Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଧାନସଭାରେ ବିବୃତି ରଖି ବିରୋଧୀଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଜାତୀୟ ଖବର

ବିଧାନସଭାରେ ବିବୃତି ରଖି ବିରୋଧୀଙ୍କୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

February 22, 2023No Comments5 Mins Read
Share Facebook Twitter LinkedIn Email WhatsApp Copy Link
Naveen

ଭୁବନେଶ୍ବର: ଆଜି ବିଧାନ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବ ଦାସ ହତ୍ୟାକାଣ୍ଡର ବିବୃତି ରଖିଛନ୍ତି। ସେ ଏହି ବିବୃତି ମାଧ୍ୟମରେ ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି। ସେ ଆଜି ଗୃହରେ ଯେଉଁ ବିବୃତି ଦେଲେ ତାହାର ଅବିକଳ ଓଡିଆ ହେଲା..

ମାନ୍ୟବର ବାଚସ୍ପତି ମହୋଦୟ,

ଓଡିଶାର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଏହି ଗୃହର ମାନ୍ୟବର ସଦସ୍ୟ ନବକିଶୋର ଦାସଙ୍କର ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଓ ବେଦନାଦାୟକ। ଯେତେବେଳେ ଆମେ ଏ ଗୃହରେ ଏକାଠି ହେଲେ, ସେତେବେଳେ ଆମେ ସ୍ବର୍ଗତ ଦାସଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ମଧ୍ୟ ଗଭୀର ସମବେଦନା ଜଣାଇଲେ। ତାଙ୍କ ବିୟୋଗରେ, ଓଡିଶା ବିଶେଷ କରି ପଶ୍ଚିମ ଓଡିଶାର ବିକାଶ ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରୁଥିବା ଜଣେ ପ୍ରଗତିଶୀଳ ନେତା ଓ ଆମର ଜଣେ ସହଯୋଗୀଙ୍କୁ ଆମେ ହରାଇଲୁ।

ଗତ ଜାନୁଆରୀ ୨୯, ୨୦୨୩ ଅପରାହ୍ନ ୧୨.୩୫ ବେଳେ ଗୋପାଳ ଦାସ ନାମକ ଜଣେ ସହକାରୀ ପୋଲିସ ସବ୍‌ଇନ୍‌ସପେକ୍ଟର ଓଡିଶାର ତତ୍‌କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଶ୍ରୀ ଗୋପାଳ ଦାସ ତାଙ୍କ ସର୍ଭିଲ ପିସ୍ତଲରୁ ଗୁଳି ଚଳାଇଥିଲେ। ଆମର ସମସ୍ତ ଉଦ୍ୟମ ସତ୍ତ୍ବେ ନବକିଶୋର ଦାସଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ।

ଏହି ଘଟଣାଟି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ତଦନ୍ତ ଦାୟିତ୍ବ ତୁରନ୍ତ କ୍ରାଇମ ବ୍ରାଞ୍ଚକୁ ଅର୍ପଣ କରାଯାଇଥିଲା। ତଦନ୍ତରେ ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ମୋ ସରକାର ମାନ୍ୟବର ହାଇକୋର୍ଟଙ୍କୁ ଜଣେ କାର୍ଯ୍ୟରତ/ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‌ଙ୍କୁ ମନୋନୀତ କରି ଏହି କେସ୍‌ର ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅନୁରୋଧ କରିଥିଲେ। ମାନ୍ୟବର ହାଇକୋର୍ଟ ଏହି ତଦନ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସଙ୍କୁ ମନୋନୀତ କରିଛନ୍ତି।

ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଥା ବୈ‌ଜ୍ଞାନିକ ଅନୁସଂଧାନ କରି ସତ୍ୟକୁ ସାବ୍ୟସ୍ତ କରିବା ପାଇଁ କ୍ରାଇମ ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଏଥିନିମନ୍ତେ ଦେଶର ଶ୍ରେଷ୍ଠ ଫୋରେନସିକ ବିଶେଷଜ୍ଞ ମାନଙ୍କର ସହାୟତା ନେଇଛନ୍ତି। ରାଜ୍ୟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ, ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଫୋରେନସିକ ଲାବୋରେଟୋରୀ ଏବଂ ଗାନ୍ଧୀନଗରସ୍ଥିତ ଗୁଜୁରାଟ ରାଜ୍ୟ ଫୋରେନସିକ ସାଇନ୍‌ସ ଲାବୋରେଟୋରୀ ଏ ଦିଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚକୁ ସହାୟତା କରୁଛନ୍ତି।

ସାକ୍ଷୀ ମାନଙ୍କର ବକ୍ତବ୍ୟ ତଥା ଅଭିଯୁକ୍ତର ଜେରାକୁ ଭିତ୍ତିକରି ଗୋପାଳ ଦାସର ମାନସିକ ଅବସ୍ଥାର ଅନୁଶୀଳନ ଏକ ୪ ଜଣିଆ ମାନସିକରୋଗ ବିଶେଷଜ୍ଞ ବୋର୍ଡଙ୍କ ଦ୍ବାରା କରାଯାଇଅଛି।

ଏତଦ୍‌ବ୍ୟତୀତ ଅଭିଯୁକ୍ତ ସତ କହୁଛି କି ପ୍ରତାରଣା କରୁଛି, ତାକୁ ପରୀକ୍ଷା କରିବା ପାଇଁ ତାର Forensic Psychological Assessment ଏବଂ Layered voice Analysis Test ନୂଆଦିଲ୍ଲୀ କେନ୍ଦ୍ରୀୟ Forensic Science Laboratoryର ବିଶେଷଜ୍ଞମାନଙ୍କ ଦ୍ବାରା କରାଯାଇଅଛି।

ଅଭିଯୁକ୍ତ ଠାରୁ ସତ୍ୟ ଉଦ୍‌ଘାଟନ ତଥା ଅଧିକ ତଥ୍ୟ ବାହାର କରିବାପାଇଁ ଗୁଜୁରାଟ State Forensic Science Laboratoryରେ ବିଶେଷଜ୍ଞଙ୍କ ଦ୍ବାରା Narco Analysis କରାଯାଇଅଛି। ତେଣୁ ସତ୍ୟର ଉଦ୍‌ଘାଟନ ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବା ସହିତ ଶ୍ରେଷ୍ଠ ବିଶେଷଜ୍ଞ ମାନଙ୍କ ପରାମର୍ଶ ମଧ୍ୟ ନିଆଯାଇଛି।

ଏଭଳି କେସ୍‌ରେ ଅପରାଧୀର ବ୍ୟବହାରିକ ବିଶ୍ଲେଷଣ କ୍ଷେତ୍ରରେ ବିଶେଷ ଦକ୍ଷତା ଅର୍ଜନ କରିଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରସିଦ୍ଧ ଅନୁଷ୍ଠାନ Federal Bureau of Investigationର ସହାୟତା ନେବା ପାଇଁ ରାଜ୍ୟ କ୍ରାଇମ ବ୍ରାଞ୍ଚ ଉଦ୍ୟମ କରୁଛି । ଆମେରିକାର FBI ସଂସ୍ଥାର Behavioral Support Unit ଦ୍ବାରା ଅଭିଯୁକ୍ତର ବ୍ୟବହାରିକ ମୂଲ୍ୟାୟନ କରିବାରେ ସାହାଯ୍ୟ କରିବାପାଇଁ ଓଡିଶା ସରକାର ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସହାୟତା କାମନା କରିଛନ୍ତି।

ମୁଁ ଏହି ଗୃହକୁ ପୁନଃ ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ, ଦେଶ ତଥା ଦେଶ ବାହାରର ପ୍ରତିଷ୍ଠିତ Forensic ବିଶେଷଜ୍ଞ ମାନଙ୍କ ସହାୟତା ନେଇ ଏହି କେସ୍‌ର ସଂପୂର୍ଣ୍ଣ ନିରପେକ୍ଷ ଓ ମୁକ୍ତ ତଦନ୍ତକୁ ସୁନିଶ୍ଚିତ କରିବା ଦିଗରେ ଆମେ ସମସ୍ତ ପଦକ୍ଷେପ ନେବୁ।

