Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡାର ବିପୁଳ ବିଜୟ ପରେ ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ବର: ଆଜି ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି। ଏହି ଅଭିଭାଷଣରେ ସେ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ବିଜେପି ଦଳର ନାମ ନ ନେଇ ନ ଥିଲେ ମଧ୍ୟ ତାଙ୍କର ସମାଲୋଚନା ବିଜେପି ପାଇଁ ଥିଲା ତାହା ସ୍ପଷ୍ଟ ହୋଇଛି।

ସେ ପୁଣି ଥରେ ସେହି ମହିଳାଙ୍କ କଥାକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ବିରୋଧୀ ଦଳ ମହିଳାମାନଙ୍କୁ ଯେପରି ଅସମ୍ମାନ କରୁଛନ୍ତି ତାହା ହେଉଛି ଏକ ଡେଞ୍ଜରିୟସ ଟ୍ରେନଣ୍ଡ। ସେଥିପାଇଁ ସେମାନଙ୍କୁ ଲୋକମାନେ ପ୍ରତ୍ୟାଖାନ କରିଦେଇଛନ୍ତି ବୋଲି ନବୀନ ଅଭିଭାଷଣରେ କହିଛନ୍ତି। ସେ କର୍ମିମାନଙ୍କୁ ତଥା ଝାରସୁଗୁଡାବାସୀଙ୍କୁ ଯେଉଁ ଅଭିଭାଷଣ ପ୍ରଦାନ କରିଛନ୍ତି ତାହା ହେଲା।

ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର ଓ ଜୁହାର, ଝାରସୁଗୁଡ଼ା ଉପନିର୍ବାଚନରେ, ବିଜୁ ଜନତା ଦଳର ବିପୁଳ ବିଜୟ ପାଇଁ ଆପଣମାନଙ୍କୁ ମୋର ଅଭିନନ୍ଦନ। ଏ ବିଜୟ ଝାରସୁଗୁଡ଼ା ବାସୀଙ୍କର ବିଜୟ, ମହିଳାଶକ୍ତିର ବିଜୟ, ଏଥିପାଇଁ ଝାରସୁଗୁଡ଼ା ବାସୀଙ୍କ ନିକଟରେ ମୁଁ ଋଣୀ
ବିଜୁ ଜନତା ଦଳ ଋଣୀ।

ଆମ ଦଳର, ଲକ୍ଷ ଲକ୍ଷ, କର୍ମୀ ଭାଇ ଓ ଭଉଣୀଙ୍କୁ, ଏ ବିଜୟ ପାଇଁ ମୁଁ, ଧନ୍ୟବାଦ ଜଣାଉଛି।
ଏ ଖରା, ଗରମରେ, ସେମାନଙ୍କ ପରିଶ୍ରମ ଓ ତ୍ୟାଗକୁ, ସମ୍ମାନ ଜଣାଉଛି। ମୁଁ, ଆଜି କଥା ଦେଉଛି, ଝାରସୁଗୁଡ଼ା ଅଞ୍ଚଳର, ଉନ୍ନତି ପାଇଁ ବିଜୁ ଜନତା ଦଳ, ତାର ଉଦ୍ୟମକୁ, ଆହୁରି ଯୋରଦାର କରିବ। ଝାରସୁଗୁଡ଼ା ପାଇଁ, ନବ ବାବୁ ଆରମ୍ଭ କରିଥିବା, ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ।

ପଦ୍ମପୁର ଉପ ନିର୍ବାଚନ ବେଳେ, ବିରୋଧି ଦଳ ଆମର ମା ମାନଙ୍କୁ, ଅସମ୍ମାନ କରିଥିଲେ। ପଦ୍ମପୁରରେ, ଆମର ମହିଳା ପ୍ରାର୍ଥୀଙ୍କୁ, ଖରାପ ଭାଷାରେ, ଗାଳି କରୁଥିଲେ। ପଦ୍ମପୁର ହେଉ ବା ଝାରସୁଗୁଡ଼ା, ସବୁଠାରେ ସେମାନେ ବାପାଙ୍କୁ ହରେଇଥିବା ଝିଅ ମାନଙ୍କୁ ଗାଳି କରିଛନ୍ତି। ପ୍ରତ୍ୟେକ ଉପ ନିର୍ବାଚନ ରେ ସେମାନେ ମିଶନ ଶକ୍ତିର ନେତ୍ରୀ,ତଥା ତୃଣମୂଳ ସ୍ତରରେ କାମ କରୁଥିବା, ମାଆ ମାନଙ୍କୁ ସବୁବେଳେ ସମାଲୋଚନା କରି ଆସୁଛନ୍ତି। ଇତିହାସ ସାକ୍ଷୀ ।

ଓଡ଼ିଶାବାସୀ କେବେବି ମା ମାନଙ୍କ ପ୍ରତି ଏଭଳି ଅସମ୍ମାନ କୁ ବରଦାସ୍ତ କରିନାହାନ୍ତି।
ଆମର ଝିଅ ମାନେ ଆମର ଗର୍ବ। ବିଜୁ ଜନତା ଦଳ ସବୁବେଳେ, ସାଧାରଣ ଜୀବନରେ ମା ମାନଙ୍କ ଯୋଗଦାନକୁ ଉତ୍ସାହିତ କରିଆସିଛି । ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ ମିଶନ ଶକ୍ତି ପରି ମଞ୍ଚ ଯୋଗାଇ ଦେଇଛି।

ହାଣ୍ଡିଶାଳ ଚାରି କାନ୍ଥରୁ ସେମାନଙ୍କୁ ବାହାରକୁ ଆଣି, ମିଶନ ଶକ୍ତି ସେମାନଙ୍କୁ ସଶକ୍ତ କରିଛି। ମିଶନ ଶକ୍ତି ଏହି ଆଦର୍ଶକୁ ସୁବେବେଳେ ବିଶ୍ବାସ। ବିରୋଧି ଦଳ, ସବୁବେଳେ ମା ମାନଙ୍କ ସଶକ୍ତୀକରଣ କୁ ବିରୋଧ କରି ଆସୁଛି। This is a dangerous trend. ଓଡିଶାବାସୀ ଏଭଳି ବ୍ୟବହାରକୁ ସବୁବେଳେ ନାପସନ୍ଦ କରି ଆସିଛନ୍ତି। ପ୍ରତ୍ୟାଖାନ କରିଛନ୍ତି।

