ଚୀନକୁ ଉଚିତ ଜବାବ ଦେଇଛନ୍ତି ଭାରତୀୟ ସେନା, ରାଜନାଥ ସିଂ

Published: Dec 13, 2022, 2:49 pm IST
Rajnath Singh

ନୂଆଦିଲ୍ଲୀ :  ଚୀନ ସୀମାରେ ପରିସ୍ଥିତି ସମ୍ପର୍କରେ ସଂସଦକୁ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି, ଗତ ଡିସେମ୍ବର ୯ ତାରିଖରେ ତୱାଙ୍ଗ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିଥିଲା ଚୀନର ଡ୍ରାଗନ ସେନା। ଏଲଏସିରେ ସୀମାରେଖା ପରିବର୍ତ୍ତନ କରିବାକୁ ସେମାନେ ପ୍ରୟାସ କରିଥିଲା ।

କିନ୍ତୁ ଭାରତୀୟ ବୀର ଯବାନଙ୍କ ସାହସିକତା ଆଗରେ ହାର ମାନି ପଛଘୁଞ୍ଚା ଦେଇଥିଲା ଡ୍ରାଗନ ବାହିନୀ। ଭାରତୀୟ ଯବାନ ଦୃଢତାର ସହ ମୁକାବିଲା କରି ଡ୍ରାଗନବାହିନୀକୁ ପଛକୁ ହଟିବାକୁ ବାଧ୍ୟ କରିଛନ୍ତି ବୋଲି ଗୃହକୁ ସୂଚନା ଦେଇଛନ୍ତି ରାଜନାଥ।

ଏହି ସମୟରେ ଉଭୟ ଦେଶର ସେନା ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଉଭୟ ଦେଶର ଯବାନ ଏଥିରେ ଆହତ ହୋଇଥିଲେ । ତେବେ କୌଣସି ଭାରତୀୟ ଯବାନ ସହିଦ ହୋଇନାହାନ୍ତି କି ଏଥିରେ କେହି ଗୁରୁତର ମଧ୍ୟ ହୋଇନାହାନ୍ତି । ତେବେ ଏହି ଘଟଣା ପରେ କୂଟନୈତିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ଏକ ଫ୍ଲାଗ ମିଟିଂ ଜରିଆରେ ଏହି ଘଟଣା ଉପରେ ଆଲୋଚନା ହୋଇଛି ।

ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷକୁ ନେଇ ସଂସଦରେ ବିରୋଧୀ ଦଳର ହଙ୍ଗାମା କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦାବୀ କରିଛନ୍ତି।ଏହି ହଟ୍ଟଗୋଳ ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକସଭାରେ ଏବଂ ରାଜ୍ୟସଭାରେ ନିଜର ବିବୃତ୍ତି ରଖିଛନ୍ତି।

Related posts