ଧାମନଗର ଉପନିର୍ବାଚନ: ନଭେମ୍ବର ୩ରେ ଭୋଟ, ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି

Published: Oct 6, 2022, 7:55 pm IST

ଭୁବନେଶ୍ଵର: ଧାମନଗର ଉପନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳଗୁଡିକ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୬ ତାରିଖରେ ଫଳାଫଳ ପ୍ରକାଶ ପାଇବ। ତେବେ ଏହି ଉପନିର୍ବାଚନ ପାଇଁ ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ୧୪ ତାରିଖ ନାମାଙ୍କନ ପାଇଁ ଶେଷ ତାରିଖ ଥିବା ବେଳେ ୧୫ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ରହିଛି। ସେହିଭଳି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ୧୭ ତାରିଖ ରହିଛି।

ତେବେ ସମୟ ପାଖେଇ ଆସୁଥିବା ବେଳେ କୌଣସି ରାଜନୈତିକ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ତାଙ୍କ ପୁଅ ସୁରଜ୍ ସୂର୍ଯ୍ୟବଂଶୀଙ୍କୁ ବିଜେପି ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଛି।

ସେପଟେ ବିଜେପି ହାତରୁ ସିଟ ଛଡ଼ାଇବା ପାଇଁ ଶାସକ ଦଳ ସମ୍ପୂର୍ଣ୍ଣ ଚେଷ୍ଟା କରିବ। ତେବେ ବିଜେଡ଼ି ପକ୍ଷରୁ କାହାକୁ ଟିକେଟ ମିଳିବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୦୧୯ ନିର୍ବାଚନରେ ବିଷ୍ଣୁ ସେଠୀଙ୍କଠାରୁ ପରାସ୍ତ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ବିଜେଡ଼ି ପ୍ରାର୍ଥୀ କରିବ ନା ଅନ୍ୟ କାହାକୁ ଟିକେଟ ଦେବ, ତାହାକୁ ନେଇ ଦ୍ଵନ୍ଦ୍ଵ ଲାଗିରହିଛି।  କିନ୍ତୁ କୌଣସି ଏକ ନୂଆ ଯୁବ ନେତାଙ୍କୁ ବିଜେଡ଼ି ସୁପ୍ରିମ ଟିକେଟ ଦେବେ ବୋଲି ଆଲୋଚନା ହେଉଛି।

ସେହିଭଳି କଂଗ୍ରେସ ଏହି ଉପନିର୍ବାଚନରେ ବାଜିମାତ କରିବ ବୋଲି ଆଶା ରଖିଛି। ସେଥିପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ମନୋନୀତ କରିବାକୁ ୩ ପୂର୍ବତନ ସଭାପତିଙ୍କୁ ଦାୟିତ୍ବ ବାଣ୍ଟିଛି। ତେବେ ସେଠାରେ କେଉଁ ନେତାଙ୍କୁ ଟିକେଟ ମିଳିବ, ତାହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ସସ୍ପେନ୍ସ ରହିଛି।

Related posts