Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡାର ବିପୁଳ ବିଜୟ ପରେ ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ବର: ଆଜି ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି। ଏହି ଅଭିଭାଷଣରେ ସେ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ବିଜେପି ଦଳର ନାମ ନ ନେଇ ନ ଥିଲେ ମଧ୍ୟ ତାଙ୍କର ସମାଲୋଚନା ବିଜେପି ପାଇଁ ଥିଲା ତାହା ସ୍ପଷ୍ଟ ହୋଇଛି।

ସେ ପୁଣି ଥରେ ସେହି ମହିଳାଙ୍କ କଥାକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ବିରୋଧୀ ଦଳ ମହିଳାମାନଙ୍କୁ ଯେପରି ଅସମ୍ମାନ କରୁଛନ୍ତି ତାହା ହେଉଛି ଏକ ଡେଞ୍ଜରିୟସ ଟ୍ରେନଣ୍ଡ। ସେଥିପାଇଁ ସେମାନଙ୍କୁ ଲୋକମାନେ ପ୍ରତ୍ୟାଖାନ କରିଦେଇଛନ୍ତି ବୋଲି ନବୀନ ଅଭିଭାଷଣରେ କହିଛନ୍ତି। ସେ କର୍ମିମାନଙ୍କୁ ତଥା ଝାରସୁଗୁଡାବାସୀଙ୍କୁ ଯେଉଁ ଅଭିଭାଷଣ ପ୍ରଦାନ କରିଛନ୍ତି ତାହା ହେଲା।

ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର ଓ ଜୁହାର, ଝାରସୁଗୁଡ଼ା ଉପନିର୍ବାଚନରେ, ବିଜୁ ଜନତା ଦଳର ବିପୁଳ ବିଜୟ ପାଇଁ ଆପଣମାନଙ୍କୁ ମୋର ଅଭିନନ୍ଦନ। ଏ ବିଜୟ ଝାରସୁଗୁଡ଼ା ବାସୀଙ୍କର ବିଜୟ, ମହିଳାଶକ୍ତିର ବିଜୟ, ଏଥିପାଇଁ ଝାରସୁଗୁଡ଼ା ବାସୀଙ୍କ ନିକଟରେ ମୁଁ ଋଣୀ
ବିଜୁ ଜନତା ଦଳ ଋଣୀ।

ଆମ ଦଳର, ଲକ୍ଷ ଲକ୍ଷ, କର୍ମୀ ଭାଇ ଓ ଭଉଣୀଙ୍କୁ, ଏ ବିଜୟ ପାଇଁ ମୁଁ, ଧନ୍ୟବାଦ ଜଣାଉଛି।
ଏ ଖରା, ଗରମରେ, ସେମାନଙ୍କ ପରିଶ୍ରମ ଓ ତ୍ୟାଗକୁ, ସମ୍ମାନ ଜଣାଉଛି। ମୁଁ, ଆଜି କଥା ଦେଉଛି, ଝାରସୁଗୁଡ଼ା ଅଞ୍ଚଳର, ଉନ୍ନତି ପାଇଁ ବିଜୁ ଜନତା ଦଳ, ତାର ଉଦ୍ୟମକୁ, ଆହୁରି ଯୋରଦାର କରିବ। ଝାରସୁଗୁଡ଼ା ପାଇଁ, ନବ ବାବୁ ଆରମ୍ଭ କରିଥିବା, ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ।

ପଦ୍ମପୁର ଉପ ନିର୍ବାଚନ ବେଳେ, ବିରୋଧି ଦଳ ଆମର ମା ମାନଙ୍କୁ, ଅସମ୍ମାନ କରିଥିଲେ। ପଦ୍ମପୁରରେ, ଆମର ମହିଳା ପ୍ରାର୍ଥୀଙ୍କୁ, ଖରାପ ଭାଷାରେ, ଗାଳି କରୁଥିଲେ। ପଦ୍ମପୁର ହେଉ ବା ଝାରସୁଗୁଡ଼ା, ସବୁଠାରେ ସେମାନେ ବାପାଙ୍କୁ ହରେଇଥିବା ଝିଅ ମାନଙ୍କୁ ଗାଳି କରିଛନ୍ତି। ପ୍ରତ୍ୟେକ ଉପ ନିର୍ବାଚନ ରେ ସେମାନେ ମିଶନ ଶକ୍ତିର ନେତ୍ରୀ,ତଥା ତୃଣମୂଳ ସ୍ତରରେ କାମ କରୁଥିବା, ମାଆ ମାନଙ୍କୁ ସବୁବେଳେ ସମାଲୋଚନା କରି ଆସୁଛନ୍ତି। ଇତିହାସ ସାକ୍ଷୀ ।

