ଭୁବନେଶ୍ୱର: ଭୁବନେଶ୍ୱରର ସହୀଦନଗରରେ ଏକ ପାର୍କ କରାଯାଇଛି। ଯାହାର ନାମ ହେଲା ସେନ୍ସୋରି ପାର୍କ। ଅର୍ଥାତ ଏଥିରେ ସେନସର ଦ୍ବାରା ବିଭିନ୍ନ ମନୋରଂଜନକୁ ଉପଭୋଗ କରାଯାଇପାରିବ। ତେବେ ଏହା କେବଳ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ। ଏପରି ପାର୍କ ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ ଏବଂ ଏଥିରେ ଭିନ୍ନକ୍ଷମ ଶିଶୁମାନଙ୍କ ଶାରୀରିକ, ମାନସିକ ତଥା ସୃଜନଶୀଳ ଅଭିବୃଦ୍ଧି ପାଇଁ ବିଭିନ୍ନ ସୁବିଧା ରହିଛି।
ଶହୀଦନଗରରେ ସେନ୍ସୋରି ପାର୍କ କରିବାର ଉଦ୍ଦେଶ୍ୟ ହେଲା ଭିନ୍ନକ୍ଷମମାନଙ୍କ ସାମାଜିକ ମହାସ୍ରୋତରେ ସଂପୃକ୍ତି ସଶକ୍ତ ହୋଇପାରିବ। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଅଧୀନରେ ଏହି ସେନ୍ସୋରି ପାର୍କ ଆରମ୍ଭ ହୋଇଛି । ୧୩୬୮ ବର୍ଗମିଟର ପରିମିତ ଅଞ୍ଚଳରେ ୦.୯୯ କୋଟି ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଇଛି। ଏଥିରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ବିଭିନ୍ନ ସୁବିଧା ରହିଛି।
ପାଥୱେ, ପାନୀୟ ଜଳ ଟ୍ୟାପ୍, ସ୍ୱତନ୍ତ୍ର ଆବଶ୍ୟକତା ରହିଥିବା ପିଲାମାନଙ୍କ ପାଇଁ ବିଭିନ୍ନ ଖେଳସାମଗ୍ରୀ ସୁବିଧା ଥିବା ଏହି ପାର୍କକୁ ଆସି ଭିନ୍ନକ୍ଷମ ଶିଶୁମାନେ ସେମାନଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧିର ସୁଯୋଗ ପାଇପାରିବେ। ଦେଶରେ ଏପରି ପାର୍କ ନିର୍ମାଣ ପ୍ରଥମ ବୋଲି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱରରେ ଥିବା ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଢାଞ୍ଚାରେ ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇଟି ସାଟେଲାଇଟ୍ ସେଣ୍ଟର ପ୍ରତିଷ୍ଠା କରାଯିବ। ସେନ୍ସୋରି ପାର୍କର ପରିଚାଳନା ଓ ତତ୍ତ୍ୱାବଧାନରେ ନାଗରିକ ସମାଜ ପ୍ରଯତ୍ନ କରିବେ।