ଆସନ୍ତୁ ଆମେ ସମସ୍ତେ ମିଳିମିଶି ଓଡିଶାର ଉନ୍ନତି ପାଇଁ ଆମ ଗଣତାନ୍ତ୍ରିକ ମୂଲ୍ୟ ପାଇଁ ଆମ ସାଂସ୍କୃତିକ ସଂହତି ଓ ମା ମାନଙ୍କ ସମ୍ମାନ, ମା ମାନଙ୍କ ଅଧିକାର ସୁରକ୍ଷା ପାଇଁ, କାମ କରି ଚାଲିବା । ଧନ୍ୟବାଦ,ବନ୍ଦେ ଉତ୍କଳ ଜନନୀ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦେଶରେ କଂଗ୍ରେସ କମିଙ୍ଗି, ହେଲେ ଓଡିଶାରେ କଂଗ୍ରେସ ଗୋଇଁଙ୍ଗି…

ଭୁବନେଶ୍ବର: କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଏକ ବକ୍ତବ୍ୟ ହେଲା କଂଗ୍ରେସ କମିଙ୍ଗି। ହେଲେ ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ସେହି ବକ୍ତବ୍ୟ ହେବ, ଦେଶରେ କଂଗ୍ରେସ କମିଙ୍ଗ, ହେଲେ ଓଡିଶାରେ କଂଗ୍ରେସ ଗୋଇଙ୍ଗି। କାରଣ ଜାତୀୟ ସ୍ତରରେ ବର୍ତ୍ତମାନ କଂଗ୍ରେସ ସ୍ଥିତିରେ ସୁଧାର ଆସୁଥିବା ବେଳେ ଓଡିଶାରେ ତାହା ହୋଇପାରୁ ନାହିଁ।

ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନ ଫଳାଫଳକୁ ବିଚାରକୁ ନିଆଯାଉ। ସେଠାରେ କଂଗ୍ରେସର ଦୟନୀୟ ଅବସ୍ଥା ହେଲା। ଅମାନତ ହରାଇଲା। ସେତିକି ନୁହେଁ ଗତ ନିର୍ବାଚନରେ କଂଗ୍ରେସକୁ ଲୋକେ ଯେତିକି ଭୋଟ ଦେଇଥିଲେ ଏଥର ସେତିକି ମଧ୍ୟ  ଦେଲେ ନାହିଁ। ଉଭୟ ବିଜେଡି ଓ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ କଂଗ୍ରେସ ଭୋଟ ହରାଇଛି।

ଭୋଟ ଗଣନାରୁ ଜଣାପଡିଛି ଯେ, ଝାରସୁଗୁଡାରେ କଂଗ୍ରେସ ମୋଟ ୪୪୯୬ ଖଣ୍ଡ ଭୋଟ ମିଳିଛି। ହେଲେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୮୮୨୩ ଖଣ୍ଡ ଭୋଟ ହାତେଇଥିଲେ। ଫଳରେ ଏହି ଉପନିର୍ବାଚନରେ କଂଗ୍ରେସ ୧୪ ୩୨୭ ଖଣ୍ଡ ଭୋଟ ହରାଇଛି। ଏକ ବଡ ବ୍ୟବଧାନ ସୃଷ୍ଟି ହୋଇଛି। କଂଗ୍ରେସ ଜଣେ ଯୁବ ତଥା ପୂର୍ବତନ ବିଧାୟକଙ୍କ ପୁଅଙ୍କୁ ପ୍ରାର୍ଥୀ କରିଥିଲା। ତଥାପି ଏପରି ଦୟନୀୟ ଅବସ୍ଥା ହେବାକୁ ନେଇ କଂଗ୍ରେସ ଚିନ୍ତା କରିବାର ଆବଶ୍ୟକ ରହିଛି।

ଅନ୍ୟପକ୍ଷରେ ଦେଖିଲେ ଉଭୟ ବିଜେଡି ଓ ବିଜେପି ଗତ ବିଧାନସଭା ନିର୍ବାଚନ ଅପେକ୍ଷା ଅଧିକ ଭୋଟ ହାତେଇଛନ୍ତି। ଗତଥର ବିଜେଡି ୯୮୬୨୦ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ଉପନିର୍ବାଚନରେ ଦୀପାଳି ୧୦୭୧୯୮ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଗତ ବିଧାନସଭା ନିର୍ବାଚନରେ ବିଜେପି ୫୨୯୨୧ ଖଣ୍ଡ ଭୋଟ ହାସଲ କରିଥିବା ବେଳେ ଏଥର ବିଜେପକୁ ମିଳିଛି ୫୮୪୭୭ ଖଣ୍ଡ ଭୋଟ। ଅର୍ଥାତ ଗତ ବିଧାନସଭା ନିର୍ବାଚନରୁ ବିଜେଡି ୮୫୭୮ ଖଣ୍ଡ ଏବଂ ବିଜେପି ୫୫୫୬ ଖଣ୍ଡ ଅଧିକ ଭୋଟ ହାସଲ କରିଛନ୍ତି।

ଏଥର କଂଗ୍ରେସ ନୂଆ ନେତୃତ୍ବ ନୂଆ ପ୍ରାର୍ଥୀଙ୍କୁ ଧରି ନିର୍ବାଚନ ମଇଦାନରେ ଓହ୍ଲାଇଥିଲା। ନୂଆ ନେତୃତ୍ବ ମଧ୍ୟରେ ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ସମସ୍ତେ ଆଶା କରିଥିଲେ ବିଜୟ ପଟ୍ଟନାୟକଙ୍କ ପ୍ରଶାସନିକ ଅଭିଜ୍ଞତାକୁ ପାଥେୟ କରି ଝାରସୁଗୁଡାରେ କିଛି କରି ଦେଖାଇବେ। ହେଲେ ତାହା ଫସର ଫାଟିଛି। ନା ଶରତ ନା ବିଜୟ କାହାକୁ ହେଲେ ଭୋଟର ପସନ୍ଦ କଲେ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପାଳଙ୍କୁ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ବର: ଆଜି ବିପୁଳ ଭୋଟରେ ବିଜୟଲାଭ କରି ଝାରସୁଗୁଡା ଆସନ ଦଖଲ କରିଛନ୍ତି ଦୀପାଳି ଦାସ। ତାଙ୍କର ଏହି ବିଜୟରେ ସେଠାରେ ବିଜେଡି ଉତ୍ସବ ମନାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୀପାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଫୋନ ଯୋଗେ ଦୀପାଳି ସହିତ ନବୀନ କଥା ହୋଇ ତାଙ୍କୁ ଏହି ଅଭିନନ୍ଦନ ଜଣାଇଛନ୍ତି।

ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ହୋଇଛି। ଦୀପାଳି ଦାସ ୪୮ହଜାର ୨୩୭ ଭୋଟରେ ବିଜୟୀ ହୋଇଛନ୍ତି। ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି। କାରଣ ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ। ଦୀପାଳି ଦାସ ୧,୦୭,୦୦୩ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮,୩୮୪, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଛି ମାତ୍ର ୪,୪୭୩ ଖଣ୍ଡ ଭୋଟ।

Categories
ଆଜିର ଖବର ରାଜ୍ୟ ଖବର

Breaking News: ଝାରସୁଗୁଡାରେ ଦୀପାଳି ଆଗୁଆ, ଦ୍ବିତୀୟରେ ବିଜେପିର ଟଙ୍କଧର

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନର ପ୍ରଥମ ରାଉଣ୍ଡ ଫଳାଫଳ ହସ୍ତଗତ ହୋଇଛି। ପ୍ରଥମ ରାଉଣ୍ଡ ଫଳ ଅନୁସାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଜେଡିର ଦୀପାଳି ପ୍ରଥମ ରାଉଣ୍ଡରେ ୫୯୪୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିକୁ ମିଳିଛି ୩୨୩୮ଟି ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମିଳିଛି ମାତ୍ର ୧୨୩ ଖଣ୍ଡ ଭୋଟ।

ପ୍ରଥମ ରାଉଣ୍ଡ ଗଣତିରେ ବର୍ତ୍ତମାନ ଦୀପାଳି ଦାସ ବିଜେପିର ଟଙ୍କଧର ତ୍ରିପାଠୀଙ୍କଠାରୁ ୨୭୦୬  ଭୋଟରେ ଆଗୁଆ ଅଛନ୍ତି। ଆଜି ସକାଳୁ ଝାରସୁଗୁଡା ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମେ ପୋଷ୍ଟାଲ ଭୋଟ ଗଣତି କରାଯାଇଥିଲା। ଏହାପରେ ଇଭିଏମ ଗଣତି ଆରମ୍ଭ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଝାରସୁଗୁଡା ଉପନିର୍ବଚନ ଭୋଟ ଗଣତି, ଜାଣନ୍ତୁ କିପରି ହୋଇଛି ବ୍ୟବସ୍ଥା

ଭୁବନେଶ୍ବର: ଆଜି ଝାରସୁଗୁଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ହେବ। ଏହି ଗଣତି ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ପରିସରରେ ସକାଳ ୮ ଘଟିକା ସମୟରେ ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଓ ଠିକ୍‌ ୮.୩୦ ମିନିଟରେ ଇଭିଏମ୍‌ ଗଣତି ଆରମ୍ଭ ହେବ। ଭୋଟଗଣତି ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।

ଏହି ଉପନିର୍ବାଚନରେ ମୋଟ ଭୋଟର ୨ ଲକ୍ଷ ୨୧ ହଜାର ୭୧୯ ହୋଇଥିବା ବେଳେ ଭୋଟ ଦେଇଛନ୍ତି ୧ ଲକ୍ଷ ୭୫ ହଜାର ୬୧୬ ଜଣ। ସେହିପରି ଏହି ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୧୦ ହଜାର ୬୧୯ ଥିବା ବେଳେ ଭୋଟ ଦେଇଛନ୍ତି ୮୯ ହଜାର ୪୪ ଜଣ। ସେହିପରି ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୧୧ ହଜାର ୩୭ ଥିବା ବେଳେ  ୮୬ ହଜାର ୫୬୦ ଜଣ ମତଦାନରେ ଭାଗ ନେଇଛନ୍ତି।  ଏହିମାନେ ମୋଟ ପ୍ରତିଦ୍ବନ୍ଦିତା କରୁଥିବା ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ଭୋଟ ଗଣତି ପାଇଁ ପ୍ରସ୍ତୁତି ବୈଠକ, ନିଆଗଲା ଏହି ପଦକ୍ଷେପ

ଭୁବନେଶ୍ୱର: ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଝାରସୁଗୁଡ଼ା ଉପନିର୍ବାଚନ ଭୋଟଗଣତି ସଂପର୍କରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୋଟଗଣତି ସଂପର୍କରେ ଆଲୋଚନା କରିଥିଲେ।

ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ପରିସରରେ ସକାଳ ୮ ଘଟିକା ସମୟରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ ଓ ଠିକ୍‌ ୮.୩୦ ମିନିଟରେ ଇଭିଏମ୍‌ ଗଣତି ଆରମ୍ଭ ହେବ। ଭୋଟଗଣତି ନିମନ୍ତେ ସମସ୍ତ ପ୍ରକାରର ସୁବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି।

ଭୋଟଗଣତି କେନ୍ଦ୍ର ତଥା ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ଚତୁଃପାଶ୍ୱର୍ରେ ଭୋଟଗଣତି ଦିନ ସମ୍ଭାବ୍ୟ ଜନଗହଳିକୁ ପରିଚଳାନା ସହ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୋଟଗଣତି ଦିନ ଯେପରି କୌଣସି ପ୍ରକାରର ଅସୁବିଧା ନହେବ, ସେଥି ଲାଗି ପ୍ରସ୍ତୁତ ରହିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆଭାସୀ ବୈଠକରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍‌ ନର୍‌ୱାଣେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମଥ୍‌ ପି. ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ ଓ ଲଙ୍କେଶ୍ୱର ଅମାତ, ଉପଜିଲ୍ଲାପାଳ ରିଟର୍ଣ୍ଣିଂ କିଶୋର ଚନ୍ଦ୍ର ସ୍ୱାଇଁ, ଝାରସୁଗୁଡ଼ା ଡି.ଆଇ.ଓ, ଏନ୍‌ଆଇସି ଅକ୍ଷୟ କୁମାର ମିଶ୍ର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଓଏସ୍‌ଡି ଭବାନୀ ପ୍ରସାଦ ରାୟ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ, ବିତ୍ତ ଅଧିକାରୀ ସଂଜୟ କୁମାର ଲୁଗୁନ୍‌, ଆଇଟି ନୋଡାଲ ଅଧିକାରୀ ଦେବରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆସିଲା ଝାରସୁଗୁଡା ଉପନିର୍ବାଚନର ମତଦାନ ରିର୍ପୋଟ

