ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ: ଏହିସବୁ ବିଷୟରେ ହେଲା ଆଲୋଚନା

Published: Mar 7, 2022, 1:11 pm IST

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। ଭାରତୀୟ ସରକାରୀ ସୂତ୍ର ଅନୁଯାୟୀ ଏହି ଫୋନ୍ କଲ୍ ପ୍ରାୟ ୩୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଦୁଇ ନେତା ୟୁକ୍ରେନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ଆଲୋଚନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାରେ ୟୁକ୍ରେନ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତୀୟ ନାଗରିକଙ୍କୁ ସୁମିରୁ ବାହାର କରିବା ପାଇଁ ଚାଲିଥିବା ପ୍ରୟାସରେ ପ୍ରଧାନମନ୍ତ୍ରୀ ୟୁକ୍ରେନ ସରକାରଙ୍କ ନିରନ୍ତର ସମର୍ଥନ ଲୋଡିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଥିଲେ ଏବଂ ୟୁକ୍ରେନରୁ ଭାରତୀୟମାନଙ୍କୁ ନିରାପଦ ସ୍ଥାନାନ୍ତର ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଋଷର ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନରେ କଥା ହୋଇଥିଲେ।

ପିଏମଓ ଅନୁଯାୟୀ, ଉଭୟ ନେତା ୟୁକ୍ରେନର ସ୍ଥିତିର ସମୀକ୍ଷା କରିଥିଲେ, ବିଶେଷ କରି ଖାରକିଭରେ ଯେଉଁଠାରେ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଅଟକି ରହିଛନ୍ତି। ସେହି ବିପଦଗ୍ରସ୍ତ ଅଞ୍ଚଳରୁ ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ବିଷୟରେ ଆଲୋଚନା କରିଥିଲେ।

Related posts