ଓଡ଼ିଶାବାସୀ କେବେବି ମା ମାନଙ୍କ ପ୍ରତି ଏଭଳି ଅସମ୍ମାନ କୁ ବରଦାସ୍ତ କରିନାହାନ୍ତି।
ଆମର ଝିଅ ମାନେ ଆମର ଗର୍ବ। ବିଜୁ ଜନତା ଦଳ ସବୁବେଳେ, ସାଧାରଣ ଜୀବନରେ ମା ମାନଙ୍କ ଯୋଗଦାନକୁ ଉତ୍ସାହିତ କରିଆସିଛି । ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ ମିଶନ ଶକ୍ତି ପରି ମଞ୍ଚ ଯୋଗାଇ ଦେଇଛି।

ହାଣ୍ଡିଶାଳ ଚାରି କାନ୍ଥରୁ ସେମାନଙ୍କୁ ବାହାରକୁ ଆଣି, ମିଶନ ଶକ୍ତି ସେମାନଙ୍କୁ ସଶକ୍ତ କରିଛି। ମିଶନ ଶକ୍ତି ଏହି ଆଦର୍ଶକୁ ସୁବେବେଳେ ବିଶ୍ବାସ। ବିରୋଧି ଦଳ, ସବୁବେଳେ ମା ମାନଙ୍କ ସଶକ୍ତୀକରଣ କୁ ବିରୋଧ କରି ଆସୁଛି। This is a dangerous trend. ଓଡିଶାବାସୀ ଏଭଳି ବ୍ୟବହାରକୁ ସବୁବେଳେ ନାପସନ୍ଦ କରି ଆସିଛନ୍ତି। ପ୍ରତ୍ୟାଖାନ କରିଛନ୍ତି।

ଆସନ୍ତୁ ଆମେ ସମସ୍ତେ ମିଳିମିଶି ଓଡିଶାର ଉନ୍ନତି ପାଇଁ ଆମ ଗଣତାନ୍ତ୍ରିକ ମୂଲ୍ୟ ପାଇଁ ଆମ ସାଂସ୍କୃତିକ ସଂହତି ଓ ମା ମାନଙ୍କ ସମ୍ମାନ, ମା ମାନଙ୍କ ଅଧିକାର ସୁରକ୍ଷା ପାଇଁ, କାମ କରି ଚାଲିବା । ଧନ୍ୟବାଦ,ବନ୍ଦେ ଉତ୍କଳ ଜନନୀ।

Categories
ଆଜିର ଖବର ରାଜ୍ୟ ଖବର

Jharsuguda Result: ଦ୍ବିତୀୟ ରାଉଣ୍ଡରେ ମଧ୍ୟ ଦୀପାଳି ଆଗରେ, ବଢିଲା ଭୋଟ ବ୍ୟବଧାନ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନର ଦ୍ବିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ରହିଛି। ମିଳିଥିବା ସୂଚନା ଅନୁସାରେ ବିଜେଡିର ଦୀପାଳି ଦାସ ଦ୍ବିତୀୟ ରାଉଣ୍ଡରେ ୧୭୫୪୩ ଖଣ୍ଡ ଭୋଟ୍ ପାଇଛନ୍ତି। ଦ୍ବିତୀୟ ରାଉଣ୍ଡରେ ଦୀପାଳି ୭୭୩୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।

ଦ୍ଵିତୀୟ ରାଉଣ୍ଡ
ବିଜେଡି – ୧୭୫୪୩
ବିଜେପି- ୯୮୦୯
କଂଗ୍ରେସ -୫୨୧

ପ୍ରଥମ ରାଉଣ୍ଡ ଗଣତିରେ ଦୀପାଳି ଦାସ ବିଜେପିର ଟଙ୍କଧର ତ୍ରିପାଠୀଙ୍କଠାରୁ ୨୭୦୬  ଭୋଟରେ ଆଗୁଆ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଝାରସୁଗୁଡା ଉପନିର୍ବଚନ ଭୋଟ ଗଣତି, ଜାଣନ୍ତୁ କିପରି ହୋଇଛି ବ୍ୟବସ୍ଥା

ଭୁବନେଶ୍ବର: ଆଜି ଝାରସୁଗୁଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ହେବ। ଏହି ଗଣତି ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ପରିସରରେ ସକାଳ ୮ ଘଟିକା ସମୟରେ ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଓ ଠିକ୍‌ ୮.୩୦ ମିନିଟରେ ଇଭିଏମ୍‌ ଗଣତି ଆରମ୍ଭ ହେବ। ଭୋଟଗଣତି ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।

