Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯୁଗାନ୍ତକାରୀ ସଂସ୍କାର: ଚାରି ବର୍ଷ ଲାଗି ନିର୍ଦ୍ଦିଷ୍ଟ ସେନାବାହିନୀରେ ସେବା କରିବା ପାଇଁ ଅଗ୍ନିବୀରଙ୍କୁ ମିଳିବ ନିଯୁକ୍ତି
ବିଶେଷ ଖବର

ଯୁଗାନ୍ତକାରୀ ସଂସ୍କାର: ଚାରି ବର୍ଷ ଲାଗି ନିର୍ଦ୍ଦିଷ୍ଟ ସେନାବାହିନୀରେ ସେବା କରିବା ପାଇଁ ଅଗ୍ନିବୀରଙ୍କୁ ମିଳିବ ନିଯୁକ୍ତି

June 14, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ସେନା
ପ୍ରତିବର୍ଷ ୧ ଲକ୍ଷ ସୈନିକଙ୍କୁ ଦିଆଯିବ ନିଯୁକ୍ତି!: ଜାଣନ୍ତୁ କେବେ ଆରମ୍ଭ ଏହି ପ୍ରକ୍ରିୟା?

ନୂଆଦିଲ୍ଲୀ: ସେନାବାହିନୀରେ ନିୟୋଜିତ ହୋଇ ଦେଶ ସେବା କରିବା ଲାଗି ଭାରତୀୟ ଯୁବବର୍ଗଙ୍କୁ ସୁଯୋଗ ମିଳିବ। ଏଥିପାଇଁ ଏକ ଆକର୍ଷଣୀୟ ନିଯୁକ୍ତି ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ଯୋଜନାର ନାମ ରଖାଯାଇଛି ‘ଅଗ୍ନିପଥ’ ଏବଂ ଏଥିରେ ନିଯୁକ୍ତି ପାଇବାକୁ ଥିବା ଯୁବକଯୁବତୀମାନଙ୍କୁ ‘ଅଗ୍ନିବୀର’ କୁହାଯିବ। ଅଗ୍ନିପଥ ଯୋଜନା ମାଧ୍ୟମରେ ଦେଶପ୍ରେମୀ ଏବଂ ଅନୁପ୍ରାଣିତ ଯୁବକଯୁବତୀମାନଙ୍କୁ ଚାରି ବର୍ଷର ଅବଧି ଲାଗି ସେନାବାହିନୀରେ ସାମିଲ ହୋଇ ଦେଶସେବା କରିବା ଲାଗି ସୁଯୋଗ ମିଳିବ।

ଏକ ଯୁବ ସୈନ୍ୟବଳ ସହ ସେନାବାହିନୀକୁ ସଶକ୍ତ କରିବା ଲାଗି ଅଗ୍ନିପଥ ଯୋଜନାର ପରିକଳ୍ପନା ଏବଂ ପ୍ରସ୍ତୁତି କରାଯାଇଛି। ସେନା ପୋଷାକ ପିନ୍ଧି ଦେଶ ସେବା କରିବାକୁ ଚାହୁଁଥିବା ଯୁବବର୍ଗଙ୍କୁ ଏହି ଯୋଜନା ଏକ ଭଲ ସୁଯୋଗ ଦେବ। ବର୍ତ୍ତମାନର ପ୍ରଯୁକ୍ତି ଧାରା ସହ ପରିଚିତ ଯୁବ ପ୍ରତିଭାମାନଙ୍କୁ ଏହି ଯୋଜନା ମାଧ୍ୟମରେ ସେନାବାହିନୀରେ ସାମିଲ କରିବା ଲାଗି ଆମନ୍ତ୍ରଣ କରାଯାଉଛି। ଅନ୍ୟପଟେ ନିଯୁକ୍ତି ଅବଧି ଶେଷ ହେବା ପରେ ଅଗ୍ନିବୀରଙ୍କ ରୂପରେ ସମାଜକୁ ଏକ କୁଶଳ, ଶୃଙ୍ଖଳିତ ଏବଂ ଅନୁପ୍ରାଣିତ ଜନଶକ୍ତି ମିଳିପାରିବ।

ଏହି ଯୋଜନା ମାଧ୍ୟମରେ ସେନାବାହିନୀକୁ ଅନେକଗୁଡ଼ିଏ ଲାଭ ମିଳିପାରିବ। ସୈନ୍ୟବାହିନୀରେ ଅଧିକ ଯୁବ ଉତ୍ସାହୀ ସୈନ୍ୟବଳ ନିଯୁକ୍ତ ହୋଇପାରିବେ ଯେଉଁମାନଙ୍କ ମଧ୍ୟରେ ‘ଜୋଶ’ (ଉତ୍ସାହ) ଏବଂ ‘ଜଜ୍‌ବା’ (ଦୃଢ଼ ମନୋବଳ) ରହିଥିବ। ଏଥିସହିତ ସମୟର ଆବଶ୍ୟକତା ଅନୁଯାୟୀ, ସେନାବାହିନୀରେ ଅଧିକ ପ୍ରଯୁକ୍ତି ସକ୍ଷମ ଯୁବପିଢ଼ିଙ୍କୁ ନିଯୁକ୍ତି ଦେବା ଦିଗରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଅଣାଯାଇ ପାରିବ। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଭାରତୀୟ ସୈନ୍ୟବାହିନୀର ହାରାହାରୀ ବୟସ ରୂପରେଖ ବା ପ୍ରୋଫାଇଲ୍‌ ୪-୫ ବର୍ଷ ପର୍ଯ୍ୟନ୍ତ କମିଯିବ।

ଆତ୍ମ-ଅନୁଶାସନ, ପରିଶ୍ରମ ଓ ଏକାଗ୍ରତାର ଗଭୀର ଜ୍ଞାନରେ ଅତ୍ୟଧିକ ଭାବେ ଅନୁପ୍ରାଣିତ ଯୁବବର୍ଗଙ୍କୁ ପ୍ରସ୍ତୁତ ଏବଂ ପ୍ରଶିକ୍ଷିତ କରାଯିବା ଫଳରେ ଦେଶକୁ ଅତ୍ୟଧିକ ଲାଭ ହେବ। ଏପରି ଯୁବକଯୁବତୀମାନେ ଯଥେଷ୍ଟ କୁଶଳୀ ହେବେ ଏବଂ ଅନ୍ୟ କ୍ଷେତ୍ରରେ ଯୋଗଦାନ କରିବା ଲାଗି ସକ୍ଷମ ହୋଇପାରିବେ। ଦେଶ, ସମାଜ ଏବଂ ଦେଶର ଯୁବପିଢ଼ିଙ୍କ ପାଇଁ ଏକ ସ୍ବଳ୍ପକାଳୀନ ସାମରିକ ସେବାର ଖୁବ୍‌ ଅଧିକ ଲାଭ ମିଳିବ। ଦେଶଭକ୍ତି ଭାବନା, ଦଳଗତ କାର୍ଯ୍ୟ, ଶାରୀରିକ ଫିଟନେସ ବୃଦ୍ଧି ସହିତ ଦେଶ ପ୍ରତି ନିଷ୍ଠା ବୃଦ୍ଧି ପାଇବ। ବାହ୍ୟ ବିପଦ, ଆଭ୍ୟନ୍ତରୀଣ ବିପଦ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜାତୀୟ ସୁରକ୍ଷା ବଢ଼ାଇବା ପାଇଁ ପ୍ରଶିକ୍ଷିତ କର୍ମୀମାନଙ୍କ ଉପଲବ୍ଧତା ବଢ଼ିବ।

ଅଗ୍ନିବୀରଙ୍କୁ ମିଳିବାକୁ ଥିବା ଲାଭ 

ଅଗ୍ନିବୀରମାନଙ୍କୁ ଆକର୍ଷଣୀୟ ମାସିକ ବେତନ ପ୍ୟାକେଜ୍‌ ଦିଆଯିବ। ଏଥିରେ ତିନି ସେନାବାହିନୀ ପାଇଁ ପ୍ରଯୁଜ୍ୟ ବିପଦ ଓ ପରିଶ୍ରମ ଭତ୍ତା ସାମିଲ ରହିବ। ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ଅଗ୍ନିବୀରମାନଙ୍କୁ  ଏକକାଳୀନ ‘ସେବା ନିଧି’ ପ୍ୟାକେଜ୍‌ ଦିଆଯିବ। ଏଥିରେ କର୍ତ୍ତବ୍ୟରତ ଥିବା ସମୟରେ ସେମାନଙ୍କର ଆର୍ଥିକ ଯୋଗଦାନ ସହିତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମାନ ପରିମାଣର ଯୋଗଦାନ ଉପରେ ଲାଗୁ ସୁଧ ମିଶିବ। ଯାହାର ବିବରଣୀ ନିମ୍ନରେ ଦିଆଗଲା

