ଦାୟିତ୍ବ ଗ୍ରହଣ କରିବା ପରେ ବର୍ତ୍ତମାନ ସୁଦ୍ଧା ସେ 5 ଟି ରାଜ୍ୟ ଏବଂ ଗୋଟିଏ ବିଦେଶ ଗସ୍ତ କରି ସାରିଛନ୍ତି। ଯେଉଁ ରାଜ୍ୟଗୁଡିକ ଗସ୍ତ କରିଛନ୍ତି ସେଗୁଡିକ ହେଲା ଗୁଜୁରାଟ, ଚଣ୍ଡିଗଡ଼ , ତ୍ରିପୁରା, ଆସାମ , ଉତ୍ତରପ୍ରଦେଶ। ଗୁଜୁରାଟ ଗସ୍ତ ସମୟରେ ଲୁଣ ପ୍ରସଙ୍ଗକୁ ନେଇ ବେଶ ଚର୍ଚ୍ଚାକୁ ଆସିଥିଲେ ରାଷ୍ଟ୍ରପତି।
ତାଙ୍କର ଶହେ ଦିନ କାର୍ଯ୍ୟ ମଧ୍ୟରେ ଯେଉଁ ସବୁ ପ୍ରମୁଖ ଘଟଣା ଥିଲା ସେଥିରେ ସେ ଭାରତ ପକ୍ଷରୁ ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କୁ ସେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।
ସେହିପରି ଭୁବନେଶ୍ୱର ସମେତ ଦେଶର 8 ଟି ଆଇଆଇଟି ନିର୍ଦ୍ଦେଶକଙ୍କୁ ଏହି ଶହେ ଦିନ ମଧ୍ୟରେ ନିଯୁକ୍ତି ଦେଇଛନ୍ତି। ଏହା ସହିତ 65 ଜଣ ହାଇକୋର୍ଟ ବିଚାରପତିଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି। ନିକଟରେ ସେ ଜାତିସଂଘ ଆତଙ୍କବାଦ ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧୀ କମିଟି ର ମୁଖ୍ୟମାନଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବୋଧିତ କରିଥିଲେ।
ସେ ରାଷ୍ଟ୍ରପତି ହେବା ପରେ କେବେ ଓଡିଶା ଆସିବେ ସେ ନେଇ ଓଡିଶାବାସୀ ଅପେକ୍ଷା କରିଥିଲେ। ସେହି ଅପେକ୍ଷାର ବର୍ତ୍ତମାନ ଅନ୍ତ ହେବାକୁ ଯାଉଛି। କାରଣ ଓଡିଆ ଝିଅ ରାଷ୍ଟ୍ରପତି ହେବା ପରେ ସେ ନିଜ ରାଜ୍ୟକୁ ଫେରୁଛନ୍ତି। ଯାହା ସମସ୍ତଙ୍କୁ ନିଶ୍ଚିତ ଭାବେ ଖୁସି କରିବ। ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଓଡିଶା ମାଟିରେ ଦେଖିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରିଛନ୍ତି।