ଏହି ଉପନିର୍ବାଚନରେ ମୋଟ ଭୋଟର ୨ ଲକ୍ଷ ୨୧ ହଜାର ୭୧୯ ହୋଇଥିବା ବେଳେ ଭୋଟ ଦେଇଛନ୍ତି ୧ ଲକ୍ଷ ୭୫ ହଜାର ୬୧୬ ଜଣ। ସେହିପରି ଏହି ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୧୦ ହଜାର ୬୧୯ ଥିବା ବେଳେ ଭୋଟ ଦେଇଛନ୍ତି ୮୯ ହଜାର ୪୪ ଜଣ। ସେହିପରି ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୧୧ ହଜାର ୩୭ ଥିବା ବେଳେ  ୮୬ ହଜାର ୫୬୦ ଜଣ ମତଦାନରେ ଭାଗ ନେଇଛନ୍ତି।  ଏହିମାନେ ମୋଟ ପ୍ରତିଦ୍ବନ୍ଦିତା କରୁଥିବା ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନରେ ଭୋଟ ଦେଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା: ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଜି ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ସକାଳୁ ସକାଳୁ ଝାରସୁଗୁଡାର ୧୯ ନମ୍ବର ୱାର୍ଡର ଗୁଜୁରାଟୀ କଲୋନୀର ୭୦ ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି। ଏଥିସହିତ ସେ ଅଧିକ ସଂଖ୍ୟାରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।

ଆଜି ସକାଳୁ ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଖରା ସତ୍ବେ ଭୋଟରମାନେ ସେମାନଙ୍କର ମତଦାନ ଦେବାରେ ଆଗ୍ରହ ପରିଲକ୍ଷିତ ହୋଇଛି। ଏହି ଗଣତନ୍ତ୍ର ପକ୍ରିୟାରେ ମୋଟ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀଗଣେଷଙ୍କୁ ପୂଜା କରି ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡା: ଆଜି ହେଉଛି ଝାରସୁଗୁଡା ଉପନିର୍ବାଚନ ପାଇଁ ପରୀକ୍ଷା। ଏହି ପରୀକ୍ଷାରେ କିପରି ଜିତିବେ ସେ ନେଇ ସବୁ ଦଳ ଆଗରୁ ପ୍ରଚାର କରିସାରିଛନ୍ତି। ଏବେ ଭଗବାନଙ୍କ ଉପରେ ଭରସା। ସେହି ପରପ୍ରେକ୍ଷୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ସକାଳୁ ପୂଜା ଅର୍ଚ୍ଚନା କରିଛନ୍ତି।

ଦୀପାଳି ଶ୍ରୀ ଗଣେଷଙ୍କ ନିକଟରେ ପୂଜା ଅର୍ଚ୍ଚନା କରି ନିଜର ମନବାଞ୍ଚା ପୂରଣ କରିବା ପାଇଁ ନିବେଦନ କରିଛନ୍ତି। ଶ୍ରୀଗଣେଷଙ୍କୁ ଆରାଧନା କରିବା ପରେ ଦୀପାଳି ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ଯାଇଥିଲେ। ସେ ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ସରବାହାଲର ମତଦାନ କେନ୍ଦ୍ରରେ ନିଜର ମତଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୋଟ ଦେଉଛି ଝାରସୁଗୁଡା, ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

ଝାରସୁଗୁଡା: ଆଜି ଝାରସୁଗୁଡା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ସାତଟାରୁ ଆରମ୍ଭ ହୋଇଥିଲା ଏହି ମତଦାନ ପକ୍ରିୟା। ଏଥିରେ ଭୋଟରମାନେ ସକାଳୁ ସକାଳୁ ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଆଜି ସକାଳ ନଅଟା ସୁଦ୍ଧା ନଅ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।

ପ୍ରବଳ ଖରା ପାଇଁ ବିଭିନ୍ନ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଧାଡିରେ ଛିଡା ହୋଇଥିବା ଭୋଟରମାନଙ୍କ ଉପରେ ପାଣି ସିଞ୍ଚନ କରାଯାଉଛି। ଏଥିସହିତ ପାଣି ପଣା ପ୍ରଦାନର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ଏହି ମତଦାନରେ ଉଭୟ ବିଜେପି ଏବଂ ବିଜେଡି ପ୍ରାର୍ଥୀ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଭୋଟ ଦେବ ଝାରସୁଗୁଡା, ୧୭ ପ୍ଲାଟୁନ୍ ଆର୍ମଡ୍ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ବର: ଆସନ୍ତାକାଲି ବହୁ ପ୍ରତୀକ୍ଷିତ ଝାରସୁଗୁଡା ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ। ସେଥିପାଇଁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଝାରସୁଗୁଡା ଇଂଜିନିୟରିଂ କଲେଜରୁ ପୁଲିଂ ପାର୍ଟିକୁ ସମସ୍ତ ବୁଥକୁ ପଠାସରିଛି। ଏହି ଉପନିର୍ବାଚନ ପାଇଁ ଏଥର ୨୫୩ଟି ବୁଥ କରାଯାଇଛି। ସେଥିମଧ୍ୟରୁ ୨୬ଟି ବୁଥକୁ ପିଙ୍କ୍ ବୁଥ ଏବଂ ୪୦ଟି ମଡେଲ ବୁଥ କରାଯାଇଛି।