ବର୍ଷ ଅନୁକୂଳ ପ୍ୟାକେଜ୍‌ (ମାସିକ) ହାତକୁ ଆସିବ (୭୦%) ଅଗ୍ନିବୀର କର୍ପସ ପାଣ୍ଠିରେ ଯୋଗଦାନ (୩୦%) କର୍ପସ ପାଣ୍ଠିରେ ସରକାରଙ୍କ ଯୋଗଦାନ
ସମ୍ପୂର୍ଣ୍ଣ ପରିମାଣ ଟଙ୍କାରେ (ମାସିକ ଯୋଗଦାନ)
ପ୍ରଥମ ବର୍ଷ ୩୦୦୦୦ ୨୧୦୦୦ ୯୦୦୦ ୯୦୦୦
ଦ୍ବିତୀୟ ବର୍ଷ ୩୩୦୦୦ ୨୩୧୦୦ ୯୯୦୦ ୯୯୦୦
ତୃତୀୟ ବର୍ଷ ୩୬୫୦୦ ୨୫୫୮୦ ୧୦୯୫୦ ୧୦୯୫୦
ଚତୁର୍ଥ ବର୍ଷ ୪୦୦୦୦ ୨୮୦୦୦ ୧୨୦୦୦ ୧୨୦୦୦
ଚାରି ବର୍ଷ ପରେ ଅଗ୍ନିବୀର କର୍ପସ ପାଣ୍ଠିରେ ମୋଟ ଯୋଗଦାନ ୫.୦୨ ଲକ୍ଷ ଟଙ୍କା ୫.୦୨ ଲକ୍ଷ ଟଙ୍କା
ଚାରି ବର୍ଷ ପରେ ଶେଷ ୧୧.୭୧ ଲକ୍ଷ ଟଙ୍କାର ସେବା ନିଧି ପ୍ୟାକେଜ

(ପ୍ରଯୁଜ୍ୟ ସୁଧ ହାର ଅନୁଯାୟୀ ଉପରୋକ୍ତ ରାଶି ଉପରେ ଜମା ହୋଇଥିବା ସୁଧ ମଧ୍ୟ ପ୍ରଦାନ କରାଯିବ)

 

‘ସେବା ନିଧି’ ପ୍ୟାକେଜ୍‌କୁ ଆୟ କର ମୁକ୍ତ କରାଯିବ। କୌଣସି ପ୍ରକାର ଗ୍ରାଚ୍ୟୁଇଟି କିମ୍ବା ପେନସନ ଲାଭ ମିଳିବ ନାହିଁ। ଭାରତୀୟ ସେନାବାହିନୀରେ କର୍ତ୍ତବ୍ୟରତ ଥିବା ସମୟରେ ଅଗ୍ନିବୀର ମାନଙ୍କୁ ୪୮ ଲକ୍ଷ ଟଙ୍କାର ଅଣ-ଯୋଗଦାନକାରୀ ଜୀବନ ବୀମା ସୁରକ୍ଷା ପ୍ରଦାନ କରାଯିବ।

ଦେଶ ସେବାର ଏହି ଅବଧି ସମୟରେ, ଅଗ୍ନିବୀର  ମାନଙ୍କୁ ବିଭିନ୍ନ କୌଶଳ ଏବଂ ଅଭିଜ୍ଞତା, ଶୃଙ୍ଖଳା, ଶାରୀରିକ ଫିଟନେସ, ନେତୃତ୍ବ ଗୁଣ, ସାହସ ଏବଂ ଦେଶଭକ୍ତି ଆଦିର ପ୍ରଶିକ୍ଷଣ ଦିଆଯିବ। ଚାରି ବର୍ଷର ଏହି କାର୍ଯ୍ୟକାଳ ପରେ, ଅଗ୍ନିବୀରମାନେ ନାଗରିକ ସମାଜରେ ସାମିଲ ହେବେ ଏବଂ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇପାରିବେ। ପ୍ରତ୍ୟେକ ଅଗ୍ନିବୀର ହାସଲ କରିଥିବା କୌଶଳକୁ ସେମାନଙ୍କର ବାୟୋଡେଟାରେ ସାମିଲ କରିବା ଲାଗି ଏକ ପ୍ରମାଣପତ୍ର ମଧ୍ୟ ଦିଆଯିବ, ଯାହାକି ଏକ ମାନ୍ୟତା ଭଳି କାର୍ଯ୍ୟ କରିବ। ନିଜ ଯୁବାବସ୍ଥାରେ ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ, ଅଗ୍ନିବୀର ମାନେ ପରିପକ୍ବ ଏବଂ ଆତ୍ମ-ଅନୁଶାସିତ ହୋଇପାରିବେ। ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସେମାନଙ୍କର ବ୍ୟକ୍ତିତ୍ବ ବିକାଶ କ୍ଷେତ୍ରରେ ଏହା ସହାୟକ ହୋଇପାରିବ।

