ଝାରସୁଗୁଡା: ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଉପନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ ଅପରାହ୍ନରେ ଝାରସୁଗୁଡା ନିକଟସ୍ଥ ଅମିଲିପାଲିଠାରେ ବିରାଟ ସମାବେଶକୁ ସମ୍ବୋଧୀତ କରିଥିଲେ। ଏହି ସମ୍ବୋଧନ ବେଳେ ସେ ବିରୋଧୀ ବିଜେପିକୁ କଡା ସମାଲୋଚନା କରିଥିଲେ।
ନବୀନ ଦଳ ନାମ ନ ନେଇ ସେ ପଦମପୁର ଉପନିର୍ବାଚନ ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ, ସେଠାରେ ବର୍ଷା ବରିହାଙ୍କୁ ବିରୋଧୀ ଦଳ ଅପମାନଜନକ ଶଦ୍ଦ ପ୍ରୟୋଗ କରିଥିଲେ। ସେହିପରି ଝାରୁସୁଗୁଡାରେ ମଧ୍ୟ ଦୀପାଳିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଯାହା ଠିକ ନୁହେଁ ବୋଲି ନବୀନ କହିଥିଲେ।
ଉକ୍ତ ସଭାରେ ନବୀନ ଯାହା କହିଥିଲେ ତାହା ହେଲା…
ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ମୋର ପ୍ରଣାମ। ଏ ମାଟିକୁ ମୋର ପ୍ରଣାମ।
ଝାରସୁଗୁଡା ନିର୍ବାଚନମଣ୍ଡଳୀର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର । ଆଜିର କାର୍ଯ୍ୟକ୍ରମ ଆରମ୍ଭରେ ମୁଁ ପ୍ରଥମେ ଆପଣମାନଙ୍କ ପ୍ରିୟ ନେତା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ନବ ଦାସ ଜଣେ ଲୋକପ୍ରିୟ ନେତା, ଦକ୍ଷ ବିଧାୟକ ଓ ମନ୍ତ୍ରୀ ଭାବରେ ସାରା ଓଡିଶାରେ ପରିଚିତ ଥିଲେ । ସେ ଆଜି ଆମ ଭିତରେ ନାହାନ୍ତି । ତାଙ୍କ କାମ ପାଇଁ ଝାରସୁଗୁଡାବାସୀ ସବୁବେଳେ ତାଙ୍କୁ ମନେ ରଖିବେ।
ଆଜି ତାଙ୍କ ଦାୟିତ୍ବ ନେବାପାଇଁ, ଆପଣମାନଙ୍କ ସେବା କରିବାପାଇଁ, ତାଙ୍କ ଝିଅ ଦୀପାଳି ଦାସ ଆଗେଇ ଆସିଛନ୍ତି । ଆପଣ ଜାଣନ୍ତି, ସେ ଜଣେ ଉଚ୍ଚ ଶିକ୍ଷିତା ଝିଅ । ସମାଜସେବାରେ ତାଙ୍କର ବିଶେଷ ରୁଚି ରହିଛି । ମୋର ବିଶ୍ବାସ, ଦୀପାଳିଙ୍କୁ ଝାରସୁଗୁଡାବାସୀଙ୍କ ସେବାର ସୁଯୋଗ ମିଳିଲେ, ସେ ତାକୁ ଦକ୍ଷତାର ସହ ପାଳନ କରିପାରିବେ।
ଝାରସୁଗୁଡା ସବୁବେଳେ ବିକାଶ ସାଥିରେ ରହିଛି । ଆପଣମାନେ ବିକାଶରେ ବିଶ୍ବାସ କରନ୍ତି। ସେଥିପାଇଁ ବିଜୁ ଜନତା ଦଳ ସାଥିରେ ରହି ଆସିଛନ୍ତି। ବିଜୁ ଜନତା ଦଳ ମା ମାନଙ୍କ କଲ୍ୟାଣରେ ବିଶ୍ବାସ କରେ। ମା ମାନଙ୍କ ସଶକ୍ତରେ ବିଶ୍ବାସ କରେ । ଚାଷୀ ଭାଇର ସଶକ୍ତ ଉପରେ ବିଶ୍ବାସ କରେ। ଯୁବଶକ୍ତିର ସଶକ୍ତରେ ବିଶ୍ବାସ କରେ। ଶିଳ୍ପ କ୍ଷେତ୍ରରେ ଝାରସୁଗୁଡାର ସ୍ବତନ୍ତ୍ର ପରିଚୟ ରହିଛି । ଆପଣମାନଙ୍କ ସହଯୋଗ ଜାରି ରହିଲେ, ଝାରସୁଗୁଡା ଦେଶର ଏକ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇପାରିବ।
ନିର୍ବାଚନରେ ହାର ଜିତ୍ ରହିଛି। ତେଣୁ ନିର୍ବାଚନ ପ୍ରଚାର ସମୟରେ ଆମେ ସମସ୍ତେ ଶାଳୀନତା ରକ୍ଷା କରିବା ଜରୁରୀ। କାହାକୁ, ବିଶେଷ କରି, ଆମର ମହିଳା ମାନଙ୍କୁ, ଆମର ମା ମାନଙ୍କୁ, ଗାଳି ଦେବା, ଅସମ୍ମାନ କରିବା ଉଚିତ ନୁହେଁ।
ପଦ୍ମପୁର ଉପ ନିର୍ବାଚନରେ ବିରୋଧୀ ଦଳ ବାପାଙ୍କୁ ହରାଇ ଥିବା ଗୋଟିଏ ଝିଅ ପ୍ରତି ଯେଭଳି ବ୍ୟବହାର କଲେ, ତାହା ଆପଣ ଜାଣନ୍ତି । ଦୁଃଖର କଥା, ଏଠାରେ ମଧ୍ୟ ସେମାନେ ଦୀପାଳିଙ୍କ ପ୍ରତି ସେହିଭଳି ବ୍ୟବହାର କରୁଛନ୍ତି । ଗାଳି ଦେଉଛନ୍ତି। ଏହା ମୋତେ ବହୁତ ଦୁଃଖ ଦେଇଛି।
ଦୀପାଳି ଏ ମାଟିର ଝିଅ। ଏ ମାଟିର ସେବା କରିବା ପାଇଁ ଆପଣମାନେ ତାକୁ ସୁଯୋଗ ଦେବେ, ଏ ଭରସା ମୋର ଅଛି । ମୋର ଅନୁରୋଧ, ଆପଣମାନେ ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ। ଧନ୍ୟବାଦ। ଜୁହାର