Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଜରୁରୀ କ୍ୟାବିନେଟ ବୈଠକ ଡାକିଲେ ନବୀନ, ଆଚରଣ ବିଧି ପୂର୍ବରୁ ହୋଇପାରେ ବଡ ଘୋଷଣା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଜରୁରୀ କ୍ୟାବିନେଟ ବୈଠକ ଡାକିଛନ୍ତି। ଲୋକସେବା ଭବନରେ ଏହି ବୈଠକ ଦିନ 11 ଟା ବେଳେ ବସିବ। ଆଜି ଅପରାହ୍ନରେ ନିର୍ବାଚନ ତାରିଖ ଘୋଷଣା ହେବ। ଏହାପରେ ସାରା ଦେଶରେ ଲାଗୁ ହେବ ନିର୍ବାଚନ ଆଚରଣ ବିଧି। ଏହା ପୂର୍ବରୁ ନବୀନ ଏହି ବୈଠକ ଡାକିଛନ୍ତି।

ନବୀନଙ୍କ ଏହି ଶାସନ ସମୟରେ ଆଜି ହେବ ଶେଷ କ୍ୟାବିନେଟ ବୈଠକ। ଏହାପରେ ନିର୍ବାଚନ। ସେଥିପାଇଁ ସମସ୍ତେ ଆଶା କରିଛନ୍ତି ଯେ, ଆଜି ନବୀନ ନିଶ୍ଚିତ ଭାବେ ଏକ ବଡ ଘୋଷଣା କରିବେ। ତେବେ ତାହା କଣ ଏ ପର୍ଯ୍ୟନ୍ତ କୌଣସି ସୂରାକ ମିଳିପାରି ନାହିଁ। ସୁତ୍ର ଅନୁସାରେ ଆଜି ବିଭିନ୍ନ ବିଭାଗର ମୋଟ 20ଟି ପ୍ରସଂଗ ଆଲୋଚନା ପାଇଁ ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବ୍ରହ୍ମପୁରର ରିଂ ରୋଡ, ମେଟ୍ରୋ ରେଳ ପ୍ରକଳ୍ପ ସହିତ ୧୨ ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ

ଭୁବନେଶ୍ବର: ରାଜଧାନୀ ପରି ଗମନାଗମନ ସୁବିଧା ପାଇଁ ବ୍ରହ୍ମପୁରରେ ମଧ୍ୟ ହେବ ରିଂ ରୋଡ। ଆସନ୍ତା ୨୪ ମାସରେ ଏହି କାର‌୍ୟ୍ୟ ସଂପୂର୍ଣ୍ଣ କରାଯିବ। ଏଥିପାଇଁ ୧୫୬ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏ ନେଇ ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକରେ ଭିନ୍ନ ଭିନ୍ନ ୧୨ ଟି ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

ତେବେ ଅନ୍ୟ ଯେଉଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି ତାହା ହେଲା ମେଟ୍ରୋ ରେଳ ପ୍ରକଳ୍ପ। ଭୁବନେଶ୍ବରର ଏୟାର ପୋର୍ଟରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତି ଗ୍ରହଣ କରିଛନ୍ତି। ଆଜି ଏହି ପ୍ରକଳ୍ପର ପ୍ରଥମ ପର‌୍ୟ୍ୟାୟ ଡିପିଆର ପ୍ରସ୍ତୁତି ନିମନ୍ତେ କ୍ୟାବିନେଟ ମଂଜୁରୀ ମିଳିଛି।

ଏହି ପ୍ରକଳ୍ପ ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଆସନ୍ତା ଜାନୁୟାରୀ ପହିଲାରେ ଏହି ପ୍ରକଳ୍ପର ଭୂମିପୂଜନ ହେବ ବୋଲି ଆଗରୁ ଘୋଷଣା କରାଯାଇଛି। ସେହିପରି ଏହି କ୍ୟାବିନେଟ ବୈଠକରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଲାଗୁ ହୋଇଥିବା ଆମ ହସପିଟାଲ ଯୋଜନାକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି। ୫ଟି ଉପକ୍ରମରେ ଏହି ଯୋଜନା କାର‌୍ୟ୍ୟକାରୀ କରାଯାଉଛି।

ସେହିପରି ଘରେଘରେ ପାନୀୟ ଜଳ ଯୋଗାଣ, ଗଂଜାମ ଜିଲ୍ଲାର ଜଳସେଚନ ପାଇଁ ଋଷୁକୂଲ୍ୟା ନଦୀରେ ବ୍ୟାରେଜ ନିର୍ମାଣ ପରି ୧୧ ଟି ବିଭାଗର ୧୨ ପ୍ରସ୍ତାବକୁ ଆଜି କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟରେ ଗଠନ ହେବ ସ୍ବତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ, ରାଜ୍ୟ କ୍ୟାବିନେଟର ଅନୁମୋଦନ

ଭୁବନେଶ୍ବର: ଓଡିଶାର ଗଠନ ହେବ ସ୍ବତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ। ଆଜି ଏ ନେଇ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ହାସଲ କରିଛି। ପୂର୍ବରୁ ଦ୍ବିତୀୟ ଐତିହ୍ୟ କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା। ସେହି ଅନୁସାରେ ଓଡିଶାରେ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଏଥିସହିତ ଏହି ନିର୍ଦ୍ଦେଶାଳୟ ପାଇଁ ଆବଶ୍ୟକ ପଦବୀକୁ ମଧ୍ୟ କ୍ୟାବିନେଟ ମଂଜୁର କରିଛନ୍ତି। କାରଣ ଏହା ନିର୍ଦ୍ଦେଶାଳୟ ଭାବେ ଗଠନ ହେଲେ ଏଥିରେ ନିର୍ଦ୍ଦେଶକଙ୍କ ସହିତ ସହ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ, ଯୁଗ୍ନ ନିର୍ଦ୍ଦେଶକ ପରି ବହୁ ପଦବୀର ଆବଶ୍ୟକତା ରହିଛି। ଯାହାକୁ କ୍ୟାବିନେଟ ମଂଜୁର କରିଛନ୍ତି।

ବହୁ ବର୍ଷ ଧରି ଓଡିଶାରେ ସ୍ବତନ୍ତ୍ର ସଂଗ୍ରହାଳୟ ଗଠନ ପାଇଁ ଦାବୀ ହେଉ ଆସୁଥିଲା। ଦେଶରେ ପଶ୍ଚିମବଂଗ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟ ପ୍ରଦେଶ ପରି ରାଜ୍ୟରେ ସ୍ବତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶଳାୟ ରହିଛି। ସେହି ଅନୁସାରେ ଓଡିଶାରେ ଏପରି ବ୍ୟବସ୍ଥା ଲାଗୁ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି।

କ୍ୟାବିନେଟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ। ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ ଯେ, ଆଜିର କ୍ୟାବିନେଟରେ 7ଟି ବିଭାଗର ମୋଟ 16 ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି।

ସେହିପରି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଥିଲେ ଯେ, ରାଜ୍ୟରେ ସିକିମ ରେକର୍ଡ ଭୁକ୍ତ ଜମିର ଉତ୍ତରାଧିକାରୀଙ୍କ ନାମରେ କରିବା ପାଇଁ ଆଇନର ସଂଶୋଧନ କରାଯାଇଥିଲା।  ସେହିପରି ରାଜ୍ୟରେ ପ୍ରତି ବ୍ଲକରେ ବସଷ୍ଟାଣ୍ଡ ନିର୍ମାଣ ଅନୁଦାନକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଥିଲେ। ଏଥିରେ ମୋଟ 373 କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହା 2026 ରେ ଶେଷ ହେବ ବୋଲି କୁହାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେସିଂ ମାଧ୍ୟମରେ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ଏଥିରେ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଏବଂ ଅଧିକାରୀ ଲୋକସେବା ଭବନ କନଫ୍ରେସିଂ ହଲରେ ବସିଥିଲେ।

Categories
ଆଜିର ଖବର ଜାତୀୟ ଖବର

ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ଆଇଡିଏସ୍, 2017 ପାଇଁ 1164 କୋଟି ପ୍ରଦାନକୁ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ଔଦ୍ୟୋଗିକ ବିକାଶ ଯୋଜନା (ଆଇଡିଏସ୍), 2017 ପାଇଁ 1164.53 କୋଟି ଟଙ୍କା ପ୍ରଦାନକୁ ମଞ୍ଜୁରି ମିଳିଛି।

ଭାରତ ସରକାର ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ 23 ଏପ୍ରିଲ 2018 ତାରିଖ 2018 ର ଅଧିସୂଚନା ସଂଖ୍ୟା 2 (2)/2018- ଏସପିଏସ୍ ମାଧ୍ୟମରେ 2018 ରେ ଔଦ୍ୟୋଗିକ ବିକାଶ ଯୋଜନା, 2017 ର ଘୋଷଣା କରିଥିଲେ। ଏହି ଯୋଜନା ଅନ୍ତର୍ଗତ ସମୁଦାୟ ଆର୍ଥିକ ପରିବ୍ୟୟ 131.90 କୋଟି ଟଙ୍କା ଥିଲା। ଏହି ଆବଣ୍ଟିତ ପାଣ୍ଠି ଆର୍ଥିକ ବର୍ଷ 2021-22 ସମୟରେ ସାମପ୍ତ ହୋଇ ଯାଇଥିଲା। ଏହା ବ୍ୟତୀତ 2028-2029 ପ୍ରତିବଦ୍ଧ ଦାୟୀତ୍ବ ଗୁଡ଼ିକର ପୁରଣ କରିବା ପାଇଁ 1164.53 କୋଟି ଟଙ୍କାର ଅତିରିକ୍ତ ପାଣ୍ଠିର ଆବଶ୍ୟକତା ରହିଛି। ଏହା ବ୍ୟତୀତ ଆର୍ଥିକ ବ୍ୟୟର ଆବଣ୍ଟନ ପାଇଁ ଔଦ୍ୟୋଗିକ ବିକାଶ ଯୋଜନା, 2017 ଅନ୍ତର୍ଗତ କ୍ୟାବିନେଟର ସ୍ବୀକୃତି ଅନୁରୋଧ କରାଯାଇଛି।

