ଉଦ୍ଧବ ଠାକରେଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ନାଁ, ଦୁଇ ସପ୍ତାହ ଭିତରେ ଉତ୍ତର ରଖିବେ ଇସି ଓ ଏକନାଥ

Published: Feb 22, 2023, 6:35 pm IST

ନୂଆଦିଲ୍ଲୀ: ଶିବସେନାର ନାମ ଏବଂ ଚିହ୍ନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମେ ଏହି ଆଦେଶ ଉପରେ ରୋକ ଲଗାଇପାରିବୁ ନାହିଁ, ଏହା ଦଳ ମଧ୍ୟରେ ଏକ ଚୁକ୍ତିଭିତ୍ତିକ ସମ୍ପର୍କ। ଉଦ୍ଧବ ଠାକରେଙ୍କ ଆବେଦନ ଉପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଉଭୟଙ୍କୁ ଦୁଇ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି। ତିନି ସପ୍ତାହ ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ।

ଶିବସେନାର ଚିହ୍ନ ଉପରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଠାକରେଙ୍କ ଆବେଦନକୁ ଆଜି ତିନିଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି। ସିଜେଆଇ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲାଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଥିଲେ।

ଏକନାଥ ସିନ୍ଦେ ଦଳ ଏହି ପିଟିସନ ଉପରେ ପ୍ରଶ୍ନ ଉଠାଇଛନ୍ତି। ନୀରଜ କିଶନ କୌଲ କହିଛନ୍ତି ଯେ, ଏହି ଲୋକମାନେ ପୂର୍ବରୁ ଦୁଇଥର ହାଇକୋର୍ଟ ଯାଇଥିଲେ। ଯଦିଓ ସୁପ୍ରିମକୋର୍ଟଙ୍କର କ୍ଷମତା ଅଛି, ଏହା କେବଳ ହାଇକୋର୍ଟକୁ ଯିବା ଉଚିତ୍। କୌଲ କହିଛନ୍ତି ଯେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ସବୁଜ ସଙ୍କେତ ଦେଇଛନ୍ତି।

Related posts