ଆରମ୍ଭ ହେଲା ପଛୁଆ ବର୍ଗ ଲୋକଙ୍କ ସର୍ଭେ, ଜାଣନ୍ତୁ କଣ କରିବେ

Published: May 2, 2023, 8:10 am IST

ଭୁବନେଶ୍ୱର : ରାଜ୍ୟର ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସର୍ଭେ କରାଯାଉଅଛି । ଏହି ସର୍ଭେ ମଇ ୧ ତାରିଖରୁ ମଇ ୨୭ ତାରିଖ ପର୍ଯ୍ୟନ୍ତ କରାଯିବ । ଏହି ସର୍ଭେ ପ୍ରତିଦିନ (ଛୁଟିଦିନ ସହିତ) ସକାଳ ୧୦ଘଟିକାରୁ ୧୨ଘଟିକା ଏବଂ ଅପରାହ୍ନ ୩ଟା ଠାରୁ ୬ଟା ପର୍ଯ୍ୟନ୍ତ କରାଯାଉଛି।

ପ୍ରତ୍ୟେକ ରବିବାର ଦିନ ଏହି ସର୍ଭେ କାର୍ଯ୍ୟ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କରାଯିବ । ସର୍ଭେ ସେଣ୍ଟର ସମ୍ବନ୍ଧୀୟ ତଥ୍ୟ ନିକଟସ୍ଥ ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର ବା ଅଙ୍ଗନବାଡ଼ି କେନ୍ଦ୍ରରେ ମିଳିପାରିବ ।

ଏହି ସର୍ଭେ ପାଇଁ ନିଜ ନିଜର ତଥ୍ୟ, ସର୍ଭେ କେନ୍ଦ୍ରକୁ ଯାଇ କିମ୍ବା ଅନ୍‌-ଲାଇନ୍‌ ମାଧ୍ୟମରେ ଦିଆଯାଇପାରିବ । ଅନ୍‌-ଲାଇନ୍‌ ମାଧ୍ୟମରେ www.oscbc.odisha.gov.in ରେ ନିଜ ମୋବାଇଲ୍‌ / ଲ୍ୟାପଟପ୍‌/ ଡେସ୍କଟପ୍‌ ବ୍ୟବହାର କରି ବିନାମୂଲ୍ୟରେ ତଥ୍ୟ ପ୍ରଦାନ କରାଯାଇପାରିବ । ପରିବାରର ମୂଖ୍ୟ କିମ୍ବା ବରିଷ୍ଠ ସଦସ୍ୟା/ସଦସ୍ୟ, ସର୍ଭେ କେନ୍ଦ୍ରକୁ ଯାଇ ନିଜର ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କର ତଥ୍ୟ ପ୍ରଦାନ କରିପାରିବେ ।

ସର୍ଭେ କେନ୍ଦ୍ରକୁ ତଥ୍ୟ ଦେବାପାଇଁ ଗଲାବେଳେ ସାଙ୍ଗରେ ରାସନ୍‌ କାର୍ଡ଼ ଏବଂ ଯେ କୌଣସି ଗୋଟିଏ ପରିଚୟ ପତ୍ର ଯଥା ଆଧାର କାର୍ଡ଼/ ପାସପୋର୍ଟ/ ପ୍ୟାନ କାର୍ଡ଼/ ଭୋଟର ପରିଚୟ ପତ୍ର ନେଇ ଯିବାକୁ ହେବ। ମାତ୍ର ଯେଉଁ ପରିବାରର ରାସନ୍‌ କାର୍ଡ଼ ନାହିଁ ବା କୌଣସି ସଦସ୍ୟଙ୍କର ପରିଚୟ ପତ୍ର ନାହିଁ, ସେମାନଙ୍କର ତଥ୍ୟ ମଧ୍ୟ ଦିଆଯାଇପାରିବ।

ଆଜି ତା.୦୧.୦୫.୨୦୨୩ ରିଖରେ ସମଗ୍ର ରାଜ୍ୟରେ ୨୫୦୦୦ ପଛୁଆ ବର୍ଗ ପରିବାର ଏହି ସର୍ଭେରେ ସାମିଲ୍‌ ହୋଇ ନିଜର ତଥ୍ୟ ପ୍ରଦାନ କଲେ ।

Related posts