ୟୁକ୍ରେନରେ ଫସି ରହିଥିବା ପାକିସ୍ତାନୀ ଛାତ୍ରୀଙ୍କୁ ଉଦ୍ଧାର କଲା ଭାରତ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଲେ ଧନ୍ୟବାଦ

Published: Mar 9, 2022, 10:49 am IST

ନୂଆଦିଲ୍ଲୀ: ଆଜି ୟୁକ୍ରେନ ଉପରେ ଋଷର ଆକ୍ରମଣର ୧୪ ତମ ଦିନ। ୧୪ ଦିନ ପରେ ମଧ୍ୟ ୟୁକ୍ରେନ ଉପରେ ଋଷର ଆକ୍ରମଣ କମିନାହିଁ। ରାଜଧାନୀ କିବ୍ ସମେତ ଅନେକ ସହରରେ ବର୍ତ୍ତମାନ ବିନାଶ ଦୃଶ୍ୟମାନ ହେଉଛି। ଏଥି ସହିତ, ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଦେଶ ନିଜ ଲୋକଙ୍କୁ ସେଠାରୁ ସୁରକ୍ଷିତ ଆଣିବାକୁ ଚେଷ୍ଟା କରୁଛନ୍ତି।

ଅପରେସନ ଗଙ୍ଗା ଅଧୀନରେ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସରକାର ୟୁକ୍ରେନରୁ ସ୍ଵଦେଶ ଫେରାଇ ଆଣିଛନ୍ତି। ଏଥି ସହିତ, ବର୍ତ୍ତମାନ ଜଣେ ପାକିସ୍ତାନୀ ମହିଳା ୟୁକ୍ରେନରୁ ନିରାପଦ ଉଦ୍ଧାର କରିଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହିଳା ଜଣକ କହିଛନ୍ତି, ଆମକୁ ନିରାପଦରେ ବାହାରକୁ ନେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।

ମହିଳାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନିଜକୁ ପାକିସ୍ତାନୀ ମହିଳା ବୋଲି ବର୍ଣ୍ଣନା କରିଛନ୍ତି। ସେ ଭିଡିଓରେ କହିଛନ୍ତି ମୋର ନାମ ଆସମା ସରିଫ। କିବରେ ଥିବା ଭାରତୀୟ ଦୂତାବାସ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଁ ଧନ୍ୟବାଦ ଦେଉଛି। କେୟାରନ ସେ ଆମକୁ ନିରାପଦରେ ସେଠାରୁ ବାହାରକୁ ଆଣିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଅତ୍ୟନ୍ତ କଠିନ ପରିସ୍ଥିତିରେ ଫସି ରହିଥିଲେ ଏବଂ ଭାରତୀୟ ଅଧିକାରୀମାନେ ତାଙ୍କୁ ସାହାଯ୍ୟ କରିଥିଲେ। ତାଙ୍କୁ ନିରାପଦରେ ସେଠାରୁ ବାହାର କରିଦେଇଥିଲେ, ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନେକ ଧନ୍ୟବାଦ। ସୂଚନାନୁସାରେ, ଆସମାଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ସୂଚନାନୁସାରେ, ଆସମା ଶୀଘ୍ର ତାଙ୍କ ଘରେ ପହଞ୍ଚିବେ।

ୟୁକ୍ରେନର ଖରାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଅପରେସନ୍ ଗଙ୍ଗା ଅଭିଯାନ ଆରମ୍ଭ କରିଛି। ଯାହା ଅଧୀନରେ ଏପର୍ଯ୍ୟନ୍ତ ୧୮ହଜାରରୁ ଅଧିକ ଭାରତୀୟଙ୍କୁ ନିଜ ଦେଶକୁ ଅଣାଯାଇଛି। ଗତକାଲି ରୋମାନିଆରୁ ଦୁଇଟି ବିମାନ ମାଧ୍ୟମରେ ୪୧୦ ଭାରତୀୟଙ୍କୁ ସରକାର ଫେରାଇ ଆଣିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଦେଇ କହିଛି ଯେ, ଅପରେସନ୍ ଗଙ୍ଗା ଅଧୀନରେ ୧୫ ହଜାର ୫୨୧ ଭାରତୀୟଙ୍କୁ ୭୫ ଟି ସ୍ୱତନ୍ତ୍ର ବେସାମରିକ ବିମାନ ଦ୍ୱାରା ସ୍ଵଦେଶ ଅଣାଯାଇଥିବାବେଳେ ୨ ହଜାର ୪୬୭ ଜଣଙ୍କୁ ଭାରତୀୟ ବାୟୁସେନାର ୧୨ ଟି ବିମାନ ଦ୍ୱାରା ସ୍ଵଦେଶ ଅଣାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପଡୋଶୀ ଦେଶ ୟୁକ୍ରେନକୁ ୩୨ ଟନରୁ ଅଧିକ ରିଲିଫ ସାମଗ୍ରୀ ପଠାଯାଇଛି।

Related posts