ଭୁବନେଶ୍ବର: ଗତକାଲି ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। କାଭାଁ ଗଣ୍ଡଗୋଳ ବ୍ୟତିତ ଶାନ୍ତିଶୃଙ୍ଖଳାରେ ଏହି ମତଦାନ ଶେଷ ହୋଇଛି। ତେବେ ଗତକାଲି ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ପ୍ରବାହିତ ହୋଇଥିଲେ ମଧ୍ୟ ଭୋଟ ହାର ମଧ୍ୟ ବୃଦ୍ଧି ପାଇଛି। ଖରାରେ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବାର ଜଣାପଡିଛି।

ଓଡିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଗତକାଲି ୭୯.୨୧  ପ୍ରତିଶତ ଭୋଟିଂ ହୋଇଛି । ଏହି ଗଣତନ୍ତ୍ର ପକ୍ରିୟାରେ ମୋଟ ଏକ ଲକ୍ଷ ୫୧ ହଜାର ୩୫ ଜଣ ମତଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ୭୪ ହଜାର ୮ ଜଣ ପୁରୁଷ ଓ ୭୭ହଜାର ୨୦ଜଣ ମହିଳା ଭୋଟର ରହିଛନ୍ତି। ଭୋଟଦାନରେ ପୁରୁଷଙ୍କୁ ପଛରେ ପକାଇଛନ୍ତି ମହିଳା। ଆସନ୍ତା ୧୩ ତାରିଖରେ ଭୋଟ ଗଣତି କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନରେ ଭୋଟ ଦେଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା: ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଜି ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ସକାଳୁ ସକାଳୁ ଝାରସୁଗୁଡାର ୧୯ ନମ୍ବର ୱାର୍ଡର ଗୁଜୁରାଟୀ କଲୋନୀର ୭୦ ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି। ଏଥିସହିତ ସେ ଅଧିକ ସଂଖ୍ୟାରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।

ଆଜି ସକାଳୁ ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଖରା ସତ୍ବେ ଭୋଟରମାନେ ସେମାନଙ୍କର ମତଦାନ ଦେବାରେ ଆଗ୍ରହ ପରିଲକ୍ଷିତ ହୋଇଛି। ଏହି ଗଣତନ୍ତ୍ର ପକ୍ରିୟାରେ ମୋଟ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀଗଣେଷଙ୍କୁ ପୂଜା କରି ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡା: ଆଜି ହେଉଛି ଝାରସୁଗୁଡା ଉପନିର୍ବାଚନ ପାଇଁ ପରୀକ୍ଷା। ଏହି ପରୀକ୍ଷାରେ କିପରି ଜିତିବେ ସେ ନେଇ ସବୁ ଦଳ ଆଗରୁ ପ୍ରଚାର କରିସାରିଛନ୍ତି। ଏବେ ଭଗବାନଙ୍କ ଉପରେ ଭରସା। ସେହି ପରପ୍ରେକ୍ଷୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ସକାଳୁ ପୂଜା ଅର୍ଚ୍ଚନା କରିଛନ୍ତି।

ଦୀପାଳି ଶ୍ରୀ ଗଣେଷଙ୍କ ନିକଟରେ ପୂଜା ଅର୍ଚ୍ଚନା କରି ନିଜର ମନବାଞ୍ଚା ପୂରଣ କରିବା ପାଇଁ ନିବେଦନ କରିଛନ୍ତି। ଶ୍ରୀଗଣେଷଙ୍କୁ ଆରାଧନା କରିବା ପରେ ଦୀପାଳି ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ଯାଇଥିଲେ। ସେ ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ସରବାହାଲର ମତଦାନ କେନ୍ଦ୍ରରେ ନିଜର ମତଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୋଟ ଦେଉଛି ଝାରସୁଗୁଡା, ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ

ଝାରସୁଗୁଡା: ଆଜି ଝାରସୁଗୁଡା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ସାତଟାରୁ ଆରମ୍ଭ ହୋଇଥିଲା ଏହି ମତଦାନ ପକ୍ରିୟା। ଏଥିରେ ଭୋଟରମାନେ ସକାଳୁ ସକାଳୁ ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଆଜି ସକାଳ ନଅଟା ସୁଦ୍ଧା ନଅ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।

ପ୍ରବଳ ଖରା ପାଇଁ ବିଭିନ୍ନ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଧାଡିରେ ଛିଡା ହୋଇଥିବା ଭୋଟରମାନଙ୍କ ଉପରେ ପାଣି ସିଞ୍ଚନ କରାଯାଉଛି। ଏଥିସହିତ ପାଣି ପଣା ପ୍ରଦାନର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ଏହି ମତଦାନରେ ଉଭୟ ବିଜେପି ଏବଂ ବିଜେଡି ପ୍ରାର୍ଥୀ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଭୋଟ ଦେବ ଝାରସୁଗୁଡା, ୧୭ ପ୍ଲାଟୁନ୍ ଆର୍ମଡ୍ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ବର: ଆସନ୍ତାକାଲି ବହୁ ପ୍ରତୀକ୍ଷିତ ଝାରସୁଗୁଡା ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ। ସେଥିପାଇଁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଝାରସୁଗୁଡା ଇଂଜିନିୟରିଂ କଲେଜରୁ ପୁଲିଂ ପାର୍ଟିକୁ ସମସ୍ତ ବୁଥକୁ ପଠାସରିଛି। ଏହି ଉପନିର୍ବାଚନ ପାଇଁ ଏଥର ୨୫୩ଟି ବୁଥ କରାଯାଇଛି। ସେଥିମଧ୍ୟରୁ ୨୬ଟି ବୁଥକୁ ପିଙ୍କ୍ ବୁଥ ଏବଂ ୪୦ଟି ମଡେଲ ବୁଥ କରାଯାଇଛି।

