ପରଲୋକରେ ବରଗଡ ଜିଲ୍ଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଂଜନ ସିଂ ବରିହା

Published: Oct 3, 2022, 9:18 am IST

ଭୁବନେଶ୍ବର: ପୁଣି ଜଣେ ବିଧାୟକଙ୍କର ବିୟୋଗ ଘଟିଛି। ନିକଟରେ ସ୍ବାସ୍ଥ୍ୟ ଗତ କାରଣ ପାଇଁ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଯାଇଛି। ଏବେ ବିଜେଡିର ପଦ୍ମପୁର ବିଧାୟକ ବିଜୟରଂଜନ ସିଂ ବରିହାଙ୍କ ପରଲୋକ ଘଟିଛି। ଗତକାଲି ରାତିରେ ସେ ଭୁବନେଶ୍ବରର ଏକ ହସପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ବିଜୟରଂଜନ ଗତ କିଛିଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ ବରଗଡ଼ ଜିଲ୍ଲା ପଦ୍ମପୁରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରୁ୨୦୦୦ ଯାଏଁ ସେ ଜନତା ଦଳ ଟିକେଟରେ ଏହି ଆସନରୁ ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ।

ଏହା ପରେ ସେ ୨୦୦୦ ଏବଂ ୨୦୦୯ରେ ବିଜେଡି ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେଡି ସରକାରରେ ମନ୍ତ୍ରୀ ହୋଇଥିଲେ। ତେବେ ୨୦୧୪ ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ୨୦୧୯ ନିର୍ବାଚନରେ ବିଜୟ ରଂଜନ ସିଂହ ବରିହା ପୁଣି ପଦ୍ମପୁର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Related posts