ଭାଇରାଲ ହେଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭୁଲ ଫଟୋ, ରହସ୍ୟ ଖୋଜିଲା ଜାତୀୟ ଗଣମାଧ୍ୟମ

Published: Aug 1, 2022, 6:10 am IST

ଭୁବନେଶ୍ବର: ଗତ କିଛି ଦିନ ଧରି ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ତାହା ହେଉଛି ଜଣେ ମହିଳା ଏକ ରୋଷେଇ ଘରେ ବସିଛନ୍ତି। ଏଥିରେ କୁହାଯାଇଛି ଯେ, ସେହି ମହିଳା ଜଣଙ୍କ ହେଉଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ କେଉଁ ଭଳି ଜୀବନ ଅତିବାହିତ କରୁଥିଲେ ତାହାକୁ ନେଇ ସେଥିରେ ଉଲ୍ଲେଖ ରହିଛି। ଏହାକୁ ନେଇ ଦେଶ ବିଦେଶର ସାମ୍ବାଦିକ ତଥା ସାଧାରଣ ଜନତା ବେଶ୍ ସକରାତ୍ମକ ପ୍ରତିକ୍ରିୟା ରଖିଛନ୍ତି।

ଆମ ଦେଶର ବିଭିନ୍ନ ଆଞ୍ଚଳିକ ଗଣମାଧ୍ୟମ ଏହା ଉପରେ ନ୍ୟୁଜ ମଧ୍ୟ କରିଛନ୍ତି। ରାଷ୍ଟ୍ରପତି କିପରି ଗରିବ ଅଛନ୍ତି ତାହାକୁ ପ୍ରତିପାଦନ କରାଇଛନ୍ତି। ଏହି ଫଟୋରେ ଯେଉଁ ରୋଷେଇ ଘର ରହିଛି ତାହା ସାଧାରଣ ଗରିବ ଘରର ବୋଲି ସେମାନେ ନ୍ୟୁଜ କରିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ତାଙ୍କର ଗରିବ ସ୍ଥିତିକୁ ସମସ୍ତେ ନିଜନିଜ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ କରିବାରେ ଲାଗିଲେ।

ତେବେ କେତେକ ଏହି ଫଟୋଟି ଦ୍ରୌପଦୀ ମୁର୍ମୁଙ୍କର ନୁହେଁ ବୋଲି ପ୍ରତିକ୍ରିୟା ଦେବା ପରେ ସତ କଣ ତାହା ଖୋଜାଗଲା। ପ୍ରକୃତ କଥା ହେଲା ଯେଉଁ ଫଟୋଟି ଭାଇରାଲ ହୋଇଛି ତାହା ଦ୍ରୌପଦୀ ମୁର୍ମୁଙ୍କର ନୁହେଁ। ହେଲେ ସେ ମହିଳା ଯେଉଁ ସ୍ଥାନରେ ବସିଛନ୍ତି ତାହା ହେଉଛି ଦ୍ରୌପଦୀ ମୁର୍ମୁଙ୍କର ଘର। କିନ୍ତୁ ମହିଳା ଜଣଙ୍କ ହେଉଛନ୍ତି ତାଙ୍କର ନିଜ ଭାଉଜ ଶୁକ୍ରମଣୀ ଟୁଡୁ। ସେ ଦ୍ରୌପଦୀଙ୍କ ଭାଇ ତାରଣୀସେନ ଟୁଡୁଙ୍କ ଧର୍ମପତ୍ନୀ। ହେଲେ ଶୁକ୍ରମଣୀ ଦ୍ରୌପଦୀଙ୍କର ରୋଷେଇ ଘରେ ବସିଥିବାରୁ ତାହା ଦ୍ରୌପଦୀ ମୁର୍ମୁ ବୋଲି ଭ୍ରମ ସୃଷ୍ଟି କରିଛି।

ଏହି ଫଟୋକୁ ନେଇ କେତେକ ଜାତୀୟ ଗଣମାଧ୍ୟମର Fact Check ଟିମ ଓଡିଶାର ବରିଷ୍ଠ ସାମ୍ବାଦିକଙ୍କୁ ଫୋନ କରି ସତ କଣ ଜାଣିବାକୁ ପ୍ରୟାଶ କରିଥିଲେ। ସେମାନେ ସତ କଥା ଜାଣିବା ପରେ ଏହି ଭାଇରାଲ ଫଟୋରେ ଥିବା ମହିଳା ଦ୍ରୌପଦୀ ମୁର୍ମୁ ନୁହଁନ୍ତି ବୋଲି ଜଣାଇଛନ୍ତି। ଏହାପରେ ସାମାଜିକ ଗଣମାଧ୍ୟମରେ ପୁଣି ଥରେ ସେହି ଫଟୋ ଉପରେ ସ୍ପଷ୍ଟିକରଣ ଦେଇଛନ୍ତି।

Related posts