ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ: ଏକ ଗୋଲାମୀ ଓ ଅପରିଚ୍ଛନ୍ନତା ମୁକ୍ତି

Published: Feb 11, 2023, 4:14 pm IST

ଲେଖା- ସୁଶ୍ରୀ ବିନି ମହାଜନ, ସଚିବ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଏବଂ ପାନୀୟଜଳ ଓ ସ୍ୱଚ୍ଛତା ବିଭାଗ

ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଏକ ଜନ ଆନ୍ଦୋଳନର ରୂପ ନେଇ ଏହି ବିରାଟ ଦେଶ ଭାରତର କୋଣ ଅନୁକୋଣରେ ପହଞ୍ଚିପାରିଛି । ଏହା କେବଳ ଲୋକଙ୍କ ଅଭ୍ୟାସ ଓ ଆଚରଣ ପରିବର୍ତ୍ତନ କରିନାହିଁ, ଘରେ ଘରେ ଏକ ପରିଚିତ ନାମ ପାଲଟିଛି । ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର‌୍ୟ୍ୟକ୍ରମ, ଏହି ସ୍ୱଚ୍ଛ ଭାରତ ମିଶନକୁ ଆଉ କେହି ନୁହେଁ ସ୍ୱୟଂ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରୁଛନ୍ତି ।

ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଏଯାବତ ଯେଉଁ ସଫଳତା ଅର୍ଜନ କରିଛି ତା’ ପଛରେ ରାଜ୍ୟ, ଜିଲ୍ଳା ପ୍ରଶାସନ, ବିକାଶମୂଳକ ଅଂଶୀଦାର, ଏନ୍‌ଜିଓ, ପଞ୍ଚାୟତ ନେତା ଓ ବିଭିନ୍ନ ଗୋଷ୍ଠୀ ତଥା ସମୁଦାୟଙ୍କର ଅବଦାନ ପ୍ରମୁଖ ଭାବେ ରହିଛି । ଭାରତକୁ ସ୍ୱଚ୍ଛ ଓ ସୁସ୍ଥ କରିବାର ଆଗ୍ରହ ତଥା ଉତ୍ସାହ ଏହି ସଫଳତାକୁ ବିଶେଷ ପ୍ରଭାବିତ କରିଛି ।

ଦକ୍ଷିଣ ଆଫ୍ରିକାର ପ୍ରଖ୍ୟାତ ବର୍ଣ୍ଣ ବୈଷମ୍ୟ ବିରୋଧୀ ନେତା ତଥା ଆଧୁନିକ ଦକ୍ଷିଣ ଆଫ୍ରିକାର ଜାତିର ଜନକ ଡକ୍ଟର ନେଲସନ୍ ମଣ୍ଡେଲା ଥରେ କହିଥିଲେ, “ମହିଳାମାନେ ଯେପର‌୍ୟ୍ୟନ୍ତ ସମସ୍ତ ପ୍ରକାର ଅତ୍ୟାଚାରରୁ ମୁକ୍ତ ନ ହୋଇଛନ୍ତି ସେ ପର‌୍ୟ୍ୟନ୍ତ ସ୍ୱାଧୀନତା ହାସଲ କରାଯାଇପାରିବ ନାହିଁ ।” ଏହି ଉକ୍ତି ସହିତ ଦ୍ୱିମତ ହେବାର ଅବକାଶ ନାହିଁ । ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗରେ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାମ କରିବା ପରେ ଏବେ ମୁଁ ଦେଶର ଦୁଇଟି ଧ୍ୱଜାଧାରୀ କାର‌୍ୟ୍ୟକ୍ରମ ସହିତ ସମ୍ପୃକ୍ତ । ଏହି ଦୁଇ କାର‌୍ୟ୍ୟକ୍ରମ ମହିଳାମାନଙ୍କୁ ଅସରନ୍ତୀ ଗୋଲାମୀ, କଠିନ ପରିଶ୍ରମ ଓ ବ୍ୟାଧିରୁ ମୁକ୍ତ କରି ସଶକ୍ତ କରୁଛି ।

