ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Apr 16, 2023, 11:28 am IST

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ନିଜ ଦଳର ପ୍ରାର୍ଥୀଙ୍କ ପ୍ରଚାରର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଗତକାଲି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଦଳୀୟ ଟିକେଟ ପ୍ରଦାନ କରି ଏହି ପ୍ରଚାର କରିଛନ୍ତି। ଦୀପାଳି ନବୀନ ନିବାସରେ ଖୋଦ ମୁଖ୍ୟମନ୍ତ୍ରୀଙ୍କଠାରୁ ଏହି ଟିକେଟ ଗ୍ରହଣ କରିଛନ୍ତି।

ଏହି ସମୟରେ ବିଜେଡିର ଝାରସୁଗୁଡା ଉପନିର୍ବାଚନର ମଙ୍ଗୁଆଳ ପ୍ରଣବ ପ୍ରକାଶ ଦାସ ଏବଂ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ଏହି ଟିକେଟ ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ଏକ ଟୁଇଟ କରିଛନ୍ତି। ସେଥିରେ ସେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଦୀପାଳି ଦାସଙ୍କୁ ବିଜୁ ଜନତା ଦଳର ଟିକେଟ ପ୍ରଦାନ କଲି। ଲୋକଙ୍କ କଲ୍ୟାଣ ସହ ଝାରସୁଗୁଡ଼ା ବିକାଶ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ଉପନିର୍ବାଚନରେ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।’

ଝାରସୁଗୁଡା ଉପନିର୍ବାଚନ ପାଇଁ ମେ୧୦ ତାରିଖରେ ଭୋଟ ଗ୍ରହଣ ହେବ। ସେଥିପାଇଁ ୨୦ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଏପ୍ରିଲ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଏବଂ ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ। ସେହିଭଳି ମେ ୧୦ ତାରିଖରେ ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ମେ’ ୧୩ ତାରିଖରେ ଭୋଟ ଗଣତି ହେବ।

ଏହି ଉପନିର୍ବାଚନ ପାଇଁ ବିଜେଡି ପ୍ରଥମେ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଏହାପରେ କଂଗ୍ରେସ ଦଳ ପୂର୍ବତନ ବିଧାୟକ ସ୍ବର୍ଗତ ବିରେନ୍ଦ୍ର ପାଣ୍ଡେଙ୍କ ପୁତ୍ର ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା। ଶେଷରେ ବହୁ ବାଦବିବାଦ ପରେ ବିଜେପି ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି। ପ୍ରାର୍ଥୀ ପତ୍ର ଦଖଲ ପରେ ଆରମ୍ଭ ହେବ ଘମାଘଟ ଲଢେଇ।

Related posts