Categories
ଆଜିର ଖବର ରାଜ୍ୟ ଖବର

ଟ୍ରକ୍ ଧକ୍କାରେ ଭାଙ୍ଗିଗଲା ଦ୍ଵିତୀୟ କୋଣାର୍କ ମନ୍ଦିରର ଅରୁଣ ସ୍ତମ୍ଭ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ପୋଲସରା ପଟୁ ଏକ ସାର ବୋଝେଇ ଟ୍ରକ (ଓଆର୍ ୦୭ କେ ୯୯୪୧) ବୁଗୁଡ଼ା ବଡ଼ଦାଣ୍ଡରେ ପ୍ରବେଶ କରିଥିଲା। କିନ୍ତୁ ମୁଖ୍ୟ ରାସ୍ତାରେ ପଞ୍ଚ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ନିର୍ମାଣ ହୋଇଥିବାରୁ ଟ୍ରକ୍ ଟି ଆଗକୁ ନଯାଇ ପଛକୁ ଆସିବା ବେଳେ ଦ୍ବିତୀୟ କୋଣାର୍କ ମନ୍ଦିର ଭାବେ ପରିଚିତ କାଠରେ ନିର୍ମିତ ବିରଞ୍ଚି ନାରାୟଣ ମନ୍ଦିରର ବାହାରେ ଥିବା ଅରୁଣ ସ୍ତମ୍ଭକୁ ଧକ୍କା ଦେଇଥିଲା। ଯାହା ଫଳରେ ଉକ୍ତ ସ୍ତମ୍ଭଟି ଢଳିପଡିବା ସହ ସ୍ତମ୍ଭ ଉପରେ ଅବସ୍ଥିତ ଅରୁଣ ମୁର୍ତ୍ତି ଟି ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି।

ଏକୋଇଶି ଫୁଟ ଉଚ୍ଚତା ବିଶିଷ୍ଟ ଉକ୍ତ ଅରୁଣ ସ୍ତମ୍ଭ ଟି ମାଟି ତଳେ ୫ ଫୁଟ ଖାଲରୁ ନିର୍ମିତ ହେଇଥିଲା। ତଥାପି ଉକ୍ତ ସ୍ତମ୍ଭଟି କେମିତି ଭାଙ୍ଗିଲା, ତାକୁ ଦେଖି ଅଞ୍ଚଳ ବାସିନ୍ଦା ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି।

ଏହି ଘଟଣାକୁ ବିରଞ୍ଚି ନାରାୟଣ ମନ୍ଦିର ମହନ୍ତ ଭକ୍ତରାମ ଦାସ ରାଜ୍ୟ ଦେବୋତ୍ତର ବିଭାଗ ଓ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ଉକ୍ତ ଟ୍ରକ୍ ଜବତ୍ କରିବା ସହ ଡ଼୍ରାଇଭରକୁ ଅଟକ ରଖିଛନ୍ତି।

Categories
ବିଶେଷ ଖବର

ସାନ ସିନା, ଦାନ ତା ମହାନ୍‌

ସୁବାଷ କୁମାର ତାରଣିଆଁ

ଆମେ ଇତିହାସରେ ପଢିଥିଲେ ଯେ, ଯେଉଁଠି ୧୨୦୦ ବଢେଇ କୋଣାର୍କ ମନ୍ଦିରର ମୁଣ୍ଡି ମାରିପାରି ନଥିଲେ, ସେଠି ୧୨ ବର୍ଷର ବାଳକ ଧର୍ମପଦ କୋଣାର୍କ ମନ୍ଦିରର ମୁଣ୍ଡ ମାରି ୧୨୦୦ ବଢେଇଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ପ୍ରାଣ ହରାଇଥିଲେ। ଧର୍ମପଦଙ୍କ ମହାନତା ପାଇଁ ଆଜି ବି ଓଡ଼ିଆଜାତି ଗର୍ବିତ। ଆଜି ସିନା ଧର୍ମପଦ ଆମ ଗହଣରେ ନାହାଁନ୍ତି, ହେଲେ ସମାଜକୁ ସେ ଯେଉଁ ବାର୍ତ୍ତା ଦାନ କରି ଯାଇଛନ୍ତି ସେ ବାର୍ତ୍ତାକୁ ଏବେ କି କିଛି ଲୋକ କାର୍ଯ୍ୟକାରୀ କରୁଛନ୍ତି। ନିଜ କଷ୍ଟାର୍ଜିତ ଅର୍ଥରେ କିଣିଥିବା ମୂଲ୍ୟବାନ ସୁନାଚେନଟିକୁ ହରାଇ ଭୀତସ୍ତତ୍ର ଅବସ୍ଥାରେ ଥିବା ମାଲିକଙ୍କୁ ସୁନାଚେନଟିକୁ ଫେରାଇ ନିଜର ମହାନତାର ପରିଚୟ ଦେଇଛନ୍ତି ଜଣେ ସ୍ୱଚ୍ଛ ସାଥୀ।

ଗତ ଫେବୃୟାରୀ ମାସ ୨୧ ତାରିଖ ସୋମବାର ଦିନର ଘଟଣା। ଭୁବନେଶ୍ୱର ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରରେ ସ୍ୱଚ୍ଛ ସାଥୀ ପୂଜା ସିଂ ଅଳିଆ ସଫା କରୁଥିବା ସମୟରେ ଏକ ସୁନା ଚେନ ପାଇଥିଲେ। ପ୍ରାୟ ୬ ଭରି ଓଜନର ସୁନା ଚେନ୍ ପାଇବା ପରେ କୌଣସି ଲୋକ ହୁଏତ ଲୋଭରେ ଏହାକୁ ଲୁଚାଇ ନେଇପାରିଥାନ୍ତା। କିନ୍ତୁ ସଚ୍ଚୋଟ ପୂଜା ସିଂଙ୍କୁ ଲୋଭ ଗ୍ରାସ କରିପାରି ନଥିଲା। ସେ ସୁନା ଚେନ୍‌ଟିକୁ ପ୍ରକୃତ ମାଲିକଙ୍କୁ ଫେରାଇ ପ୍ରଶଂସାର ପାତ୍ରୀ ପାଲଟିଛନ୍ତି।

ତାଙ୍କର ଏଭଳି ମହାନତା ପାଇଁ ବିଏମ୍‌ସି ମେୟର ସୁଲୋଚନା ଦାସ, କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଅତିିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ ପୂଜାଙ୍କୁ ସାଧୁବାଦ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ। ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ବିଭୂତି ଭୂଷଣ ସେଠୀ, ଗତ ଫେବୃୟାରୀ ୧୮ ତାରିଖ ଦିନ ତାଙ୍କ ମା’ଙ୍କର ଶ୍ରାଦ୍ଧ ଦିବସ ଥିଲା। ତେଣୁ ମା’ଙ୍କ ଫଟୋଚିତ୍ରରେ ଫୁଲମାଳ ପକାଇବା ସହିତ ଶ୍ରାଦ୍ଧ ଦେବା ସମୟରେ ବିଭୂତି ଭୂଷଣ ବେକରୁ ସୁନାଚେନ୍‌ଟି କାଢି ତଳେ ଥୋଇ ଦେଇଥିଲେ। ପରବର୍ତ୍ତୀ ସମୟରେ ବେକରୁ କାଢିଥିବା ସୁନାଚେନ୍‌ଟି କଥା ସେ ଭୁଲି ଯାଇଥିଲେ।

ପରଦିନ ଫୁଲମାଳ ସହ ଶ୍ରାଦ୍ଧରେ ବ୍ୟବହୃତ ହୋଇଥିବା ସମସ୍ତ ସାମଗ୍ରୀ ଡଷ୍ଟବିନ୍‌ରେ ପକାଇ ଦେଇଥିଲେ। ତା’ ପରଦିନ ଅର୍ଥାତ୍ ୨୦ ତାରିଖ ସକାଳେ ବିଭୂତି ନିଜ ଘର ଡଷ୍ଟିବନ୍‌ରେ ରଖିଥିବା ସମସ୍ତ ଅଳିଆ ଆବର୍ଜନାକୁ ବିଏମ୍‌ସି ସଫେଇ ଗାଡ଼ି କର୍ମଚାରୀଙ୍କୁ ଦେଇ ଦେଇଥିଲେ। ସେହିଦିନ ମଧ୍ୟାହ୍ନରେ ବିଭୂତିଙ୍କ ସୁନାଚେନ୍ କଥା ମନେ ପଡ଼ିବାରୁ ଘରେ ଖୋଜାଖୋଜି କରିଥିଲେ।

