ଆଜି ରଥରେ ଶ୍ରୀଜିୟୁଙ୍କୁ ଲାଗି ହେବ ଅଧରପଣା, ତିଆରି ହୋଇଛି ଓଠକୁ ଛୁଇଁବା ପରି ହାଣ୍ଡି

Published: Jul 11, 2022, 10:06 am IST

ପୁରୀ: ଆଜି ରଥରେ ତିନିଠାକୁରଙ୍କ ନିକଟରେ ଅଧରପଣା ନୀତି ଅନୁଷ୍ଠିତ ହେବ। ଏଥିରେ ଅଧର ବା ଓଠକୁ ଛୁଇଁବା ପରି ହାଣ୍ଡିରେ ପଣା ଭୋଗ କରାଯିବ। ତିନିଠାକୁରଙ୍କ ପାଖରେ ତିନୋଟି ଲେଖାଏଁ ମାଟି ହାଣ୍ଡିରେ ଏହି ପଣା ଲାଗି କରାଯିବ। ସେଥିପାଇଁ ସ୍ବତନ୍ତ୍ର ଭାବେ ମୋଟ ୯ଟି ମାଟିହାଣ୍ଡି ତିଆରି କରାଯାଇଛି।

ସାଧାରଣତଃ ଆଷାଢ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଏହି ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ।

ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ। ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି।

Related posts