ଏହି ମତଦାନ ପକ୍ରିୟାରେ ମୋଟ ୧୦୧୨ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ୯୬ ଜଣ ପୁଲିଂ ଅଧିକାରୀଙ୍କୁ ରିଜର୍ଭ ରଖାଯାଇଛି। ସେହିପରି ଇଭିଏମଗୁଡିକ ରାଜନୈତିକ ଦଳର ପ୍ରତିନିଧୀଙ୍କ ସମ୍ମୁଖରେ କମିସନିଂ କରାଯାଇ ବୁଥଗୁଡିକରେ ରଖାଯାଇଛି। ମେସିନ ଯେପରି କିଛି ବିଭ୍ରାଟ ନ ହୁଏ ସେଥିପାଇଁ ୬ ଜଣ ଇଜିନିଂୟରଙ୍କୁ ହାଇଦ୍ରାବାଦରୁ ଆଣାଯାଇ ଝାରସୁଗୁଡାରେ ରଖାଯାଇଛି।

ଏହି ଉପନିର୍ବାଚନରେ ଭୋଟ ଦେବା ପାଇଁ ୨,୨୧,୭୧୯ ଭୋଟର ଅଛନ୍ତି। ଯେଉଁଥିରେ ୧,୧୦,୬୧୯ ଜଣ ପୁରୁଷ ଏବଂ ୧,୧୧,୦୩୭ ଜଣ ମହିଳା ଏବଂ ୬୩ ଜଣ ତୃତୀୟ ଲିଙ୍ଗ ଏବଂ ୨୪୯ ଚାକିରୀଆ ଭୋଟର ଅଛନ୍ତି। ସେହିପରି ୨୫୩୪ ଭିନ୍ନକ୍ଷମ ଭୋଟର ଅଛନ୍ତି। ଏମାନେ ଯେପରି ସୁରକ୍ଷିତ ଭାବେ ଭୋଟ ଦେଇପାରିବେ ସେ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ବର୍ତ୍ତମାନ ଝାରସୁଗୁଡାରେ ସର୍ବାଧିକ ତାତି ରହୁଥିବାରୁ ବୁଥରେ ଭୋଟରମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବୁଥରେ ପିଇବା ପାଣି ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଭିନ୍ନକ୍ଷମ ଥିବା ବୁଥରେ ସେମାନଙ୍କ ପାଇଁ ଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ମଧ୍ୟ କୁହାଯାଇଛି। ଏଥିସହିତ ୧୧୮ଟି ଅଟୋ ଏବଂ ୨୫୩ଟି ହୁଇଲ ଚ୍ୟାୟାର ଏବଂ ସ୍ବେଚ୍ଛାସେବୀଙ୍କୁ ମୁତୟନ କରାଯାଇଛି।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ନିର୍ବାଚନରେ ମୋଟ ୧୮୧୪ ଜଣ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫୫ ଜଣ ପୋଲିସ୍ ଅଫିସର ଅଛନ୍ତି। ସେହିପରି ୧୭ ପ୍ଲାଟୁନ୍ ଆର୍ମଡ୍ ପୋଲିସ୍, ୩୨୩ ହାବିଳଦାର ଏବଂ କନଷ୍ଟେବଳ ଏବଂ ୨୦୫ ଜଣ ହୋମ ଗାର୍ଡଙ୍କୁ ନିଯୁକ୍ତି ଦିଆଯାଇଛି।  ୦୭  କମ୍ପାନୀ ଉଇଚୠ ନିୟୋଜିତ କରାଯାଇଛି।

ମତଦାନ ଦିନ ଅର୍ଥାତ୍ ୧୦ ମଇ ୨୦୨୩ ରେ ପ୍ରଥମେ ମକ୍ ପୋଲ୍ ସକାଳ ୫.୩୦ ରେ ଆରମ୍ଭ ହେବ ଏବଂ ତା’ପରେ ମତଦାନ ପକ୍ରିୟା ସକାଳ ୭.୦୦ଟା ରେ ଆରମ୍ଭ ହେବ।ଜନସାଧାରଣଙ୍କ ସୂଚନା ପାଇଁ ଦୁଇ ଘଣ୍ଟିଆ ଭୋଟିଂପ୍ରତିଶତ ରିପୋର୍ଟ ପ୍ରକାଶ ପାଇବ। ଏହି ନିର୍ବାଚନରେ ମୋଟ ୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ପଦଯାତ୍ରା

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ାର ଉପନିର୍ବାଚନର ପ୍ରଚାରର ଶେଷ ଦିନ ଥିବାବେଳେ କଂଗ୍ରେସ ଜୋରଦାର ପ୍ରଚାର କରିଛି। ଏହି ଅବସରରେ ଏକ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାକୁ ଓପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ।