ଏହି ମତଦାନ ପକ୍ରିୟାରେ ମୋଟ ୧୦୧୨ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ୯୬ ଜଣ ପୁଲିଂ ଅଧିକାରୀଙ୍କୁ ରିଜର୍ଭ ରଖାଯାଇଛି। ସେହିପରି ଇଭିଏମଗୁଡିକ ରାଜନୈତିକ ଦଳର ପ୍ରତିନିଧୀଙ୍କ ସମ୍ମୁଖରେ କମିସନିଂ କରାଯାଇ ବୁଥଗୁଡିକରେ ରଖାଯାଇଛି। ମେସିନ ଯେପରି କିଛି ବିଭ୍ରାଟ ନ ହୁଏ ସେଥିପାଇଁ ୬ ଜଣ ଇଜିନିଂୟରଙ୍କୁ ହାଇଦ୍ରାବାଦରୁ ଆଣାଯାଇ ଝାରସୁଗୁଡାରେ ରଖାଯାଇଛି।

ଏହି ଉପନିର୍ବାଚନରେ ଭୋଟ ଦେବା ପାଇଁ ୨,୨୧,୭୧୯ ଭୋଟର ଅଛନ୍ତି। ଯେଉଁଥିରେ ୧,୧୦,୬୧୯ ଜଣ ପୁରୁଷ ଏବଂ ୧,୧୧,୦୩୭ ଜଣ ମହିଳା ଏବଂ ୬୩ ଜଣ ତୃତୀୟ ଲିଙ୍ଗ ଏବଂ ୨୪୯ ଚାକିରୀଆ ଭୋଟର ଅଛନ୍ତି। ସେହିପରି ୨୫୩୪ ଭିନ୍ନକ୍ଷମ ଭୋଟର ଅଛନ୍ତି। ଏମାନେ ଯେପରି ସୁରକ୍ଷିତ ଭାବେ ଭୋଟ ଦେଇପାରିବେ ସେ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ବର୍ତ୍ତମାନ ଝାରସୁଗୁଡାରେ ସର୍ବାଧିକ ତାତି ରହୁଥିବାରୁ ବୁଥରେ ଭୋଟରମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବୁଥରେ ପିଇବା ପାଣି ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଭିନ୍ନକ୍ଷମ ଥିବା ବୁଥରେ ସେମାନଙ୍କ ପାଇଁ ଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ମଧ୍ୟ କୁହାଯାଇଛି। ଏଥିସହିତ ୧୧୮ଟି ଅଟୋ ଏବଂ ୨୫୩ଟି ହୁଇଲ ଚ୍ୟାୟାର ଏବଂ ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯାଇଛି।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ନିର୍ବାଚନରେ ମୋଟ ୧୮୧୪ ଜଣ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫୫ ଜଣ ପୋଲିସ୍ ଅଫିସର ଅଛନ୍ତି। ସେହିପରି ୧୭ ପ୍ଲାଟୁନ୍ ଆର୍ମଡ୍ ପୋଲିସ୍, ୩୨୩ ହାବିଳଦାର ଏବଂ କନଷ୍ଟେବଳ ଏବଂ ୨୦୫ ଜଣ ହୋମ ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇଛି।  ୦୭  କମ୍ପାନୀ ଉଇଚୠ ନିୟୋଜିତ କରାଯାଇଛି।

