ଜଗା ପାଖରେ ସବୁ ପ୍ରୋଟକଲ ପରିତ୍ୟାଗ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Published: Nov 10, 2022, 1:01 pm IST

ପୁରୀ: ବର୍ତ୍ତମାନ ପୁରୀ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଭୁବନେଶ୍ବରରେ ପହଞ୍ଚିବା ପରେ ସିଧା ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ପୁରୀ ହେଲିପ୍ୟାଡରେ ସେ ପହଞ୍ଚିବା ପରେ ସ୍ବତନ୍ତ୍ର କାରକେଡ ରେ ଶ୍ରୀମନ୍ଦିର ଅଭିମୁଖେ ଆସିଥିଲେ। ହେଲେ ସେ ବଳଗଣ୍ଡି ଛକ ପାଖରେ ପହଁଞ୍ଚିବା ପରେ ତାଙ୍କର ସବୁ ପ୍ରୋଟକଲକୁ ସେ ଭାଙ୍ଗିଦେଲେ।

ରାଷ୍ଟ୍ରପତି ପୁରୀ ବଡଦାଣ୍ଡରେ କାରକେଡ ସହିତ କଡା ସୁରକ୍ଷା ଭିତରେ ଆସୁଥିଲେ। ହେଲେ ସେ ବଳଗଣ୍ଡି ଛକରେ ପହଞ୍ଚିବା ପରେ ସେଠାରେ ତାଙ୍କ କାର ଅଟକିଗଲା। ସମସ୍ତେ ହଠାତ କିଛି ଜାଣିପାରିଲେ ନାହିଁ। ସବୁ ସୁରକ୍ଷା କର୍ମି ତାଙ୍କୁ ଘେରିଗଲେ। ହେଲେ ରାଷ୍ଟ୍ରପତି ବୁଲେଟପ୍ରୁଫ କାରରୁ ଓହ୍ଲାଇ ଚାଲିବା ଆରମ୍ଭ କରିଥିଲେ।

ଏହାକୁ ନେଇ ସୁରକ୍ଷା କର୍ମି ଏବଂ ଓଡିଶା ପୋଲିସ କିଛି ବୁଝିପାରିଲେ ନାହିଁ। ରାଷ୍ଟ୍ରପତି ନିଜେ ସମସ୍ତଙ୍କୁ ଅବଗତ କରାଇଦେଲେ ଯେ, ମୁଁ ଚାଲିଚାଲି ଯିବି। ଫଳରେ ସେ ତାଙ୍କ ସହିତ ତାଙ୍କ ଝିଅ ଜୁଆଁଇ ଏବଂ ସେବାୟତମାନେ ଚାଲିଚାଲି ଶ୍ରୀମନ୍ଦିର ଆଡକୁ ଅଗ୍ରସର ହୋଇଥିଲେ। ଦୁଇପଟେ ଥିବା ଲୋକମାନଙ୍କୁ ରାଷ୍ଟ୍ରପତି ହାତ ହଲାଇ ହଲାଇ ଶ୍ରୀମନ୍ଦିର ଆଡକୁ ହୋଇ ଥିଲେ।

ବାଟରେ ବହୁ ସ୍କୁଲ ଛାତ୍ରଛାତ୍ରୀମାନେ ତାଙ୍କୁ ହାତ ହଲାଇ ପାଖକୁ ଡାକିବାକୁ ଲାଗିଲେ। ରାଷ୍ଟ୍ରପତି ହସିହସି ତାଙ୍କ ସ୍ବାଗତକୁ ଗ୍ରହଣ କରୁଥାନ୍ତି। ପିଲାମାନଙ୍କୁ କହିଲେ ମୁଁ ଆସୁଛି ବୋଲି କହିଥିଲେ। ହେଲେ ପିଲାମାନେ ଏକ ଫଟୋ ନେବାକୁ ତାଙ୍କୁ ଅନୁରୋଧ କଲେ। ଫଳରେ ରାଷ୍ଟ୍ରପତି ପିଲାଙ୍କ ଆଗକୁ ଯାଇ ଫଟୋ ପୋଜ ଦେଇଥିଲେ। ସେଠାରେ ପିଲାମାନଙ୍କ ସହିତ ପିଲାଙ୍କ ପରି ହସିହସି ଚାଲିଯାଇଥିଲେ।

ଏହାପରେ ସେ ସିଂହଦ୍ବାର ନିକଟରେ ପହଁଚିଥିଲେ। ସେଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଙ୍କୁ ସ୍ବାଗତ କରିଥିଲେ। ସେହିପରି ସେଠାରେ ଥିବା ରାଜ୍ୟସରକାରଙ୍କ ବରିଷ୍ଠ ଅଧିକାରୀମାନେ ତାଙ୍କୁ ପାଛୋଟି ନେଇଥିଲେ। ରାଷ୍ଟ୍ରପତି ସିଂହଦ୍ବାରରେ ଥିବା ଅରୁଣ ସ୍ତମ୍ବକୁ ଛୁଇଁ ମୁଣ୍ଡିଆ ମାରିଥିଲେ।

ଶ୍ରୀମନ୍ଦିର ଭିତରକୁ ଯିବା ପୂର୍ବରୁ ରାଷ୍ଟ୍ରପତି ସେଠାରେ ଥିବା ପାଦ ଧୁଆ ସ୍ଥାନକୁ ଯାଇ ପାଦ ଧୋଇଥିଲେ। ଏଥିସହିତ ମୁଣ୍ଡରେ ତିନିଥର ପାଣି ସିଞ୍ଚନ କରି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସେ ପ୍ରଥମେ ପତିତପାବନଙ୍କୁ ମୁଣ୍ଡିଆ ମାରି ଭିତରକୁ ଯାଇଥିଲେ। ସେ ବାଇଶ ପାହାଚରେ ପାଦଦେବା ପୂର୍ବରୁ ସେଠାରେ ନଇଁ ମୁଣ୍ଡିଆ ମାରିଥିଲେ। କେବଳ ଗୋଟିଏ ପାହାଚ ନୁହେଁ, ସବୁ ପାହାଚକୁ ସେ ମୁଣ୍ଡିଆ ମାରି ମାରି ମନ୍ଦିର ଭିତରକୁ ଯାଇଥିଲେ।

Related posts