ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ନେଇ ଅଡୁଆରେ ଓଡିଶା କଂଗ୍ରେସ, ତାଙ୍କ ପାଇଁ ମାଟି ବଡ ହେବ ନା ପାର୍ଟି !!

Published: Jun 23, 2022, 10:23 am IST

ଭୁବନେଶ୍ବର: ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଡୁଆ ପରିସ୍ଥିତିରେ ପଡିଛି ଓଡିଶା ପ୍ରଦେଶ କଂଗ୍ରେସ। କାରଣ ଏନଡିଏ ତରଫରୁ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ସାରା ରାଜ୍ୟରେ ଆନନ୍ଦ ଖେଳିଯାଇଛି। ଏପରି ସ୍ଥିତିରେ ରାଜ୍ୟ କଂଗ୍ରେସ କଣ କରିବେ ସେ ନେଇ ସମସ୍ତଙ୍କ ନଜର। ପ୍ରଶ୍ନ ଉଠିଛି ବର୍ତ୍ତମାନ ରାଜ୍ୟ କଂଗ୍ରେସ ଓଡିଶାର ମାଟି ଦେଖିବ ନା ଦିଲ୍ଲୀର ପାର୍ଟି ?

ଓଡିଶାରୁ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେବା ପରେ ସେ କିପରି ଜିତିବେ ସେ ନେଇ ତାଙ୍କର ଉପରେ ସବୁ ଓଡିଆଙ୍କର ରହିଛି ଆର୍ଶିବାଦ। ଦ୍ରୌପଦୀଙ୍କ ନାମ ଘୋଷଣା ପରେ ସମସ୍ତେ ସ୍ବାଗତ କରିବା ସହିତ ବିଜେଡି ସଂପୂର୍ଣ୍ଣ ସମର୍ଥନ ଦେବ ବୋଲି ନବୀନ ଘୋଷଣା କରିଛନ୍ତି। ହେଲେ ରାଜ୍ୟ କଂଗ୍ରେସ ତରଫରୁ ଏ ପର୍ଯ୍ୟନ୍ତ ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ନେଇ କୌଣସି ପ୍ରତିକ୍ରିୟା ମିଳି ନାହିଁ।

ଏପରି ପରିସ୍ଥିତିରେ ପ୍ରଦେଶ କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅଡୁଆକୁ ଆହୁରି ଗୋଳିଆ କରିଦେଇଛି ନବୀନଙ୍କ ଅପିଲ। ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ନବୀନ ଘୋଷଣା କରି ରାଜ୍ୟର ସମସ୍ତ ବିଧାୟକଙ୍କୁ ସମର୍ଥନ କରିବାକୁ ଅପିଲ କରିଛନ୍ତି। ଓଡିଶା ମାଟିର ଝିଅ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବାକୁ ଯାଉଥିବାରୁ ସମସ୍ତେ ସହଯୋଗ କରନ୍ତୁ। ନବୀନଙ୍କ ଏହି ଅପିଲ କଂଗ୍ରେସ ପାଇଁ ଆଉ ଏକ ଚିନ୍ତାର କାରଣ ପାଲଟିଛି।

ଯେତେବେଳେ ୟୁପିଏ ପ୍ରଣବ ମୁଖାର୍ଜିଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କଲା ସେତେବେଳେ ପଶ୍ଚିମବଂଗର ସମସ୍ତେ ଏହାକୁ ସ୍ବାଗତ କରିଥିଲେ। ଏପରିକି ତ୍ରୁଣମୂଳ କଂଗ୍ରେସ ମଧ୍ୟ ପ୍ରଣବଙ୍କୁ ସଂପୂର୍ଣ୍ଣ ସମର୍ଥନ କରିଥିଲା। ସେତେବେଳେ ମମତା ବାନାର୍ଜୀ ସୋନିଆଙ୍କ ମଧ୍ୟରେ ଭଲ ସଂପର୍କ ନ ଥିଲେ ମଧ୍ୟ ସେ ପ୍ରଣବଙ୍କୁ ସମର୍ଥନ ଦେଇଥିଲେ। କାରଣ ତାଙ୍କ ଆଗରେ ପାର୍ଟି ନୁହେଁ ନିଜ ମାଟି ବଡ ହୋଇଥିଲା।

ବର୍ତ୍ତମାନ ରାଜ୍ୟ କଂଗ୍ରେସ ପାଖରେ ମୋଟ ଦଶଟି ଆସନ ରହିଛି। ସେଥିମଧ୍ୟରେ ବିଧାନସଭାରେ ନଅଟି ଥିବା ବେଳେ ଲୋକସଭାରେ ଗୋଟିଏ ଆସନ ଓଡିଶା କଂଗ୍ରେସର ରହିଛି।

Related posts