ତେବେ ସେ ଯାହା ହେଉ ନା କାହିଁକି, ଏହି ମର୍ମନ୍ତୁଦ ଘଟଣା ପରେ ଏଭଳି ଏକ ସମ୍ବେଦନଶୀଳ କେସ୍‌ର ଯେଉଁଭଳି ଢଙ୍ଗରେ ରାଜନୀତିକରଣ କରାଯାଉଛି, ତାହା କେବଳ ମୋତେ ନୁହେଁ, ସାରା ଓଡିଶାବାସୀଙ୍କୁ ବ୍ୟଥିତ କରିଛି। ଯେଭଳି ଭାବରେ ଭିତ୍ତିହୀନ ଓ ମନ୍ଦଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ କରାଯାଉଛି, ତାହା ଅତ୍ୟନ୍ତ ପରିତାପର ବିଷୟ।

ସ୍ବାଧୀନ ବିଚାର ବ୍ୟବସ୍ଥା ଆମ ଗଣତନ୍ତ୍ରର ଅନ୍ୟତମ ଶକ୍ତିଶାଳୀ ସ୍ତମ୍ଭ। ଏହି କେସ୍‌ର ତଦନ୍ତ କାର୍ଯ୍ୟ ତଦାରଖ କରିବାପାଇଁ ମାନ୍ୟବର ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜଜଙ୍କୁ ନିଯୁକ୍ତି ଦେବା ପରେ ପରେ ପୋଲିସର ତଦନ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ଭାବରେ ବିଚାର ବିଭାଗର ତତ୍ତ୍ବାବଧାନରେ କରାଯାଉଛି । ତେଣୁ ଏହି କେସ୍‌କୁ ନେଇ ରାଜନୀତି କରିବାର କଣ ଆବଶ୍ୟକତା ଅଛି ? ଭିତ୍ତିହୀନ ଓ ମନ୍ଦଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ଆଣିବାର କଣ ଆବଶ୍ୟକତା ଅଛି ? ଆମେ ସମସ୍ତେ ଆମର ସ୍ବାଧୀନ ବିଚାର ବ୍ୟବସ୍ଥାକୁ ସମ୍ମାନ ଦେବା ସହ ତା ଉପରେ ଭରସା ରଖିବା ଉଚିତ।

ଭାରତ ୭୫ ବର୍ଷର ଏକ ମହାନ ଗଣତାନ୍ତ୍ରିକ ରାଷ୍ଟ୍ର। ଓଡିଶାରେ ଅତ୍ୟନ୍ତ ପରିପକ୍ବ ତଥା ଉଚ୍ଚମାନର ରାଜନୈତିକ ବିଚାର ଆଲୋଚନାର ବଳିଷ୍ଠ ପରମ୍ପରା ରହିଛି। ଏହି କେସ୍‌ର ଯେଉଁ ଢଙ୍ଗରେ ରାଜନୈତିକ ଆଲୋଚନା କରାଯାଉଛି, ତାହା ଅତ୍ୟନ୍ତ ଚିନ୍ତାଜନକ। ଗୋଟିଏ ସମ୍ବେଦନଶୀଳ ଅପରାଧ ଉପରେ ରାଜନୀତି ଆମ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।

ମୁଁ ଗଭୀର ଭାବରେ ବ୍ୟଥିତ ଯେ ଏହି ଜଘନ୍ୟ ଅପରାଧର ଅଭିଯୁକ୍ତ ହେଉଛି ଜଣେ ପୋଲିସ କର୍ମଚାରୀ। ଏହି ଅଭିଯୁକ୍ତକୁ ତୁରନ୍ତ ଚାକିରୀରୁ ବରଖାସ୍ତ କରାଯିବା ସହିତ ତାକୁ ଆଇନର କାଠଗଡା ଭିତରକୁ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି।