2. କ୍ୟାବିନେଟ୍ ଆଜି ନିଜର ବୈଠକରେ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ପାଇଁ ଔଦ୍ୟୋଗିକ ବିକାଶ ଯୋଜନା, 2017 ପାଇଁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ, ଉଦ୍ୟୋଗ ବିକାଶ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗର ପ୍ରସ୍ତାବ ଉପରେ ବିଚାର କରିଛି ଓ 2028-29 ପର୍ଯ୍ୟନ୍ତ ଯୋଜନା ଅନୁସାରେ ପ୍ରତିବଦ୍ଧ ଦାୟୀତ୍ବକୁ ପୂରଣ କରିବା ପାଇଁ ଅତିରିକ୍ତ ପାଣ୍ଠିର ଆବଶ୍ୟକତାକୁ ମଞ୍ଜୁରୀ ପ୍ରଦାନ କରିଛି। ଉପରୋକ୍ତ ଯୋଜନା ଅନ୍ତର୍ଗତ ଅତିରିକ୍ତ ପାଣ୍ଠିର ସ୍ବୀକୃତି ଅନୁସାରେ ଏହି ଯୋଜନା ଅନ୍ତର୍ଗତ ନିମ୍ନଲିଖିତ ପ୍ରୋତ୍ସାହନ ଲାଭାନ୍ବିତ ହେବ।

i. ଋଣ ସୁବିଧା ପାଇଁ କେନ୍ଦ୍ରୀୟ ପୁଞ୍ଜି ନିବେଶ ପ୍ରୋତ୍ସାହନ (ସିସିଆଇଆଇଏସି):

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଯେ କୌଣସି ସ୍ଥାନରେ ମ୍ୟାନୁଫାକଚରିଂ ଏବଂ ସେବା କ୍ଷେତ୍ରରେ  ପର୍ଯ୍ୟାପ୍ତ ବିସ୍ତାର କରୁଥିବା ସମସ୍ତ ଯୋଗ୍ୟ ଓ ନୂତନ ଔଦ୍ୟୋଗିକ ୟୁନିଟ୍ ଏବଂ ପ୍ରଚଳିତ ଔଦ୍ୟୋଗିକ ୟୁନିଟକୁ 5.00 କୋଟିର ସର୍ବାଧିକ ସୀମା ସହିତ ପ୍ଲାଣ୍ଟ ଓ ମେସିନାରିରେ ନିବେଶ ପାଇଁ କ୍ରେଡିଟ୍ ପର୍ଯ୍ୟନ୍ତ ପହଞ୍ଚ (ସିସିଆଇଆଇଏସି) @ 30 ପ୍ରତିଶତ ପାଇଁ କେନ୍ଦ୍ରୀୟ ପୁଞ୍ଜି ନିବେଶ ପ୍ରୋତ୍ସାହନ ପ୍ରଦାନ କରାଯିବ।

ii. କେନ୍ଦ୍ରୀୟ ବିସ୍ତୃତ ବୀମା ପ୍ରୋତ୍ସାହନ (ସିସିଆଇଆଇ):

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଯେକୌଣସି ସ୍ଥାନରେ ସମସ୍ତ ଯୋଗ୍ୟ ନୂତନ ଔଦ୍ୟୋଗିକ ଏବଂ ପ୍ରଚଳିତ ଔଦ୍ୟୋଗିକ ୟୁନିଟ୍କୁ ବାଣିଜ୍ୟିକ ଉତ୍ପାଦନ/ ସଞ୍ଚାଳନ ଆରମ୍ଭ ହେବା ତାରିଖ ଠାରୁ ସର୍ବାଧିକ 5 ବର୍ଷର ଅବଧି ପାଇଁ ଭବନ ଓ ପ୍ଲାଣ୍ଟ ତଥା ମେସିନାରୀର ବୀମା ଉପରେ 100 ପ୍ରତିଶତ ବୀମା ପ୍ରିମିୟମର ଫେରସ୍ତ ପାଇବାକୁ ଯୋଗ୍ୟ ହେବେ ।

 iii. ଜଡିତ ଖର୍ଚ୍ଚ:

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ ଆଇଡିଏସ, 2017 ର ଆର୍ଥିକ ଖର୍ଚ୍ଚ ମାତ୍ର 131.90 କୋଟି ଟଙ୍କା ଥିଲା, ଯାହା 2021-2022 ମଧ୍ୟରେ ପ୍ରଦାନ କରାଯାଇଥିଲା। ଆହୁରି ମଧ୍ୟ, 2028-29 ପର୍ଯ୍ୟନ୍ତ ଏହି ଯୋଜନା ଅନ୍ତର୍ଗତ ପାଣ୍ଠିର ଅତିରିକ୍ତ ଆବଶ୍ୟକତା ମାଧ୍ୟମରେ ପ୍ରତିବଦ୍ଧ ଦାୟୀତ୍ବ ଗୁଡିକ ପୂରଣ କରିବାକୁ, କ୍ୟାବିନେଟ୍ ଏହି ଯୋଜନା ଅନ୍ତର୍ଗତ ଅତିରିକ୍ତ ଆର୍ଥିକ ଖର୍ଚ୍ଚକୁ 1164.53 କୋଟି ଟଙ୍କାକୁ  ମଞ୍ଜୁରୀ ପ୍ରଦାନ କରିଛନ୍ତି।

774 ପଞ୍ଜୀକୃତ ୟୁନିଟ୍ ଦ୍ବାରା ପ୍ରାୟ 48607 ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ମମତା ଦିଦିଙ୍କ କ୍ୟାବିନେଟ ବୈଠକ ଜେଲରେ ଅନୁଷ୍ଠିତ ହେବ: ଜେପି ନଡ୍ଡା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୋଲକାତାରେ ଅନୁଷ୍ଠିତ ବିଜେପିର ମୋର୍ଚ୍ଚା ସଂଯୁକ୍ତ ସମ୍ମିଳନୀରେ ମମତା ବାନାର୍ଜୀ ସରକାରଙ୍କ ଉପରେ ବିଜେପି ସଭାପତି ଜେପି ନଡ୍ଡା ଜୋରଦାର ଆକ୍ରମଣ କରିଛନ୍ତି। ଜେପି ନଡ୍ଡା କହିଛନ୍ତି ଯେ, ମମତା ଦିଦି ପଶ୍ଚିମବଙ୍ଗରେ ଦୁର୍ନୀତିର ପ୍ରମାଣ ମାଗିଛନ୍ତି। ମମତା ଦିଦି, ଆପଣଙ୍କର ପାର୍ଥୋ ଜୀ, ଶାନ୍ତନୁ ବାନାର୍ଜୀ ଏବଂ ମାଣିକ ଭଟ୍ଟାଚାର୍ଯ୍ୟ କାହିଁକି ଜେଲରେ ଅଛନ୍ତି? ଆପଣଙ୍କର ଘନିଷ୍ଠ ଅନୁବ୍ରତ ମଣ୍ଡଳ ଏବଂ ତାଙ୍କ ଝିଅ ଜେଲରେ କାହିଁକି? ଦିଦିଙ୍କ କ୍ୟାବିନେଟ ବୈଠକ ଜେଲରେ ଅନୁଷ୍ଠିତ ହେବ, ତାହା ଦେଖିବା ବେଶୀ ଦିନ ନାହିଁ।

ଶ୍ରୀ ନଡ୍ଡା କହିଛନ୍ତି ଯେ, କୋଇଲା ସ୍କାମ, ଶାରଦା ସ୍କାମ, ରୋଜ ଭ୍ୟାଲି ସ୍କାମ, ଶିକ୍ଷକ ନିଯୁକ୍ତି ସ୍କାମ, ଗୋରୁ ଚୋରା ଚାଲାଣ, ପିଏମ ହାଉସିଂ ସ୍କାମ, ମମତା ଦିଦି ସରକାରରେ ପଶ୍ଚିମବଙ୍ଗରେ ଅମ୍ଫାନ ରିଲିଫ ସ୍କାମ ହୋଇଛି ନା ନାହିଁ? ସ୍କାମର ଅର୍ଥ ହେଉଛି ଟିଏମସିର ସ୍କାମ ଏବଂ ଦିଦି ଏହାର ପ୍ରମାଣ ମାଗୁଛନ୍ତି।

