ଭୁବନେଶ୍ୱର: ବିଶିଷ୍ଟ ଗବେଷକ ଓ ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ଓ ଉପସ୍ଥାପକ ଶୁଭେନ୍ଦୁ ମହାନ୍ତିଙ୍କ ଦ୍ୱାରା ଲିଖିତ ‘ଏକ୍ସଟିକ ଇଡେନ-ଦି ଲଭର୍ସ ଡେଷ୍ଟିନେସନ ଅଫ ଓଡ଼ିଶା’ (‘Exotic EDEN-THE LOVERS’ Destination of Odisha’) ପୁସ୍ତକକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ପର୍ଯ୍ୟଟକମାନଙ୍କ ପାଇଁ ଉକ୍ତ ପୁସ୍ତକ ବେଶ ଉପଯୋଗୀ ହେବ ଏବଂ ଓଡ଼ିଶାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆକର୍ଷିତ ହେବେ ବୋଲି ରାଜ୍ୟପାଳ ଏହି ଅବସରରେ ମତବ୍ୟକ୍ତ କରିଛନ୍ତି।
ଗୁରୁବାର ରାଜଭବନରେ ଲୋକାର୍ପିତ ହୋଇଥିବା ୧୪୦ ପୃଷ୍ଠା ସମ୍ବଳିତ ଉକ୍ତ ପର୍ଯ୍ୟଟନ ଆଧାରିତ ଇଂରାଜୀ ଭାଷାରେ ଲିଖିତ ପୁସ୍ତକଟି ସମ୍ପୂର୍ଣ୍ଣ ରଙ୍ଗୀନ। ଏଥିରେ ଓଡ଼ିଶାର ୩୦ ଟି ‘ଗ୍ଲାମର ଟୁରିଷ୍ଟ ସ୍ପଟ’ର ସମ୍ପୂର୍ଣ୍ଣ ବିବରଣୀ ସହ ରଙ୍ଗୀନ ଫଟୋ ଦିଆଯାଇଛି। ଏଇ ଅନାଲୋଚିତ ‘ପ୍ରେମର ପ୍ରତୀକ’ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟରେ- ହନିମୁନ ଆଇଲ୍ୟାଣ୍ଡ, ପୁଟୁଡ଼ି, କୋଇଲି ଘୋଘର, ଫୁର୍ଲିଝରଣ, ରାଜହଂସ, ଦେଓମାଳି, ଦାରିଙ୍ଗବାଡ଼ି, ସରାଫଗଡ଼-ବାଡ଼ୁନଝରିଆ,ତାଳସାରି, ପ୍ରଧାନପାଟ, ଦେବ୍ରୀଗଡ଼, ଚନ୍ଦ୍ରଭାଗା, ଭିତରକନିକା, ହୀରାକୁଦ ଓ ଗୋଲଡେନ ବିଚ ଅନ୍ୟତମ। ଏସବୁ ସ୍ଥାନଗୁଡିକୁ ଦେଶୀୟ ଓ ଆନ୍ତର୍ଜାତିକ ସ୍ତରର ପର୍ଯ୍ୟଟକମାନେ କେମିତି ଯିବେ, କେଉଁଠି ରହିବେ ଓ କଣ ଖାଦ୍ୟ ସେବନ କରିବେ ତାର ସମ୍ପୂର୍ଣ୍ଣ ତଥ୍ୟ ପୁସ୍ତକରେ ସନ୍ନିବିଷ୍ଟ ହୋଇଛି। ବିଶେଷକରି ଓଡ଼ିଶା ସରକାରଙ୍କ ଦ୍ୱାରା ପର୍ଯ୍ୟଟକଙ୍କ ପାଇଁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ଏବଂ ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଜାରି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ନମ୍ବର ଓ ହେଲ୍ପଲାଇନ ଆଦି ବି ଦିଆଯାଇଛି।
ଓଡ଼ିଶାକୁ ଆସୁଥିବା ଯେ’କୌଣସି ପର୍ଯ୍ୟଟକ ଏହି ପୁସ୍ତକ ଜରିଆରେ ନିଜ ପର୍ଯ୍ୟଟନ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ ଅବଗତ ହୋଇପାରିବେ। ଫ୍ଲିପକାର୍ଟ, ଆମଜନ ଭଳି ଅନଲାଇନ ସାଇଟରେ ବି ପୁସ୍ତକଟି ଉପଲବ୍ଧ। ଏଥିସହ ଅନ୍ତର୍ଜାତୀୟ ବିମାନଗୁଡିକରେ ଏହା ଯାତ୍ରୀଙ୍କ ପାଇଁ ଯୋଗାଇଦିଆ ଯିବାର ଯୋଜନା ରହିଛି। ତେଣୁ ମହାମହିମ ରାଜ୍ୟପାଳ ପ୍ରଫେସର ଲାଲ ଉଭୟ ଲେଖକଙ୍କୁ ଆଶୀର୍ବାଦ ଦେବା ସହ ଏଭଳି ସାରସତ୍ୱ ଗବେଷଣା କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ପୂର୍ବରୁ ରାଜ୍ୟପାଳ ପ୍ରଫେସର ଲାଲ ଗବେଷକ ତଥା ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ବିରଳ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ଉପରେ ପର୍ଯ୍ୟବେସିତ ଓ ଗବେଷଣାତ୍ମକ ପୁସ୍ତକ ‘ଡଙ୍ଗରାନ କୁଆଁ’କୁ ରାଜଭବନରେ ଲୋକାର୍ପିତ କରିଥିଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଁଣ୍ଡ ଜନଜାତିଙ୍କ ଉପରେ ପୁସ୍ତକ ‘ଡ଼ଙ୍ଗର ଉହାଡ଼େ ଜହ୍ନ’କୁ ଉନ୍ମୋଚନ କରିଥିଲେ। ତେବେ ଶିକ୍ଷାବିତ ଶୁଭେନ୍ଦୁ ମହାନ୍ତିଙ୍କ ଦ୍ୱାରା ଅନୁଦିତ ‘ଡଙ୍ଗରାନ କୁଆଁ’ର ଇଂରାଜୀ ସଂସ୍କରଣ ଖୁବଶୀଘ୍ର ଲୋକାର୍ପିତ ହେବ ବୋଲି ଜଣାପଡ଼ିଛି।