ଭୁବନେଶ୍ୱର: ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପ୍ରକ୍ରିୟାକୁ ନେଇ ଚାଲିଥିବା ଆଇନଗତ ଆଲୋଚନା ଓ ସସପେନ୍ସ ଆହୁରି ବୃଦ୍ଧି ପାଇଛି। ଏହି ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଶୁଣାଣି ସମୟରେ ବରିଷ୍ଠ ଆଇପିଏସ ଅଫିସର ସୁଶାନ୍ତ ନାଥ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିଜର ପକ୍ଷ ରଖିଛନ୍ତି। ଡିଜିପି ଚୟନ ପାଇଁ ପ୍ରସ୍ତୁତ ମୂଳ ତାଲିକାରେ ତାଙ୍କ ନାମ ରହିଥିଲା। ମାତ୍ର ପୋଲିସ ଏସଆଇ ନିଯୁକ୍ତି ଅନିୟମିତତାର ସିବିଆଇ ତଦନ୍ତ ପରିପ୍ରେକ୍ଷୀରେ ତାଙ୍କର ବୟାନ ରେକର୍ଡ ହେବା ସମ୍ଭାବନା ଥିବା ଦର୍ଶାଇ, ରାଜ୍ୟ ସରକାର ତାଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର କରି ନୂଆ ତାଲିକା ପଠାଇଥିଲେ। ସୁଶାନ୍ତ ନାଥଙ୍କ ଏହି ଆଇନଗତ ହସ୍ତକ୍ଷେପ ମାମଲାକୁ ଏକ ନୂଆ ମୋଡ଼ ଦେଇଛି। ଅନ୍ୟପଟେ ରାଜ୍ୟ ଆଡଭୋକେଟ ଜେନେରାଲ (ଏଜି) ପୀତାମ୍ବର ଆଚାର୍ଯ୍ୟ କୋର୍ଟରେ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟ ସରକାର ୨୦୦୬ ‘ପ୍ରକାଶ ସିଂ ମାମଲା’ର କୌଣସି ନିୟମ ଉଲ୍ଲଂଘନ କରିନାହାଁନ୍ତି। କେତେକ ଅନୁଷ୍ଠାନ ଓ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି ଚୟନ ପ୍ରକ୍ରିୟାକୁ କେବଳ ବିଳମ୍ବ କରିବାକୁ ଚେଷ୍ଟା କରୁଛନ୍ତି।


