ଶାନ୍ତି ଚାହୁଁଥିବା ଦେଶ, ଆତଙ୍କବାଦକୁ ପ୍ରାୟୋଜିତ କରେ ନାହିଁ’: ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ

Published: Sep 24, 2022, 1:19 pm IST

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୭ତମ ଅଧିବେଶନରେ ଶୁକ୍ରବାର ଦିନ ଭାରତ ବିରୋଧୀ ବିବୃତ୍ତି ଦେଇଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଭାରତ ସମାଲୋଚନା କରିଛି। ମିଳିତ ଜାତିସଂଘରେ ଭାରତୀୟ ମିଶନର ପ୍ରଥମ ସଚିବ ମିଜିଟୋ ଭିନିଟୋ କାଶ୍ମୀର ପ୍ରସଙ୍ଗରେ ଶେହବାଜ ସରିଫଙ୍କ ଦାବିକୁ ଖଣ୍ଡନ କରିଛନ୍ତି ଏବଂ ଇସଲାମାବାଦକୁ ସୀମା ଆତଙ୍କବାଦ ସହ ଜଡିତ ଥିବା ଅଭିଯୋଗ କରିଛନ୍ତି।

ଭିନିଟୋ କହିଛନ୍ତି ଯେ, “ଦୁଃଖର ବିଷୟ ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଏହି ସମ୍ମାନଜନକ ସଭାର ମଞ୍ଚକୁ ଚୟନ କରିଛନ୍ତି। ଯାହାକୁ ଦୁନିଆ ଗ୍ରହଣ କରେ ନାହିଁ। ”

ଆତଙ୍କବାଦୀ ଡାୱଡ ଇବ୍ରାହିମଙ୍କ ବିଷୟରେ ଏକ ସ୍ପଷ୍ଟ ସୂଚନା ଦେଇ ସେ କହିଛନ୍ତି ଯେ, ଶାନ୍ତି ଚାହୁଁଥିବା ଦେଶ କେବେ ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଦୋଷୀମାନଙ୍କୁ ଆଶ୍ରୟ ଦେବ ନାହିଁ।

ଆତଙ୍କବାଦ, ଶତ୍ରୁତା ଏବଂ ହିଂସା ମୁକ୍ତ ପରିବେଶରେ ପାକିସ୍ତାନ ସହ ସାଧାରଣ ପଡୋଶୀ ସମ୍ପର୍କ ଖୋଜୁଛି ବୋଲି ଭିନିଟୋ ଦୃଢତାର ସହ ଦୋହରାଇଛନ୍ତି।

ନିକଟରେ ପାକିସ୍ତାନରେ ହିନ୍ଦୁ, ଶିଖ ଏବଂ ଖ୍ରୀଷ୍ଟିଆନ ପରିବାରର ଝିଅମାନଙ୍କୁ ଅପହରଣ ଏବଂ ବିବାହର ଘଟଣା ସମ୍ପର୍କରେ ଉଲ୍ଲେଖ କରି ଭାରତ କହିଛି ଯେ ଏହା ବିଡମ୍ବନାର ବିଷୟ ଯେ, ଯେଉଁ ଦେଶ ଅଳ୍ପସଂଖ୍ୟଙ୍କ ଅଧିକାରକୁ ଗମ୍ଭୀର ଉଲ୍ଲଂଘନ କରିଛି, ସେ ବିଶ୍ୱ ସ୍ତରରେ ଅଳ୍ପସଂଖ୍ୟକ ବିଷୟରେ କହୁଛି।

Related posts