ମନମୋହନ ସ୍କୁଲ ଛକ ଠାରୁ ପଦଯାତ୍ରା ବାହାରି ଝାରସୁଗୁଡ଼ାର ପୌରାଞ୍ଚଳର ବିଭିନ୍ନ ଅଞ୍ଚଳ ଓ ସହର ପରିକ୍ରମା କରି ଗାନ୍ଧୀ ଗୋଲେଇ ଠାରେ ସମାପ୍ତ ହୋଇଥିଲା। ଏହି ପଦଯାତ୍ରାରେ ଓପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହି, ସି.ଏସ୍‌. ରାଜ୍ଜନ ଏକ୍କା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଭୁଜବଳ ମାଝୀ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ରାଜ୍ୟ ମିହଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ୱାସିର ନୱାଜ, ବାଙ୍କନିଧି ବେହେରା, ସେନ୍ ହେମ୍ବ୍ରମ୍‌, ହରଦିପ୍ ସିଂ, ବୀରେନ୍ ସେନାପତି, ନିରୁପମା ପାତ୍ର, ସ୍ନେହଲତା ଚୌଧୁରୀ ଓ ଶ୍ରୀୟାସ୍ମିତା ପଣ୍ଡା ପ୍ରମୁଖ ରାଜ୍ୟ ନେତୃମଣ୍ଡଳିଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର, ସଂଜୟ ମହାପାତ୍ର, ମନିଶ୍ ବାଜପେୟୀ, ସନ୍ୟାସିସ୍ ପଟେଲ, ଅଜିତ୍ ପାଣ୍ଡେ, ତନ୍ମୟ ପାଣ୍ଡେ, ସାରୁ ଖାଁନ୍‌, ଜିଲ୍ଲା କଂଗ୍ରେସ ସଭାପତି ରାହୁଲ ଠାକୁର୍‌, ଦଲି କାଙ୍ଗୁଲାଲ୍‌, ଆଦର୍ଶ ଗାନ୍ଧୀ, ପୁରୁଷୋତ୍ତମ ପାଣ୍ଡେ, ବେଲ୍‌ପାହାଡ଼ ମ୍ୟୁନିସ୍‌ପାଲଟି ଅଧ୍ୟକ୍ଷ ନିମାଇ ଚରଣ ପଣ୍ଡା ଏବଂ ଝାରସୁଗୁଡ଼ାର ବହୁ ଛାତ୍ର, ଯୁବ ମହିଳା, କଂଗ୍ରେସ ନେତୃବୃନ୍ଦ, କର୍ମୀ, କଗ୍ରେସ ଶୁଭେଚ୍ଛୁ ସାମଲି ହୋଇ ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ
ତରୁଣ ପାଣ୍ଡେଙ୍କୁ ବିପୁଳ ସଂଖ୍ୟାରେ ହାତ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ
ନିବେଦନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ଭୁବନେଶ୍ବର: ହାତରେ ଆଉ ମାତ୍ର ଗୋଟିଏ ଦିନ ରହିଲା। ଅର୍ଥାତ ଆଜି ସଂଧ୍ୟାରେ ସରିବ ପ୍ରଚାର। ଏହାପରେ ବାହାର ନେତାଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ପଡିବ। ଆସନ୍ତାକାଲି ମଙ୍ଗଳବାର ଗୋଟିଏ ଦିନ ବିଶ୍ରାମର ଦିନ। ସେଦିନ ଭୋଟରମାନେ କାହାକୁ ଭୋଟ ଦେବେ ସେ ନେଇ ଚିନ୍ତା କରିବେ। ବୁଧବାର ଦିନ ହେବ ଭୋଟଗ୍ରହଣ।

ଏହି ନିର୍ବାଚନରେ ଜିତିବା ପାଇଁ ତିନିଦଳର ପ୍ରାର୍ଥୀମାନେ ଯଥେଷ୍ଠ ଚେଷ୍ଠା କରିବାରେ ଲାଗିଛନ୍ତି। ଆଜି ସେମାନେ ଶେଷ ଭିକ୍ଷା ମାଗିବେ। ଝାରସୁଗୁଡା ପ୍ରଚାର ସ୍ରୋତକୁ ଲକ୍ଷ୍ୟ କଲେ ଏହା ସୂଚିତ ହେଉଛି ଯେ, ସେଠାରେ ମୁଖ୍ୟତଃ ବିଜେଡି ସହିତ ବିଜେପିର ଲଢେଇ ହେଉଛି। କଂଗ୍ରେସର ସେପରି ଦମଦାର ପ୍ରଚାର ପରିଲକ୍ଷିତ ହେଉ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ପୋଷ୍ଟରରେ ସରକାରୀ ଲୋଗୋ, ଅଭିଯୋଗ କଲା ବିଜେଡି

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ପ୍ରଚାରକୁ ଯିବେ ବୋଲି ପୂର୍ବରୁ ଏକ ପୋଷ୍ଟର ନିଜ ଟୁଇଟରରେ ରିଟୁଇଟି କରି ପ୍ରକାଶ କରିଥିଲେ। ଯାହାକୁ ନେଇ ଅଭିଯୋଗ କରିଛି ବିଜେଡି। ଏ ନେଇ ଦଳ ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି।

ବିଜେଡି କହିଛି ଯେ, ଧର୍ମେନ୍ଦ୍ର ଟୁଇଟରରେ ଦେଇଥିବା ପୋଷ୍ଟରରେ ଭାରତ ସରକାରଙ୍କ ପ୍ରଦତ୍ତ ଲୋଗୋ ଲାଗିଛି। ଏଥିରେ ଜି20 ଏବଂ ଆଜାଦ କି ଅମୃତ ମହୋତ୍ସବର ଲୋଗୋ ଲାଗିଛି। ଏହି ଲୋଗ ଭାରତ ସରକାରଙ୍କର ହୋଇଥିଲେ ମଧ୍ୟ ଧର୍ମେନ୍ଦ୍ର ଦଳୀୟ ପ୍ରଚାରର କିପରି ବ୍ୟବହାର କଲେ ସେ ନେଇ ବିଜେଡି ପ୍ରଶ୍ନ ଉଠାଇଛି।

Categories
ବିଶେଷ ଖବର

ବିଜେଡ଼ି କର୍ମୀଙ୍କୁ ବିଜେପି ପ୍ରାର୍ଥୀ ଓ ସମର୍ଥକଙ୍କ ଆକ୍ରମଣ ଅଭିଯୋଗ: ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେଦିନ ବାକି ଥିବାବେଳେ ପରାଜୟ ଭୟରେ ବିଜେପି ରକ୍ତମୁଖା ହୋଇଉଠିଛି। କେତେବେଳେ ବିଜେପି ପ୍ରାର୍ଥୀ ରାତିଅଧରେ ପ୍ରଚାର ନାଁରେ ଗାଁ ଗାଁରେ ପଶି ଲୋକଙ୍କୁ ଭୟଭୀତ କରୁଛନ୍ତି ତ ଆଉ କେତେବେଳେ ବିଜେଡି କର୍ମୀଙ୍କୁ ଧମକଚମକ ଦେଇ ଓ ଆକ୍ରମଣ କରି ଲହୁଲୁହାଣ କରି ଦେଉଛନ୍ତି। ନିକଟରେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମୁନ୍ଦ୍ରା ବସ୍ତ୍ରାଳୟ ନିକଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ତାଙ୍କ ସମର୍ଥକମାନେ ବିଳମ୍ବିତ ରାତିରେ ଜଣେ ବିଜେଡ଼ି କର୍ମୀଙ୍କୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି।