ବିଭୂତିଙ୍କର ଠିକ୍ ମନେ ଥିଲା ଯେ, ମା’ଙ୍କ ଶ୍ରାଦ୍ଧ ଦିବସରେ ସୁନାଚେନ୍‌ଟି କାଢି ଫଟୋ ପାଖରେ ରଖିଥିଲେ। ସେଠାରୁ ଅଳିଆ ସାମଗ୍ରୀ ଯେଉଁ ଡଷ୍ଟବିନରେ ପକାଯାଇଛି, ସେହି ଡଷ୍ଟବିନରେ ନିଶ୍ଚିତ ଭାବେ ସୁନା ଚେନ୍‌ଟି ଚାଲିଯାଇଛି। ଏ ନେଇ ବିଭୂତି ବିଏମ୍‌ସି କମିଶନରଙ୍କ ସହିତ ଯୋଗାଯୋଗ କରିବାରୁ ପୂଜା ସିଂ ନାମକ ସ୍ୱଚ୍ଛ ସାଥୀ ସୁନାଚେନ ପାଇଥିବା ଜାଣିବାକୁ ପାଇଥିଲେ। ଏହାପରେ ବିଭୂତି ନିଜର ପରିଚୟ ସହିତ ପ୍ରମାଣପତ୍ର ଦେଖାଇ ବିଏମ୍‌ସି କାର୍ଯ୍ୟାଳୟରୁ ସୁନାଚେନକୁ ଗ୍ରହଣ କରିଥିଲେ ଏବଂ ବିଭୂତିଙ୍କ ସହିତ ସାରା ପରିବାର ପୂଜା ସିଂଙ୍କ ମହାନତା ପାଇଁ ସାଧୁବାଦ ଜଣାଇଥିଲେ।

ସେହିପରି ଆଉ ଏକ ଘଟଣା ହେଲା, ତୁଳା ବେହେରା ନାମକ ଜଣେ ୭୦ ବର୍ଷର ବୃଦ୍ଧା ଯିଏକି ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ଭିକ୍ଷାବୃତ୍ତି କରି ଜୀବନ ବିତାଇ ଆସୁଥିଲେ।

ଯେଉଁ ମନ୍ଦିର ଦୁଆରେ ବସି ଭିକ୍ଷାବୃତ୍ତି କରୁଥିଲେ, ସେହି ମନ୍ଦିରର ବିକାଶ ନିମନ୍ତେ ଜୀବନ ସାରା ସଞ୍ଚିତ କରିଥିବା ଅର୍ଥ ୧ ଲକ୍ଷ ୧୦ ହଜାର ଟଙ୍କା ଦାନ କରିଛନ୍ତି ଏହି ସ୍ୱାମୀ ପରିତ୍ୟକ୍ତା ବୃଦ୍ଧା। ନିଜ ଘରର ପରିଚୟ ଜାଣିନଥିବା ତୁଳା ବେହେରା ଫୁଲବାଣୀ ଜିଲ୍ଲା ଦୁବଗଡ଼ର ପ୍ରଫୁଲ୍ଲ ବେହେରା ନାମକ ଜଣେ ଭିନ୍ନକ୍ଷମକୁ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ସ୍ତ୍ରୀ ଉଭୟେ ସାହିକୁ ସାହି ବୁଲି ଭିକ୍ଷାବୃତ୍ତି କରୁଥିଲେ। ପିଲାଛୁଆ ନଥିବା ତୁଳାଙ୍କ ସ୍ୱାମୀ ୨୦ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ। ସ୍ୱାମୀକୁ ହରାଇବା ପରେ ତୁଳା ଏକୁଟିଆ ବଞ୍ଚିବାକୁ ସଂଗ୍ରାମ ଆରମ୍ଭ କରିଥିଲେ। ଏହାପରେ ସେ ସାହିକୁ ସାହି ଭିକ୍ଷାବୃତ୍ତି କରିବାକୁ ନ ଯାଇ ଫୁଲବାଣୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରୁଥିଲେ ଓ ମନ୍ଦିର ପାଖରେ ଏକ କୁଡ଼ିଆ କରି ରହୁଥିଲେ।

ଭିକ୍ଷାବୃତ୍ତିରୁ ଯାହା ମିଳୁଥିଲା ତାକୁ ସେ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଆଉ ଏକ ପୁରାତନ ମନ୍ଦିରର ବିକାଶ ପାଇଁ ଦାନ କରିବେ ବୋଲି ପରିଣତ ବୟସରେ ତୁଳା ବହୁବାର ମନ୍ଦିରର ପୂଜକଙ୍କୁ କହିଥିଲେ। ଦୀର୍ଘ ୧୦ ବର୍ଷ ଧରି ସେ ଭିକ୍ଷାବୃତ୍ତିରୁ ଯାହା ପାଉଥିଲେ, ତାକୁ ସେ ମନ୍ଦିରର ପୂଜକଙ୍କୁ ଦେଉଥିଲେ। ପୂଜକ ମଧ୍ୟ ଡ଼ାକଘରେ ତୁଳାଙ୍କ ନାମରେ ଏକ ସଞ୍ଚୟ ଖାତା ଖୋଲିଥିଲେ।

ଇତିମଧ୍ୟରେ ତୁଳାଙ୍କ ସଞ୍ଚୟ ଖାତାରେ ୧ ଲକ୍ଷ ୧୦ ହଜାର ଟଙ୍କା ଜମା ରହିଥିଲା। ତୁଳା ସମସ୍ତ ଜମା ଟଙ୍କା ମନ୍ଦିରର ବିକାଶ ପାଇ ଦାନ କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜୀବନର ଶେଷ ପର୍ଯ୍ୟନ୍ତ ଭିକ୍ଷାବୃତ୍ତି କରି ଯାହା ପାଇବେ, ତାକୁ ସେ ମନ୍ଦିରକୁ ଦାନ କରିବେ ବୋଲି ତୁଳା କହିଛନ୍ତି। ଯେଉଁଠି ବଡ଼ ବଡ଼ ଅଫିସର, ଡ଼ାକ୍ତର, ଯନ୍ତ୍ରୀ, ପିଅନ, ରପରାଶି ମନ୍ଦିରକୁ ଦାନ କରିବା ବଦଳରେ ଲାଞ୍ଚ ନେଇ କୋଟି କୋଟି ଟଙ୍କା ଠୁଳ କରୁଛନ୍ତି, ସେଠି ତୁଳା ବେହେରା ପରିଣତ ବୟସରେ ଭିକ୍ଷାବୃତ୍ତି କରି ମନ୍ଦିରକୁ ଦାନ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି।

ଗତ କିଛିିଦିନ ତଳେ କଟକର ୬୩ ବର୍ଷ ବୟସ୍କା ମହିଳା ମିନତୀ ପଟ୍ଟନାୟକ ନିଜର ୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଜଣେ ବୁଢା ସାମଲ ନାମକ ଜଣେ ରିକ୍ସାବାଲାଙ୍କୁ ଦାନ କରିବା ଘଟଣା ସେତେବେଳେ ବିଭିନ୍ନ ଗଣମାଧ୍ୟମର ମୁଖ୍ୟ ଶିରୋନାମା ପାଲଟିଥିଲା। ମିନତୀ ପଟ୍ଟନାୟକ ଦୀର୍ଘ ବର୍ଷ ଧରି କଟକରେ ନିଜର ପରିବାର ସହିତ ରହି ଆସୁଥିଲେ। ହେଲେ ବିଧିର ବିଧାନ ଥିଲା ବଡ଼ ବିଚିତ୍ର। ହଠାତ୍ ମିନତୀଙ୍କ ସ୍ୱାମୀ କିଡ୍‌ନୀ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କଲେ। ପରେ ପରେ ମିନତୀଙ୍କ ଝିଅ ମଧ୍ୟ ଆରପାରିକୁ ଚାଲିଯାଇଥିଲେ।

ଏଥିରେ ବିଚଳିତ ନହୋଇ ମିନତୀ ଧୈର୍ଯ୍ୟର ସହିତ ଜୀବନ ଜୀଇଁ ଚାଲିଥିଲେ ଏବଂ ବୁଢା ସାମଲ ମିନତୀଙ୍କୁ ସମସ୍ତ ସେବା ଶୁଶ୍ରୁଷା ଯୋଗାଇ ଆସୁଥିଲେ। ଦୀର୍ଘବର୍ଷ ଧରି ସେବା ଶୁଶ୍ରୁଷା ଯୋଗାଇବା ପରେ ମିନତୀ ନିଜର ୧କୋଟି ଟଙ୍କାର ଘର, ସୁନା ଗହଣା ଓ ସମସ୍ତ ଆସବାବ ପତ୍ର ବୁଢା ସାମଲଙ୍କ ପରିବାରକୁ ଦାନ କରିଦେଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ମିନତୀଙ୍କ ଏହି ମହାନତା ବିଷୟରେ ଖବର ପ୍ରକାଶ ପରେ ସାରା ଓଡ଼ିଶାରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଥିଲା।

