ଜମିରେ ସୋଲାର ପମ୍ପ୍‌ସେଟ୍‌ ସ୍ଥାପନ କାମ ଶେଷ କରିବା ପାଇଁ କଂପାନୀକୁ ନିର୍ଦ୍ଦେଶ ଦେଲେ କୃଷିମନ୍ତ୍ରୀ

Published: Jul 27, 2022, 10:44 pm IST

ଭୁବନେଶ୍ୱର: ସୌର ଜଳନିଧି ଯୋଜନାରେ ରାଜ୍ୟର ଚାଷୀମାନଙ୍କୁ ଜଳସେଚନର ସୁବିଧା ନିମନ୍ତେ ସୋଲାର ପମ୍ପସେଟ୍‌ ସ୍ଥାପନର ଅଗ୍ରଗତିର ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଆଜି କୃଷି ଭବନରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୨୦୧୮-୧୯ ବର୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ସଦ୍ୟତମ ସ୍ଥିତି ବିଷୟରେ ସମୀକ୍ଷା କରିବା ଅବସରରେ ଧାର୍ଯ୍ୟ ଲକ୍ଷ୍ୟକୁ ଶୀଘ୍ର ପୂରଣ କରି ଚାଷୀମାନଙ୍କୁ ଜଳସେଚନର ସୁବିଧା ଉପଲବ୍ଧ କରାଇବା ପାଇଁ ବିଭାଗୀୟ ଅଧିକାରୀ ଓ ଚୁକ୍ତିଭୁକ୍ତ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଓରେଡାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ଟି ଚୁକ୍ତିଭୁକ୍ତ କମ୍ପାନୀ ମାଧ୍ୟମରେ ରାଜ୍ୟରେ ସୋଲାର ପମ୍ପସେଟ୍‌ ସ୍ଥାପନ କରାଯାଇଛି। ନ୍ୟୁନତମ ୦.୫ ଏକର ଚାଷ ଜମି ଥିବା ଓ କୂଅ/ଫାର୍ମପଣ୍ଡ କିମ୍ବା ନିକଟସ୍ଥ ଚେକ୍‌ଡ୍ୟାମ୍‌ରୁ ପାଣିନେବାର ସୁବିଧାଥିବା ଚାଷୀମାନଙ୍କୁ ସୋଲାର ପମ୍ପସେଟ୍‌ ସ୍ଥାପନ ନିମନ୍ତେ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ଡିସି ମଟର ସୋଲାର ପମ୍ପସେଟ୍‌ ବଦଳରେ ଏସି ମଟର ପମ୍ପସେଟ୍‌ ସ୍ଥାପନର ସୁବିଧାକୁ ଅନୁଧ୍ୟାନ କରିବା ପାଇଁ ଆବଶ୍ୟକ ବୈଷୟିକ ପରାମର୍ଶ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୌର ଜଳନିଧି ଯୋଜନାରେ ସୋଲାର ପମ୍ପସେଟ୍‌ ସ୍ଥାପନ ନିମନ୍ତେ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ।

ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ଶ୍ରୀ ସଂଜୀବ ଚୋପ୍ରା, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଦାନନ୍ଦ ନାୟକ, ବିଭାଗୀୟ ମୁଖ୍ୟ ଯନ୍ତ୍ରୀ, (କୃଷି) ଶ୍ରୀ ରାଜେନ୍ଦ୍ର ବେଶ୍ରା, ଓରେଡାର ଯୁଗ୍ମ ନିର୍ଦ୍ଦେଶକ ବୈଷୟିକ ସସ୍ମିତା ପଟ୍ଟନାୟକଙ୍କ ସମେତ ଉଠାଜଳସେଚନ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

Related posts