ମତଦାନ ଦିନ ଅର୍ଥାତ୍ ୧୦ ମଇ ୨୦୨୩ ରେ ପ୍ରଥମେ ମକ୍ ପୋଲ୍ ସକାଳ ୫.୩୦ ରେ ଆରମ୍ଭ ହେବ ଏବଂ ତା’ପରେ ମତଦାନ ପକ୍ରିୟା ସକାଳ ୭.୦୦ଟା ରେ ଆରମ୍ଭ ହେବ।ଜନସାଧାରଣଙ୍କ ସୂଚନା ପାଇଁ ଦୁଇ ଘଣ୍ଟିଆ ଭୋଟିଂପ୍ରତିଶତ ରିପୋର୍ଟ ପ୍ରକାଶ ପାଇବ। ଏହି ନିର୍ବାଚନରେ ମୋଟ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ଭୁବନେଶ୍ବର: ହାତରେ ଆଉ ମାତ୍ର ଗୋଟିଏ ଦିନ ରହିଲା। ଅର୍ଥାତ ଆଜି ସଂଧ୍ୟାରେ ସରିବ ପ୍ରଚାର। ଏହାପରେ ବାହାର ନେତାଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ପଡିବ। ଆସନ୍ତାକାଲି ମଙ୍ଗଳବାର ଗୋଟିଏ ଦିନ ବିଶ୍ରାମର ଦିନ। ସେଦିନ ଭୋଟରମାନେ କାହାକୁ ଭୋଟ ଦେବେ ସେ ନେଇ ଚିନ୍ତା କରିବେ। ବୁଧବାର ଦିନ ହେବ ଭୋଟଗ୍ରହଣ।

ଏହି ନିର୍ବାଚନରେ ଜିତିବା ପାଇଁ ତିନିଦଳର ପ୍ରାର୍ଥୀମାନେ ଯଥେଷ୍ଠ ଚେଷ୍ଠା କରିବାରେ ଲାଗିଛନ୍ତି। ଆଜି ସେମାନେ ଶେଷ ଭିକ୍ଷା ମାଗିବେ। ଝାରସୁଗୁଡା ପ୍ରଚାର ସ୍ରୋତକୁ ଲକ୍ଷ୍ୟ କଲେ ଏହା ସୂଚିତ ହେଉଛି ଯେ, ସେଠାରେ ମୁଖ୍ୟତଃ ବିଜେଡି ସହିତ ବିଜେପିର ଲଢେଇ ହେଉଛି। କଂଗ୍ରେସର ସେପରି ଦମଦାର ପ୍ରଚାର ପରିଲକ୍ଷିତ ହେଉ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ପୋଷ୍ଟରରେ ସରକାରୀ ଲୋଗୋ, ଅଭିଯୋଗ କଲା ବିଜେଡି

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ପ୍ରଚାରକୁ ଯିବେ ବୋଲି ପୂର୍ବରୁ ଏକ ପୋଷ୍ଟର ନିଜ ଟୁଇଟରରେ ରିଟୁଇଟି କରି ପ୍ରକାଶ କରିଥିଲେ। ଯାହାକୁ ନେଇ ଅଭିଯୋଗ କରିଛି ବିଜେଡି। ଏ ନେଇ ଦଳ ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି।

ବିଜେଡି କହିଛି ଯେ, ଧର୍ମେନ୍ଦ୍ର ଟୁଇଟରରେ ଦେଇଥିବା ପୋଷ୍ଟରରେ ଭାରତ ସରକାରଙ୍କ ପ୍ରଦତ୍ତ ଲୋଗୋ ଲାଗିଛି। ଏଥିରେ ଜି20 ଏବଂ ଆଜାଦ କି ଅମୃତ ମହୋତ୍ସବର ଲୋଗୋ ଲାଗିଛି। ଏହି ଲୋଗ ଭାରତ ସରକାରଙ୍କର ହୋଇଥିଲେ ମଧ୍ୟ ଧର୍ମେନ୍ଦ୍ର ଦଳୀୟ ପ୍ରଚାରର କିପରି ବ୍ୟବହାର କଲେ ସେ ନେଇ ବିଜେଡି ପ୍ରଶ୍ନ ଉଠାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡାରେ ନବୀନଙ୍କ ଦମଦାର ପ୍ରଚାର, ବିରୋଧୀ ଦଳକୁ କଲେ କଟୁ ସମାଲୋଚନା

ଝାରସୁଗୁଡା: ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଉପନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ ଅପରାହ୍ନରେ ଝାରସୁଗୁଡା ନିକଟସ୍ଥ ଅମିଲିପାଲିଠାରେ ବିରାଟ ସମାବେଶକୁ ସମ୍ବୋଧୀତ କରିଥିଲେ। ଏହି ସମ୍ବୋଧନ ବେଳେ ସେ ବିରୋଧୀ ବିଜେପିକୁ କଡା ସମାଲୋଚନା କରିଥିଲେ।

ନବୀନ ଦଳ ନାମ ନ ନେଇ ସେ ପଦମପୁର ଉପନିର୍ବାଚନ ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ, ସେଠାରେ ବର୍ଷା ବରିହାଙ୍କୁ ବିରୋଧୀ ଦଳ ଅପମାନଜନକ ଶଦ୍ଦ ପ୍ରୟୋଗ କରିଥିଲେ। ସେହିପରି ଝାରୁସୁଗୁଡାରେ ମଧ୍ୟ ଦୀପାଳିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଯାହା ଠିକ ନୁହେଁ ବୋଲି ନବୀନ କହିଥିଲେ।

