ଟିଏମସି ନେତା ମୁକୁଲ ରୟ ନିଖୋଜ, ପିତାଙ୍କ ସହ ଯୋଗାଯୋଗ ହେଇପାରୁ ନାହିଁ କହିଲେ ପୁଅ

Published: Apr 18, 2023, 9:04 am IST

କଲିକତା: ପୂର୍ବତନ ରେଳମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ମୁକୁଲ ରୟ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ପୁଅ ସୁଭ୍ରାଗଶୁ ରୟ ପିତାଙ୍କ ନିଖୋଜ ଥିବା ଦାବି କରିଛନ୍ତି। ତାଙ୍କ ପିତା ସୋମବାର ସନ୍ଧ୍ୟାରେ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀ ଯାଇଥିଲେ। ସେ ରାତି ୯.୫୫ ରେ ଦିଲ୍ଲୀରେ ଅବତରଣ କରିବାର ଥିଲା, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ବିଷୟରେ କିଛି ଜଣା ପଡି ନାହିଁ।

ମୁକୁଲ ରୟଙ୍କ ପୁଅ ସୁଭ୍ରାଗଶୁ କହିଛନ୍ତି ଯେ, ସେ ତାଙ୍କ ପିତାଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ନୁହଁନ୍ତି। ସେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପିତା ମୁକୁଲ ରୟଙ୍କ ସହ ତାଙ୍କର କିଛି ଯୁକ୍ତିତର୍କ ହୋଇଥିଲା ବୋଲି ସୁଭ୍ରାଗଶୁ କହିଛନ୍ତି। ଯାହା ପରେ ସେ ଚାଲିଯାଇଥିଲେ ଏବଂ ତାଙ୍କ ବିଷୟରେ କିଛି ଜଣାପଡ଼ି ନାହିଁ।

ବାପାଙ୍କ ନିଖୋଜ ହେବା ପରେ ପରିବାର ବିମାନବନ୍ଦର ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅଭିଯୋଗ ଆସିନାହିଁ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରଠାରୁ ଟିଏମସି ନେତା ମୁକୁଲ ରୟ ସ୍ୱାସ୍ଥ୍ୟଗତ ରୋଗରେ ପୀଡିତ ଥିବା ସୁଭ୍ରାଗଶୁ ସୂଚନା ଦେଇଛନ୍ତି। ଫେବୃଆରୀରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।

ଟିଏମସି ନେତା ମୁକୁଲ ରୟଙ୍କ ସ୍ଥିତି ଟିଏମସିରେ ଦୁଇ ନମ୍ବରରେ ଥିଲା। କିନ୍ତୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଟିଏମସି ମୁକୁଲ ରୟଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଥିଲା। ଏହା ପରେ ସେ ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ସେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମଧ୍ୟ ବିଜେପିରୁ ଜିତିଥିଲେ। ତେବେ ଏହା ପରେ ସେ ଟିଏମସିକୁ ଫେରିଥିଲେ। ଯୁବ କଂଗ୍ରେସ ସହିତ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ମୁକୁଲ ରୟଙ୍କ ନାମ ମଧ୍ୟ ନାରଦା ଷ୍ଟିଙ୍ଗ ମାମଲାରେ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଥିଲା।

Related posts