୨୦୨୨ ମସିହା ଜୁଲାଇ ମାସ ୧୨ ତାରିଖ ସନ୍ଧ୍ୟାରେ ଜଣେ ଅଟୋଚାଳକ ଦୁଇଜଣ ଦମ୍ପତ୍ତିକୁ ରେଳ ଷ୍ଟେସନରେ ଛାଡ଼ିଲା ପରେ ଭୁଲବଶତଃ ସେମାନଙ୍କ ଆଟାଚଟି ଅଟୋରେ ଛାଡ଼ିଦେଇ ଯାଇଥିଲେ। ଏହାପରେ ଅଟୋଚାଳକ ଜଣକ ଭଡ଼ା ବାବଦ ପ୍ରାପ୍ୟ ପାଇଲା ପରେ ମାଷ୍ଟର କ୍ୟାଣ୍ଟିନ ଫେରି ଚା ପିଉଥିବା ସମୟରେ ତାଙ୍କର ନଜର ପଡ଼ିଥିଲା ଅଟୋରେ ଥିବା ଆଟାଚ ଉପରେ। ଅଟୋଚାଳକ ଜଣକ ଜାଣିପାରିଥିଲେ ଯେ, ସେହି ଦମ୍ପତ୍ତି ଭୁଲ୍‌ରେ ଆଟାଚଟି ଛାଡ଼ିଦେଇଛନ୍ତି। ସଙ୍ଗେ ସଙ୍ଗେ ଅଟୋଚାଳକ ଜଣକ ରେଲୱେ ଷ୍ଟେସନରେ ପହଞ୍ôଚ ଦମ୍ପତ୍ତି ଦୁଇଜଣଙ୍କୁ ଭେଟି ତାଙ୍କ ଆଟାଚଟି ଫେରାଇଥିଲେ। ଆଟାଚରେ ନଗଦ ୫ ଲକ୍ଷ ଟଙ୍କା ଥିଲା ଏବଂ ଆଟାଚ ଫେରିପାଇବା ପରେ ଦମ୍ପତ୍ତି ଦ୍ୱୟ ଅଟୋଚାଳକଙ୍କୁ ସାଧୁବାଦ ଜଣାଇଥିଲେ। ଅଟୋଚାଳକଙ୍କ ବଦାନ୍ୟତା ଯୋଗୁ ଦମ୍ପତ୍ତିଦ୍ୱୟ ତାଙ୍କ ଟଙ୍କା ଫେରି ପାଇଥିଲେ।

ସାମ୍ପ୍ରତିକ ସମୟରେ ରାସ୍ତାଘାଟ, ଦୋକାନବଜାର, ଜନଗହଳିପୂର୍ଣ୍ଣ ସ୍ଥାନରୁ ଦିନ ଦ୍ୱିପ୍ରହରରେ ଲୁଟେରାମାନେ ଲୋକଙ୍କ ଠାରୁ ସୁନାଚେନ୍ ଝାମ୍ପି ନେଇ ଫେରାର ହୋଇଯାଉଛନ୍ତି। ଜମି ଓ ଘରଡ଼ିହ ପାଇଁ ଭାଇ ଭାଇ ଭିତରେ ବିବାଦ ଉଗ୍ରରୂପ ନେଉଛି, ଟଙ୍କା ପାଇଁ ପରିବାର ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଥିବା ବେଳେ, ସ୍ୱଚ୍ଛ ସାଥୀ ପୂଜା ସିଂ, ତୁଳା ବେହେରା, ମୀନତୀ ପଟ୍ଟନାୟକ ଏବଂ ଅଟୋଚାଳକଙ୍କ ବଦାନ୍ୟତା, ମାନବିକତା ଓ ମହାନତା ସତରେ ସ୍ୱାଗତଯୋଗ୍ୟ। ଏହି ତିନିଜଣ ମହିୟସୀ ମହିଳାଙ୍କ ତ୍ୟାଗ ଓ ଆଦର୍ଶକୁ ଆଜିର ଯୁବ ସମାଜ ଅନୁସରଣ କରିବା ଉଚିତ୍।

ମୋ : ୮୩୨୮୮୪୦୨୧୪, କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୋଆରେ ୮ଦେଶର ପ୍ରତିନିଧି: ବୁଲିଲେ କୋଣାର୍କ ମନ୍ଦିର, ପୁରୀ ଓ ରଘୁରାଜପୁର

ଭୁବନେଶ୍ୱର: ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ରବିବାର ପୁରୀ, କୋଣାର୍କ ଓ ରଘୁରାଜପୁର ପରିଦର୍ଶନ କରିଛନ୍ତି।

ଏହି ବିଦେଶୀ ପ୍ରତିନଧି ମାନେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଓ ରଘୁରାଜପୁର ପଟ୍ଟଚିତ୍ର ଦେଖି ଅଭିହୁତ ହୋଇଛନ୍ତି।

ସେହିପରି ସେମାନେ ପୁରୀ ଶ୍ରୀମନ୍ଦିର ସମ୍ମୁଖରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି ପ୍ରଦର୍ଶନ କରିଛନ୍ତି।

ସେହିପରି ସନ୍ଧ୍ୟାରେ ହୋଟେଲ ମେଫେୟାର ରେ ସୋଆ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ,ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ,କର୍ପୋରେଟ କମ୍ୟୁନିକେସନ୍ ନିର୍ଦେଶକ ଦେବ ପ୍ରସାଦ ଦାଶ ଓ ସୋଆ ପ୍ରତିଷ୍ଠାତ। ସଭାପତି ଙ୍କ ଓଏସଡି ଶ୍ରୀ ପ୍ରୀତମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଦ୍ଭାରତ ସ୍ୱାଧୀନତା ର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍ (ଆଇସିସିଆର୍‌) ଓ‘ଜେନ୍ – ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧି ମାନେ ଭାରତ ଗସ୍ତ ଆସିଛନ୍ତି। ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି।

ପର୍ତୁଗାଲ୍, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଣାର୍କରୁ ଏଏସଆଇ କାଢିବ ବାଲି, ସଂପର୍ଣ୍ଣ ଅନ୍ଧାରରେ ରାଜ୍ୟ ସରକାର, ସଂସ୍କୃତି ବିଭାଗ ମଧ୍ୟ ଚୁପ୍

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିରର ଗର୍ଭ ଗୃହରୁ ବାଲି କଢାଯିବ। ଏ ନେଇ ଭାରତ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ପ୍ରସ୍ତୁତି ଆରମ୍ଭ କରିଛି। ପର୍ଯ୍ୟାୟ କ୍ରମେ ଗର୍ଭ ଗୃହରୁ ବାଲି କଢାଯିବ। ଏଥିପାଇଁ ଏଏସଆଇ ବାଲି କାଢିବା ପାଇଁ ମନ୍ଦିରରେ ଭିତରକୁ ଏକ ରାସ୍ତା କରିବ। ଏପରିକି ମନ୍ଦିରରୁ କେତେକ ପଥର ହଟାଯିବା ବୋଲି ଜଣାପଡିଛି।

ହେଲେ ଏଏସଆଇ ଏତେ ବଡ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ କୌଣସି ଅବଗତ କରାଯାଇ ନାହିଁ। ଏହି ପ୍ରାଚୀନ ଐତିହ୍ୟ ଏଏସଆଇ ଅଧିନରେ ଥିଲେ ମଧ୍ୟ ଓଡିଶା ସରକାର ଏତେ ବଡ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅବଗତ ହେବା ଆବଶ୍ୟକ। ହେଲେ ଏଥିରେ ନା ଏଏସଆଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛି ନା ରାଜ୍ୟ ସଂସ୍କୃତି ବିଭାଗ ଏ ନେଇ କିଛି ଆଲୋଚନା କରୁଛି।

କୋଣାର୍କ ମନ୍ଦିରର ଗର୍ଭ ଗୃହରେ ୧୯୦୧ ମସିହାରେ ଇଂରେଜମାନେ ବାଲି ଭର୍ତ୍ତି କରିଥିଲେ। ଏହାର କାରଣ ଥିଲା ଏହି ପ୍ରାଚୀନ ମନ୍ଦିର ଭୁଷୁଡି ପଡିବା ସମ୍ଭାବନା ଥିବାରୁ ସେମାନେ ସେତେବେଳେ ଏହି ପଦକ୍ଷେପ ନେଇଥିଲେ। ଏହି ବାଲି ଭର୍ତ୍ତି କରିବା ପାଇଁ ସେତେବେଳେ ପ୍ରାୟ ତିନି ବର୍ଷ ସମୟ ଲାଗିଥିଲା। ଅର୍ଥାତ ୧୯୦୧ ମସିହାରୁ ବାଲି ଭର୍ତ୍ତି ଆରମ୍ଭ ହୋଇ ୧୯୦୩ ମସିହାରେ ଶେଷ ହୋଇଥିଲା।

