ଗତ ବର୍ଷ ଭାରତର ନାଗରିକତା ଛାଡିଛନ୍ତି ସର୍ବାଧିକ ସଂଖ୍ୟକ ଲୋକ: ବୈଦେଶିକ ବ୍ୟାପାର ମନ୍ତ୍ରୀ

Published: Feb 9, 2023, 8:11 pm IST

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର କହିଛନ୍ତି ଯେ, ଗତ ୧୨ ବର୍ଷ ମଧ୍ୟରେ ୧୬ ଲକ୍ଷରୁ ଅଧିକ ଲୋକ ଭାରତର ନାଗରିକତ୍ୱ ଛାଡି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି। ଏଥିମଧ୍ୟରୁ ଗତ ବର୍ଷରେ ଅର୍ଥାତ୍ ୨୦୨୨ ରେ ସର୍ବାଧିକ ୨ ଲକ୍ଷ ୨୫ ହଜାର ୬୨୦ ଲୋକ ନାଗରିକତ୍ୱ ଛାଡିଛନ୍ତି। ତେବେ ୨୦୨୦ ରେ ସର୍ବନିମ୍ନ ୮୫ ହଜାର ୨୫୬ ଲୋକ ନାଗରିକତ୍ୱ ଛାଡିଛନ୍ତି।

ପ୍ରଶ୍ନକାଳର ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୧୫ ରେ ୧ ଲକ୍ଷ ୩୧ ହଜାର ୪୮୯ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି। ୨୦୧୬ ମସିହାରେ ୧ ଲକ୍ଷ ୪୧ ହଜାର ୬୦୩ ଏବଂ ୨୦୧୭ ରେ ୧ ଲକ୍ଷ ୩୩ ହଜାର ୪୯ ଜଣ ବ୍ୟକ୍ତି ଭାରତର ନାଗରିକତ୍ୱ ତ୍ୟାଗ କରିଥିଲେ।

ସେହିଭଳି ୨୦୧୮ ମସିହାରେ ୧ ଲକ୍ଷ ୩୪ ହଜାର ୫୬୧ ଲୋକ, ୨୦୧୯ ରେ ୧ ଲକ୍ଷ ୪୪ ହଜାର ୧୭ ଲୋକ, ୨୦୨୦ ରେ ୮୫ ହଜାର ୨୫୬ ଲୋକ ଏବଂ ୨୦୨୧ ମସିହାରେ ୧ ଲକ୍ଷ ୬୩ ହଜାର ୩୭୦ ଜଣ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି।

କଂଗ୍ରେସ ସରକାରରେ କେତେ ଲୋକ ନାଗରିକତ୍ୱ ଛାଡିଛନ୍ତି?:

ପିଟିଆଇ ଅନୁଯାୟୀ ଏସ୍ ଜୟଶଙ୍କର ଗୃହରେ କହିଛନ୍ତି ଯେ, ଏକ ସନ୍ଦର୍ଭ ଭାବରେ ସେ ମନମୋହନ ସିଂ ସରକାର ସମୟରେ ମଧ୍ୟ ଏହି ସଂଖ୍ୟା ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୧୧ ରେ ୧ ଲକ୍ଷ ୨୨ ହଜାର ୮୧୯ ଲୋକ, ୨୦୧୨ ରେ ୧ ଲକ୍ଷ ୨୦ ହଜାର ୯୨୩ ଲୋକ, ୨୦୧୩ ରେ ୧ ଲକ୍ଷ ୩୧ ହଜାର ୪୦୫ ଲୋକ ଏବଂ ୨୦୧୪ ରେ ୧ ଲକ୍ଷ ୨୯ ହଜାର ୩୨୮ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି। ୨୦୧୧ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଲକ୍ଷ ୬୩ ହଜାର ୪୪୦ ଲୋକ ଭାରତର ନାଗରିକତ୍ୱ ଛାଡିଛନ୍ତି।

ଜୟଶଙ୍କର ମଧ୍ୟ ସଂସଦରେ ୧୩୫ ଟି ଦେଶର ଏକ ତାଲିକା ଦେଇଛନ୍ତି, ଯେଉଁଠାରେ ଲୋକମାନେ ନାଗରିକତ୍ୱ ନେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଗତ ତିନିବର୍ଷ ମଧ୍ୟରେ ପାଞ୍ଚ ଜଣ ବ୍ୟକ୍ତି ୟୁଏଇର ନାଗରିକତ୍ୱ ନେଇଛନ୍ତି।

Related posts