ଦିଲ୍ଲୀରେ ‘ହର ଘର ତିରଙ୍ଗା’ ବାଇକ ଶୋଭାଯାତ୍ରାକୁ ଉଦଘାଟନ କଲେ ଉପରାଷ୍ଟ୍ରପତି

Published: Aug 3, 2022, 11:39 pm IST

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ଲାଲକିଲ୍ଲା ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ସାଂସଦମାନଙ୍କର ‘ହର ଘର ତିରଙ୍ଗା’ ବାଇକ ଶୋଭଯାତ୍ରାକୁ ଉପରାଷ୍ଟ୍ରପତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ସମ୍ପୂର୍ଣ୍ଣ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ‘ହର ଘର ତିରଙ୍ଗା’ (ସବୁ ଘରେ ତ୍ରିରଙ୍ଗା ଉତ୍ତୋଳନ) ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ, ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ରାମ ମେଘୱାଲ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ମୀନାକ୍ଷୀ ଲେଖି ଏବଂ ଭି. ମୂରଲୀଧରନଙ୍କ ସମେତ ବହୁ ସଂଖ୍ୟାରେ ସାଂସଦମାନେ ଉପସ୍ଥିତ ଥିଲେ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ନିଜେ ବାଇକ ଚଳାଇ ଶୋଭଯାତ୍ରାରେ ସାମିଲ ହୋଇଥିଲେ । ଶ୍ରୀ ଠାକୁର କହିଥିଲେ ଯେ, ଦେଶକୁ ଏକଜୁଟ ରଖିବା, ଭାରତକୁ ଆଗେଇ ନେବା ଏବଂ ଆହୁରି ସୁଦୃଢ଼ କରିବାର ବାର୍ତ୍ତା ଭବିଷ୍ୟତ ପିଢ଼ିକୁ ପ୍ରଦାନ କରିବା ଲାଗି ଆଜି ବହୁ କେନ୍ଦ୍ର ମନ୍ତ୍ରୀ, ସାଂସଦ, ଯୁବ ନେତାମାନେ ଏକତ୍ରିତ ହୋଇଛନ୍ତି । ତ୍ରିରଙ୍ଗାର ଶକ୍ତି ୧୩୦ କୋଟି ଭାରତୀୟଙ୍କୁ ଏକଜୁଟ କରି ରଖିଛି । ଆଜି ଆମେ ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଏବଂ ସେମାନଙ୍କୁ ସ୍ମରଣ କରୁଛୁ । ସ୍ବାଧୀନତାର ଏହି ଅମୃତ ମହୋତ୍ସବରେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସହିତ ଭାରତର ଗୌରବ ବୃଦ୍ଧି କରିବା ଲାଗି କାର୍ଯ୍ୟ କରିବା ନିମନ୍ତେ ଆମେ ସମସ୍ତେ ଆଜି ସଂକଳ୍ପ ନେଉଛୁ ।

ଭାରତୀୟ ନାଗରିକ ଏବଂ ଜାତୀୟ ପତାକା ମଧ୍ୟରେ ରହିଥିବା ଏକ ବ୍ୟକ୍ତିଗତ ସମ୍ପର୍କକୁ ଉଜ୍ଜୀବିତ କରି ରଖିବା ଲାଗି ଭାରତ ସରକାର ‘ହର ଘର ତିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି । ନାଗରିକଙ୍କ ମନରେ ଦେଶପ୍ରେମ ଏବଂ ଜାତୀୟତା ଭାବନାକୁ ସୁଦୃଢ଼ କରିବା ଏବଂ ସ୍ବାଧୀନତାର ଅମୃତ ମହୋତ୍ସବରେ ଜନଭାଗିଦାରୀ ବଢ଼ାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

Related posts