ତେବେ ସେ ଯାହା ହେଉ ନା କାହିଁକି, ଆମର ବିରୋଧୀ ଦଳର କେତେକ ନେତା, ବିଶେଷ କରି ରାଜ୍ୟ ଭାରତୀୟ ଜନତା ଦଳର ନେତା ମାନେ ରାଜ୍ୟ ପୋଲିସ ଉପରେ ଯେଭଳି ରୁଚିହୀନ ମନ୍ତବ୍ୟ ହେଉଛନ୍ତି, ତାହା ଚିନ୍ତାଜନକ ଅଟେ। ମୋତେ ଦୁଃଖ ଲାଗୁଛି ଯେ ବିରୋଧୀ ଦଳ ବିଶେଷ କରି ରାଜ୍ୟ ଭାରତୀୟ ଜନତା ଦଳ ଏହି ଜଘନ୍ୟ ଘଟଣାର ରାଜନୀତିକରଣ କରିବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ନାହିଁ। ଓଡିଶା ପୋଲିସ, ଯେ କି ରାଜ୍ୟ ପାଇଁ ଅନେକ ଗୌରବ ଆଣିଛି, ଏହା ତାର ମନୋବଳକୁ ଦୁର୍ବଳ କରୁଛି।

ଅତୀତରେ ଏହିଭଳି ଦୁର୍ଭାଗ୍ୟଜନକ ମର୍ମନ୍ତୁଦ ଘଟଣା ସାମରିକ ବାହିନୀ ତଥା କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହୀନୀରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ କ୍ଷେତ୍ରରେ ମଧ୍ୟ ଘଟିଛି। କିନ୍ତୁ, କେବେ ବି ଏଥିପାଇଁ ପୁରା ସାମରିକ ବା ପୋଲିସ ବାହୀନୀକୁ ନିନ୍ଦିତ କରିବାପାଇଁ ଉଦ୍ୟମ ହୋଇନାହିଁ। ଆମ ଦେଶ ସବୁବେଳେ ଆମର ସାହସୀ ଜବାନ ମାନଙ୍କ ସହିତ ଦୃଢ ଭାବରେ ଠିଆ ହୋଇଛି।

ଦୁର୍ଭାଗ୍ୟର କଥା ଯେ ରାଜ୍ୟ ବିଜେପି ଏ ଘଟଣାରେ ରାଜ୍ୟ ପୋଲିସକୁ ନିନ୍ଦିତ କରିବା ପାଇଁ ଉଦ୍ୟମ କରୁଛି । ରାଜ୍ୟ ବିଜେପି ଓଡିଶାର ଯୁବଶକ୍ତିର ଅପମାନ କରିଛି । ଓଡିଶାବାସୀ ଏଥିପାଇଁ କେବେ ବି କ୍ଷମା ଦେବେ ନାହିଁ। ଜଣେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଯୋଗୁଁ ସମଗ୍ର ପୋଲିସ ବାହୀନୀକୁ ଅଯଥାରେ ଅପରାଧୀ ଆଖ୍ୟା ଦିଆଯାଇଛି।

ଏହା ହେଉଛି ରାଜ୍ୟ ପୋଲିସ ଓ ଗୃହରକ୍ଷୀ ବାହିନୀରେ କାର୍ଯ୍ୟରତ ୯୦ ହଜାର ଓଡିଆ ଯୁବକଯୁବତୀ ଓ ସେମାନଙ୍କ ପରିବାର ପାଇଁ ଅପମାନ। ଓଡିଶାର ଜନସାଧାରଣଙ୍କର ଧନଜୀବନ ସୁରକ୍ଷା ପାଇଁ ଦିନରାତି କାମ କରୁଥିବା ତଥା ଗତ ଦୁଇ ଦଶନ୍ଧି ଧରି ବାମପନ୍ଥୀ ଉଗ୍ରବାଦୀମାନଙ୍କ ସହିତ ଲଢେଇ କରି ପ୍ରାଣବଳି ଦେଇଥିବା ଶହ ଶହ ପୋଲିସ କର୍ମଚାରୀ ମାନଙ୍କ ପ୍ରତି ଏହା ହେଉଛି ସଂପୂର୍ଣ୍ଣ ଭାବରେ ସମ୍ବେଦନହୀନତା ଓ ରାଜନୈତିକ ସୁବିଧାବାଦର ପରିଚାୟକ।