ସେ କହିଛନ୍ତି ଯେ, ମମତା ଦିଦି ବିଶ୍ୱକୁ ଗଣତନ୍ତ୍ର ବିଷୟରେ ଶିକ୍ଷା ଦିଅନ୍ତି, କିନ୍ତୁ ପଶ୍ଚିମବଙ୍ଗରେ ଗଣତନ୍ତ୍ରର ହତ୍ୟାକୁ ସେ ଦେଖନ୍ତି ନାହିଁ। ବିଧାନସଭା ନିର୍ବାଚନରେ ​​ହିଂସା, ଗତ ପଞ୍ଚାୟତ ନିର୍ବାଚନ ଏବଂ ଏଥର ପଞ୍ଚାୟତ ନିର୍ବାଚନ ହେଉଛି ପ୍ରମାଣ ଯେ ପଶ୍ଚିମବଙ୍ଗରେ ଗଣତନ୍ତ୍ର ସମାପ୍ତ ହୋଇଛି ଏବଂ ଆଇନ ଶୃଙ୍ଖଳା ବିଗିଡି ଯାଇଛି।

ବିଜେପି ସଭାପତି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଅଛନ୍ତି, କିନ୍ତୁ ଏଠାରେ ମହିଳାମାନେ ଅସୁରକ୍ଷିତ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟ କ୍ୟାବିନେଟ ବୈଠକ, ହୋଇପାରେ ପୁଣି ଏକ ବଡ ଘୋଷଣା

ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମଧ୍ୟାହ୍ନରେ ଏହି ବୈଠକ ବସିବ ବୋଲି ନିଷ୍ପତି ହୋଇଛି। ତେବେ ଏହି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି। କାରଣ ବର୍ତ୍ତମାନ ନବୀନ ସରକାର ପ୍ରତିଦିନ କିଛି ନା କିଛି ନୂଆନୂଆ ଘୋଷଣା କରିବାରେ ଲାଗିଛନ୍ତି। ସେହି ଅନୁସାରେ ଆଜି ମଧ୍ୟ କିଛି ନୂଆ ଯୋଜନାର ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି କ୍ୟାବିନେଟ ବୈଠକରେ ୧୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ । ବିଭିନ୍ନ ବିଭାଗର କ୍ୟାଡର ପୁନର୍ଗଠନ ସହିତ କୃଷ, ମହିଳା ବିକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ସେହିପରି ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଜଳସଂପଦ, ସମବାୟ ବିଭାଗ ସମ୍ପର୍କିତ ଏକାଧିକ ପ୍ରସ୍ତାବରେ ନିଷ୍ପତି ନିଆଯାଇପାରେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ନବୀନ ସରକାରଙ୍କ ପଞ୍ଚମ ପାଳିର ପୁରିଲା ଚାରି ବର୍ଷ, ବସିଲା କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ନବୀନ ପଟ୍ଟନାୟକଙ୍କ ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ଶେଷ ହେଉଛି। ଏହି ଉପଲକ୍ଷେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସଭା ଭବନରେ ଆରମ୍ଭ ହୋଇଛି । ଏହି ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ।

ଏଥିରେ ବିଭିନ୍ନ ବିଭାଗର ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବ ଉପରେ କ୍ୟାବିନେଟ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି।  ତେବେ ପଞ୍ଚମ ପାଳିର ଚତୁର୍ଥ ବର୍ଷ ଶେଷ ହେଉଥିବାରୁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବ ବୋଲି ଆଶା କରାଯାଉଛି। ବିଶେଷକରି ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ ରହିଥିବା ବେଳେ ଏନେଇ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

କଟକ ରିଙ୍ଗ ରୋଡ ପାଇଁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ୧୫ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୬ ଲେନ୍ ବିଶିଷ୍ଟ କଟକ ରିଙ୍ଗ ରୋଡ୍ ପାଇଁ ଡକାଯାଇଥିବା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ଏହି ବୈଠକରେ ଆଗାମୀ ୧୦ବର୍ଷ ପାଇଁ  ଓଡିଶା ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ବୋଲି ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି। ଫଳରେ ଓଡିଶା ୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ୍ ଓଡିଶା ପ୍ରାୟୋଜକ ହେବ।

ସେହିପରି ଖୁବଶୀଘ୍ର ଓଡ଼ିଶା ସ୍ବତନ୍ତ୍ର ଲଘୁଖଣିଜ ନିଲାମୀ ଅଧିନିୟମରେ ସଂଶୋଧନ ପାଇଁ ଆସିବ ସ୍ବତନ୍ତ୍ର ସଂଶୋଧିତ ଅଧିନିୟମ-୨୦୨୩। ସେହିପରି ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଅଧିନିୟମରେ ଆସିବ ସଂଶୋଧନ। ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଅବକାରୀ ସବଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ-୨୦୨୩ ଆସିବାକୁ ଥିବାବେଳେ ପୂର୍ବରୁ ଥିବା ନିଯୁକ୍ତି ଅଧିନିୟମ ଅକାମୀ ହେବ। ଏ ନେଇ କ୍ୟାବିନେଟରେ ଆଲୋଚନା କରାଯାଇ ମଂଜୁରୀ କରାଯାଇଛି।

ସେହିପରି ଓଡ଼ିଶା ଇଲେଟ୍ରିକ ଭେଇକଲ୍ ପଲିସି-୨୦୨୧ର ସଂଶୋଧନ ମଧ୍ୟ କରାଯିବ। ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ଓ ଓବିସି କମିଶନ ସଂଶୋଧନ ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ ମଧ୍ୟ ମୋହର ମାରିଛନ୍ତି।

ଓଡ଼ିଶା ଜଙ୍ଗଲ ସେବା କ୍ୟାଡରର ପୁନର୍ଗଠନ, ଜିପିଏଫ୍ ଅଧିନିୟମ-୧୯୩୮ର ସଂଶୋଧନ, ଅବକାରୀ ମନ୍ତ୍ରାଳୟରେ ସହାୟକ, ବରିଷ୍ଠ ସହାୟକ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ନେଇ ନୂଆ ସର୍ତ୍ତାବଳୀକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି।

Categories
ଆଜିର ଖବର ଜାତୀୟ ଖବର

ଛତିଶଗଡ କ୍ୟାବିନେଟରେ ବଡ ନିଷ୍ପତ୍ତି: ଏଣିକି ଶିକ୍ଷିତ ଯୁବକମାନେ ପାଇବେ ବେକାରୀ ଭତ୍ତା

ନୂଆଦିଲ୍ଲୀ: ଛତିଶଗଡର ଶିକ୍ଷିତ ବେକାରଙ୍କ ପାଇଁ ଏକ ବଡ଼ ଖବର ଅଛି। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଶିକ୍ଷିତ ଯୁବକଙ୍କୁ ବେକାରୀ ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ କ୍ୟାବିନେଟ ବୈଠକରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥିରେ ତୃତୀୟ ସପ୍ଲିମେଣ୍ଟାରୀ ବଜେଟ୍ ମଧ୍ୟ ଅନୁମୋଦନ କରାଯାଇଛି। ବାସ୍ତବରେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

ଏହି ବୈଠକରେ ବେକାର ଯୁବକଙ୍କୁ ବେରୋଜଗାର ଭତ୍ତା ପ୍ରଦାନ ନିଷ୍ପତ୍ତି ଛତିଶଗଡ ସରକାର ଅନୁମୋଦନ କରିଛନ୍ତି। ତେବେ କେତେ ବେକାର ଏବଂ କେଉଁ ମାନଦଣ୍ଡରେ କେତେ ଟଙ୍କା ଦିଆଯିବ ସେନେଇ ଏହି ସୂଚନା ଦିଆଯାଇ ନାହିଁ। କୁହାଯାଉଛି ଯେ କ୍ୟାବିନେଟ ବୈଠକରେ ପ୍ରସ୍ତାବ ଅନୁମୋଦନ ହେବା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ବଜେଟ୍ ଅଧିବେଶନରେ ବ୍ୟବସ୍ଥା କରିପାରନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ଜାଣନ୍ତୁ କାରଣ

ଭୁବନେଶ୍ବର: ଆସନ୍ତା ସୋମବାର ଦିନ ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭବନରେ ଅପରାହ୍ନରେ ବସିବ ବୋଲି ନିଷ୍ପତି ହୋଇଛି।

ଏହି ବୈଠକରେ ପ୍ରଥମେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏଥିରେ ପ୍ରାୟ ଦଶଟି ପ୍ରସ୍ତାବ ଉପରେ ମୋହର ବାଜିବ। ସେହିପରି ଏହି ବୈଠକରେ ରାଜ୍ୟ ବଜେଟକୁ ଅନୁମୋଦନ ପ୍ରଦାନ କରାଯିବ। ଏହାପରେ ମନ୍ତ୍ରୀ ପରିଷଦ ବୈଠକରେ ମଧ୍ୟ ବଜେଟକୁ ଅନୁମୋଦନବ କରାଯିବ।

ଚଳିତ ମାସ ୨୧ ତାରିଖରୁ ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ହେବ। ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ।ଏହି ଅଧିବଶନ ୨ ଟି ପର୍ଯ୍ୟାୟରେ ହେବ।

ପ୍ରଥମ ପର୍ଯ୍ୟାୟର ବଜେଟ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ବିଶେଷ ଖବର ରାଜ୍ୟ ଖବର

ସୋମବାରରେ ବସିବ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ଆସନ୍ତା ସୋମବାର ଦିନ ବସିବ ରାଜ୍ୟ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଲୋକସେବା ଭବନରେ ଅପରାହ୍ନରେ ବସିବ ବୋଲି ନିଷ୍ପତି ହୋଇଛି।