ଏହି ଗଣତନ୍ତ୍ର ଦିବସରେ ଅସ୍ୱାସ୍ଥ୍ୟକର ଓ ଅସ୍ୱଚ୍ଛ ପରମ୍ପରା ଏବଂ ସ୍ଥିତିରୁ ମୁକ୍ତ ହେବା ପ୍ରାସଙ୍ଗିକ ମନେ ହୁଏ । ଏଥି ପାଇଁ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ କାର‌୍ୟ୍ୟ କରୁଛି । ଏହି ଅଭିଯାନ ସମାଜର ସବୁ ଶ୍ରେଣୀ ଓ ବର୍ଗଙ୍କ ପାଇଁ ସ୍ୱଚ୍ଛତାର ସୁଯୋଗ ଆଣି ଦେଇଛି ଏବଂ ସେମାନେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହି ଅଭିଯାନର ଗରିବ ଏବଂ ମହିଳା ସପକ୍ଷବାଦୀ ନୀତି ଫଳରେ ମହିଳାମାନେ ଅନେକ କଷଣ ଓ ଜଞ୍ଜାଳରୁ ମୁକ୍ତ ହୋଇଛନ୍ତି । ସେମାନଙ୍କୁ ଶୌଚ ହେବାକୁ ଯିବା ପାଇଁ ଆଉ ରାତିର ଅନ୍ଧାରକୁ ଅପେକ୍ଷା କରିବାକୁ ପଡୁନାହିଁ । ସେମାନେ ନିଜର ଶୌଚାଳୟ ସ୍ୱାଧୀନ ଭାବେ ବ୍ୟବହାର କରିବା ସହିତ ସୁରକ୍ଷିତ ଏବଂ ମର‌୍ୟ୍ୟାଦାବନ୍ତ ଜୀବନ ଅତିବାହିତ କରିବାର ସୁଯୋଗ ପାଇଛନ୍ତି ।

ଖୋଲା ପଡିଆକୁ ମଳତ୍ୟାଗ କରିବାକୁ ନ ଯାଇ ଶୌଚାଳୟ ବ୍ୟବହାର କରିବା ଫଳରେ ସେମାନେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ପାଉଛନ୍ତି । ଜାତୀୟ ଜଳ ଜୀବନ ମିଶନ ଅନ୍ୟ ପକ୍ଷରେ ଆଉ ପାଦେ ଆଗେଇ ଯାଇଛି । ଦେଶର ଜଳକଷ୍ଟ ଅଞ୍ଚଳରେ ବସବାସ କରୁଥିବା ମହିଳାମାନଙ୍କ ପାଇଁ ଏହା ଦେବଦୂତ ସାଜିଛି । ଉଭୟ ଗ୍ରାମୀଣ ସ୍ୱଚ୍ଛ ଭାରତ ଅଭିଯାନ ଓ ଜାତୀୟ ଜଳଯୋଗାଣ ମିଶନର ମିଳିତ ପ୍ରୟାସରେ ଦେଶରେ ୧୧କୋଟିରୁ ଅଧିକ ବ୍ୟକ୍ତିଗତ ଶୌଚାଳୟ ନିର୍ମିତ ହୋଇଛି ଏବଂ ୧୦.୯୦ କୋଟିରୁ ଅଧିକ ଘରକୁ ପାଣି ଟ୍ୟାପ ସଂଯୋଗ ଯୋଗାଇ ଦିଆଯାଇଛି ।

ଆହୁରି ମଧ୍ୟ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ଭାରତକୁ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ୬.୨ ପୂରଣ କରିବାକୁ ପଥ ଉନ୍ମୁକ୍ତ କରିଛି । ଜାତିସଂଘର ଏହି ଲକ୍ଷ୍ୟ ୬.୨ ଅନୁସାରେ ୨୦୩୦ ସୁଦ୍ଧା ଭାରତର ସବୁ ଲୋକଙ୍କୁ ଶୌଚାଳୟ, ଟ୍ୟାପ ଦ୍ୱାରା ପାନୀୟଜଳ ସୁବିଧା ଯୋଗାଣ ସହିତ ଗରିବ ଓ ଅବହେଳିତ ବର୍ଗର ମହିଳା ଏବଂ କନ୍ୟାମାନଙ୍କୁ ବିପଜ୍ଜନକ ଓ ଅସ୍ୱାସ୍ଥ୍ୟକର ପରିବେଶରୁ ମୁକ୍ତ କରିବାକୁ ହେବ । ସର୍ଭେ ଅନୁସାରେ ଏବେ ଗ୍ରାମାଂଚଳରେ ଶୌଚାଳୟ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରୁ ୯୩.୪ ଶତାଂଶ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଅନ୍ତର୍ଭୁକ୍ତ । ଏହାର ଉଲ୍ଲେଖନୀୟ ପ୍ରଭାବ ମଧ୍ୟ ଅର୍ଥର୍ନୀତି, ପରିବେଶ ଓ ସ୍ୱାସ୍ଥ୍ୟ ଉପରେ ପଡୁଛି ଏବଂ ନିର୍ଦ୍ଧିଷ୍ଟ ଭାବେ ମହିଳା ସଶକ୍ତିକରଣ ଏହା ସହାୟକ ହେଉଛି ।

