ୟୁକ୍ରେନ ଘଟଣାରେ ଶାନ୍ତି ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ସାଂସଦ

Published: Apr 3, 2022, 4:18 pm IST

ନୂଆଦିଲ୍ଲୀ: ୟୁକ୍ରେନ ଘଟଣାରେ ଆମେରିକା ଏବଂ ଋଷ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ କରିଥିବାରୁ ଆମେରିକାର ଜଣେ ବରିଷ୍ଠ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ତାଙ୍କ ଉଦ୍ୟମ ଯୋଗୁଁ ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି। ମୋଦି ଶୁକ୍ରବାର ଦିନ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭଙ୍କୁ କହିଥିଲେ ଯେ, ୟୁକ୍ରେନ ସଙ୍କଟର ସମାଧାନ ପାଇଁ ଶାନ୍ତି ପ୍ରୟାସରେ ଭାରତ ଯେକୌଣସି ଉପାୟରେ ସହଯୋଗ କରିବାକୁ ପ୍ରସ୍ତୁତ ଏବଂ ହିଂସାକୁ ତୁରନ୍ତ ବନ୍ଦ କରିବାକୁ ସେ ଆହ୍ଵାନ ଦେଇଥିଲେ।

ଆମେରିକାର କଂଗ୍ରେସ ସଦସ୍ୟ କାରୋଲିନ ମାଲୋନି ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଭାବୁଛି ବର୍ତ୍ତମାନ ସେ (ମୋଦୀ) ୟୁକ୍ରେନ ଘଟଣାରେ ଋଷ ଏବଂ ଆମେରିକା ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଭାବୁଛି ଏହା ଅତ୍ୟନ୍ତ ସକରାତ୍ମକ ଉଦ୍ଦେଶ୍ୟ।

ସଦନର ଶକ୍ତିଶାଳୀ ‘ତଦାରଖ କମିଟି’ର ଚେୟାରମ୍ୟାନ୍ ମାଲୋନି (୭୬) ଆମେରିକାର ସଂସଦ (କଂଗ୍ରେସ) ର ଅନ୍ୟତମ ବରିଷ୍ଠ ଡେମୋକ୍ରାଟ୍ ଅଟନ୍ତି। ସେ ୧୯୯୩ ରୁ ଆମେରିକାର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମାଲୋନି ଭାରତ ଏବଂ ଭାରତୀୟ- ଆମେରିକୀୟଙ୍କ ବନ୍ଧୁ। ଦୀପାବଳିର ମହୋତ୍ସବକୁ ଫେଡେରାଲ୍ ଛୁଟିଦିନ ଘୋଷଣା କରିବା ଏବଂ ମହାତ୍ମା ଗାନ୍ଧୀଙ୍କୁ ଆମେରିକା ସଂସଦର ସମ୍ମାନଜନକ ସ୍ୱର୍ଣ୍ଣ ପଦକ ଦେବା ପାଇଁ ସେ ଦୁଇଟି ବିଲ୍ ପାସ୍ କରିବାକୁ ଚେଷ୍ଟା କରୁଛନ୍ତି।

ରାଷ୍ଟ୍ରପତି ଜୋ ବାଇଡେନ ଶେଷରେ ତାଙ୍କର ଦୁଇଟି ବିଲରେ ଦସ୍ତଖତ କରିବେ ବୋଲି ମାଲୋନି ବିଶ୍ୱାସ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ଶାନ୍ତି ପାଇଁ ଉଦ୍ୟମ କରୁଛନ୍ତି। ସେ କହିଥିଲେ ଯେ, ଗୋଟିଏ କଥା ସତ ଯେ ଯଦି ଆପଣ ଚେଷ୍ଟା ନକରନ୍ତି, ତେବେ ଆପଣ କଦାପି ସଫଳ ହେବେ ନାହିଁ। ଆପଣଙ୍କୁ ଚେଷ୍ଟା ଜାରି ରଖିବାକୁ ପଡିବ। ମୁଁ ଆଶା କରୁଛି ଯେ ୟୁକ୍ରେନ, ଋଷ ଏବଂ ବିଶ୍ଵ ମଧ୍ୟରେ ଶାନ୍ତି ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉଦ୍ୟମ ସହାୟକ ହେବ।

ନ୍ୟୁୟର୍କର ସାଂସଦ ମାଲୋନି କହିଛନ୍ତି ଯେ, ଏହା ଅତ୍ୟନ୍ତ ବିପଜ୍ଜନକ ସମୟ କାରଣ ଆମେ ସମସ୍ତେ ତୃତୀୟ ବିଶ୍ୱଯୁଦ୍ଧର ଭାର ବହନ କରିପାରିବୁ ନାହିଁ। ଆମେ ପରମାଣୁ ଶକ୍ତି ସମ୍ପନ୍ନ ଅଟେ। ଆମେ ଏହି ବିପଦକୁ ନେଇ ପାରିବୁ ନାହିଁ। ଆମକୁ ଏକ ଆପୋଷ ବୁଝାମଣା କରିବାକୁ ପଡିବ। ବର୍ତ୍ତମାନ ଲୋକମାନେ ଅତ୍ୟଧିକ ଯନ୍ତ୍ରଣା ଭୋଗୁଛନ୍ତି। ମୁଁ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ଗର୍ବିତ।

Related posts