ପ୍ରାୟ ୧୨୧ ବର୍ଷ ପରେ ବର୍ତ୍ତମାନ ଏହି ମନ୍ଦିର ଭିତରୁ ବାଲି ନିଷ୍କାସନ ହେବ। ବହୁ ସର୍ଭେ କରିବା ପରେ ଏଏସଆଇ ଏହି ନିଷ୍ପତି ଗ୍ରହଣ କରିଛି।  ସେମାନେ ମନ୍ଦିର ଭିତରୁ ବାୟୁ ନିସ୍କସନ ପାଇଁ ଥିବା ରାସ୍ତା ମାଧ୍ୟମରେ ବାଲି କାଢିବାକୁ ନିଷ୍ପତି କରିଛନ୍ତି। ଯାହା ପାଇପ ମାଧ୍ୟମରେ ଗର୍ଭ ଗୃହରୁ ମେସିନ ଦ୍ବାରା ବାଲି ନିଷ୍କାସନ ହେବ।

ଏହା ଏକ ବିପଦପୂର୍ଣ୍ଣ କାର୍ଯ୍ୟ। କାରଣ ମନ୍ଦିରର ସୁରକ୍ଷା ପାଇଁ ବାଲି ଭର୍ତ୍ତି କରାଯାଇ ଥିଲା। ସେହି ବାଲି କାଢିବା ବେଳେ ମନ୍ଦିର ସୁରକ୍ଷା ପ୍ରତି ହୁଏତ ବିପଦ ଆସିପାରେ। ଏପରି କ୍ଷେତ୍ରରେ ଏଏସଆଇ ନିଜେ ନିଜେ ସବୁ ନିଷ୍ପତି ନେବା କେତଦୂର ଠିକ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନ୍ୟପଟେ ରାଜ୍ୟ ସଂସ୍କୃତି ବିଭାଗ ଏ ଖବର ଜାଣିବା ପରେ ମଧ୍ୟ ଚୁପ ହୋଇ ବସି ରହିଛି। କାରଣ ହେଲା ଏହା ଏଏସଆଇ କାର୍ଯ୍ୟ ବୋଲି କହି ଏତେ ବଡ ବିପଦକୁ କାହିଁକି ମୁଣ୍ଡେଇବା ବୋଲି ଭାବି ଚୁପ। ଯଦି ମନ୍ଦିର ଉପରେ କୌଣସି ବିପଦ ଆସେ ସେତେବେଳେ ରାଜ୍ୟ ସଂସ୍କୃତି ବିଭାଗ ନିଶ୍ଚିତ ହୋଇ ବସିରହି ପାରିବ କି ?

କୋଣାର୍କ ମନ୍ଦିର ଓଡିଶାର। ଏଏଏସଆଇ ରକ୍ଷାଣ ବେକ୍ଷଣ କରୁଛି ଅର୍ଥ ନୁହେଁ ଯେ, ଏହା କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ମାଲିକାନା ହୋଇଗଲା। ସାରା ବିଶ୍ବରେ ଲୋକେ ଜାଣନ୍ତି ଯେ, କୋଣାର୍କ ମନ୍ଦିର ଓଡିଶାରେ ଅଛି। ରାଜ୍ୟ ସଂସ୍କୃତି ବିଭାଗ ଏହାର ରକ୍ଷାଣବେକ୍ଷଣ ନ କଲେ ମଧ୍ୟ ତଦାରଖ କରିବା ଆବଶ୍ୟକ। ହେଲେ ଏତେବଡ କାର୍ଯ୍ୟ ଉପରେ ନା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନା ସଂସ୍କୃତି ବିଭାଗ ନଜର ରଖୁଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BIG NEWS: ୧୨୧ ବର୍ଷ ପରେ କୋଣାର୍କ ମନ୍ଦିର ଭିତରୁ ନିସ୍କାସନ ହେବ ବାଲି, ଆରମ୍ଭ ହେଲା ପଦକ୍ଷେପ

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ଚାଲିଆସିଥିବା ତର୍କବିତର୍କ ପରେ ଶେଷରେ କୋଣାର୍କ ମନ୍ଦିର ଭିତରେ ଥିବା ବାଲି ନିସ୍କାସନ କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଆଜି ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ତରଫରୁ ଏହା କାମର ଭୂମି ପୂଜା ଆରମ୍ଭ ହୋଇଛି। ପ୍ରକୃତରେ ଏହି ମନ୍ଦିର ଭିତର ଦୃଶ୍ୟ କଣ ରହିଛି ତାହା ଆଜି ପର୍ଯ୍ୟନ୍ତ କେହି ଦେଖି ନାହାଁନ୍ତି। ଏହା ଭୁଷୁଡି ପଡିବା ଭୟରେ ସେତେବେଳେ ବ୍ରିଟିସରମାନେ ମନ୍ଦିର ଭିତରେ ବାଲି ଭର୍ତ୍ତି କରିଦେଇଥିଲେ।

ପ୍ରାୟ ୧୨୧ ବର୍ଷ ପରେ ବର୍ତ୍ତମାନ ତ୍ରୟୋଦଶ ଶତାଦ୍ଧୀର ଏହି ମନ୍ଦିର ଭିତରୁ ବାଲି ନିଷ୍କାସନ ହେବ। ଏହା କାର୍ଯ୍ୟକୁ ଠିକ ଭାବେ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ପୂର୍ବ ପ୍ରସ୍ତୁତି କରିଛି। ବହୁ ସର୍ଭେ କରିବା ପରେ ଏଏସଆଇ ବାୟୁ ନିସ୍କସନ ହେବାକୁ ଥିବା ରାସ୍ତା ମାଧ୍ୟମରେ ବାଲି କାଢିବାକୁ ନିଷ୍ପତି କରିଛି। ଯାହା ପାଇପ ମାଧ୍ୟମରେ ଗର୍ଭ ଗୃହରୁ ମେସିନ ଦ୍ବାରା ବାଲି ନିଷ୍କାସନ ହେବ।

ତେବେ ଏହି ବାଲି ନିଷ୍ପସନ ଗୋଟିଏ ଦିନ ବା ଗୋଟିଏ ମାସ ମଧ୍ୟରେ ଶେଷ ହେବ ନାହିଁ। ଏହି ପକ୍ରିୟା ପ୍ରାୟ ଦୀର୍ଘ ବର୍ଷ ଧରି ଚାଲି ରହିବ ବୋଲି ଜଣାପଡିଛି। ଏଏସଆଇର ଜଣେ ଅଧିକାରୀଙ୍କ ଅନୁସାରେ ଏହି ପକ୍ରିୟା ଶେଷ ହେବାକୁ ପ୍ରାୟ ତିନି ବର୍ଷ ଲାଗିଯାଇପାରେ ବୋଲି କହିଛନ୍ତି। କାରଣ ଏଥିରେ ବାଲି ଭର୍ତ୍ତି କରିବା ପାଇଁ ବ୍ରିଟିସରଙ୍କୁ ତିନି ବର୍ଷ ଲାଗିଯାଇଥିଲା। ସେମାନେ ୧୯୦୧ ରୁ ୧୯୦୩ ମସିହା ପର୍ଯ୍ୟନ୍ତ ବାଲି ଭର୍ତ୍ତି କରିବାକୁ ସମୟ ନେଇଥିଲେ।

ତଥ୍ୟ ଅନୁସାରେ ଏହି ବାଲି ନିସ୍କାସନ ପାଇଁ ପ୍ରଥମେ ଏକ ପ୍ଲାଟଫର୍ମ ନିର୍ମାଣ କରାଯିବ। ଏହା ତିଆରି କରିବା ପାଇଁ ପ୍ରାୟ ଦୁଇରୁ ତିନି ମାସ ସମୟ ଲାଗିଯିବ। ଏହାପରେ ବାୟୁ ନିସ୍କାସନ ପାଇଁ ଥିବା କଣା ବା ରାସ୍ତକୁ ପରିସ୍କାର କରାଯିବ। ଆବଶ୍ୟକ ପଡିଲେ ସେଥିରୁ ପଥର ମଧ୍ୟ କଢାଯିବ। ଏହା ପ୍ରାୟ ୫ ରୁ ୬ ଫୁଟର ଏକ ଗର୍ତ୍ତ ବା ଟନେଲ କରାଯିବ ବୋଲି ଏଏସଆଇ ନିଷ୍ପତି କରିଛି। ଏହି କାର୍ଯ୍ୟ ଆରମ୍ଭ ହେଉହେଉ ଆସନ୍ତା ଜାନୁୟାରୀ ମାସ ହେବ ବୋଲି କୁହାଯାଇଛି।