ଏହି ବୈଠକରେ ପ୍ରଥମେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଏଥିରେ ପ୍ରାୟ ଦଶଟି ପ୍ରସ୍ତାବ ଉପରେ ମୋହର ବାଜିବ। ସେହିପରି ଏହି ବୈଠକରେ ରାଜ୍ୟ ବଜେଟକୁ ଅନୁମୋଦନ ପ୍ରଦାନ କରାଯିବ। ଏହାପରେ ମନ୍ତ୍ରୀ ପରିଷଦ ବୈଠକରେ ମଧ୍ୟ ବଜେଟକୁ ଅନୁମୋଦନବ କରାଯିବ।

ଚଳିତ ମାସ ୨୧ ତାରିଖରୁ ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ହେବ। ଫେବୃଆରୀ ୨୪ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ।ଏହି ଅଧିବଶନ ୨ ଟି ପର୍ଯ୍ୟାୟରେ ହେବ।

ପ୍ରଥମ ପର୍ଯ୍ୟାୟର ବଜେଟ ଅଧିବେଶନ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ବିଶେଷ ଖବର

ଗରିବଙ୍କୁ ଆଉ ବର୍ଷେ ମାଗଣା ରାସନ, ୮୧ କୋଟି ଲୋକ ହେବେ ଉପକୃତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କରେ ମଧ୍ୟ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଅନୁଯାୟୀ, ଗୋଟିଏ ବର୍ଷ ଅର୍ଥାତ୍ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ୮୧.୩ କୋଟି ଗରିବ ଲୋକଙ୍କୁ ମାଗଣା ରାସନ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର ଏକ ବର୍ଷ ପାଇଁ ୮୧.୩ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଗରିବ ଲୋକଙ୍କୁ ମାଗଣା ରାସନ ଦେବା ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ, କେନ୍ଦ୍ର ସରକାର ଏହାର ଭାର ବହନ କରିବେ।

କେନ୍ଦ୍ର ଖାଦ୍ୟ ଏବଂ ସାର୍ବଜଜନୀନ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ସରକାର କିଲୋଗ୍ରାମ ପିଛା ୩ ଟଙ୍କା ଚାଉଳ, ଗହମ କିଲୋଗ୍ରାମ ୨ ଟଙ୍କା ଏବଂ ମୋଟା ଶସ୍ୟ କିଲୋଗ୍ରାମ ପ୍ରତି ୧ ଟଙ୍କା ହାରରେ ପ୍ରଦାନ କରୁଛନ୍ତି। ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୧.୩୫ କୋଟି ଲୋକ ଉପକୃତ ହେବେ।

ନିକଟରେ ସୁପ୍ରିମକୋର୍ଟ କହିଥିଲେ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଖାଦ୍ୟ ଶସ୍ୟ ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ଵ ଅଟେ। ଆମେ କହୁ ନାହୁଁ ଯେ କେନ୍ଦ୍ର କିଛି କରୁନାହିଁ। କୋଭିଡ ସମୟରେ କେନ୍ଦ୍ର ସରକାର ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଦେଇଛନ୍ତି। ଏବଂ ଏହା ଜାରି ରହୁ। ଖାଲି ପେଟରେ କେହି ଶୋଇବେ ନାହିଁ। ମଙ୍ଗଳବାର ଦିନ କୋଭିଡ ଏବଂ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଉତ୍ତରାଖଣ୍ଡରେ କଠୋର ହେଲା ଧର୍ମାନ୍ତରଣ ଆଇନ, ୧୦ ବର୍ଷ ଦଣ୍ଡର ବ୍ୟବସ୍ଥା, ‘ଲଭ ଜିହାଦ୍’ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ବୈଠକରେ ବାଧ୍ୟତାମୂଳକ ଧର୍ମାନ୍ତରଣକୁ ରୋକିବା ପାଇଁ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ବୈଠକରେ ଧର୍ମାନ୍ତରଣ ଆଇନରେ କଡା ସଂଶୋଧନ କରାଯାଇଛି, ଯାହା ଅଧୀନରେ ବର୍ତ୍ତମାନଠାରୁ ବାଧ୍ୟତାମୂଳକ ଧର୍ମାନ୍ତରଣ ଏକ ଜଣାଶୁଣା ଅପରାଧ ହେବ। ଏହା ଅନୁଯାୟୀ ଦଣ୍ଡବିଧାନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ନୂତନ ନିୟମରେ ଜବରଦସ୍ତ ଧର୍ମାନ୍ତରଣ ପାଇଁ ୧୦ ବର୍ଷର ଦଣ୍ଡର ବ୍ୟବସ୍ଥା ରହିଛି। ଏହି ପରିପ୍ରେକ୍ଷୀରେ ଧର୍ମାନ୍ତରଣ ଏବଂ ‘ଲଭ ଜିହାଦ୍’ ଉପରେ ପ୍ରତିବନ୍ଧକ ଲଗାଯିବ।

ବାଧ୍ୟତାମୂଳକ ଧର୍ମାନ୍ତରଣ ବିରୁଦ୍ଧରେ କଠୋର ନିୟମ:

ଆଜି ଅନୁଷ୍ଠିତ ଉତ୍ତରାଖଣ୍ଡ ସରକାରଙ୍କ କ୍ୟାବିନେଟ ବୈଠକରେ ୨୯ ଟି ପ୍ରସ୍ତାବ ଅଣାଯାଇଛି। ଯାହା ଅଧୀନରେ ଉତ୍ତରପ୍ରଦେଶ ତୁଳନାରେ ବର୍ତ୍ତମାନ ଉତ୍ତରାଖଣ୍ଡରେ ଧର୍ମାନ୍ତରଣ ଆଇନ ଅଧିକ କଠୋର ହୋଇଛି। ବାଧ୍ୟତାମୂଳକ ଧର୍ମାନ୍ତରଣ ରାଜ୍ୟରେ ଏକ ଜଣାଶୁଣା ଅପରାଧ ହୋଇଛି। ଯେଉଁଥିରେ ସର୍ବାଧିକ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ହେବ। ଏହାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଖୁବ୍ ଶୀଘ୍ର ଏହି ବିଲ୍ ବିଧାନସଭାରେ ଅଣାଯିବ।

ଏହା ବ୍ୟତୀତ ନୈନିତାଲ ହାଇକୋର୍ଟଙ୍କୁ ହଲଦ୍ଵାନି ସ୍ଥାନାନ୍ତର କରାଯିବ ବୋଲି କ୍ୟାବିନେଟ ମଧ୍ୟ ନିଶ୍ଚିତ କରିଛି। ଦୀର୍ଘ ସମୟ ଧରି ଏହାର ଦାବି ଥିଲା। ଏହା ବ୍ୟତୀତ ଧାମି କ୍ୟାବିନେଟରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଅନୁମୋଦନ କରାଯାଇଛି।

ଏହା ଉପରେ ଲାଗିଲା ମୋହର:

– ଅପଣୀ ସରକାର ପୋର୍ଟାଲ ପାଇଁ ନିଯୁକ୍ତି ପ୍ରସ୍ତାବର ଅନୁମୋଦନ।

– ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ THDC ଏବଂ UGVNL ମଧ୍ୟରେ ଯନ୍ତ୍ରପାତି ତିଆରି ହେବ।

– ରାଜ୍ୟରେ ୪ଜି ମୋବାଇଲ୍ ସଂଯୋଗ ବୃଦ୍ଧି କରିବାକୁ ମୋବାଇଲ୍ ଟାୱାର ପାଇଁ ୨୦୦୦ ଗଜ ଜମି ମାଗଣାରେ ଦିଆଯିବ।

– ନଜୁଲ ଭୁମି ବିଧାୟକ ୨୦୨୧ ପ୍ରତ୍ୟାହାର କରାଗଲା, ସଂଶୋଧିତ ବିଲ୍ ଗୃହରେ ଅଣାଯିବ।

– ଅଗ୍ନି ନିର୍ବାପକ ନିୟମାବଳୀକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି।

– ଉତ୍ତରାଖଣ୍ଡ ଦୋକାନ ଏବଂ ସ୍ଥାପନା ବିଲ୍-୨୦୨୨ କୁ ଅନୁମୋଦନ କରାଯାଇଛି।

– ଲିଟରିଂ ଆକ୍ଟ ଲାଗୁ କରାଯାଇଛି।

– RWD ର ପରିମାଣ ୧୫କୋଟିରୁ ଅସୀମିତକୁ ବୃଦ୍ଧି କରାଯାଇଛି।

– ଅତିରିକ୍ତ ସବ୍ ଇନ୍ସପେକ୍ଟର ପଦବୀକୁ ୪୨୦୦ ଗ୍ରେଡ୍ ଦରମା ସହିତ ଅନୁମୋଦନ କରାଯାଇଛି।

– କେଦାରନାଥ ଧାମରେ ​​ଓମ ପ୍ରତିମା ପ୍ରତିଷ୍ଠା ହେବ।

ଏହା ବ୍ୟତୀତ ଶ୍ରୀନଗର ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ପୌରପାଳିକା ବିବାଦକୁ ନେଇ ଏକ ଉପ-କମିଟି ଗଠନ କରାଯାଇଛି। ନଗର ଉନ୍ନୟନ ମନ୍ତ୍ରୀ ପ୍ରେମଚାନ୍ଦ ଅଗ୍ରୱାଲ ଏହି କମିଟିର ସଭାପତି, କ୍ୟାବିନେଟ ମନ୍ତ୍ରୀ ଧନ ସିଂ ରାୱତ ଏବଂ ଚନ୍ଦନ ରାମଦାସ ଏହି କମିଟିରେ ସଦସ୍ୟ ଭାବରେ ଯୋଗଦେବେ। ଜମ୍ରାନି ଡ୍ୟାମ ପ୍ରକଳ୍ପରେ ପୁନର୍ବାସ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ଅଧୀନରେ ୧୩୨୩ ପରିବାରକୁ ପୁନଃ ଥଇଥାନ କରିବାକୁ ପଡିବ।

