ଘୋଷଣା ହେଲା ଡେପୁଟି ମେୟର, ଉପାଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଏବଂ ଭୋଟ ସମୟ

Published: Apr 4, 2022, 10:21 pm IST

ଭୁବନେଶ୍ବର:  ଆସନ୍ତା ୭ ତାରିଖରେ ୧୦୫ଟି ପୌରସଂସ୍ଥାର ଉପାଧ୍ୟକ୍ଷ ଓ ୩ଟି ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ପରୋକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସମସ୍ତ ଜିଲ୍ଲାପାଳ ଓ ସଂପୃକ୍ତ ନିର୍ବାଚନ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି ।

ସରକାରଙ୍କ ନୂତନ ନିୟମ ଅନୁସାରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ମହାନଗର ନିଗମର ଡେପୁଟି ମେୟର ପଦବୀ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ତାଙ୍କ ଦଳ ତରଫରୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ ଓ ସଂପୃକ୍ତ ଦଳର ସଭ୍ୟମାନେ ଉପାଧ୍ୟକ୍ଷ ବା ଡେପୁଟି ମେୟର ନିର୍ବାଚନରେ ଭୋଟଦେଇ ସେହି ଦଳର ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ବାକ୍ସରେ ପକାଇବେ ।

ପୌରସଂସ୍ଥାର ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ସୂଚୀ ହେଉଛି ୨୦୨୨ ଏପ୍ରିଲ ୭ ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ସେହିଦିନ ୧୧ଟାରୁ ୧୨ଟା ମଧ୍ୟାହ୍ନ ସୁଦ୍ଧା ନାମାଙ୍କନ ପତ୍ର ଯାଞ୍ଚ, ଦିନ ୧ଟା ପୂର୍ବରୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର, ସେହି ଦିନ ୧.୩୦ ରୁ ୩.୩୦ ଭୋଟ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମତଦାନ ହେବ। ମତଦାନ ପରେ ପରେ ସେହିଦିନ ଭୋଟ ଗଣତି ହେବ। ଭୋଟଗଣତି ପରେ ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

ତିନୋଟି ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ଆସନ୍ତା ଏପ୍ରିଲ ୭, ୮ ଓ ୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । କଟକ ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ଏପ୍ରିଲ ୭ ତାରିଖ, ବ୍ରହ୍ମପୁର ମହାନଗର ନିଗମ ପାଇଁ ଏପ୍ରିଲ ୮ ତାରିଖ ଏବଂ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ପାଇଁ ଏପ୍ରିଲ ୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ।

ରାଜ୍ୟ ମୁନିସିପାଲିଟି ପ୍ରଶାସନର ନିର୍ଦ୍ଦେଶକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଡେପୁଟି ମେୟର ନିର୍ବାଚନ ପାଇଁ ନିର୍ବାଚନ ସୂଚୀ ହେଉଛି ନିର୍ଦ୍ଧାରିତ ନିର୍ବାଚନ ଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ।

ଦିନ ୧ଟା ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ୧ଟା ୩୦ ରୁ ମତଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ମତଦାନ ଜାରି ରହିବ। ମତଦାନ ପରେ ପରେ ଭୋଟଗଣତି ହେବ।  ଭୋଟଗଣତି ପରେ ସେହିଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Related posts