ଅଗ୍ନିବୀର କାର୍ଯ୍ୟକାଳ ଶେଷ ହେବା ପରେ ନାଗରିକ ସମାଜରେ ସେମାନଙ୍କ ପାଇଁ ପ୍ରଗତିର ନୂଆ ମାର୍ଗ ଓ ସୁଯୋଗ ଖୋଲିବ। ଏହା ନିଶ୍ଚିତ ଭାବେ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବ। ଏହାଛଡ଼ା ସେବା ନିଧି ଆକାରରେ ସେମାନଙ୍କୁ ମିଳିବାକୁ ଥିବା ୧୧.୭୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ବଳରେ ସେମାନେ ବିନା କୌଣସି ଆର୍ଥିକ ଚାପରେ ନିଜ ଭବିଷ୍ୟତର ସ୍ବପ୍ନକୁ ପୂରଣ କରିପାରିବେ। ସମାଜର ବଞ୍ଚିତ ବର୍ଗର ଯୁବକମାନେ ସାଧାରଣତଃ ଏପରି ଆର୍ଥିକ ଅଭାବର ସମ୍ମୁଖିନ ହୋଇଥାନ୍ତି। ସେନାବାହିନୀର ନିୟମିତ ସେବାରେ ସାମିଲ ହେବା ଲାଗି ଚୟନ କରାଯାଉଥିବା ବ୍ୟକ୍ତିବିଶେଷଙ୍କୁ ଅତିରିକ୍ତ ୧୫ ବର୍ଷ ପାଇଁ ସେବା କରିବା ନିମନ୍ତେ ସୁଯୋଗ ମିଳିବ। ସେମାନେ ଭାରତୀୟ ସେନା, ନୌସେନା, ଏବଂ ବାୟୁ ସେନାର ଜୁନିଅର କମିଶନ୍‌ଡ୍‌ ଅଧିକାରୀ/ଅନ୍ୟ ପଦବୀରେ ସେବା କରିବା ପାଇଁ ବର୍ତ୍ତମାନର ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ପରିଚାଳିତ ହେବେ। ଏଥିସହିତ ବିଭିନ୍ନ ସମୟରେ ହେଉଥିବା ସଂଶୋଧନ ଅନୁଯାୟୀ ବାୟୁ ସେନାର ଅଣଯୋଦ୍ଧା ପଦବୀରେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆଯିବ ।

ଏହି ଯୋଜନା ସେନାବାହିନୀରେ ଯୁବ ଏବଂ ଅନୁଭବୀ କର୍ମୀଙ୍କୁ ନେଇ ଏକ ଉନ୍ନତ ସନ୍ତୁଳନ ସୁନିଶ୍ଚିତ କରିବ ଏବଂ ଅଧିକ ଯୁବ ତଥା ବୈଷୟିକ ଦୃଷ୍ଟିରୁ ସକ୍ଷମ ସୈନ୍ୟବଳକୁ ନେଇ ସୈନ୍ୟବାହିନୀ ଅଧିକ ସଶକ୍ତ ହେବ।