Categories
ବିଶେଷ ଖବର ବ୍ୟବସାୟ

ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ମାଗଣା ରାସନ ଯୋଜନାର ସମ୍ପ୍ରସାରଣ, ଜାଣନ୍ତୁ କେତେ ଲୋକ ହେବେ ଉପକୃତ

ନୂଆଦିଲ୍ଲୀ: ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ଯୋଜନା ଯଥା ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଆସନ୍ତା ତିନିମାସ ପାଇଁ ବୃଦ୍ଧି କରାଯାଇଛି। ଏହି ଯୋଜନା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେଉଥିଲା। ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ମାଗଣା ଖାଦ୍ୟ ଶସ୍ୟ ଯୋଜନା ଆସନ୍ତା ତିନିମାସ ଅର୍ଥାତ୍ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଉ।

ସୂଚନା ଅନୁଯାୟୀ, କୋଭିଡ ଅବଧି ସମୟରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଦିଆଯାଏ। ଏହି ଯୋଜନା ଚଳାଇବାକୁ ସରକାରଙ୍କୁ ପ୍ରତିବର୍ଷ ୧ ଲକ୍ଷ ୪୭ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ ବହନ କରିବାକୁ ପଡିବ। ମାଗଣା ଶସ୍ୟ ଯୋଜନା ଅଧୀନରେ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଦିଆଯାଏ। ଏହାପୂର୍ବରୁ ଖାଦ୍ୟ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖିଥିଲା, ​​ଯେଉଁଥିରେ ଏହି ଯୋଜନାକୁ ୩ ମାସ ବୃଦ୍ଧି ପାଇଁ କୁହାଯାଇଥିଲା।

କରୋନା ମହାମାରୀ ସମୟରେ ମୋଦୀ ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ, ଯେଉଁଥିରେ କୋଟି କୋଟି ଲୋକ ଉପକୃତ ହୋଇଥିଲେ। ଏହି ଯୋଜନା କିଛି ମାସ ପାଇଁ କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ ଗତ କିଛି ମାସ ଧରି ଏହା କ୍ରମାଗତ ଭାବରେ ବିସ୍ତାର କରାଯାଇଥିଲା। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ଏବଂ ଏକ କିଲୋଗ୍ରାମ ଚଣା ମାଗଣାରେ ଦିଆଯାଏ। ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ପୂର୍ବରୁ ପ୍ରଦାନ କରାଯାଇଥିବା ସବସିଡିଯୁକ୍ତ ରାସନ ସହିତ ଏହା ଅତିରିକ୍ତ ଅଟେ।

କେନ୍ଦ୍ର ସରକାରଙ୍କ ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ସହିତ ଖାଦ୍ୟ ଶସ୍ୟର ଷ୍ଟକ୍ ରେ କୌଣସି ଅଭାବ ନାହିଁ। ଅଗଷ୍ଟ ୧ ତାରିଖ ସୁଦ୍ଧା ସରକାର କେନ୍ଦ୍ର ପାଖରେ ୨୮ ନିୟୁତ ଟନ୍ ଚାଉଳ ଏବଂ ୨୬.୭ ନିୟୁତ ଟନ୍ ଗହମ ଥିଲା। ଏଭଳି ପରିସ୍ଥିତିରେ ସେପ୍ଟେମ୍ବର ପରେ ମଧ୍ୟ ଗରୀବଙ୍କ ପାଇଁ ଏହି ଖାଦ୍ୟ ଯୋଜନା ବଢାଇ ପାରିବେ ବୋଲି ଆଶା କରାଯାଉଥିଲା। ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଯୋଜନା ମାର୍ଚ୍ଚରେ ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ୬ ମାସ ପାଇଁ ବୃଦ୍ଧି କରାଯାଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍-୨୦୨୨ ଆୟୋଜନ ଲାଗି ଏଫଆଇଏଫଏ ସହ ଗ୍ୟାରେଣ୍ଟି ସ୍ୱାକ୍ଷର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେ ଭାରତରେ ୧୭ବର୍ଷରୁ କମ୍ ମହିଳା ବିଶ୍ୱ କପ୍ ଫୁଟବଲ ୨୦୨୨ ପ୍ରତିଯୋଗିତା ଆୟୋଜନ ନିମନ୍ତେ ଆନ୍ତର୍ଜାତିକ ଫୁଟବଲ ମହାସଂଘ (ଏଫଆଇଏଫଏ) ସହ ପ୍ରତିଶ୍ରୁତିନାମା (ଗ୍ୟାରେଣ୍ଟିପତ୍ର) ସ୍ୱାକ୍ଷର କରିବାକୁ ଅନୁମୋଦନ କରାଯାଇଛି।

ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍-୨୦୨୨ ଭାରତରେ ଅକ୍ଟୋବର ୧୧ରୁ ୩୦ ତାରିଖ ମଧ୍ୟରେ ଆୟୋଜିତ ହେବ। ଦ୍ୱିବାର୍ଷିକ ଯୁବ ଟୁର୍ଣ୍ଣାମେଣ୍ଟର ସପ୍ତମ ସଂସ୍କରଣ ଫିଫା ମହିଳା ଫୁଟବଲ ପ୍ରତିଯୋଗିତା ପ୍ରଥମ ଥର ନିମନ୍ତେ ଭାରତରେ ଆୟୋଜିତ ହେବ। ଫିଫା ୧୭ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍-୨୦୧୭ର ସକାରତ୍ମକ ଅଭିକ୍ଷତାକୁ ପାଥେୟ କରି ଦେଶ ୧୭ବର୍ଷରୁ କମ୍ ମହିଳା ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତ ହେଉଛି। ଏହି ଆକର୍ଷଣୀୟ ଟ୍ରଫିକୁ ହାତେଇବା ପାଇଁ ବିଶ୍ୱର ଯୁବା ମହିଳା ଫୁଟବଲ ଖେଳାଳୀମାନେ ସମସ୍ତ ପ୍ରୟାସ କରିବେ।

ଆର୍ଥିକ ବ୍ୟୟ

ସର୍ବଭାରତୀୟ ଫୁଟବଲ ମହାସଂଘକୁ ଏଥିପାଇଁ ଦଶକୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ଖେଳପଡିଆ ରକ୍ଷଣାବେକ୍ଷଣ, ଷ୍ଟାଡିୟମ ସୁବିଧା ଓ ତାଲିମ କ୍ଷେତ୍ର ଇତ୍ୟାଦି ବାବଦକୁ ଖର୍ଚ୍ଚ ହେବ।

ଯୋଜନାର ଲକ୍ଷ୍ୟ-

ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଭାରତ-୨୦୨୨ ଦେଶରେ ମହିଳା ଫୁଟବଲକୁ ଶକ୍ତିଶାଳୀ କରିବାର ସାମର୍ଥ୍ୟ ରଖିଛି।

ଫିଫା ୧୭ବର୍ଷରୁ କମ୍ ଫୁଟବଲ ବିଶ୍ୱ କପ୍ -୨୦୧୭ରୁ ମିଳିଥିବା ସରକାରତ୍ମକ ଅଭିଜ୍ଞତାକୁ ଉପଜିବ୍ୟ କରି ବିଶ୍ୱ ବ୍ୟାପୀ ମହିଳା ଯୁବା ଖେଳାଳିଗଣ ଏହି ଆକର୍ଷଣୀୟ ଟ୍ରଫି ହାସଲ ନିମନ୍ତେ ସବୁ ମତେ ପ୍ରୟାସ କରିବେ। ଏହା ଭବିଷ୍ୟତ ନିମନ୍ତେ ଏକ ସକାରାତ୍ମକ ଅଭିଜ୍ଞତା ପତ୍ର ଜାହିର କରିବ।

ଏହା ଦ୍ୱାରା ଫୁଟବଲ ନେତୃତ୍ୱ ଓ ନିଷ୍ପତ୍ତି ଦିଗରେ ମହିଳାଙ୍କ ପ୍ରତିନିଧିତ୍ୱ ଅଧିକ ହେବ ।

ଯୁବ ପ୍ରତିଭାର ଉଭୟ ଶ୍ରେଣୀରେ ଅଂଶଗ୍ରହଣ ଲିଙ୍ଗଗତ ଅନ୍ତୁର୍ଭୁକ୍ତୀକରଣ ଦିଗରେ ପ୍ରୋତ୍ସାହନ ଦେବ ।