ଆଜି ଏ ନେଇ ବିଜେଡିର ଏକ ପ୍ରତିନିଧିଦଳ ଭୁବନେଶ୍ୱର ଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହେବା ସହ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏ ସଂପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ ଏହା ପୂର୍ବରୁ ବିଜେପୁର ଓ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ଭାରତୀୟ ଜନତା ପାର୍ଟି ବିଜେଡି କର୍ମୀ ଓ ସମର୍ଥକଙ୍କୁ ଟାର୍ଗେଟ କରି କିଭଳି ନିର୍ବାଚନୀ ହିଂସା କରିଥିଲା, ତାହା ଆମେ ଦେଖିଥିଲୁ। ଏବେ ଝାରସୁଗୁଡ଼ାରେ ମଧ୍ୟ ପରାଜୟ ଆଶଙ୍କାରେ ବିଜେପି ଠିକ୍ ସମାନ ଢଙ୍ଗରେ ହିଂସାକାଣ୍ଡ ଘଟାଉଛି। ଗତ ୫ ତାରିଖ ରାତି ପ୍ରାୟ ୨ଟାବେଳେ ବିଜେଡି କର୍ମୀ ଶୁଭମ୍ ସୋନକର ଏକ ଭୋଜିରେ ଯୋଗ ଦେଇ ଘରକୁ ଫେରୁଥିବାବେଳେ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମୁନ୍ଦ୍ରା ବସ୍ତ୍ରାଳୟ ନିକଟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ତାଙ୍କ ସମର୍ଥକମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଧମକଚମକ ଦେବା ସହ ଆକ୍ରମଣ କରିଥିଲେ।

ବିଜେପି ପ୍ରାର୍ଥୀ ଶ୍ରୀ ତ୍ରିପାଠୀ କିପରି ରାତିଅଧରେ ନିର୍ବାଚନ ପ୍ରଚାର କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି, ଗତକାଲି ତାହା ଆମେ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ଏଭଳି ରାତିଅଧିଆ ନିର୍ବାଚନ ପ୍ରଚାର ସାରି ଫେରିଲା ବେଳେ ହିଁ ସେମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି। ଆକ୍ରମଣରେ ଆହତ ହୋଇଥିବା ଶ୍ରୀ ସୋନକର ଏ ନେଇ ଥାନାରେ ଏତଲା ଦେବା ପରେ ଏକ ମାମଲା ରୁଜୁ ହୋଇଛି। ବିଜେପି ପ୍ରାର୍ଥୀ ଶ୍ରୀ ତ୍ରିପାଠୀଙ୍କ ନାଁରେ ପୂର୍ବରୁ ୧୨ଟି ଅପରାଧିକ ମାମଲା ରହିଥିବାବେଳେ ଉପନିର୍ବାଚନରେ ନିଶ୍ଚିତ ପରାଜୟ ଆଶଙ୍କା କରି ସେ ଓ ତାଙ୍କ ସମର୍ଥକମାନେ ବାରମ୍ବାର ବିଜେଡି କର୍ମୀଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ଜାରି ରଖିଛନ୍ତି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ନିର୍ବାଚନ କମିସନଙ୍କ ପ୍ରତି ଶ୍ରୀ ତ୍ରିପାଠୀ ଏବଂ ତାଙ୍କ ଦଳର ସମର୍ଥକମାନଙ୍କ କୌଣସି ସମ୍ମାନ ନାହିଁ। ଏଭଳି ସ୍ଥିତିରେ ଝାରସୁଗୁଡ଼ାରେ କିଭଳି ଆଉ ଅଧିକ ନିର୍ବାଚନୀ ହିଂସା ନ ଘଟିବ, ସେଥିଲାଗି ସେମାନଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛୁ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ, ପ୍ରିୟବ୍ରତ ମାଝୀ, ଇପସିତା ସାହୁ, ଲୋରା ମହାପାତ୍ର ଓ ମଧୁସ୍ମିତା ନାୟକ ପ୍ରମୁଖ ଏହି ପ୍ରତିନିଧିଦଳରେ ଯୋଗ ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କାଲି ସରିବ ପ୍ରଚାର, ଆଜି ଦୁଲୁକିବ ଝାରସୁଗୁଡା

ଭୁବନେଶ୍ବର: ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ତାରିଖ। କାରଣ ଆସନ୍ତା ଦଶ ତାରିଖରେ ଏହି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଆଉ ମାତ୍ର ଗୋଟିଏ ଦିନ ବାକି ଥିବାରୁ ସବୁ ଦଳ ପ୍ରଚାରକୁ ଜୋରଯାର କରି ଦେଇଛନ୍ତି।

ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନବୀନ ଅମିଲିପାଲିଠାରେ ବିଶାଳ ଜନ ସମାବେଶକୁ ଉଦବୋଧନ ଦେବେ। ନବୀନ ଆଜି ଅପରହ୍ନରେ ଭୁବନେଶ୍ବରରୁ ସ୍ବତନ୍ତ୍ର ବିମାନରେ ଝାରସୁଗୁଡା ଯାଇ ସେଠାରୁ ସଭାସ୍ଥଳକୁ ଯିବେ।

ସେହିପରି ଆଜି ଦିନରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଇଦାନକୁ ଓହ୍ଲାଇବେ। ସେ ପ୍ରାର୍ଥୀ ଟଙ୍କଧରଙ୍କୁ ଧରି ବିଭିନ୍ନ ସ୍ଥାନରେ ସଭାକରିବେ ବୋଲି ନିଷ୍ପତି ହୋଇଛି। ଫଳରେ ଆଜି ଝାରସୁଗୁଡା ମଇଦାନ ପୁରା ଦୁଲୁକିବ ବୋଲି ଜଣାପଡିଗଲାଣି।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ କର୍ମଚାରୀଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଛି ବିଜେଡି: ବିଜେପି