ଲାଭ 

  • ସେନାବାହିନୀର ନିଯୁକ୍ତି ନୀତିରେ ଏକ ଯୁଗାନ୍ତକାରୀ ସଂସ୍କାର।
  • ଦେଶସେବା କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ପାଇଁ ଯୁବ ପିଢ଼ିଙ୍କ ନିମନ୍ତେ ଏକ ଅଭିନବ ସୁଯୋଗ।
  • ସେନାବାହିନୀରେ ଅଧିକ ଯୁବ ଏବଂ ଉତ୍ସାହୀ ସୈନ୍ୟବଳଙ୍କୁ ନିଯୁକ୍ତି।
  • ଅଗ୍ନିବୀରଙ୍କ ପାଇଁ ଆକର୍ଷଣୀୟ ଆର୍ଥିକ ପ୍ୟାକେଜ।
  • ଶ୍ରେଷ୍ଠ ପ୍ରତିଷ୍ଠାନରେ ପ୍ରଶିକ୍ଷଣ ନେବା ଏବଂ ସେମାନଙ୍କୁ କୌଶଳ ଓ ଯୋଗ୍ୟତା ବଢ଼ାଇବା ଲାଗି ଅଗ୍ନିବୀରଙ୍କ ପାଇଁ ଏକ ସୁଯୋଗ।
  • ନାଗରିକ ସମାଜରେ ସାମରିକ ଆଦର୍ଶ ସହିତ ଏକ ଶୃଙ୍ଖଳିତ ଏବଂ କୁଶଳୀ ଯୁବବର୍ଗଙ୍କ ଉପଲବ୍ଧତା ସୁନିଶ୍ଚିତ ହେବ।
  • ସମାଜକୁ ଫେରୁଥିବା ପ୍ରାର୍ଥୀମାନଙ୍କୁ ପର୍ଯ୍ୟାପ୍ତ ଆତ୍ମନିଯୁକ୍ତି ସୁଯୋଗ ମିଳିବ ଏବଂ ଏମାନେ ଯୁବବର୍ଗଙ୍କ ପାଇଁ ଆଦର୍ଶ ଭାବେ ଉଭା ହୋଇପାରିବେ।

ନିୟମ ଓ ସର୍ତ୍ତାବଳୀ

ଅଗ୍ନିପଥ ଯୋଜନା ଅଧୀନରେ, ଅଗ୍ନିବୀର ମାନଙ୍କୁ ନିର୍ଦ୍ଦିଷ୍ଟ ସେନାବାହିନୀରେ ଚାରି ବର୍ଷର କାର୍ଯ୍ୟକାଳ ପାଇଁ ନିଯୁକ୍ତି ଦିଆଯିବ । ସେନାବାହିନୀରେ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ପଦବୀ ବା ରେଙ୍କ ରହିବ । ଅନ୍ୟ ରେଙ୍କ ଠାରୁ ଏହା ଭିନ୍ନ ହେବ। ଚାରି ବର୍ଷର କାର୍ଯ୍ୟକାଳ ଶେଷ ହେବା ପରେ ସଂଗଠନର ଆବଶ୍ୟକତାକୁ ଆଧାର କରି ଏବଂ ବିଭିନ୍ନ ସମୟରେ  ସଂଶୋଧିତ ହେଉଥିବା ସେନାବାହିନୀର ନୀତି ଅନୁଯାୟୀ, ଅଗ୍ନିବୀର ମାନଙ୍କୁ ସେନାବାହିନୀରେ ସ୍ଥାୟୀ ନିଯୁକ୍ତି ନିମନ୍ତେ ଆବେଦନ କରିବା ଲାଗି ସୁଯୋଗ ଦିଆଯିବ। ଚାରି ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରଦର୍ଶନକୁ ଆଧାର କରି ନିର୍ଦ୍ଧାରିତ ସର୍ତ୍ତ ଅନୁଯାୟୀ, କେନ୍ଦ୍ରୀକୃତ ଢଙ୍ଗରେ ଏସବୁ ଆବେଦନକୁ ବିଚାର କରାଯିବ। ଅଗ୍ନିବୀରଙ୍କ  ପ୍ରତ୍ୟେକ ବ୍ୟାଚ୍‌ରୁ ୨୫% ପ୍ରାର୍ଥୀଙ୍କୁ ନିୟମିତ କ୍ୟାଡର ଭାବେ ସେନାବାହିନୀରେ ନିଯୁକ୍ତି ମିଳିବ। ଏଥିପାଇଁ ଏକ ବିସ୍ତୃତ ମାର୍ଗଦର୍ଶିକା ପୃଥକ ଭାବେ ଜାରି ହେବ। ସେନାବାହିନୀର  ବିଶେଷ ଅଧିକାର କ୍ଷେତ୍ରରେ ଏହି ଚୟନ କରାଯିବ। ଚଳିତ ବର୍ଷ ୪୬,୦୦୦ ଅଗ୍ନିବୀରଙ୍କୁ  ନିଯୁକ୍ତି ଦିଆଯିବ।

