ନିଶ୍ଚିନ୍ତକୋଇଲିରେ ବିଜେପିର ମଣ୍ଡଳ ପ୍ରବାସ ପଦଯାତ୍ରା

Published: Jan 8, 2023, 10:38 pm IST
BJP

ନିଶ୍ଚିନ୍ତକୋଇଲି: ୨୦୨୩ରେ ଓଡ଼ିଶାର ଗରିବ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି କରିବ ବୋଲି ରବିବାର କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ନିଶ୍ଚିନ୍ତକୋଇଲି ଠାରେ ଦଳ ପକ୍ଷରୁ ଆୟୋଜିତ ମଣ୍ଡଳ ବୈଠକ, ପଦଯାତ୍ରା ଓ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ମଣ୍ଡଳ ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଠାରେ ଅସୁରେଶ୍ୱର ମଣ୍ଡଳ ଏବଂ ନିଶ୍ଚିନ୍ତକୋଇଲିର ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ନିଶ୍ଚିନ୍ତକୋଇଲିରେ ଆରମ୍ଭ ହୋଇଥିବା ପଦଯାତ୍ରାରେ ସାମିଲ ହୋଇଥିଲେ।

ଏହି ଅବସରରେ ସେ କହିଛନ୍ତି ଯେ, ଆବାସ ଯୋଜନାରେ ଘର ଆବଣ୍ଟନରେ ଦୁର୍ନୀତି କଥା ଉଠାଇବାରୁ ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେପି କାର୍ଯ୍ୟକର୍ତ୍ତା କୁଳମଣି ବରାଳଙ୍କର ହତ୍ୟା ଯୋଜନା ବଧିବଦ୍ଧ ଭାବେ ଶାସକ ଦଳର ବିଧାୟକ ପ୍ରତ୍ୟକ୍ଷ ଭାବରେ କରାଇଲେ। ଯିଏ ମୁଖ୍ୟ ଅଭିଯୁକ୍ତ ଥିଲେ ତାଙ୍କର ବି ସନ୍ଦେହଜନକ ଭାବେ ହତ୍ୟା ହେଲା। କୁଳମଣି ବରାଳଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କଟକ ଜିଲ୍ଲା ସାଲେପୁର ବ୍ଲକ ପାଗା ଛକ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସାଲେପୁର ସମେତ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Related posts