙ୍କା ପଠାଇଲା। ଯଦି ତୋଆଡୁ ତୁ ଟଙ୍କା ପଠାଇଲୁ, ଏବେ କାହିଁକି ମାଗୁଛୁ? ଗୋଟିଏ ନିଃଶ୍ବାସରେ ସେ ଏସବୁ କଥା ସେ ବ୍ୟକ୍ତି ଜଣଙ୍କ କହି ଚାଲିଲା।
କାହିଁକି କଣ ହେଲା କେଜାଣି ମୁଁ ପଚାରି ଦେଲି, ତମ ତ ଭୋଟ ଦେଲ, ସେ ଟଙ୍କା କାହିଁକି ମାଗୁଛି। ମୋ ପ୍ରଶ୍ନ ସରିବା ମାତ୍ରେ ସେହି ଦୋକାନୀ ଏବଂ ସେ ଲୋକ ଏକା ସଙ୍ଗରେ କହିଲେ ଯେ, ସେ ଲୋକଟି ହାରିଗଲା। କିଛି ସମୟ ଧରି ସେ ଲୋକଟି ମୋ ଆଡକୁ ଅନାଇଲା। ମୋତେ କଅଁଳ ସ୍ବରରେ ସେ ପଚାରିଲା, ସାରେ ଟଙ୍କା ନ ଫେରାଇଲେ ମୋର କଣ କିଛି ଅସୁବିଧା ହେବ କି ? ଏପରି ପ୍ରଶ୍ନ ଶୁଣି ମୁଁ ବଡ ଅଡୁଆରେ ପଡିଗଲି। ସେ ବାରମ୍ବାର ମୋତେ ପଚାରି, ମୋ ମୁହଁକୁ ଅନାଇ ରହିଲା।
ସେହି ସ୍ଥାନରୁ ଖସିବା ପାଇଁ ତାଙ୍କୁ କହିଦେଲି , ନାହିଁ କିଛି ହେବ ନାହିଁ। ତମ ବନ୍ଧୁବାନ୍ଧବ କଥା, ତମ ଗାଁ କଥା, ତମେ ଯାହା ବିଚାର କରିବ ତାହା କର। ସେ କହିଲା- ନାଇଁ ସାରେ ଆପଣ ଯଦି କହିଲେଣି କିଛି ହେବନି ମୁଁ ସେ ଟଙ୍କା ଆଉ ଫେରାଇବି ନାହିଁ। ଏତିକି କହି ତାହାର ପୁରା ଗସ୍ତ ସଂପର୍କରେ ଏକ ସଂକ୍ଷିପ୍ତ ଧାରାବିବରଣୀଟିଏ ମୋ ଆଗରେ ଥୋଇଦେଲା। ମୁଁ ଦୀପଟିଏ କିଣି ସେଠାରୁ ଖସିବାକୁ ଚେଷ୍ଠା କଲି।
ହେଲେ ହଠାତ କଣ ହେଲା କେଜାଣି ମୋର ଅନିଚ୍ଛା ସତ୍ବେ ତାଙ୍କୁ ଗୋଟିଏ ପ୍ରଶ୍ନ ପଚାରି ଦେଲି। କହିଲି, ଭାଇ ତମେ କେବଳ ସେହି ଗୋଟିଏ ଲୋକଠାରୁ ପଇସା ଆଣିଥିଲ, ନା ଆଉ କାହାଠାରୁ ଆଣିଛ? ଏତିକି ଶୁଣିବା ପରେ ରାଗ ତମତମ ହୋଇ ପଡିଥିବା ସେ ଲୋକଟି ଲାଜରେ ମୁହଁ ତଳକୁ କରିଦେଲା। ମୁରୁକି ମୁରୁକି ହସିଲା। ତା ସହିତ ସେ ଦୋକାନୀ ମଧ୍ୟ ହସିଲା। ହେଲେ କେହି କିଛି କହିଲେ ନାହିଁ।
କିଛି ସମୟ ପରେ ଦୋକାନୀ କହିଲା, ଆରେ ଆଜି ମହାଶିବରାତ୍ରି, ତୁ ସତ କଥା କହିଦେ। ସେ ଲୋକଟି ଲାଜେଇ କହିଲା ସାରେ ଆମେ ହେଉଛୁ ଗରିବ ଲୋକ। ସତକଥା ହେଲା ଆଉ ଜଣେ ମଧ୍ୟ ମୋତେ ଚାରି ହଜାର ଟଙ୍କା ଦେଇଥିଲା। ହେଲେ ଆମେ ତାକୁ ଭୋଟ ଦେଇ ନ ଥିଲୁ।
ଏତିକି କହି ସେ ମୋ ପାଖକୁ ଆସିଲା। ଆଉ ଧିର ସ୍ବରରେ କହିଲା, ସାରେ ମୁଁ ଯେଉଁ ଲୋକକୁ ଭୋଟ ଦେଇ ନ ଥିଲି, ସେହି ଲୋକଟି ଜିତିଗଲା। ସେ ମୋତେ ପଇସା ମାଗୁନି। ଏ ଲୋକଟିକୁ ମୁଁ ଭୋଟ ଦେଇଥିଲି, ହେଲେ ସେ ହାରିଗଲା। ସେଥିପାଇଁ ମୋତେ ସେ ପଇସା ମାଗୁଛି। ଆଉ ପଇସା ଦେବାର ନାହିଁ। ସେ କଣ କରୁଛି କରୁ।
ହଠାତ ମନେ ପଡିଲା ମୋ ସ୍ତ୍ରୀ ମନ୍ଦିର ବେଢାରେ ମୋତେ ଅପେକ୍ଷା କରିଥିବ। ଦୀପ ନେଇ ଗଲେ ମନ୍ଦିର ଭିତରକୁ ଯିବୁ। ଦୋକାନୀଠାରୁ ଫୁଲ ଆଉ ଦୀପ ନେଇ ମୁଁ ତରତର ହୋଇ ମନ୍ଦିର ଭିତରକୁ ଚାଲିଗଲି।