ଉକ୍ତ ସଭାରେ ନବୀନ ଯାହା କହିଥିଲେ ତାହା ହେଲା…

ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ମୋର ପ୍ରଣାମ। ଏ ମାଟିକୁ ମୋର ପ୍ରଣାମ।

ଝାରସୁଗୁଡା ନିର୍ବାଚନମଣ୍ଡଳୀର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର । ଆଜିର କାର୍ଯ୍ୟକ୍ରମ ଆରମ୍ଭରେ ମୁଁ ପ୍ରଥମେ ଆପଣମାନଙ୍କ ପ୍ରିୟ ନେତା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ନବ ଦାସ ଜଣେ ଲୋକପ୍ରିୟ ନେତା, ଦକ୍ଷ ବିଧାୟକ ଓ ମନ୍ତ୍ରୀ ଭାବରେ ସାରା ଓଡିଶାରେ ପରିଚିତ ଥିଲେ । ସେ ଆଜି ଆମ ଭିତରେ ନାହାନ୍ତି । ତାଙ୍କ କାମ ପାଇଁ ଝାରସୁଗୁଡାବାସୀ ସବୁବେଳେ ତାଙ୍କୁ ମନେ ରଖିବେ।

ଆଜି ତାଙ୍କ ଦାୟିତ୍ବ ନେବାପାଇଁ, ଆପଣମାନଙ୍କ ସେବା କରିବାପାଇଁ, ତାଙ୍କ ଝିଅ ଦୀପାଳି ଦାସ ଆଗେଇ ଆସିଛନ୍ତି । ଆପଣ ଜାଣନ୍ତି, ସେ ଜଣେ ଉଚ୍ଚ ଶିକ୍ଷିତା ଝିଅ । ସମାଜସେବାରେ ତାଙ୍କର ବିଶେଷ ରୁଚି ରହିଛି । ମୋର ବିଶ୍ବାସ, ଦୀପାଳିଙ୍କୁ ଝାରସୁଗୁଡାବାସୀଙ୍କ ସେବାର ସୁଯୋଗ ମିଳିଲେ, ସେ ତାକୁ ଦକ୍ଷତାର ସହ ପାଳନ କରିପାରିବେ।

ଝାରସୁଗୁଡା ସବୁବେଳେ ବିକାଶ ସାଥିରେ ରହିଛି । ଆପଣମାନେ ବିକାଶରେ ବିଶ୍ବାସ କରନ୍ତି। ସେଥିପାଇଁ ବିଜୁ ଜନତା ଦଳ ସାଥିରେ ରହି ଆସିଛନ୍ତି। ବିଜୁ ଜନତା ଦଳ ମା ମାନଙ୍କ କଲ୍ୟାଣରେ ବିଶ୍ବାସ କରେ। ମା ମାନଙ୍କ ସଶକ୍ତରେ ବିଶ୍ବାସ କରେ । ଚାଷୀ ଭାଇର ସଶକ୍ତ ଉପରେ ବିଶ୍ବାସ କରେ। ଯୁବଶକ୍ତିର ସଶକ୍ତରେ ବିଶ୍ବାସ କରେ। ଶିଳ୍ପ କ୍ଷେତ୍ରରେ ଝାରସୁଗୁଡାର ସ୍ବତନ୍ତ୍ର ପରିଚୟ ରହିଛି । ଆପଣମାନଙ୍କ ସହଯୋଗ ଜାରି ରହିଲେ, ଝାରସୁଗୁଡା ଦେଶର ଏକ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇପାରିବ।

ନିର୍ବାଚନରେ ହାର ଜିତ୍‌ ରହିଛି। ତେଣୁ ନିର୍ବାଚନ ପ୍ରଚାର ସମୟରେ ଆମେ ସମସ୍ତେ ଶାଳୀନତା ରକ୍ଷା କରିବା ଜରୁରୀ। କାହାକୁ, ବିଶେଷ କରି, ଆମର ମହିଳା ମାନଙ୍କୁ, ଆମର ମା ମାନଙ୍କୁ, ଗାଳି ଦେବା, ଅସମ୍ମାନ କରିବା ଉଚିତ ନୁହେଁ।