ଏଏସଆଇ କହିଛି ଯେ, ଏହି ପକ୍ରିୟା ଚାଲୁଥିବା ବେଳେ ମନ୍ଦିରର କଂପନ କେତେ ରହୁଛି ତାହା ମାପିବା ପାଇଁ ଏକ ମେସନ ବ୍ୟବସ୍ଥା ମଧ୍ୟ କରାଯାଉଛି। ମନ୍ଦିରର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ମନଟରିଂ ଟିମ ନିୟୋଜିତ ହେବେ ବୋଲି ନିଷ୍ପତି କରାଯାଇଛି। ସେତେବେଳେ ବ୍ରିଟିସରମାନେ ମନ୍ଦିର ଭିତରେ ବାଲି ଭର୍ତ୍ତି କରିବା ପାଇଁ ଏକ ଗର୍ତ୍ତ କରିଥିଲେ। ତାହାକୁ ମଧ୍ୟ ଅନୁଧ୍ୟାନ କରାଯାଉଛି। ଯଦି ସମ୍ଭବ ସେହି ଗର୍ତ୍ତରୁ ପଥର ବାହାର କରି ବାଲି ନିସ୍କାସନ ପାଇଁ ରାସ୍ତା କରାଯିବ ବୋଲି ଚିନ୍ତା କରାଯାଇଛି।

ଏଏସଆଇ ମତରେ ବର୍ତ୍ତମାନ ଜଗାମୋହନ ଭିତରେ ତଳୁ ୧୩୦ ଫୁଟ ଉଚ୍ଚତାର ବାଲି ଭର୍ତ୍ତି ହୋଇ ରହିଛି। ମନ୍ଦିରରୁ ଉପରକୁ ପ୍ରାୟ ୬୪.୯ ଫୁଟ ପର୍ଯ୍ୟନ୍ତ ବାଲି ଗଦା ହୋଇ ରହିଛି। ମନ୍ଦିରର ଉପରୁ ପ୍ରାୟ ୧୯ ଫୁଟ ଖାଲି ରହିଛି। ଗର୍ବଗୃହରେ ଥିବା ବାଲି ପରିମାଣ ପ୍ରାୟ ୪୬,୦୦୦ ଟନ୍ ହେବ ବୋଲି ଆକଳନ କରାଯାଇଛି।

ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ଏକ ଆଭ୍ୟନ୍ତରୀଣ କଂକ୍ରିଟ୍ ପ୍ଲାଟଫର୍ମ ସୃଷ୍ଟି କରି ଉପର ସ୍ଥାନରୁ ବାଲି ହଟାଯିବ। ଏହି ସ୍ଥାନରୁ ବାଲି ନିସ୍କାସନ ସରିବା ପରେ ତଳକୁ ତଳକୁ ଯିବୁ ବୋଲି ଏଏସଆଇ କହିଛି। ତେବେ ଏହି ବାଲି ନିସ୍କସନ ନିଷ୍ପତି ପୂର୍ବରୁ ରୁର୍କିରେ ଥିବା ସେଣ୍ଟ୍ରାଲ୍ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିବିଆଇଆର) ଦ୍ବାରା ଏକ ସର୍ବେକ୍ଷେଣ କରାଯାଇଛି। ଏହି ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି ଯେ,ବାଲି ନିସ୍କାସନ କଲେ ମୂଳ ଢାଞ୍ଚାରେ କୌଣସି ବିପଦ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ମନୋରମ କୋଣାର୍କ ମନ୍ଦିର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ବର: ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୧ ଜୁନ୍, ୨୦୨୨ ରେ ଓଡିଶାର କୋଣାର୍କ ସ୍ଥିତ ମନୋରମ ସୂର୍ଯ୍ୟ ମନ୍ଦିର ଠାରେ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେଇଥିଲେ।

ଆଜି ସକାଳେ ପବିତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ଆୟୋଜିତ ଏହି ବିଶାଳ କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ର ସରକାରୀ ସଂଗଠନ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଯୋଗ ବିଶେଷଜ୍ଞଙ୍କ ସମେତ ଦୁଇ ହଜାର ପାଞ୍ଚଶହରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।

ଏହି ବିଶାଳ ଯୋଗ ପ୍ରଦର୍ଶନରେ ସମ୍ବୋଧନ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ ନିୟମିତ ଯୋଗ ଅଭ୍ୟାସ ଶରୀରକୁ ଶକ୍ତିଶାଳୀ କରିବା ସଂଗେସଂଗେ ଶରୀରର ଅନ୍ତର୍ନିହିତ ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ କରିଥାଏ। ଯୋଗ ହେଉଛି ଏକ ପ୍ରାଚୀନ ଉଚ୍ଚ ଆତ୍ମସଂଯମ ଅଭ୍ୟାସ ଯାହା ଭାରତରେ ଉତ୍ପନ୍ନ ହୋଇଥିଲା। ଏହା ଦ୍ୱାରା ଶରୀର ଏବଂ ମନର ସମନ୍ୱୟ ରକ୍ଷାକରିବା ପାଇଁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକୁ ଏକତ୍ର କରିଥାଏ। ଯୋଗ ଅଭ୍ୟାସ କରିବାର ଅନେକ ଲାଭ ଅଛି ଯାହା ମାନବିକତା କୁ ସୁଦୃଢ କରିଥାଏ।

ସମଗ୍ର ବିଶ୍ୱରେ ଦେଶର ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟର ପରିଚୟ ଦେଇଥିବା ସ୍ୱାମୀ ବିବେକାନନ୍ଦଙ୍କୁ ସ୍ମରଣ କରି ଶ୍ରୀ ବୈଷ୍ଣବ କହିଲେ ଯେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗକୁ ସମଗ୍ର ବିଶ୍ୱରେ ପରିଚିତ କରାଇପାରିଛନ୍ତି। ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଡିସେମ୍ବର ୨୦୧୪ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା ଯାହା ୨୧ ଜୁନ୍, ୨୦୧୫ ଠାରୁ ବିଶ୍ୱବ୍ୟାପୀ କାର୍ଯ୍ୟକାରୀ ହୋଇଆସୁଅଛି।

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହୀଶୂର ଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଉତ୍ସବକୁ ଉଦ୍ଘାଟନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ।

ପୂର୍ବ ତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ; ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ୍ ଶୁଭେନ୍ଦୁ କୁମାର ସ୍ୱାଇଁ; ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି.ଆର.ଶର୍ମା, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ଏହି ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ, ଆୟୁଷ ମନ୍ତ୍ରଣାଳୟ, ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ, ପାରା ମିଲିଟାରୀ ଫୋର୍ସ ଏବଂ ଅନ୍ୟାନ୍ୟ କେନ୍ଦ୍ର ସରକାରୀ ଅନୁଷ୍ଠାନର ଅଧିକାରୀମାନେ ମଧ୍ୟ ଏହି ଅବସରରେ ଅଂଶଗ୍ରହଣ କରିଥିଲେ। ଏହି ବିଶାଳ ପ୍ରଦର୍ଶନରେ ପୂର୍ବ ତଟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ) ଏଲ.ଭି.ଏସ.ପାତୃଡୁ ପରିଚାଳନା କରିଥିଲେ।

ପରେ, ଶ୍ରୀ ବୈଷ୍ଣବ ପୁରୀ ରେଳ ଷ୍ଟେସନକୁ ନୀରିକ୍ଷଣ କରି ପ୍ରସ୍ତାବିତ ବିଶ୍ୱ ସ୍ତରୀୟ ଷ୍ଟେସନ କାର୍ଯ୍ୟର ସମୀକ୍ଷା କରିଥିଲେ ଯାହା ଖୁବ ଶୀଘ୍ର ନିର୍ମାଣ କରାଯିବ। ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ ପୁରୀ ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ଏକ ବିଶ୍ୱ ସ୍ତରୀୟ ଢାଞ୍ଚାରେ ନିର୍ମିତ ହେବ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ଆଶ୍ରୟ ପାଇଁ ରେଳବାଇ ବିଶାଳ ଆୟୋଜନ କରୁଅଛି। କୋଭିଡ ୧୯ ପ୍ରୋଟୋକଲ ଯୋଗୁଁ ଗତ ଦୁଇ ବର୍ଷ ହେବ ତୀର୍ଥଯାତ୍ରୀଙ୍କ ବିନା ରଥ ଯାତ୍ରା ଆୟୋଜିତ ହୋଇଥିବାରୁ ରେଲୱେ ଆଶା କରୁଛି ଯେ ଚଳିତ ବର୍ଷ ବହୁ ତୀର୍ଥଯାତ୍ରୀ ପୁରୀକୁ ଆସିବେ।  ତୀର୍ଥଯାତ୍ରୀମାନଙ୍କ ସୁବିଧା ଏବଂ ସୁରକ୍ଷିତ ଯାତ୍ରା ପାଇଁ ରଥ ଯାତ୍ରା ସମୟରେ ପୁରୀକୁ ବହୁ ସଂଖ୍ୟାରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳପଥ ଯୋଜନା କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ: ଜାଣନ୍ତୁ କାରଣ

