
ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିରର ଗର୍ଭ ଗୃହରୁ ବାଲି କଢାଯିବ। ଏ ନେଇ ଭାରତ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ପ୍ରସ୍ତୁତି ଆରମ୍ଭ କରିଛି। ପର୍ଯ୍ୟାୟ କ୍ରମେ ଗର୍ଭ ଗୃହରୁ ବାଲି କଢାଯିବ। ଏଥିପାଇଁ ଏଏସଆଇ ବାଲି କାଢିବା ପାଇଁ ମନ୍ଦିରରେ ଭିତରକୁ ଏକ ରାସ୍ତା କରିବ। ଏପରିକି ମନ୍ଦିରରୁ କେତେକ ପଥର ହଟାଯିବା ବୋଲି ଜଣାପଡିଛି।
ହେଲେ ଏଏସଆଇ ଏତେ ବଡ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ କୌଣସି ଅବଗତ କରାଯାଇ ନାହିଁ। ଏହି ପ୍ରାଚୀନ ଐତିହ୍ୟ ଏଏସଆଇ ଅଧିନରେ ଥିଲେ ମଧ୍ୟ ଓଡିଶା ସରକାର ଏତେ ବଡ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅବଗତ ହେବା ଆବଶ୍ୟକ। ହେଲେ ଏଥିରେ ନା ଏଏସଆଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛି ନା ରାଜ୍ୟ ସଂସ୍କୃତି ବିଭାଗ ଏ ନେଇ କିଛି ଆଲୋଚନା କରୁଛି।
କୋଣାର୍କ ମନ୍ଦିରର ଗର୍ଭ ଗୃହରେ ୧୯୦୧ ମସିହାରେ ଇଂରେଜମାନେ ବାଲି ଭର୍ତ୍ତି କରିଥିଲେ। ଏହାର କାରଣ ଥିଲା ଏହି ପ୍ରାଚୀନ ମନ୍ଦିର ଭୁଷୁଡି ପଡିବା ସମ୍ଭାବନା ଥିବାରୁ ସେମାନେ ସେତେବେଳେ ଏହି ପଦକ୍ଷେପ ନେଇଥିଲେ। ଏହି ବାଲି ଭର୍ତ୍ତି କରିବା ପାଇଁ ସେତେବେଳେ ପ୍ରାୟ ତିନି ବର୍ଷ ସମୟ ଲାଗିଥିଲା। ଅର୍ଥାତ ୧୯୦୧ ମସିହାରୁ ବାଲି ଭର୍ତ୍ତି ଆରମ୍ଭ ହୋଇ ୧୯୦୩ ମସିହାରେ ଶେଷ ହୋଇଥିଲା।
ପ୍ରାୟ ୧୨୧ ବର୍ଷ ପରେ ବର୍ତ୍ତମାନ ଏହି ମନ୍ଦିର ଭିତରୁ ବାଲି ନିଷ୍କାସନ ହେବ। ବହୁ ସର୍ଭେ କରିବା ପରେ ଏଏସଆଇ ଏହି ନିଷ୍ପତି ଗ୍ରହଣ କରିଛି। ସେମାନେ ମନ୍ଦିର ଭିତରୁ ବାୟୁ ନିସ୍କସନ ପାଇଁ ଥିବା ରାସ୍ତା ମାଧ୍ୟମରେ ବାଲି କାଢିବାକୁ ନିଷ୍ପତି କରିଛନ୍ତି। ଯାହା ପାଇପ ମାଧ୍ୟମରେ ଗର୍ଭ ଗୃହରୁ ମେସିନ ଦ୍ବାରା ବାଲି ନିଷ୍କାସନ ହେବ।
ଏହା ଏକ ବିପଦପୂର୍ଣ୍ଣ କାର୍ଯ୍ୟ। କାରଣ ମନ୍ଦିରର ସୁରକ୍ଷା ପାଇଁ ବାଲି ଭର୍ତ୍ତି କରାଯାଇ ଥିଲା। ସେହି ବାଲି କାଢିବା ବେଳେ ମନ୍ଦିର ସୁରକ୍ଷା ପ୍ରତି ହୁଏତ ବିପଦ ଆସିପାରେ। ଏପରି କ୍ଷେତ୍ରରେ ଏଏସଆଇ ନିଜେ ନିଜେ ସବୁ ନିଷ୍ପତି ନେବା କେତଦୂର ଠିକ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପଟେ ରାଜ୍ୟ ସଂସ୍କୃତି ବିଭାଗ ଏ ଖବର ଜାଣିବା ପରେ ମଧ୍ୟ ଚୁପ ହୋଇ ବସି ରହିଛି। କାରଣ ହେଲା ଏହା ଏଏସଆଇ କାର୍ଯ୍ୟ ବୋଲି କହି ଏତେ ବଡ ବିପଦକୁ କାହିଁକି ମୁଣ୍ଡେଇବା ବୋଲି ଭାବି ଚୁପ। ଯଦି ମନ୍ଦିର ଉପରେ କୌଣସି ବିପଦ ଆସେ ସେତେବେଳେ ରାଜ୍ୟ ସଂସ୍କୃତି ବିଭାଗ ନିଶ୍ଚିତ ହୋଇ ବସିରହି ପାରିବ କି ?
କୋଣାର୍କ ମନ୍ଦିର ଓଡିଶାର। ଏଏଏସଆଇ ରକ୍ଷାଣ ବେକ୍ଷଣ କରୁଛି ଅର୍ଥ ନୁହେଁ ଯେ, ଏହା କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ମାଲିକାନା ହୋଇଗଲା। ସାରା ବିଶ୍ବରେ ଲୋକେ ଜାଣନ୍ତି ଯେ, କୋଣାର୍କ ମନ୍ଦିର ଓଡିଶାରେ ଅଛି। ରାଜ୍ୟ ସଂସ୍କୃତି ବିଭାଗ ଏହାର ରକ୍ଷାଣବେକ୍ଷଣ ନ କଲେ ମଧ୍ୟ ତଦାରଖ କରିବା ଆବଶ୍ୟକ। ହେଲେ ଏତେବଡ କାର୍ଯ୍ୟ ଉପରେ ନା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନା ସଂସ୍କୃତି ବିଭାଗ ନଜର ରଖୁଛି।