ପଦ୍ମପୁର ଉପ ନିର୍ବାଚନରେ ବିରୋଧୀ ଦଳ ବାପାଙ୍କୁ ହରାଇ ଥିବା ଗୋଟିଏ ଝିଅ ପ୍ରତି ଯେଭଳି ବ୍ୟବହାର କଲେ, ତାହା ଆପଣ ଜାଣନ୍ତି । ଦୁଃଖର କଥା, ଏଠାରେ ମଧ୍ୟ ସେମାନେ ଦୀପାଳିଙ୍କ ପ୍ରତି ସେହିଭଳି ବ୍ୟବହାର କରୁଛନ୍ତି । ଗାଳି ଦେଉଛନ୍ତି। ଏହା ମୋତେ ବହୁତ ଦୁଃଖ ଦେଇଛି।

ଦୀପାଳି ଏ ମାଟିର ଝିଅ। ଏ ମାଟିର ସେବା କରିବା ପାଇଁ ଆପଣମାନେ ତାକୁ ସୁଯୋଗ ଦେବେ, ଏ ଭରସା ମୋର ଅଛି । ମୋର ଅନୁରୋଧ, ଆପଣମାନେ ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରନ୍ତୁ। ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ। ଧନ୍ୟବାଦ। ଜୁହାର

Categories
ଆଜିର ଖବର ରାଜ୍ୟ ଖବର

କାଲି ସରିବ ପ୍ରଚାର, ଆଜି ଦୁଲୁକିବ ଝାରସୁଗୁଡା

ଭୁବନେଶ୍ବର: ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ତାରିଖ। କାରଣ ଆସନ୍ତା ଦଶ ତାରିଖରେ ଏହି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଆଉ ମାତ୍ର ଗୋଟିଏ ଦିନ ବାକି ଥିବାରୁ ସବୁ ଦଳ ପ୍ରଚାରକୁ ଜୋରଯାର କରି ଦେଇଛନ୍ତି।

ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନବୀନ ଅମିଲିପାଲିଠାରେ ବିଶାଳ ଜନ ସମାବେଶକୁ ଉଦବୋଧନ ଦେବେ। ନବୀନ ଆଜି ଅପରହ୍ନରେ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଝାରସୁଗୁଡା ଯାଇ ସେଠାରୁ ସଭାସ୍ଥଳକୁ ଯିବେ।

ସେହିପରି ଆଜି ଦିନରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଇଦାନକୁ ଓହ୍ଲାଇବେ। ସେ ପ୍ରାର୍ଥୀ ଟଙ୍କଧରଙ୍କୁ ଧରି ବିଭିନ୍ନ ସ୍ଥାନରେ ସଭାକରିବେ ବୋଲି ନିଷ୍ପତି ହୋଇଛି। ଫଳରେ ଆଜି ଝାରସୁଗୁଡା ମଇଦାନ ପୁରା ଦୁଲୁକିବ ବୋଲି ଜଣାପଡିଗଲାଣି।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଛି ବିଜେଡି: ବିଜେପି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ବିଜୁ ଜନତା ଦଳ ମହିଳା ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କରିବା ସହ ଜନତାଙ୍କୁ ଟଙ୍କା ବାଂଟି ନିର୍ବାଚନ ଆଇନ ଉଲଘଂନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଆଜି ଏ ନେଇ ଦଳର ମୁଖପାତ୍ର ସୋନାଲି ସାହୁଙ୍କ ନେତୃତ୍ବରେ ଏକ ଟିମ ସିଇଓଙ୍କୁ ସାକ୍ଷାତ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ, ଗତକାଲି ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କୋଲାବିରା ବ୍ଲକ ଜିଲ୍ଲାପାଲି ଗ୍ରାମ ପଂଚାୟତର କମ୍ୟୁନିଟି ରିସୋର୍ସ ପର୍ସନ(ସିଆରପି) ଅସ୍ମିତା ନାୟକ, ବିନତା ନାୟକ, ଜେ.ପଣ୍ଡାକିମାଲ ଓ ପୂଜା ପଟେଲ ବିଜୁ ଜନତା ଦଳର ନିର୍ବାଚନୀ ପ୍ରଚାରରେ ସିଧାସଳଖ ଯୋଗ ଦେଇଥିଲେ। ସେହିପରି ସରବାହଲ ୧ନଂ ୱାର୍ଡର ଅଙ୍ଗନୱାଡି ଦିଦି ସୁରୁଚି ପାଢ଼ି ଖୋଲା ଖୋଲି ସୋସିଆଲ ମିଡିଆରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରୁଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ବିଜେପି ଦାବୀ କରିଛି। ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଉମାକାନ୍ତ ପଟ୍ଟନାୟକ, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ୍ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେଲା ଝାରସୁଗୁଡା ଉପନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ସମୁଦାୟ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିବସ । ଭୁବନେଶ୍ୱର ଗର୍ତିଆ ନାମକ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ଉପନିର୍ବାଚନ ମଇଦାନରେ ୯ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି ।