ସମସ୍ତ ତିନୋଟି ସେନାରେ ଅନଲାଇନ କେନ୍ଦ୍ରୀକୃତ ପ୍ରଣାଳୀ ମାଧ୍ୟମରେ ନିଯୁକ୍ତି ଦିଆଯିବ। ଶିଳ୍ପ ତାଲିମ ପ୍ରତିଷ୍ଠାନ ଏବଂ ଜାତୀୟ କୌଶଳ ଯୋଗ୍ୟତା ଫ୍ରେମୱର୍କ ଆଦି ଭଳି ମାନ୍ୟତାପ୍ରାପ୍ତ ବୈଷୟିକ ପ୍ରତିଷ୍ଠାନରୁ କ୍ୟାମ୍ପସ ସାକ୍ଷାତକାର ଏବଂ ସ୍ବତନ୍ତ୍ର ନିଯୁକ୍ତି ରାଲି ଜରିଆରେ ଅଗ୍ନିବୀର ମାନଙ୍କୁ ନିଯୁକ୍ତି ଦିଆଯିବ। ‘ସର୍ବଭାରତୀୟ ସର୍ବ ଶ୍ରେଣୀ’ ଆଧାରରେ  ନିଯୁକ୍ତି ଦିଆଯିବ ଏବଂ ନିଯୁକ୍ତି ପାଇଁ ଯୋଗ୍ୟ ବୟସ ସୀମା ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ମଧ୍ୟରେ ହେବ। ସୈନ୍ୟବାହିନୀର ନିର୍ଦ୍ଦିଷ୍ଟ ବର୍ଗ/ଟ୍ରେଡ ପାଇଁ ପ୍ରଯୁଜ୍ୟ ହେଉଥିବା ସ୍ବାସ୍ଥ୍ୟ ତଥା ଶାରୀରିକ ଯୋଗ୍ୟତା ଆଧାରରେ ଅଗ୍ନିବୀର ମାନଙ୍କୁ ନିଯୁକ୍ତି ଦିଆଯିବ। ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଁ ଆବଶ୍ୟକ ହେଉଥିବା ଶିକ୍ଷାଗତ ଯୋଗ୍ୟତା ଅଗ୍ନିବୀରମାନଙ୍କ ପାଇଁ ମଧ୍ୟ ଲାଗୁ ହେବ। ଉଦାହରଣ ସ୍ବରୂପ : ଜେନେରାଲ ଡ୍ୟୁଟି ସୈନିକ ଭାବେ ପ୍ରବେଶ ପାଇଁ, ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ ପାସ।

'ଅଗ୍ନିବୀର ଅଗ୍ନିପଥ ଯୁଗାନ୍ତକାରୀ ସଂସ୍କାର ସେନାବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକମାନଙ୍କ ସମସ୍ୟା ସମାଧାନ ପାଇଁ ଗଠିତ କମିଟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଲେ ସାକ୍ଷାତ, କହିଲେ….

January 9, 2026

ଆଠ ଟିଏମସି ସାଂସଦଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ: ଗୃହ ମନ୍ତ୍ରଣାଳୟ ବାହାରେ କରୁଥିଲେ ପ୍ରତିବାଦ

January 9, 2026

ଆଜିଠୁ WPL 2026 ର ଉଦଘାଟନୀ ଉତ୍ସବ: ଜାଣନ୍ତୁ କେବେ ଏବଂ କେଉଁଥିରେ ଦେଖିବେ ମ୍ୟାଚ

January 9, 2026

ବୋମା ଧମକ ମିଛ: ଏସଓପି ଜାରି କରିବାକୁ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

January 9, 2026
Latest News

ନାଚୁଣୀ: ଆସନ୍ତା ୧୧ରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ, ଉଦଘାଟନ କରିବେ ଆଇନ ମନ୍ତ୍ରୀ

January 9, 2026

‘ମୁଁ ନେହେରୁଙ୍କ ବଡ଼ ପ୍ରଶଂସକ, କିନ୍ତୁ ସମସ୍ତ ନୀତିକୁ ସମର୍ଥନ କରେ ନାହିଁ’: କଂଗ୍ରେସ ସାଂସଦ ଶଶି ଥରୁର

January 9, 2026

‘ଚାକିରି ବଦଳରେ ଜମି’ ମାମଲା: ଲାଲୁ ଯାଦବଙ୍କ ପରିବାରକୁ ବଡ଼ ଝଟକା ଦେଲେ କୋର୍ଟ

January 9, 2026

ବଡ ସଂଖ୍ୟକ ପଦବୀ ପାଇଁ ନିଯୁକ୍ତି ଘୋଷଣା କଲା ରେଳବାଇ: ଜାଣନ୍ତୁ କେଉଁମାନେ କରିବେ ଆବେଦନ

January 9, 2026

ଶିକ୍ଷକମାନଙ୍କ ସମସ୍ୟା ସମାଧାନ ପାଇଁ ଗଠିତ କମିଟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଲେ ସାକ୍ଷାତ, କହିଲେ….

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.