ଭୁବନେଶ୍ଵର: ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସି 21 ଜୁନ୍ 2022 ରେ ଆନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେବେ।

21 ଜୁନ୍, 2022 ରେ, ରେଳ ମନ୍ତ୍ରୀ କୋଣାର୍କ ମନ୍ଦିର ଐତିହ୍ୟ ସ୍ଥଳରେ ଆନ୍ତର୍ଜାତୀୟ ଯୋଗ ଦିବସର ନେତୃତ୍ୱ ନେବେ ଯେଉଁଠାରେ ସାଧାରଣ ଜନତା, ଛାତ୍ର ଏବଂ ବିଶେଷଜ୍ଞଙ୍କ ସହ ସମସ୍ତ କେନ୍ଦ୍ର ସରକାରୀ ଅନୁଷ୍ଠାନ ଅଂଶଗ୍ରହଣ କରିବେ। କୋଣାର୍କ ମନ୍ଦିରରେ କାର୍ଯ୍ୟକ୍ରମ ପ୍ରାୟ ସକାଳ ଛଅ ଘଟିକାରୁ ଆରମ୍ଭ କରାଯାଇ ପୂର୍ବାହ୍ନ ୮ଘ.୩୦ମି. ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହେବ। କୋଣାର୍କ ମନ୍ଦିର ଠାରେ ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସରେ ପ୍ରାୟ 2 ହଜାର ଅଂଶଗ୍ରହଣକାରୀ ଯୋଗଦେବେ ବୋଲି ଆଶା କରାଯାଉଛି।

ଦେଶର 75 ଟି ଐତିହ୍ୟ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ଯେଉଁଠାରେ ଓଡିଶାର କୋଣାର୍କ ମନ୍ଦିରକୁ ମନୋନୀତ କରାଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହୀଶୂର ଠାରୁ ଆନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିବେ।

ଆନ୍ତର୍ଜାତୀୟ ଯୋଗ ଦିବସ 2022 ଜୁନ ମାସ 21 ତାରିଖରେ ସମଗ୍ର ବିଶ୍ୱରେ ‘ମାନବିକତା ପାଇଁ ଯୋଗ’ ବିଷୟବସ୍ତୁ ସହିତ ପାଳନ କରାଯାଉଅଛି। ମନୁଷ୍ୟ ଶରୀର ପାଇଁ ଯୋଗ ଶକ୍ତିଶାଳୀ ରହିବାକୁ ଏବଂ ଦୃଢ ପ୍ରତିରକ୍ଷା ପ୍ରଣାଳୀରେ ସାହାଯ୍ୟ କରେ। ଯୋଗ ହେଉଛି ଏକ ପ୍ରାଚୀନ ଆତ୍ମସଂଜମି ଅଭ୍ୟାସ ଯାହା ଭାରତରେ ଉତ୍ପନ୍ନ ହୋଇଛି ଯାହାକି ଶରୀର, ମନର ସମନ୍ୱୟ ହାସଲ କରିବା ପାଇଁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକୁ ଏକତ୍ର କରିଥାଏ। ନିୟମିତ ଭାବେ ଯୋଗ ଅଭ୍ୟାସ କରିବାର ଅନେକ ଲାଭ ଅଛି। ମିଳିତ ଜାତିସଂଘର ସାଧାରଣ ଅଧିବେଶନ ଡିସେମ୍ବର 2014 ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ଯାହା 21 ଜୁନ୍, 2015 ଠାରୁ ବିଶ୍ୱବ୍ୟାପୀ କାର୍ଯ୍ୟକାରୀ ହୋଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ଆଜିଠାରୁ ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ, ଜାଣନ୍ତୁ ପାଞ୍ଚଦିନରେ କେଉଁମାନେ କରିବେ ନୃତ୍ୟ ପ୍ରଦର୍ଶନ

ଭୁବନେଶ୍ବର: ଆଜିଠାରୁ ବିଶ୍ବ ପ୍ରସିଦ୍ଧ କୋଣାର୍କର ମୁକ୍ତାକାଶ ରଂଗମଞ୍ଚରେ ଆୟୋଜିତ ହେବ କୋଣାର୍କ ଉତ୍ସବ। କୋଭିଡ କଟକଣା ଭିତରେ ଏହି ଉତ୍ସବର ଆୟୋଜନ କରୁଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ। ପାଞ୍ଚଦିନ ଧରି ଆୟୋଜିତ ଏହି ଉତ୍ସବରେ ଜାତୀୟ ତଥା ଅନ୍ତର୍ଜାତୀୟ ନୃତ୍ୟଶିଳ୍ପି ଯୋଗଦେବେ। ଏହି ପାଞ୍ଚଦିନରେ ଯେଉଁମାନେ ନୃତ୍ୟ ପ୍ରଦର୍ଶନ କରିବେ ସେମାନେ ହେଲେ

ପ୍ରଥମ ସଂଧ୍ୟା- ପ୍ରଖ୍ୟାତ ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଧବୀ ମୁଦଗଲ ଓଡିଶୀ ସହିତ ରହିଛି ଭାସ୍ବତୀ ମିଶ୍ରଙ୍କର କଥକ ନୃତ୍ୟ

ଦ୍ବିତୀୟ ସଂଧ୍ୟା- ପ୍ରଥମେ ଗୁରୁ ଅନିତା ଶର୍ମାଙ୍କ କଥକ ନୃତ୍ୟ ସହିତ ଦ୍ବିତୀୟ କାର୍ଯ୍ୟକ୍ରମରେ ପରିବେଷଣ ହେବ ଗୁରୁ ନିଂରଜନ ରାଉତଙ୍କ ଓଡିଶୀ ନୃତ୍ୟ।

ତୃତୀୟ ସଂଧ୍ୟା- ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଦେବମିତ୍ରା ସେନଗୁପ୍ତାଙ୍କ ଓଡିଶୀ ନୃତ୍ୟ ସହିତ ଗୋପିକା ବର୍ମାଙ୍କ ମୋହୀନଆଟ୍ଟନ ନୃତ୍ୟ ପରିବେଷଣ ହେବ।

ଚତୁର୍ଥ ସଂଧ୍ୟା- ନୃତ୍ୟଶିଳ୍ପୀ ଲୀଲା ସାମସନଙ୍କ ଭାରତନାଟ୍ୟମ ସହିତ ଶେଷ କାର୍ଯ୍ୟକ୍ରମରେ ରହିଛି ଗୁରୁ ପିତାମ୍ବର ବିଶ୍ବାଳଙ୍କ ଓଡିଶୀ ନୃତ୍ୟ ।

ପଞ୍ଚମ ସଂଧ୍ୟା- ଶେଷ ସଂଧ୍ୟାରେ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ନୃତ୍ୟଶିଳ୍ପୀଙ୍କ ଓଡିଶୀ ସହିତ ଜୟକିଶୋର ମୁଶଳକାନ୍ତିଙ୍କ କୁଚୁପୁଡି ନୃତ୍ୟ ପରିବେଷଣ ହେବ।

ମୁଖ୍ୟତଃ ଭାରତୀୟ ଶାସ୍ତ୍ରୀୟ ନୃତ୍ୟକୁ ଏହି ମଞ୍ଚରେ ପ୍ରଧାନ୍ୟ ଦିଆଯାଇଥାଏ। ଏହି ଭାରତୀୟ ନୃତ୍ୟର ପ୍ରସାର କରାଇବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତିବର୍ଷ ଏହି ଉତ୍ସବର ଆୟୋଜନ କରାଯାଇ ଆସୁଛି।

Categories
ଜାତୀୟ ଖବର ବିଶେଷ ଖବର

ଆଜି କୋଣାର୍କ ମନ୍ଦିରକୁ ତ୍ରିରଙ୍ଗା ରଂଗରେ କରାଯାଇଛି ଆଲୋକିତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ଆଜି ସଂଧ୍ୟାରେ କୋଣାର୍କ ମନ୍ଦିରକୁ ଯେ ଦେଖିଛି ସେ ଆର୍ଶ୍ଚର୍ଯ୍ୟ ହୋଇଯାଇଛି। କାରଣ ଆଜି ପ୍ରଥମ ଥର ପାଇଁ ଏହି ବିଶ୍ବ ଐତିହ୍ୟକୁ  ତ୍ରିରଂଗା ରଂଗରେ ଆଲୋକିତ କରାଯାଇଛି। ମନ୍ଦିରର ତଳଭାଗକୁ ସବୁଜ, ମଧ୍ୟ ଭାଗକୁ ଧଳା ଏବଂ ଚୁଡା ଭାଗକୁ ନାରଙ୍ଗୀ ରଂଗରେ ରଂଗୀନ କରାଯାଇଛି।

