ବ୍ରହ୍ମପୁରର ରିଂ ରୋଡ, ମେଟ୍ରୋ ରେଳ ପ୍ରକଳ୍ପ ସହିତ ୧୨ ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ

Published: Nov 14, 2023, 11:37 pm IST

ଭୁବନେଶ୍ବର: ରାଜଧାନୀ ପରି ଗମନାଗମନ ସୁବିଧା ପାଇଁ ବ୍ରହ୍ମପୁରରେ ମଧ୍ୟ ହେବ ରିଂ ରୋଡ। ଆସନ୍ତା ୨୪ ମାସରେ ଏହି କାର‌୍ୟ୍ୟ ସଂପୂର୍ଣ୍ଣ କରାଯିବ। ଏଥିପାଇଁ ୧୫୬ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଏ ନେଇ ଆଜି ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକରେ ଭିନ୍ନ ଭିନ୍ନ ୧୨ ଟି ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

ତେବେ ଅନ୍ୟ ଯେଉଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତିରେ ମୋହର ବାଜିଛି ତାହା ହେଲା ମେଟ୍ରୋ ରେଳ ପ୍ରକଳ୍ପ। ଭୁବନେଶ୍ବରର ଏୟାର ପୋର୍ଟରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତି ଗ୍ରହଣ କରିଛନ୍ତି। ଆଜି ଏହି ପ୍ରକଳ୍ପର ପ୍ରଥମ ପର‌୍ୟ୍ୟାୟ ଡିପିଆର ପ୍ରସ୍ତୁତି ନିମନ୍ତେ କ୍ୟାବିନେଟ ମଂଜୁରୀ ମିଳିଛି।

ଏହି ପ୍ରକଳ୍ପ ପାଇଁ ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଆସନ୍ତା ଜାନୁୟାରୀ ପହିଲାରେ ଏହି ପ୍ରକଳ୍ପର ଭୂମିପୂଜନ ହେବ ବୋଲି ଆଗରୁ ଘୋଷଣା କରାଯାଇଛି। ସେହିପରି ଏହି କ୍ୟାବିନେଟ ବୈଠକରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଲାଗୁ ହୋଇଥିବା ଆମ ହସପିଟାଲ ଯୋଜନାକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି। ୫ଟି ଉପକ୍ରମରେ ଏହି ଯୋଜନା କାର‌୍ୟ୍ୟକାରୀ କରାଯାଉଛି।

ସେହିପରି ଘରେଘରେ ପାନୀୟ ଜଳ ଯୋଗାଣ, ଗଂଜାମ ଜିଲ୍ଲାର ଜଳସେଚନ ପାଇଁ ଋଷୁକୂଲ୍ୟା ନଦୀରେ ବ୍ୟାରେଜ ନିର୍ମାଣ ପରି ୧୧ ଟି ବିଭାଗର ୧୨ ପ୍ରସ୍ତାବକୁ ଆଜି କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି।

Related posts