
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୬ ଲେନ୍ ବିଶିଷ୍ଟ କଟକ ରିଙ୍ଗ ରୋଡ୍ ପାଇଁ ଡକାଯାଇଥିବା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।
ଏହି ବୈଠକରେ ଆଗାମୀ ୧୦ବର୍ଷ ପାଇଁ ଓଡିଶା ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ବୋଲି ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି। ଫଳରେ ଓଡିଶା ୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ୍ ଓଡିଶା ପ୍ରାୟୋଜକ ହେବ।
ସେହିପରି ଖୁବଶୀଘ୍ର ଓଡ଼ିଶା ସ୍ବତନ୍ତ୍ର ଲଘୁଖଣିଜ ନିଲାମୀ ଅଧିନିୟମରେ ସଂଶୋଧନ ପାଇଁ ଆସିବ ସ୍ବତନ୍ତ୍ର ସଂଶୋଧିତ ଅଧିନିୟମ-୨୦୨୩। ସେହିପରି ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଅଧିନିୟମରେ ଆସିବ ସଂଶୋଧନ। ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।
ଅବକାରୀ ସବଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ-୨୦୨୩ ଆସିବାକୁ ଥିବାବେଳେ ପୂର୍ବରୁ ଥିବା ନିଯୁକ୍ତି ଅଧିନିୟମ ଅକାମୀ ହେବ। ଏ ନେଇ କ୍ୟାବିନେଟରେ ଆଲୋଚନା କରାଯାଇ ମଂଜୁରୀ କରାଯାଇଛି।
ସେହିପରି ଓଡ଼ିଶା ଇଲେଟ୍ରିକ ଭେଇକଲ୍ ପଲିସି-୨୦୨୧ର ସଂଶୋଧନ ମଧ୍ୟ କରାଯିବ। ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ଓ ଓବିସି କମିଶନ ସଂଶୋଧନ ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ ମଧ୍ୟ ମୋହର ମାରିଛନ୍ତି।
ଓଡ଼ିଶା ଜଙ୍ଗଲ ସେବା କ୍ୟାଡରର ପୁନର୍ଗଠନ, ଜିପିଏଫ୍ ଅଧିନିୟମ-୧୯୩୮ର ସଂଶୋଧନ, ଅବକାରୀ ମନ୍ତ୍ରାଳୟରେ ସହାୟକ, ବରିଷ୍ଠ ସହାୟକ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ନେଇ ନୂଆ ସର୍ତ୍ତାବଳୀକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି।