ଇଣ୍ଡୋ-ପାକ୍ ସୀମାର ୧୦ କିଲୋମିଟର ଠାରୁ ଦୂରରେ ରୁହନ୍ତୁ, ନିଜର ନାଗରିକମାନଙ୍କୁ ପରାମର୍ଶ ଦେଲା ଆମେରିକା

Published: Apr 1, 2022, 9:31 pm IST

ନୂଆଦିଲ୍ଲୀ: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆମେରିକା ନିକଟରେ ଭାରତର ନାଗରିକଙ୍କ ପାଇଁ ଦିଆଯାଇଥିବା ଯାତ୍ରା ପରାମର୍ଶକୁ ସଂଶୋଧନ କରି ଇଣ୍ଡୋ-ପାକ୍ ସୀମାର ୧୦ କିଲୋମିଟର ଠାରୁ ଦୂରରେ ରହିବାକୁ କହିଛି। ଏହା ପଛରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସାମରିକ ମୁହାଁମୁହିଁ ହେବାର ସମ୍ଭାବନା ରହିଛି।

ମାର୍ଗଦର୍ଶିକାରେ କୁହାଯାଇଛି ଯେ, ଜମ୍ମୁ କାଶ୍ମୀର ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ତଥା ହିଂସାତ୍ମକ ନାଗରିକ ପ୍ରଦର୍ଶନ ହେବାର ସମ୍ଭାବନା ରହିଛି। ଏହି ୟୁନିଅନ୍ ଅଞ୍ଚଳକୁ ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ (ପୂର୍ବ ଲଦାଖ ଅଞ୍ଚଳ ଏବଂ ଏହାର ରାଜଧାନୀ ଲେହ ବ୍ୟତୀତ)।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ବିଶେଷ କରି ଇଣ୍ଡୋ-ପାକିସ୍ତାନ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ଏବଂ କାଶ୍ମୀର ଉପତ୍ୟକାର ପର୍ଯ୍ୟଟନ ସ୍ଥାନ – ଶ୍ରୀନଗର, ଗୁଲମର୍ଗ ଏବଂ ପହଲଗାମରେ ହିଂସା ଘଟିଥାଏ। ଭାରତ ସରକାର ବିଦେଶୀ ପର୍ଯ୍ୟଟକଙ୍କୁ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟରେ କିଛି ଅଞ୍ଚଳ ପରିଦର୍ଶନ କରିବାକୁ ମଧ୍ୟ ବାରଣ କରିଛନ୍ତି।

ମନ୍ତ୍ରଣାଳୟ କହିଛି ଯେ, ଭାରତ ଏବଂ ପାକିସ୍ଥାନ ସୀମାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ସୈନ୍ୟ ମୁତୟନ ହୋଇଛନ୍ତି। ଯେଉଁ ଲୋକମାନେ ଭାରତ କିମ୍ବା ପାକିସ୍ଥାନର ନାଗରିକ ନୁହଁନ୍ତି ସେମାନେ କେବଳ ସୀମା ନିକଟ ଭାରତର ଅଟାରି ଏବଂ ପାକିସ୍ଥାନର ୱାଘା ଯାଇପାରିବେ।

ମନ୍ତ୍ରଣାଳୟ କହିଛି, ସୀମା ସାଧାରଣତଃ ଖୋଲା ଅଛି, କିନ୍ତୁ ଯାତ୍ରା କରିବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ସୂଚନା ପାଆନ୍ତୁ। ପାକିସ୍ତାନରେ ପ୍ରବେଶ କରିବା ପାଇଁ ପାକିସ୍ତାନୀ ଭିସା ଆବଶ୍ୟକ। ଭାରତରେ ଉପସ୍ଥିତ ଆମେରିକୀୟ ନାଗରିକମାନେ ନିଜେ ପାକିସ୍ତାନୀ ଭିସା ପାଇଁ ଆବେଦନ କରନ୍ତି। ଅନ୍ୟଥା, ଭାରତ ଯାତ୍ରା କରିବା ପୂର୍ବରୁ ଆପଣ ଯେଉଁଠି ଥାଆନ୍ତୁ, ସେହି ଦେଶରେ ପାକିସ୍ତାନୀ ଭିସା ପାଇଁ ଆବେଦନ କରନ୍ତୁ।

Related posts