ଭାରତର ମହିଳା ଫୁଟବଲ ଖେଳ ମାନବୃଦ୍ଧି ପାଇଁ ଏକ ସୁଯୋଗ ।

ମହିଳା କ୍ରୀଡାରେ ବାଣିଜ୍ୟିକ ମୂଲ୍ୟବୋଧ ଉନ୍ନତି ।

ଯଥାର୍ଥତା

ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଏକ ସମ୍ମାଜନକ ଘଟଣା ଏହା ଭାରତରେ ପ୍ରଥମ ଥର ନିମନ୍ତେ ଅନୁଷ୍ଠିତ ହେବ। ଏହା ଅଧିକରୁ ଅଧିକ ଯୁବାଗୋଷ୍ଠୀଙ୍କୁ କ୍ରୀଡାରେ ଅଂଶଗ୍ରହଣ କରିବା ସହ ଫୁଟବଲକୁ ଲୋକପ୍ରିୟ ଭାରତରେ କରାଇବାରେ ସହାୟକ ହେବ। ଏହା କେବଳ ଫୁଟବଲକୁ ଦେଶରେ ଏକ କ୍ରୀଡାଭାବେ ପ୍ରତିଷ୍ଠିତ କରିବ ନାହିଁ, ବରଂ ଦେଶରେ ବାଳିକା ଓ ମହିଳାମାନଙ୍କୁ ଫୁଟବଲ ଓ ଅନ୍ୟାନ୍ୟ କ୍ରୀଡା ପ୍ରତି ଉତ୍ସାହିତ କରିବ।

ପୃଷ୍ଠଭୂମି

ଫିଫା: ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଚାମ୍ପିୟନସିପ୍ ୧୭ବର୍ଷ ବା ତା’ଠାରୁ କମ୍ ମହିଳାମାନଙ୍କ ନିମନ୍ତେ ଫିଫା ପକ୍ଷରୁ ଆୟୋଜିତ ହୋଇଆସୁଛି। ଏହି ପ୍ରତିଯୋଗିତାରେ ୨୦୦୮ ମସିହାରେ ଆରମ୍ଭ ହୋଇଥିବା ବେଳେ ପ୍ରାୟ ଯୁଗ୍ମ ବର୍ଷରେ ପାରମ୍ପରିକ ଭାବେ ଅନୁଷ୍ଠିତ ହୋଇଥାଏ। ୨୦୧୮ ମସିହା ନଭେମ୍ବର ୧୩ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ଉରୁଗୁଏରେ ଆୟୋଜିତ ହୋଇଥିଲା। ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍ର ବର୍ତ୍ତମାନ ଚାମ୍ପିୟନ ଆଖ୍ୟା ସ୍ପେନ ବଜାୟ ରଖିଛି। ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ୱକପ୍ର ସପ୍ତମ ସଂସ୍କରଣ ୨୦୨୨ରେ ଭାରତରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ, ଏଥିରେ ଭାରତ ସମେତ ୧୫ଟି ଦେଶ ଅଂଶଗ୍ରହଣ କରିବେ। ଭୁବନେଶ୍ୱର, ନବି ମୁମ୍ବାଇ ଓ ଗୋଆରେ ଅଖିଳ ଭାରତ ଫୁଟବଲ ମହାସଂଘ ଏହାର ଆୟୋଜନ କରିବାକୁ ସ୍ଥିର କରିଛି। ଫିଫା ୧୭ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍ ୨୦୧୭ ଭାରତ ସଫଳତାର ସହ ଛଅଟି ସ୍ଥାନ ଯଥା ନୂଆଦିଲ୍ଳୀ, ଗୌହାଟୀ, ମୁମ୍ବାଇ, ଗୋଆ, କୋଚି ଓ କୋଲକାତାରେ ୨୦୧୭ ଅକ୍ଟୋବର ୬ରୁ ୮ତାରିଖ ମଧ୍ୟରେ ଆୟୋଜନ କରିଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିବ ଜମି, ଖୋର୍ଦ୍ଧା ବରୁଣେଇରେ ଦିଆଯିବ ୯.୬୮ ଏକର ଜମି

ଭୁବନେଶ୍ବର: ଶେଷରେ ଖୋର୍ଦ୍ଧାରେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା ବରୁଣେଇରେ ୯.୬୮ ଏକର ଜମି ଦିଆଯିବ । ଏଥିପାଇଁ ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ କରାଯାଇଛି। ଆଜି ରାଜ୍ୟ କ୍ୟାବିନେଟର ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ପୂର୍ବରୁ ଏହି ଜମି ଯୋଗାଇ ଦିଆଯାଉ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଅଭିଯୋଗ କରାଯାଉଥିଲା। ରାଜ୍ୟ ସରକାର ପାଇକ ସ୍ମାରକୀ ପାଇଁ ଜମି ଯୋଗାଇ ଦେବେ ବୋଲି ଘୋଷଣା ମଧ୍ୟ କରିଥିଲେ। ହେଲେ ତାହା ବିଭିନ୍ନ କାରଣରୁ କାର୍ଯ୍ୟକାରୀ କରାଯାଇପାରୁ ନ ଥିଲା। ବର୍ତ୍ତମାନ ଏହି ଜମିକୁ ରାଜ୍ୟ ସରକାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ହସ୍ତାନ୍ତର କରିବେ।

ଆଜି ରାଜ୍ୟ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ଗୃହକୁ ଅବଗତ କରାଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପାଇକ ସ୍ମାରକୀ ଜମି ଆବଣ୍ଟନ ସହିତ ରାୟଗଡା କାଶୀପୁରରେ ବୃହତ ପାନୀୟ ଜଳ ପ୍ରକଳ୍ପ ହେବ ବୋଲି ନିଷ୍ପତି ହୋଇଛି । କାରଣ ସେଠାରେ ଯେପରି ଝାଡାବାନ୍ତି ରୋଗ ବ୍ୟାପିବାରେ ଲାଗିଛି ଏହି ପ୍ରକଳ୍ପର ଅବଶ୍ୟକତାକୁ ଉପଲବ୍ଧ କରି କ୍ୟାବିନେଟ ଏହି ନିଷ୍ପତି ଗ୍ରହଣ କରିଛନ୍ତି।

ରାୟଗଡା ଜିଲ୍ଲାରେ ୩ଟି ଗ୍ରାମ୍ୟ ପାନୀୟ ଜଳ ଯୋଗଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଉକ୍ତ ପ୍ରକଳ୍ପ ଦ୍ୱାରା ରାୟଗଡାର ୨ଟି ବ୍ଲକ ଅଧୀନରେ ଥିବା ୧୫ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୨୯ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୫ ହଜାର ୪୦୪ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ।

ସେହିପରି ଶ୍ରଦ୍ଧାଳଙ୍କ ପାଇଁ ପୁରୀ ବାସେଳୀସାହି ଧର୍ମଶାଳା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ୧୩୫ କୋଟି ୬୦ ଲକ୍ଷ ଟଙ୍କାକୁ କ୍ୟାବିନେଟ ସ୍ବୀକୃତି ଦେଇଛନ୍ତି । ଏଥିରେ ଅବଢା ପରିଯୋଜନାରେ ଭକ୍ତଙ୍କ ପାଇଁ କମ ମୂଲ୍ୟର ରହଣି ସୁବିଧା କରାଯିବ। ବିଶେଷ ଭାବରେ ବରିଷ୍ଠ ନାଗରିକ ଏହା ଦ୍ବାରା ବେଶ୍ ଉପକୃତ ହୋଇପାରିବେ। ଏହି ପ୍ରକଳ୍ପ ଦୁଇ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ନିଷ୍ପତି ହୋଇଛି।

ସେହିପରି ନୂତନ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ନିତି 2022 କୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ନିର୍ମାଣ ହେବ ୧୨ଶହ ଚେକ ଡ୍ୟାମ, ଖର୍ଚ୍ଚ ହେବ ୧୧୧ କୋଟି ଟଙ୍କା, ୩୨ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୩୨ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେଥିରେ ରହିଛି ଆସନ୍ତା ୩ବର୍ଷରେ ନିର୍ମାଣ ହେବ ୧୨୮୦ ଚେକ ଡ୍ୟାମ। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ୧୧୧କୋଟି ଟଙ୍କାକୁ ଆଜି କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ସେହିପରି ଏହି ବୈଠକରେ ଜଳ ସେଚନ ସହ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଯୋଜନା ମଧ୍ୟ କରାଯାଇଛି ।

ଏହି ବୈଠକରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୨ନୂଆ ଗାଁର ୫,୫୫୦ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏଥିପାଇଁ ବ୍ୟ ଅଟକଳ ରଖାଯାଇଛି ୧୮୫କୋଟି ଟଙ୍କା।

କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ରାଜ୍ୟ ସରକାର ୨୦୨୪ ସୁଦ୍ଧା ପ୍ରତ୍ୟେକ ଗାଁରେ ସବୁ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି।  ସେଥିପାଇଁ କ୍ୟାବିନେଟ ମୟୂରଭଂଜ ଜିଲ୍ଲାରେ ମେଗା ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି। ଖୁଣ୍ଟା, ବଡ଼ସାହି, ଉଦଳା ଓ ଗୋପବନ୍ଧୁ ନଗର ବ୍ଲକର ୬୨ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୮୪ଟି ଗାଁରେ ପାନୀୟ ଜଳ ଯୋଗାଇ ଦିଆଯିବ। ୩୭୭ କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ୩ ଲକ୍ଷ ୨୩ ହଜାରରୁ ଅଧିକ ଲୋକ ଉପକୃତ ହେବେ। ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ବାରଙ୍ଗ ଅଞ୍ଚଳରେ ଟାଟା ପାୱାର ଅଧିକୃତ ଜମି ଇଡକୋକୁ ଫେରିଆସିବ ବୋଲି ନିଷ୍ପତି ହୋଇଛି। ୨୪ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ମିଳିବ ସରକାରୀ ଅନୁଦାନ। ଏହାଦ୍ବାରା ୪୭ଜଣ ଶିକ୍ଷକ ଉପକୃତ ହେବେ। ଏଥିପାଇଁ ବର୍ଷକୁ ୬୮ଲକ୍ଷ ଖର୍ଚ୍ଚ ହେବ। ଜଳ ସମ୍ପଦ ବିଭାଗର ବିଭିନ୍ନ ପ୍ରସ୍ତାବ କ୍ୟାବିନେଟର ମୋହର ବାଜିଛି। ସେଥିରେ ରାଜ୍ୟରେ ୧ଲକ୍ଷ ନୂଆ ବୋରଓ୍ୱେଲ ଖନନ କରାଯିବ ବୋଲି ନିଷ୍ପତି ହୋଇଛି। ଆସନ୍ତା ୫ବର୍ଷରେ ୧ଲକ୍ଷ କ୍ଲଷ୍ଟର ବୋରଓ୍ୱେଲ ଯୋଜନା। ଖର୍ଚ୍ଚ ହେବ ୪ହଜାର ୧୯୮କୋଟି ଟଙ୍କା। ଏଥିରେ ୫ଲକ୍ଷ ହେକ୍ଟର ଜମି ହେବ ଜଳସେଚିତ ହେବ ବୋଲି କୁହାଯାଇଛି।

Categories
ଆଜିର ଖବର

ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳଗୁଡିକରେ ୪ଜି ମୋବାଇଲ ସେବାକୁ ଉନ୍ନୀତ କରିବାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସାର୍ବଜନୀନ ସେବା ଦାୟିତ୍ୱ ପାଣ୍ଠି (ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ ବା ୟୁଏସ୍ଓଏଫ୍) ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ତଦନୁସାରେ ଦେଶରେ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳଗୁଡିକରେ ଥିବା ୨ଜି ମୋବାଇଲ ସେବାକୁ ୪ଜିକୁ ଉନ୍ନୀତ କରାଯିବ। ବିଶେଷତଃ ଏସବୁ ଅଞ୍ଚଳର ନିରାପତ୍ତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ୨ଜି ମୋବାଇଲ ସାଇଟ୍ଗୁଡିକୁ ୪ଜିରେ ପରିଣତ କରାଯିବ।

ପ୍ରଥମ ପର୍ଯ୍ୟାୟରେ ଏସବୁ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ୨୩୪,୩ ଟି ୨ଜି ମୋବାଇଲ ସାଇଟକୁ ୪ଜିରେ ପରିଣତ କରାଯିବ ଏବଂ ଏଥିପାଇଁ ଆନୁମାନିକ ୧୮୮୪.୫୯ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଖର୍ଚ୍ଚ ମଧ୍ୟରେ ଟିକସ ଓ ଉପକର ଅନ୍ତର୍ଭୁକ୍ତ ନୁହେଁ । ଯେଉଁ ମୋବାଇଲ ସାଇଟଗୁଡିକ ୨ଜିରୁ ୪ଜିକୁ ଉନ୍ନୀତ ହେବ ତାହାର ରକ୍ଷଣାବେକ୍ଷଣ ଓ ପରିଚାଳନା ସମ୍ପୃକ୍ତ ସଂସ୍ଥାକୁ ପାଂଚବର୍ଷ ଯାଏ କରିବାକୁ ପଡିବ। ତେବେ ଏହି ପାଂଚବର୍ଷର ରକ୍ଷଣାବେକ୍ଷଣ ପରେ ସମ୍ପୃକ୍ତ ସାଇଟ୍ଗୁଡିକର ପରିଚାଳନା ଓ ଦେଖାଶୁଣା କାମ ବିଏସ୍ଏନ୍ଏଲ ନିଜ ଖର୍ଚ୍ଚରେ କରିବ। ତେବେ ଏସବୁ ମୋବାଇଲ ସାଇଟଗୁଡିକ ବିଏସ୍ଏନ୍ଏଲ ସମ୍ପତ୍ତି ହୋଇଥିବାରୁ ଏହାର ଆଧୁନିକୀକରଣ ଓ ଉନ୍ନତୀକରଣ କାମ ବିଏସ୍ଏନ୍ଏଲ୍କୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଏବେ ଯେଉଁ ୨ଜି ମୋବାଇଲ ସେବା ଚାଲିଛି ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ବିଏସଏନ୍ଏଲକୁ ଅର୍ଥ ଯୋଗାଇ ଦେବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୫ବର୍ଷର ଚୁକ୍ତିବଦ୍ଧ ସମୟସୀମା ବାହାରେ ବିଏସ୍ଏନ୍ଏଲ ଏହି ସାଇଟ୍ଗୁଡିକର ରକ୍ଷଣାବେକ୍ଷଣ ଓ ପରିଚାଳନା କରିପାରିବ। ଏଥିପାଇଁ ୫୪୧.୮୦କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ ଅନୁମୋଦନର ତାରିଖଠାରୁ ୧୨ମାସ କିମ୍ବା ୪ଜି ସାଇଟ୍ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ -ଯେଉଁଟି ଆଗ ତାହାକୁ କାର୍ଯ୍ୟକାଳ ବୃଦ୍ଧି ସମୟ ଭାବେ ଗ୍ରହଣ କରାଯିବ।

ଏ ସମ୍ମାନଜନକ ପ୍ରକଳ୍ପ ପାଇଁ ସରକାର ବିଏସ୍ଏନ୍ଏଲ୍କୁ ବାଛିବାର କାରଣ ହେଲା ୪ଜିରେ ଦେଶୀ କାରିଗରି ଜ୍ଞାନକୌଶଳ ଓ ସାମଗ୍ରୀର ଉପଯୋଗ କରାଯିବ। ଏହା ଫଳରେ ଟେଲିକମ୍ କ୍ଷେତ୍ର ଆତ୍ମନିର୍ଭର ହୋଇପାରିବ ଏବଂ ଘରୋଇ ବଜାର ଆବଶ୍ୟକତା ପୂରଣ ହେବ। ଆଧୁନିକୀକରଣ କାର୍ଯ୍ୟରେ ଦେଶୀ ୪ଜି ଉତ୍ପାଦ ଓ ଉପକରଣ ବ୍ୟବହାର କରାଯିବ।

ଏହି ଉନ୍ନୟନ ଓ ପରିବର୍ତ୍ତନ ପ୍ରକ୍ରିୟା ଫଳରେ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ ଓ ଡାଟା ସେବାରେ ଉନ୍ନତି ଆସିବ। ଏହା ଫଳରେ ସେ ଅଞ୍ଚଳରେ ମୁତୟନ ହେଉଥିବା ନିରାପତା କର୍ମଚାରୀଙ୍କ ଯୋଗାଯୋଗ ଆବଶ୍ୟକତା ପୂରଣ ହେବ। ଏହାଛଡା ଗ୍ରାମାଞ୍ଚଳକୁ ଉନ୍ନତ ମୋବାଇଲ ଓ ଇଣ୍ଟରନେଟ୍ ସେବା ଯୋଗାଇ ଇ-ପ୍ରଶାସନକୁ ସୁଦୃଢ କରିବାକୁ ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହା ମଧ୍ୟ ଏହି ପ୍ରକ୍ରିୟା ଦ୍ୱାରା ଅନେକାଂଶରେ ପୂରଣ ହେବ।

୪ଜି ସେବା ଏହି ସବୁ ଅଞ୍ଚଳରେ ବ୍ୟାଙ୍କ, ଟେଲିମେଡିସିନ, ଟେଲି ଶିକ୍ଷା ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ।

Categories
ବିଶେଷ ଖବର

ଆଗାମୀ 7 ଦିନ ପାଇଁ ଭାରତ ବନ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି!, ଜାଣନ୍ତୁ ପୁରା ସତ୍ୟତା?