କୋଣାର୍କର ଏପରି ରୂପ ଦେଖି ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ହେଲା ଏପରି ତ୍ରିରଂଗା ରଂଗ କେବଳ ଗଣତନ୍ତ୍ର ଦିବସ ହେଉ କିମ୍ବା ସ୍ବାଧୀନତା ଦିବସରେ କରାଯାଇଥାଏ। ଆଜି ସେପରି କିଛି ନ ଥିବାରୁ ସେମାନେ ଏହାର କାରଣ ଜାଣିବା କଷ୍ଟକର ହୋଇପଡିଛି।

ତେବେ ସୂଚନା ଅନୁସାରେ ଆଜି ସାରା ଭାରତ ବର୍ଷରେ ଶହେ କୋଟି କୋଭିଡ ଟିକାକରଣ ସଫଳତା ମିଳିଥିବାରୁ ସେଥିପାଇଁ ଏପରି ଆଲୋକରେ ଆଲୋକିତ କରାଯାଇଛି। କରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶରେ ଚାଲିଛି ଟିକାକରଣ ଅଭିଜାନ। ଏଥିରେ ଆଜି ଭାରତ ଶହେ କୋଟି ଲୋକଙ୍କୁ ଟିକାକରଣ କରିବାରେ ସଫଳ ହୋଇଛି।

ଏହି ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଅଧିନରେ ଥିବା ଭାରତୀୟ ପ୍ରତ୍ନତାତ୍ବିତ ସର୍ବେକ୍ଷଣ ସଂସ୍ଥା ଏହି ପଦକ୍ଷେପ ନେଇଛି। କେବଳ କୋଣାର୍କ ନୁହେଁ ଦେଶର ଶହେଟି ପ୍ରାଚୀନ କିର୍ତ୍ତି ରାଜିରେ ଏପରି ତ୍ରିରଙ୍ଗା ରଂଗରେ ଆଲୋକିତ କରାଯାଇଛି।

ଶହେ କୋଟି ହୋଇଥିବାରୁ ଶହେଟି କିର୍ତ୍ତିରାଜିରେ ଏହି ପଦକ୍ଷେପ ନିଆଯାଇଛି। ସେଥିମଧ୍ୟରେ ରହିଛି ଲାଲକିଲ୍ଲା, ଆଗ୍ରାଦୁର୍ଗ, ତାମିଲନାଡୁର ମାମଲପୁରମରଥ, ଖଜୁରାହ ମନ୍ଦିର, ନାଳନ୍ଦା ବିଶ୍ବବିଦ୍ୟାଳୟ ପ୍ରଭୃତି ରହିଛି। ଏହା କରୋନା ଯୋଦ୍ଧା, ସାନିଟାଇଜର କର୍ମୀ, ଡାକ୍ତର, ନର୍ସମାନଙ୍କୁ ଉତ୍ସର୍ଗିକୃତ ବୋଲି କୁହାଯାଇଛି।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବେ କି  ଓଡିଆରେ ଲିଖିତ ରୁଇପାଦ କାଥେଡପଦି ରାମାୟଣ ସେ କେଉଁଠି ପଢିଛନ୍ତି!!

କେଦାର ମିଶ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବର ଗୋଟେ ବଡ ଦିଗ ହେଉଛି, ସେ ଯାହା କହନ୍ତି ପୂର୍ଣ୍ଣ ଆତ୍ମବିଶ୍ବାସର ସହିତ କହନ୍ତି। ତାଙ୍କ କଥାରେ ସତ୍ୟ ଓ ତଥ୍ୟ ଥାଉ କି ନଥାଉ ଆତ୍ମ ବିଶ୍ଵାସ କିନ୍ତୁ ଭରପୂର ରହିଥାଏ। ଗଭୀର ଆତ୍ମ ବିଶ୍ବାସର ସହିତ ସେ କିଛି ବି କହିପାରନ୍ତି। ତ୍ରୟୋଦଶ ଶତାବ୍ଦୀର କୋଣାର୍କ ମନ୍ଦିରକୁ ୨୦୦୦ ବର୍ଷର ପୁରୁଣା ବୋଲି ସେ ଆରାମରେ କହିପାରନ୍ତି। ତକ୍ଷଶିଳାକୁ ସେ ବିହାରର ବୋଲି କହିପାରନ୍ତି। ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ମୋହନଲାଲ ବୋଲି କହିପାରନ୍ତି। ତାଙ୍କର କହିବାର ବାଗ ହିଁ ସେମିତି। ଅନ୍ୟ ଦେଶର ମୁଖିଆଙ୍କ ପରି ଭୁଲ କହିଲେ କ୍ଷମା ମାଗିବାକୁ ଆମ ପ୍ରଧାନମନ୍ତ୍ରୀ ଦୁର୍ବଳତା ବୋଲି ଭାବନ୍ତି। ମଣିଷ ଯେ ଭୁଲ କରେ, ଏ କଥା ମାନିବା ହୁଏତ ସାଧାରଣ ଲୋକପାଇଁ। ନରେନ୍ଦ୍ର ମୋଦୀ ଅସାଧାରଣ, ତେଣୁ ସେ ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କ ଅପେକ୍ଷା ତାଙ୍କର ଭକ୍ତମାନେ ଅଧିକ ଅସାଧାରଣ। ସେମାନେ ମୋଦୀଙ୍କୁ ମହାଦେବତାର ସ୍ତରକୁ ନେଇ ସାରିଛନ୍ତି। ପ୍ରଧାନମନ୍ତ୍ରୀ ଯାହା କହିଲେ ତାହା ହିଁ ସତ୍ୟ ବୋଲି ସେମାନେ ଧରି ନେଇଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ କୋଣାର୍କକୁ ୨୦୦୦ ବର୍ଷର କହିଲେ ମାନେ ତାହା ହିଁ ସତ୍ୟ। ବେଶୀ ଯୁକ୍ତି କଲେ ସେମାନେ କହିବେ ମାର୍କ୍ଶିଷ୍ଟ ଇତିହାସରେ ସବୁ ଭୁଲ ଲେଖା ହୋଇଛି। ମୋଦୀ କହୁଛନ୍ତି ମାନେ କୋଣାର୍କ ୧୨ ଶହ ବର୍ଷ ପଛକୁ ଫେରିବାକୁ ବାଧ୍ୟ।

ଗଲା ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟାରେ ନୂଆ ରାମ ମନ୍ଦିରର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀ ପ୍ରାୟ ଅଧ ଘଣ୍ଟା ଭାଷଣ ଦେଇଥିଲେ। ସତ କହିବାକୁ ଗଲେ ଆମ ଭଳି ଅଭକ୍ତ ଆଜିକାଲି ଆଉ ମୋଦୀଜୀଙ୍କୁ ଶୁଣିବାର ସାହସ ରଖି ପାରୁନୁ। କେବଳ ସାମ୍ବାଦିକତାର ଦାୟରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ କେବେ କେମିତି ପଢିବାକୁ ବାଧ୍ୟ ହେଉଛୁ। ସେଦିନ ପ୍ରଧାନମନ୍ତ୍ରୀ ଓଡିଶାର ରାମାୟଣ ପରମ୍ପରା ବିଷୟରେ କିଛି ଗୋଟେ କହିଛନ୍ତି ବୋଲି ଗତକାଲି ଓଡିଶାର ପ୍ରଖ୍ୟାତ ସଂବାଦପତ୍ର “ସମ୍ବାଦ” ଲେଖିଲା। ଓଡିଆ ଭାଷାରେ ରୁଇପାଦ କାଥେଡପଦି ରାମାୟଣ ବୋଲି କିଛି ଗୋଟେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବୋଲି “ସମ୍ବାଦ” ଲେଖିଲା। ଉତ୍ସୁକତା ବଶତଃ ଆମେ ୟୁଟୁବରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିଲା ପରେ ମୁଣ୍ଡ ଝାଇଁ ଝାଇଁ ହୋଇଗଲା।