ସେମାନେ ହେଲେ ଭାରତୀୟ ଜନତା ପାର୍ଟିର ଟଙ୍କଧର ତ୍ରିପାଠୀ, ଭାରତୀୟ ଜାତୀୟ କଂଗ୍ରେସର ତରୁଣ ପାଣ୍ଡେ, ବିଜୁ ଜନତା ଦଳର ଦୀପାଳି ଦାସ, ଓଡ଼ିଶା ପ୍ରଗତି ଦଳର ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହିନ୍ଦ୍ର ପଟ୍ଟନାୟକ, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଜାଳାନ, ସ୍ୱାଧୀନ ପ୍ରାର୍ଥୀ ମହେନ୍ଦ୍ର ଲୁହା ଓ ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା ପ୍ରମୁଖ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପି ପ୍ରକାଶ କଲା ଷ୍ଟାର ପ୍ରଚାରକ ତାଲିକା, ଦୁଇ ନମ୍ବରରେ ଜୁଏଲ, ତିନି ନମ୍ବରରେ ଧର୍ମେନ୍ଦ୍ର

ଭୁବନେଶ୍ବର: ଆଜି ବିଜେପି ମଧ୍ୟ ଝାରସୁଗୁଡା ଉପନିର୍ବାଚନ ପାଇଁ ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଚାଳିଶ ଜଣିଆ ଏହି ତାଲିକାରେ ପ୍ରଥମେ ଅଛନ୍ତି ଦଳର ସଭାପତି ମନମୋହନ ସାମଲ। ଏହାପରେ ଦ୍ବିତୀୟରେ ଅଛନ୍ତି ଜୁଅଲ ଓରାମ। ତୃତୀୟକୁ ଖସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲେ

ଏଥର ଝାରସୁଗୁଡା ଉପନିର୍ବାଚନ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଦଳ ପ୍ରଥମ ଥର ପାଇଁ ଲଢେଇ କରୁଛି। ସେଥିପାଇଁ ମନମୋହନ ବେଶ ମାପିଚୁପି ଏହି ତାଲିକା ପ୍ରସ୍ତୁତ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ନିଜ ଦଳର ପ୍ରାର୍ଥୀଙ୍କ ପ୍ରଚାରର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଗତକାଲି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଦଳୀୟ ଟିକେଟ ପ୍ରଦାନ କରି ଏହି ପ୍ରଚାର କରିଛନ୍ତି। ଦୀପାଳି ନବୀନ ନିବାସରେ ଖୋଦ ମୁଖ୍ୟମନ୍ତ୍ରୀଙ୍କଠାରୁ ଏହି ଟିକେଟ ଗ୍ରହଣ କରିଛନ୍ତି।

ଏହି ସମୟରେ ବିଜେଡିର ଝାରସୁଗୁଡା ଉପନିର୍ବାଚନର ମଙ୍ଗୁଆଳ ପ୍ରଣବ ପ୍ରକାଶ ଦାସ ଏବଂ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ଏହି ଟିକେଟ ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ଏକ ଟୁଇଟ କରିଛନ୍ତି। ସେଥିରେ ସେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଦୀପାଳି ଦାସଙ୍କୁ ବିଜୁ ଜନତା ଦଳର ଟିକେଟ ପ୍ରଦାନ କଲି। ଲୋକଙ୍କ କଲ୍ୟାଣ ସହ ଝାରସୁଗୁଡ଼ା ବିକାଶ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ଉପନିର୍ବାଚନରେ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।’

ଝାରସୁଗୁଡା ଉପନିର୍ବାଚନ ପାଇଁ ମେ୧୦ ତାରିଖରେ ଭୋଟ ଗ୍ରହଣ ହେବ। ସେଥିପାଇଁ ୨୦ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଏପ୍ରିଲ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଏବଂ ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ। ସେହିଭଳି ମେ ୧୦ ତାରିଖରେ ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ମେ’ ୧୩ ତାରିଖରେ ଭୋଟ ଗଣତି ହେବ।

ଏହି ଉପନିର୍ବାଚନ ପାଇଁ ବିଜେଡି ପ୍ରଥମେ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଏହାପରେ କଂଗ୍ରେସ ଦଳ ପୂର୍ବତନ ବିଧାୟକ ସ୍ବର୍ଗତ ବିରେନ୍ଦ୍ର ପାଣ୍ଡେଙ୍କ ପୁତ୍ର ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା। ଶେଷରେ ବହୁ ବାଦବିବାଦ ପରେ ବିଜେପି ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି। ପ୍ରାର୍ଥୀ ପତ୍ର ଦଖଲ ପରେ ଆରମ୍ଭ ହେବ ଘମାଘଟ ଲଢେଇ।