ଆଦର୍ଶ ପଞ୍ଚାୟତ ପ୍ରୟାସ –

ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନରେ ଆହୁରି ଅନେକ କିଛି କରିବାର ଥିଲେ ମଧ୍ୟ ଏଯାଏ ଏହି ଯୋଜନାରେ ଯାହା ସବୁ ହେଉଛି ତାହା ନିଶ୍ଚିତ ଉଲ୍ଲେଖଯୋଗ୍ୟ । ଏହି ଅଭିଯାନରେ ଘରୋଇ କ୍ଷେତ୍ରର ଭୂମିକାକୁ ସ୍ୱୀକୃତି ପ୍ରଦାନ କରାଯାଇ ସ୍ୱଚ୍ଛତା’କୁ ସମସ୍ତଙ୍କ କାମ ଓ ଦାୟିତ୍ୱର ମାନ୍ୟତା ଦିଆଯାଇଛି । ପାନୀୟଜଳ ଓ ସ୍ୱଚ୍ଛତା ବିଭାଗ ‘ଫିକି’ ଇଣ୍ଡିଆ ସାନିଟେସନ କୋଆଲିସନ ସହିତ ସହଯୋଗ ପ୍ରତିଷ୍ଠା କରି ଏ କ୍ଷେତ୍ରରେ କାମ କରୁଛି । ଏହା ଫଳରେ ଭାରତ ସରକାର ଏଥି ପାଇଁ କର୍ପୋରେଟ ଅଂଶୀଦାର, ବିକାଶ ଅଂଶୀଦାର ସହଜରେ ପାଉଛନ୍ତି । ସେମାନଙ୍କ ସହଯୋଗରେ ତରଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଗ୍ରାମ ସ୍ତରରେ କରାଯାଉଛି । ପ୍ରଥମ ପର‌୍ୟ୍ୟାୟରେ ଏଥିପାଇଁ ୧୫ଟି ରାଜ୍ୟରେ ଆଦର୍ଶ ପଞ୍ଚାୟତ ବା ଲାଇଟ୍ ହାଉସ ପଞ୍ଚାୟତ ଗ୍ରାମୀଣ ସ୍ତରରେ କଠିନ ଓ ତରଳ ବର୍ଜ୍ୟବସ୍ତୁର ପରିଚାଳନା କାମ କରାଯିବ ଏବଂ ଏହାର ସଫଳତା ଆଧାରରେ ପରବର୍ତ୍ତୀ ପର‌୍ୟ୍ୟାୟରେ ଦେଶର ଅନ୍ୟତ୍ର ଏହା କାର‌୍ୟ୍ୟକାରୀ ହେବ । ଏହା ଫଳରେ ସବୁ ଗ୍ରାମ ଓଡିଏଫ ପ୍ଲସ୍ ମାନ୍ୟତା ପାଇବେ ।

ସ୍ୱଚ୍ଛ ସର୍ବେକ୍ଷଣ ଗ୍ରାମୀଣ ୨୦୨୩

ଏବେ ସମଗ୍ର ଦେଶରେ ଗ୍ରାମୀଣ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ କାମ ଚାଲିଛି । ଏହି ସର୍ଭେ ମାଧ୍ୟମରେ ପ୍ରଦର୍ଶନ ଓ ସଫଳତା ଆଧାରରେ ରାଜ୍ୟ ଓ ଜିଲ୍ଲାଗୁଡିକର ର‌୍ୟାଙ୍କ ନିର୍ଦ୍ଧାରିତ ହେଉଛି । ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନର ମାନଦଣ୍ଡ ଆଧାରରେ ଏହ ର‌୍ୟାଙ୍କ ନିର୍ଦ୍ଧାରିତ ହେଉଛି । ଏଥିପାଇଁ ଗ୍ରାମ ପଞ୍ଚାୟତଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ହେଉଛି ଓ ପ୍ରଦର୍ଶନ ଭିତ୍ତିରେ ବିଜେତାଙ୍କୁ ବଛାଯାଉଛି ।

ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଅନେକ ବଡ ବଡ ଅଭିଯାନ ହାତକୁ ନେଇଛି ଏବଂ ଏହାର ପ୍ରଭାବ ବେଶ୍ ଭଲ ରହିଛି । ରେଟ୍ରୋଫିଟ୍‌ରୁ ଟୁଇନ ଫିଟ୍ ସେଥିମଧ୍ୟରୁ ଗୋଟିଏ । ଏଥିରେ ସରଳ ‘ଅନ୍‌-ସାଇଟ୍‌’ ଟେକ୍ନୋଲୋଜିକୁ ଉପଯୋଗ କରାଯାଇ ସିଙ୍ଗଲ ପିଟ୍ ଟଏଲେଟକୁ ଟୁଇନ ପିଟ୍‌ରେ ପରିଣତ କରାଯାଉଛି । ସେହିଭଳି ସେପ୍ଟିକ ଟ୍ୟାଙ୍କ ଟଏଲେଟକୁ ଏୟାରଭେଣ୍ଟ ଓ ସୋକପିଟ୍ ଟଏଲେଟ୍ ସହିତ ସଂଯୁକ୍ତ କରିବା କାମ ହାତକୁ ନିଆଯାଇଛି । ଏହି ଅଭିଯାନରେ ମଧ୍ୟ ଗ୍ରାମାଞ୍ଚଳରେ ଘରୋଇ ଶୌଚାଳୟର ମଳକୁ ନିରାପଦରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜନ ସଚେତନତା ସୃଷ୍ଟି କରାଯାଉଛି ।

ସୁଜଳାମ୍ ୧.୦ ଓ ୨.୦ଅଭିଯାନରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସୋକ୍‌ପିଟ୍ ମାନ ଘରେ ଓ ପ୍ରତିଷ୍ଠାନରେ ତିଆରି କରାଯାଇ ବର୍ଜ୍ୟଜଳର ବିଶୋଧନ ବ୍ୟବସ୍ଥା କରାଯାଉଛି । ଏହି ଦୁଇ ଅଭିଯାନରେ ୨୩ ନିୟୁତ ସୋକ ପିଟ୍ ତିଆରି ହୋଇଛି ।

ଗୋବର୍ଦ୍ଧନ ଯୋଜନାରେ ଗ୍ରାମର ପଶୁ ପକ୍ଷୀଙ୍କ ମଳ, ଫସଲ ଓ ଜୈବିକ ଅବଶେଷ ସବୁର ପରିଚାଳନା ଗୁରୁତ୍ୱ ପାଇଛି । ଏହାକୁ ସଂଗ୍ରହ କରି ଜୈବିକ ଖତସାର ଓ ଇନ୍ଧନରେ ପରିଣତ କରାଯାଉଛି । ଏହାଫଳରେ ଗ୍ରାମର ପରିବେଶ ସଫା ସୁତୁରା ରହିବା ସହିତ ରୋଗ ଜୀବାଣୁ ବ୍ୟାପିବା ଯଥେଷ୍ଟ ହ୍ରାସ ପାଇବ । ଏଥିପାଇଁ ଭାରତ ସରକାର ସବୁ ଜିଲ୍ଲାକୁ ବୈଷୟିକ ସହାୟତା ଯୋଗାଉଛନ୍ତି । ଜିଲ୍ଲା ପିଛା ଏଥି ପାଇଁ ୫୦ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ରହିଛି । ଏ ଯାଏଁ ଦେଶର ୫୦୦ରୁ ଅଧିକ ଗୋବର୍ଦ୍ଧନ ପ୍ଲାଂଟ ପ୍ରତିଷ୍ଠା କରାଯାଇଛି ।

ସୂଚନା, ଶିକ୍ଷା ଓ ଯୋଗାଯୋଗ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନର ଜନସଚେତନତା ବୃଦ୍ଧିରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛି । ଏହା ଦ୍ୱାରା ଏହି ଯୋଜନା ବିଶେଷ ପ୍ରୋତ୍ସାହିତ ହୋଇଛି । ସ୍ୱଚ୍ଛତା ହିଁ ସେବା, ସ୍ୱଚ୍ଛତା ଭାରତ ଦିବସ, ସ୍ୱଚ୍ଛତା ପାଇଁ ସଂଯୁକ୍ତ ଭାରତ ଭଳି ଯେତେ ସବୁ କାର‌୍ୟ୍ୟକ୍ରମ କରାଯାଇଛି ତାହାର ସଫଳତା ପଛରେ ଜନ ସହଯୋଗର ଗୁରୁତ୍ୱ ରହିଛି । ସଚେତନତା ବିନା ଏହା ସମ୍ଭବ ହୋଇ ନ ଥାନ୍ତା । ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ପର‌୍ୟ୍ୟାୟ-୨ରେ ଦକ୍ଷତା ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ସୁଲଭ ଟେକେ୍‌ନୋଲୋଜିର ଉପଯୋଗ କରି ନିର୍ମିତ ହେବାକୁ ଥିବା ଭିତ୍ତିଭୂମିକୁ ସୁଦୃଢ କରିବାକୁ ଉଦ୍ୟମ କରାଯାଉଛି । ଏଥିପାଇଁ ସ୍ୱତନ୍ତ୍ର ଦକ୍ଷତା ଓ କୌଶଳକୁ ମଧ୍ୟ ଅଗ୍ରାଧିକାର ଦିଆଯାଉଛି ।

ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟ ରକ୍ଷା ପରିଚାଳନା ଏବଂ ବିଭିନ୍ନ ରାଜ୍ୟର ଏ ସଂକ୍ରାନ୍ତ ଉପଲବ୍ଧି ସମ୍ପର୍କରେ ଏକ ଜାତୀୟ ଚଳଚ୍ଚିତ୍ର ପ୍ରତିଯୋଗିତା ନିକଟରେ ଆୟୋଜିତ ହୋଇଥିଲା । ବାସ୍ତବ କ୍ଷେତ୍ରରେ ଏ ସମ୍ପର୍କରେ ଯାହା ହେଉଛି ଓ ଯେଉଁ ସଫଳତା ମିଳୁଛି ତାହାକୁ ପ୍ରଦର୍ଶିତ କରି ପଞ୍ଚାୟତଗୁଡିକୁ ଉତ୍ସାହିତ କରିବାକୁ ଏହା କରାଯାଇଥିଲା । ପରିତାପର ବିଷୟ ଯେ ବିଭିନ୍ନ ପ୍ରକାର ନିଷେଧ ଓ କୁସଂସ୍କାର ଯୋଗୁଁ ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟରକ୍ଷା ଉପରେ ସମାଜ ଖୁବ୍ କମ୍ ଆଲୋଚନା କରେ ଓ ପ୍ରସଙ୍ଗକୁ ଆଦୌ ଗୁରୁତ୍ୱ ଦିଏ ନାହିଁ ।

ଏ କ୍ଷେତ୍ରରେ ଜ୍ଞାନ, ସଚେତନତା ଓ ଆବଶ୍ୟକ ସାମଗ୍ରୀର ଅଭାବ ବଡ ପ୍ରତିବନ୍ଧକ ପାଲଟିଛି । ଅନେକ ଲୋକ ସାନିଟାରୀ ପ୍ୟାଡର ବ୍ୟବହାର ଓ ତାହାକୁ କିପରି କେଉଁଠି ପକାଇବେ ସେ କଥାମଧ୍ୟ ଜାଣନ୍ତି ନାହିଁ । ଏ ସମ୍ପର୍କରେ ଝିଅ ଓ ମହିଳାମାନଙ୍କୁ ଯେତେ ଅଧିକ ସଚେତନ କରାଯିବ ସେମାନେ ସେତେ ଅଧିକ ଉପକୃତ ହେବେ । ଏହା ମଧ୍ୟ ଝିଅପିଲାଙ୍କ ମଝିରୁ ପାଠଛାଡ ସମସ୍ୟା ଅନେକାଂଶରେ ଦୂର କରିବ ଏବଂ ସେମାନେ ଏହାକୁ ବ୍ୟବହାର କରି ମର‌୍ୟ୍ୟାଦାପୂର୍ଣ୍ଣ ଜୀବନଯାପନ କରିପାରିବେ ।

ଏହି ଗଣତନ୍ତ୍ର ଦିବସରେ ମୁଁ ସ୍ୱଚ୍ଛତା ଯୋଦ୍ଧା, ଗ୍ରାମ ପଞ୍ଚାୟତର ନେତାଗଣ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମକର୍ତ୍ତାଙ୍କୁ ସେମାନଙ୍କର ନିରଳସ ଶ୍ରମ ଓ ସେବା ପାଇଁ ସାଲ୍ୟୁଟ ଜଣାଉଛି । ସେମାନଙ୍କ ସହଯୋଗ ବିନା ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ ସଫଳ ହୋଇପାରି ନ ଥାନ୍ତା । ଭାରତକୁ ଏକ ସୁସ୍ଥ ଓ ପରିଚ୍ଛନ୍ନ ରାଷ୍ଟ୍ରରେ ପରିଣତ କରିବାରେ ସେମାନେ ନିଃସନ୍ଦେହରେ ଆଲୋକ ବର୍ତ୍ତିକା ସାଜିଛନ୍ତି ।

(ଲେଖିକା ର ସଚିବ)

Related posts