କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗର ହେବ ତଦନ୍ତ, ମେରି କୋମଙ୍କ ନେତୃତ୍ଵରେ ଗଠନ ହେଲା ସାତଜଣିଆ କମିଟି

Published: Jan 20, 2023, 10:36 pm IST

ନୂଆଦିଲ୍ଲୀ: ଭାରତୀୟ ରେସଲିଂ ଫେଡେରେଶନ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ବର୍ତ୍ତମାନ ଯାଞ୍ଚ କରାଯିବ। ଏଥିପାଇଁ ଏକ ୭ ଜଣିଆ କମିଟି ଗଠନ କରାଯାଇଛି। ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଦ୍ୱାରା ଏହି କମିଟି ଗଠନ କରାଯାଇଛି। କମିଟିର ସଦସ୍ୟମାନେ ହେଉଛନ୍ତି ମେରି କୋମ, ଯୋଗେଶ୍ୱର ଦତ୍ତ, ଡୋଲା ବାନାର୍ଜୀ, ଅଲକନନ୍ଦା ଅଶୋକ, ସହଦେବ ଯାଦବ ଏବଂ ଦୁଇ ଜଣ ଓକିଲ।

ଏହାପୂର୍ବରୁ କୁସ୍ତିଯୋଦ୍ଧାମାନେ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ନିକଟକୁ ଯାଇଥିଲେ। ବଜରଙ୍ଗ ପୁନିଆ, ବିନେଶ ଫୋଗାଟ, ସାକ୍ସି ମଲିକ, ରବି ଦାହିଆ ଏବଂ ଦୀପକ ପୁନିଆ ଆଇଓଏ ସଭାପତି ପି.ଟି ଉଷାଙ୍କୁ ଏକ ଲିଖିତ ଅଭିଯୋଗ ପଠାଇଛନ୍ତି। ଏହି ଅଭିଯୋଗରେ କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫ୍ଆଇ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଯୌନ ଉତ୍ପୀଡ଼ନ ଏବଂ ଆର୍ଥିକ ଅନିୟମିତତା ଅଭିଯୋଗ କରିଛନ୍ତି। ଏହା ସହିତ WFI ସଭାପତିଙ୍କୁ ବହିଷ୍କାର କରିବା ଏବଂ ଯୌନ ଶୋଷଣର ଅଭିଯୋଗର ତଦନ୍ତ କରିବା ପାଇଁ ଏକ କମିଟି ଗଠନ କରିବାକୁ ଦାବି ହୋଇଥିଲା।

ଖେଳାଳିମାନେ ସେମାନଙ୍କ ଅଭିଯୋଗ ପତ୍ରରେ କହିଛନ୍ତି ଯେ, ବ୍ରିଜ ଭୂଷଣ ଶରଣ ସିଂ ଖେଳାଳିଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି। ରେସଲରମାନଙ୍କୁ ପ୍ରାୟୋଜକ ଟଙ୍କା ମଧ୍ୟ ଦିଆଯାଇନଥାଏ ଏବଂ ପ୍ରଶିକ୍ଷକମାନେ ଯୋଗ୍ୟତା ଆଧାରରେ ଖେଳାଳି ଚୟନ କରନ୍ତି ନାହିଁ। କୁସ୍ତିଯୋଦ୍ଧାମାନେ ପି.ଟି ଉଷାଙ୍କୁ ଦାବି କରିଥିଲେ ଯେ, ବ୍ରିଜଭୂଷଣ ଶରଣ ସିଂଙ୍କ ଇସ୍ତଫା ନିଆଯିବା ଉଚିତ ଏବଂ ଯଥାଶୀଘ୍ର ଏକ କମିଟି ଗଠନ କରାଯାଉ।

ଏଥି ସହ ବ୍ରିଜ ଭୂଷଣ ଶରଣ ସିଂ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ଏପରିକି ସେ କହିଛନ୍ତି ଯେ, ଇସ୍ତଫା ପ୍ରଶ୍ନ ଉଠୁନାହିଁ। ସିଂ କହିଛନ୍ତି ଯେ, “ହରିୟାଣାର ଅତି କମରେ ୩୦୦ ଖେଳାଳି ପହଞ୍ଚିଛନ୍ତି। ସେମାନଙ୍କ ବିବୃତ୍ତି ମଧ୍ୟ ନିଅନ୍ତୁ।” ଏହା ସହ ସେ ଆଜି ଅପରାହ୍ନ ୪ ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ କହିଥିଲେ, କିନ୍ତୁ ସେ ଏହି ସାମ୍ବାଦିକ ସମ୍ମିଳନୀ କରିନାହାଁନ୍ତି।

Related posts