ନୂଆଦିଲ୍ଲୀ: ଆଗାମୀ ସାତ ଦିନ ପାଇଁ ଭାରତ ବନ୍ଦ ରହିବ କି? ଆସନ୍ତା 7 ଦିନ ପାଇଁ ଭାରତ ବନ୍ଦ କରିବାକୁ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ନିଷ୍ପତ୍ତି ନେଇଛନ୍ତି କି? ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ ଆସନ୍ତା 7 ଦିନ ପାଇଁ ଭାରତ ବନ୍ଦ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପିଆଇବି ଏହି ବାର୍ତ୍ତା ଯାଞ୍ଚ କରିଛି। ଆସନ୍ତୁ ଜାଣିବା ଏହି ବାର୍ତ୍ତାର ସତ୍ୟତା କ’ଣ-

ପିଆଇବି ଏହାର ଅଫିସିଆଲ୍ ଟ୍ୱିଟରେ ଲେଖିଛି ଯେ, ଏକ ନକଲି ବାର୍ତ୍ତାରେ ଏହା ଦାବି କରାଯାଉଛି ଯେ ମାର୍ଚ୍ଚ 21 ତାରିଖରୁ ଆସନ୍ତା 7 ଦିନ ପର୍ଯ୍ୟନ୍ତ ସମଗ୍ର ଦେଶରେ ଭରତ ବନ୍ଦର ନିଷ୍ପତ୍ତି ନିଆଯାଇଛି।

ଯେତେବେଳେ ପିଆଇବି ଏହି ନକଲି ବାର୍ତ୍ତା ଯାଞ୍ଚ କଲା, ସେତେବେଳେ ଜାଣିବାକୁ ପାଇଲା ଯେ, ଏହି ଦାବି ସମ୍ପୂର୍ଣ୍ଣ ନକଲି। ଭାରତ ବନ୍ଦ କରିବାକୁ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।

ସତ୍ୟତା ଯାଞ୍ଚ ପରେ ପିଆଇବି ଏହି ବାର୍ତ୍ତାକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାର୍ତ୍ତା ପ୍ରତି ସମସ୍ତେ ସାବଧାନ ହେବା ଉଚିତ ବୋଲି ପିଆଇବି କହିଛି। ଲୋକଙ୍କୁ ଏପରି ବାର୍ତ୍ତା ପଠାଇବା ଲାଗି ପିଆଇବି ବାରଣ କରିଛି।

ଯଦି ଏପରି କୌଣସି ବାର୍ତ୍ତା ଆପଣଙ୍କ ନିକଟକୁ ଆସେ, ତେବେ ଆପଣ ଏହାର ସତ୍ୟତା ଜାଣିବା ପାଇଁ ଏକ ଫ୍ୟାକ୍ଟ ଯାଞ୍ଚ କରିପାରିବେ। ଆପଣ ପିଆଇବି ମାଧ୍ୟମରେ ଫ୍ୟାକ୍ଟ ଯାଞ୍ଚ କରିପାରିବେ। ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ପରିଦର୍ଶନ କରିବାକୁ ପଡିବ। ଏହା ବ୍ୟତୀତ, ଆପଣ ଭିଡିଓକୁ ହ୍ଵାଟସ୍ ଆପ୍ ନମ୍ବର +918799711259 କିମ୍ବା ଇମେଲ୍: [email protected] କୁ ପଠାଇ ପାରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଏଣିକି ଓଡିଶାରେ ସରକାରୀ ଚାକିରୀ କରିବା ବୟସ ସୀମା ୩୨ ବର୍ଷ ନୁହେଁ, ଆହୁରି ଅଧିକ ହେଲା

ଭୁବନେଶ୍ବର: ଓଡିଶାରେ ଚାକିରୀ କରିବା ସମୟ ସୀମାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ପୂର୍ବରୁ ୩୨ ବର୍ଷ ପରେ ଆଉ କେହି ସରକାରୀ ଚାକିରୀ ପାଇଁ ଯୋଗ୍ୟ ବିବେଚିତ ହେଉ ନ ଥିଲେ। ହେଲେ ଆଜି ରାଜ୍ୟ କ୍ୟାବିନେଟରେ ସେହି ବୟସ ସୀମାକୁ ବୃଦ୍ଧି କରିଛନ୍ତି। ସେହି ଅନୁସାରେ ଏଣିକି ସେହି ବୟସ ସୀମା ୩୮ ବର୍ଷକୁ ବୃଦ୍ଧି କରାଯାଇଛି। ଫଳରେ ଜଣେ ୩୮ ବର୍ଷ ବୟସ ପର୍ଯ୍ୟନ୍ତ  ସରକାରୀ ଚାକିରୀ ପାଇଁ ଆବେଦନ କରିପାରିବ।

ତେବେ ଏହି ବୟସ ସୀମା କେବଳ ୨୦୨୧, ୨୦୨୨, ୨୦୨୩ ବର୍ଷ ପାଇଁ ଲାଗୁ ହେବ ବୋଲି ନିଷ୍ପତି କରାଯାଇଛି। ମୁଖ୍ୟତଃ କରୋନା ପାଇଁ ନିଯୁକ୍ତି କ୍ଷେତ୍ରରେ ବିଳମ୍ବ ହେଉଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତି ଗ୍ରହଣ କରିଛନ୍ତି। ସେହିପରି ଏସସି, ଏସଟି ଏବଂ ଓବିସି ପାଇଁ ମଧ୍ୟ ଯେପରି କୋହଳ ନିୟମ ରହିଛି ତାହା ମଧ୍ୟ ଲାଗୁ ହେବ ବୋଲି କୁହାଯାଇଛି। ଏହାଦ୍ବାରା ନିଯୁକ୍ତି କ୍ଷେତ୍ରରେ ବିଳମ୍ବ ଏବଂ ବୟସ ସୀମା ପାର ହେଉଥିବା ସମସ୍ୟା ରହିବ ନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଏଥିରେ ମୋଟ ୧୨ଟି  ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିଛି। ସେଗୁଡିକ ମଧ୍ୟରେ ରହିଛି ୫ଟି ମେଗା ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ମୟୂରଭଞ୍ଜ ଜିଲ୍ଲାର ୩ଟି ବ୍ଲକକୁ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜର କରିଛନ୍ତି।

ସେହିପରି ଏନଆଇଏଫଟିକୁ ୧୦ ଏକର ଜମି ଦିଆଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ତା ସହିତ ଭୁବନେଶ୍ୱର ଆଇଆଇଟିକୁ ଆଉ ୬୧୮ ଏକର ୬୬ ଡେସିମିଲ ଯାଗା ଯୋଗାଇ ଦେବାକ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ନୂଆ ବର୍ଷରେ ଏହା ହେଉଛି ଦ୍ବିତୀୟ କ୍ୟାବିନେଟ ବୈଠକ। ଏହା ପୂର୍ବରୁ 8 ତାରିଖରେ ମଧ୍ୟ ଆଉ ଏକ କ୍ୟାବିନେଟ ବୈଠକ ଡାକିଥିଲେ। ବର୍ତ୍ତମାନ ଦୁଇମାସ ମଧ୍ୟରେ ବାରମ୍ବାର କ୍ୟାବିନେଟ ବୈଠକ କରାଯାଇ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ମୋଦୀ କ୍ୟାବିନେଟ ବୈଠକ, କୃଷକ ସମସ୍ୟା ଉପରେ ନିଆଯାଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଗହମ ଏବଂ ଅନ୍ୟାନ୍ୟ ଫସଲ ଉପରେ ଏମଏସପି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇପାରେ। ପିଏମ ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଟେଲିକମ୍ ଏବଂ ଟେକ୍ସଟାଇଲ୍ କ୍ଷେତ୍ର ପାଇଁ ରିଲିଫ୍ ପ୍ୟାକେଜ୍ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ।

ସୂଚନା ଅନୁଯାୟୀ, ୯ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। କେବଳ ଏତିକି ନୁହେଁ, ସାଂପ୍ରତିକ ସମୟରେ କୃଷକ ସଂଗଠନଗୁଡ଼ିକ ସେମାନଙ୍କର ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଆଜି ନିଜେ କୃଷକ ସଂଗଠନ ହରିୟାଣାର କରନାଲରେ ମହାପଞ୍ଚାୟତ ପରେ ଛୋଟ ସଚିବାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଥିଲେ।

ଏହା ପରେ ଭାରତୀୟ କିଷାନ ୟୁନିଅନ (ବି.କେ.ୟୁ) ନେତା ରାକେଶ ଟିକାଏତ ଟ୍ୱିଟ କରି କହିଛନ୍ତି ଯେ, ଆମେ କୃଷକ ସାଥୀମାନଙ୍କ ସହିତ ଛୋଟ ସଚିବାଳୟ କରନାଲରେ ପହଞ୍ଚିଯାଇଥିଲୁ, ପୋଲିସ ସେମାନଙ୍କୁ ଗିରଫ କରିଥିଲା। କିନ୍ତୁ ଯୁବକଙ୍କ ଉତ୍ସାହ ଆଗରେ ପୋଲିସ ସେମାନଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା। କୃଷକ ସାଥିମାନଙ୍କ ସହିତ ମୁଁ ସଚିବାଳୟରେ ଉପସ୍ଥିତ ଅଛି, ଯୁଦ୍ଧ ଜାରି ରହିବ।

ନିକଟରେ ଉତ୍ତରପ୍ରଦେଶର ମୁଜାଫରନଗରରେ ମଧ୍ୟ ଏକ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ଏହି ସମୟ ମଧ୍ୟରେ ଶାସକ ବିଜେପି ବିରୋଧରେ କୃଷକ ନେତାମାନେ ତୀବ୍ର ବିବୃତ୍ତି ଦେଇଥିଲେ। ଆସନ୍ତା ବିଧାନସଭା ନିର୍ବାଚନରେ ​​କୃଷି ଆଇନ ପ୍ରତ୍ୟାହାର କରିବାକୁ ସେମାନେ ଚାପ ପକାଇବେ ବୋଲି କୃଷକ ସଂଗଠନ କହିଛନ୍ତି। ବିଜେପି ବିରୋଧରେ ଅଧିକ ବଡ଼ ସଭା କୃଷକ ସଂଗଠନ ଆୟୋଜନ କରିପାରେ।

ଆନ୍ଦୋଳନକାରୀ କୃଷକମାନେ ତିନୋଟି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ସେ କହିଛନ୍ତି ଯେ, ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର କରି ଏମଏସପି ଉପରେ ଆଇନ ପ୍ରସ୍ତୁତ କରିବା ଉଚିତ।