ଭାରତର ବିଭିନ୍ନ ଅଞ୍ଚଳ ଓ ଭାଷାରେ ରହିଥିବା ରାମାୟଣ ବିଷୟରେ ପ୍ରଧାନମନ୍ତ୍ରୀ କହୁଥିଲେ। ସଂସ୍କୃତରେ ବାଲ୍ମୀକିଙ୍କ ମୂଳ ରାମାୟଣ ବ୍ୟତୀତ ତାମିଲରେ କମ୍ବନ ରାମାୟଣ, ବଙ୍ଗଳାର କୃତ୍ତିବାସ ରାମାୟଣ, ତେଲୁଗୁରେ ରଘୁନାଥ-ରଙ୍ଗନାଥ ରାମାୟଣ, କାନ୍ନାଡ଼ାରେ କୁମୁଦେନ୍ଦୁ ରାମାୟଣ ଇତ୍ୟାଦିର କଥା କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ ଓଡିଆରେ “ରୁଇପାଦ କାଥେଡପଦି” ରାମାୟଣ ରହିଛି। ଇଏ ତ ଗୋଟେ ଭାଷା ଓ ତାର ବିଶାଳ ରାମ ସାହିତ୍ୟ ପରମ୍ପରା ପ୍ରତି ଘୋର ଅପମାନ। ପ୍ରଧାନମନ୍ତ୍ରୀ ଆମକୁ କହିବା ଉଚିତ, ସେ ଯେଉଁ “ରୁଇପାଦ କାଥେଡପଦି” ରାମାୟଣ କଥା କହୁଛନ୍ତି, ତାର ସୂଚନା ସେ କେଉଁଠୁ ପାଇଲେ। ଏମିତି ଏକ ଶବ୍ଦ ଓଡିଆ ସାହିତ୍ୟରେ କେହି କେବେ ଶୁଣି ନାହାନ୍ତି ବା ଜାଣି ନାହାନ୍ତି। ତାହେଲେ ପ୍ରଧାନମନ୍ତ୍ରୀଙ୍କର ସୂଚନାର ଆଧାର କଣ?

ଓଡିଆ ରାମ ସାହିତ୍ୟର ଦୁଇ ଜଣ ପ୍ରକାଣ୍ଡ ବିଦ୍ଵାନ ଡ. କୃଷ୍ଣ ଚରଣ ସାହୁ ଓ ପଣ୍ଡିତ ନୀଳମଣି ମିଶ୍ର ଓଡିଆ ରାମ ସାହିତ୍ୟର ବିବିଧତାକୁ ନେଇ ଅନେକ ପ୍ରବନ୍ଧ ଲେଖିଛନ୍ତି। ସେମାନେ ଏମିତି କୌଣସି ରାମାୟଣର ନାମ ଗନ୍ଧ ଉଲ୍ଲେଖ କରି ନାହାନ୍ତି। ଓଡିଆ ସାହିତ୍ୟର ଆଦିକବି ସାରଳା ଦାସ ଥିଲେ ଉଭୟ ରାମାୟଣ ଓ ମହାଭାରତର ରଚୟିତା। ମହାକବି ସାରଳା ଦାସଙ୍କର “ବିଲଙ୍କା ରାମାୟଣ” ରେ ଆମେ ରାମୟଣର ମୂଳ କାହାଣୀଠାରୁ ଭିନ୍ନ ଏକ କାହାଣୀର ଅବତାରଣା ଦେଖିଛୁ। ଷୋଡଶ ଶତାବ୍ଦୀରେ ବଳରାମ ଦାସଙ୍କର ଜଗମୋହନ ରାମାୟଣ ବା ଦାଣ୍ଡି ରାମାୟଣ ଓଡିଆ ଭାଷାର ପ୍ରଥମ ପୂର୍ଣ୍ଣାଙ୍ଗ ରାମାୟଣ। ରାମାୟଣ, ରାମକଥା ଓ ରାମକାବ୍ୟର ଏକ ବିଶାଳ ପରମ୍ପରା ଆମର ରହିଛି।

ଏକେ ରାମାନୁଜନ ତାଙ୍କର ପ୍ରସିଦ୍ଧ ପ୍ରବନ୍ଧରେ ୩୦୦ ରାମାୟଣର କଥା କହିଛନ୍ତି। ହେଲେ ଓଡିଆ ଭାଷାରେ କେବଳ ଶତାଧିକ ରାମାୟଣ ରଚିତ ହୋଇଛି। ସାରଳା ଦାସଙ୍କର “ବିଲଙ୍କା ରାମାୟଣ”, ବଳରାମ ଦାସଙ୍କର “ଜଗମୋହନ ରାମାୟଣ”, ବିଶ୍ଵନାଥ ଖୁଣ୍ଟିଆଙ୍କର “ବିଚିତ୍ର ରାମାୟଣ”, ଉପେନ୍ଦ୍ର ଭଞ୍ଜଙ୍କର “ବୈଦେହୀଶ ବିଳାସ”, ଅର୍ଜୁନ ଦାସଙ୍କର “ରାମବିଭା”, ମହେଶ୍ଵର ଦାସଙ୍କର “ଟୀକା ରାମାୟଣ”, ଧନଞ୍ଜୟ ଭଞ୍ଜଙ୍କର “ରଘୁନାଥ ବିଳାସ”, ହଳଧର ଦାସଙ୍କର “ଆଧ୍ୟାତ୍ମ୍ୟ ରାମାୟଣ”, ବନମାଳୀ ଦାସଙ୍କର “ରାମାୟଣ ଚମ୍ପୁ”, କୃଷ୍ଣଚନ୍ଦ୍ର ରାଜେନ୍ଦ୍ରଙ୍କର “ଆର୍ଷ ରାମାୟଣ” (ଏହା ମୂଳ ବାଲ୍ମୀକି ରାମାୟଣର ଓଡିଆ ଅନୁବାଦ), ରାମ ଦାସଙ୍କର “ରାମ ରସାମୃତ”,  ବୈଶ୍ୟ ସଦାଶିବଙ୍କର “ରାମଳୀଳା” (ଏହାରି ଆଧାରରେ ପ୍ରାୟତଃ ଆମର ରାମଳୀଳା ନାଟକ ପ୍ରଦର୍ଶିତ ହୋଇଥାଏ), ଯଦୁମଣି ମହାପାତ୍ରଙ୍କର “ରାଘବ ବିଳାସ”, କେଶବ ପଟ୍ଟନାୟକଙ୍କର “ନୃତ୍ୟ ରାମାୟଣ” ଇତ୍ୟାଦି ଆମ ସାହିତ୍ୟର ଅମୂଲ୍ୟ ସମ୍ପଦ। ତେବେ ଓଡିଶାର ଘରେ ଘରେ ପରିଚିତ ରାମାୟଣ ହେଉଛି ବଳରାମ ଦାସଙ୍କର “ଜଗମୋହନ ରାମାୟଣ”। ଓଡିଆ ରାମାୟଣର ଏହି ମହାର୍ଘ ପରମ୍ପରାରରେ ନରେନ୍ଦ୍ର ମୋଦୀଙ୍କର “ରୁଇପାଦ କାଥେଡପଦି” ରାମାୟଣ ଟି ଆସିଲା କେଉଁଠୁ?

ପ୍ରଧାନମନ୍ତ୍ରୀ ଯାହା କହନ୍ତି, ତାର ଏକ ଐତିହାସିକ ମୂଲ୍ୟ ରହିଛି। ତେଣୁ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟରେ କୌଣସି ଭାଷା ସାହିତ୍ୟ ସମ୍ପର୍କରେ କହିଲା ବେଳେ ଅଧିକ ସତର୍କ ହେବା ଜରୁରୀ। ଓଡିଆ ଭାଷା ଭାରତର ଅନ୍ୟତମ ପ୍ରାଚୀନ ଶାସ୍ତ୍ରୀୟ ଭାଷା। ଏହି ଭାଷାର ରାମ ପରମ୍ପରା ବିଷୟରେ କହିଲା ବେଳେ ପ୍ରଧାନମନ୍ତ୍ରୀ ସଠିକ ତଥ୍ୟ ରଖିବା ଉଚିତ।

ଏକଥା ପ୍ରଧାନମନ୍ତ୍ରୀ ନ କହି ଯଦି ଅନ୍ୟ କୌଣସି ରାଜନୈତିକ ଦଳର ନେତା କହିଥାନ୍ତେ ତାହେଲେ, ପ୍ରଧାନମନ୍ତ୍ରୀଙ୍କ ଭକ୍ତମାନେ ସେହି ନେତାଙ୍କୁ ହଜାର ଥର ଅପଦସ୍ତ କରି ସାରନ୍ତେଣି। ପ୍ରଧାନମନ୍ତ୍ରୀଙ୍କୁ ଓଡିଆ ରାମାୟଣ ଓ ଓଡିଆ ରାମକଥାର ଏକ ସଠିକ ତାଲିକା ତାଙ୍କର ଓଡିଆ ସହଯୋଗୀମାନେ ଦେବା ଉଚିତ ହେବ।