ଓଡିଶା ପୋଲିସର ଓଡ୍ରାଫ ଜବାନ ଓ ଅଗ୍ନିଶମସେବାର କର୍ମଚାରୀମାନେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ଜୀବନକୁ ବାଜି ଲଗାଇ ସେମାନଙ୍କ ଉତ୍ସର୍ଗୀକୃତ ସେବା ଦ୍ବାରା ଧନଜୀବନର ସୁରକ୍ଷା କରିଛନ୍ତି।

ଆମ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ ଆମ ପୋଲିସ ବାହିନୀ ଯେଭଳି ପ୍ରଶଂସନୀୟ କାର୍ଯ୍ୟ କରିଛି, ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି। ଏକ ପରିପକ୍ବ ଗଣତନ୍ତ୍ର ଭାବରେ ଆମେ ଅନାବଶ୍ୟକ ଭାବରେ ରାଜ୍ୟ ଶାସନ ବ୍ୟବସ୍ଥାର ଗୁରୁତ୍ବପୂର୍ଣ୍ଣ ଅଂଗ ଗୁଡିକ ନିନ୍ଦିତ କରିବା ଓ ଭୟଙ୍କର ଭାବରେ ଚିତ୍ରଣ କରିବାରୁ ବିରତ ରହିବା ଉଚିତ।

ଉଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଥିବା ଜଣେ ବ୍ୟକ୍ତି ଦାୟିତ୍ବରେ ଥିବା ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଅଶୋଭନୀୟ । ଓଡିଶା ସବୁବେଳେ ମହିଳା ମାନଙ୍କୁ ସମ୍ମାନ ଜଣାଇଆସିଛି ଏବଂ ଏଭଳି ଲଜ୍ଜାଜନକ ଆଚରଣକୁ ଓଡିଶାବାସୀ କେବେ କ୍ଷମା ଦେବେ ନାହିଁ।

ଆମର ଅନେକ ଏପରି ବିଷୟ ଅଛି ଯେଉଁଥିରେ କି ଆମେ ଭିନ୍ନମତ ହେବା, ଯୁକ୍ତି କରିବା ବା ବିତର୍କ ମଧ୍ୟ କରିପାରିବା; କିନ୍ତୁ ଆମେ କେବେ ବି ଏକ ସମ୍ବେଦନଶୀଳ ଘଟଣା ଉପରେ ରାଜନୀତି କରିବା ଉଚିତ ନୁହେଁ। ମୋ ସରକାରର ଏକମାତ୍ର ଲକ୍ଷ୍ୟ ହେଉଛି ଏହିଭଳି ଅପରାଧ କରୁଥିବା ଅପରାଧୀମାନଙ୍କୁ ଆଇନର କାଠଗଡାକୁ ଆଣିବା ଏବଂ ସେମାନଙ୍କୁ କଠୋର ଦଣ୍ଡ ଦେବା।

ଓଡିଶାବାସୀ ବାରମ୍ବାର ମୋ ଉପରେ ବିଶ୍ବାସ ରଖିଛନ୍ତି ଓ ଦାୟିତ୍ବ ଅର୍ପଣ କରିଛନ୍ତି ଏବଂ ମୁଁ ବିନା ଭୟ ବା ପକ୍ଷପାତରେ ସେମାନଙ୍କର ଏହି ଭରସାକୁ ବଜାୟ ରଖିବା ପାଇଁ କାମ କରିଚାଲିଛି। ମୁଁ ପୁଣି ଥରେ ନବକିଶୋର ଦାସଙ୍କ ଶୋକାକୁଳ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.