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ବିଜୁ ଜନତା ଦଳ ମହିଳା ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କରିବା ସହ ଜନତାଙ୍କୁ ଟଙ୍କା ବାଂଟି ନିର୍ବାଚନ ଆଇନ ଉଲଘଂନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଆଜି ଏ ନେଇ ଦଳର ମୁଖପାତ୍ର ସୋନାଲି ସାହୁଙ୍କ ନେତୃତ୍ବରେ ଏକ ଟିମ ସିଇଓଙ୍କୁ ସାକ୍ଷାତ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ, ଗତକାଲି ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କୋଲାବିରା ବ୍ଲକ ଜିଲ୍ଲାପାଲି ଗ୍ରାମ ପଂଚାୟତର କମ୍ୟୁନିଟି ରିସୋର୍ସ ପର୍ସନ(ସିଆରପି) ଅସ୍ମିତା ନାୟକ, ବିନତା ନାୟକ, ଜେ.ପଣ୍ଡାକିମାଲ ଓ ପୂଜା ପଟେଲ ବିଜୁ ଜନତା ଦଳର ନିର୍ବାଚନୀ ପ୍ରଚାରରେ ସିଧାସଳଖ ଯୋଗ ଦେଇଥିଲେ। ସେହିପରି ସରବାହଲ ୧ନଂ ୱାର୍ଡର ଅଙ୍ଗନୱାଡି ଦିଦି ସୁରୁଚି ପାଢ଼ି ଖୋଲା ଖୋଲି ସୋସିଆଲ ମିଡିଆରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରୁଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ବିଜେପି ଦାବୀ କରିଛି। ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଉମାକାନ୍ତ ପଟ୍ଟନାୟକ, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ଲିଗାଲ୍ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପରିଚାଳନା ନେଇ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ସହ ସଂପୃକ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଭିଡ଼ିଓ କନ୍‌ଫେରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରାଇଛନ୍ତି ।

ବିଶେଷ କରି ଉପନିର୍ବାଚନବେଳେ ସମଗ୍ର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆଇନ୍‌ଶୃଙ୍ଖଳା ରକ୍ଷା, ନିର୍ବାଚନ ମଣ୍ଡଳୀର ସବୁ ବୁଥ୍‌କୁ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସାମଗ୍ରୀର ସୁବଣ୍ଟନ, କଳାବୈଶଖି ଝଡ଼ବାତ୍ୟାର ଆଗୁଆ ଆକଳନ, ଏକଜିଟ୍‌ ପୋଲ ଉପରେ ରୋକ୍‌, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି ଯଥା-ଷ୍ଟ୍ରଙ୍ଗ୍‌ରୁମ୍‌ ପ୍ରସ୍ତୁତି ଓ ଏହାର ସୁରକ୍ଷା, ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ଇତ୍ୟାଦି ସଂପର୍କରେ ବିସ୍ତୃତ ଭାବରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସଂପୃକ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ଆଭାସୀ ବୈଠକରେ ଉପନିର୍ବାଚନ ନିମନ୍ତେ ନିଯୁକ୍ତି ହୋଇଥିବା ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଦେବକ୍ରିଷ୍ଣା ତିୱାରୀ (ଭା.ପ୍ର.ସେ), ପୁଲିସ ପର୍ଯ୍ୟବେକ୍ଷକ ହମିଦ୍‌ ଅଖତାର (ଭା.ପୋ.ସେ), ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ରବିରାଜ ସାହୁରାଜ ଖୋଗରେ (ଆଇ.ଆର୍‌.ଏସ୍‌) ରାଜ୍ୟ ଆଇନଶୃଙ୍ଖଳା ଆଇ.ଜି ପ୍ରବୀଣ କୁମାର (ଭା.ପୋ.ସେ), ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍‌. ନରୱାଣେ ଓ ଆରକ୍ଷୀ ଅଧୀକ୍ଷକ ସ୍ମିଥ୍‌ ପି. ପୁରୁଷୋତ୍ତମଦାସ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡାରେ ଅନ୍ଧାରୀ ବିଜେ କରୁଛନ୍ତି ବିଜେପି ପ୍ରାର୍ଥୀ, ବିଜେଡିର ଅଭିଯୋଗ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପ୍ରଚାର ବେଳେ ସବୁ ପ୍ରକାରର ନିୟମ ଉଲ୍ଲଂଘନ କରୁଛି ବିଜେପି। ରାତି ଅଧରେ ମାଇକ ଲଗାଇ ପ୍ରଚାର କରୁଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ବିଜୁ ଜନତା ଦଳ।

ବିଜେଡି ନେତା ଲେନିନ ମହାନ୍ତିଙ୍କ ନେତୃତ୍ବରେ ବହୁ ନେତା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସେମାନେ ସେଥିରେ ଉଲ୍ଲେଖ କରିଛନ୍ତି ଯେ, ଗତକାଲି ବିଜେପି ପ୍ରାର୍ଥୀ ଟଙ୍କଧର ରାତି ଗୋଟାଏ ପରେ ଲଳିତ ହେରିଟେଜ ନିକଟ ସାମସଙ୍ଗ ଛକରେ ସହଯୋଗୀଙ୍କ ସହିତ ପ୍ରଚାର କରିଥିଲେ। ନିୟମ ଅନୁସାରେ ରାତି ଦଶଟା ବେଳେ ପ୍ରଚାର ବନ୍ଦ ହେବ। ହେଲେ ସେମାନେ ବେଆଇନି ଭାବେ ପ୍ରଚାର କରୁଛନ୍ତି।

ଅନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଗରମ ହେଲା ଝାରସୁଗୁଡା ପ୍ରଚାର, ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପାଖେଇଲାଣି ଝାରସୁଗୁଡା ଉପନିର୍ବାଚନ। ଆସନ୍ତା ୧୦ ତାରିଖରେ ହେବ ଏହି ଉପନିର୍ବାଚନ। ସେଥିପାଇଁ ୯ ତାରିଖରେ ପ୍ରଚାର ବନ୍ଦ ରହିବ। ଅର୍ଥାତ ଆଜିଠାରୁ ଆଉ ତିନିଦିନ ଧରି ପ୍ରଚାର କାର୍ଯ୍ୟ ଚାଲିବ। ହାତରେ ଆଉ ଅଳ୍ପଦିନ ଥିବାରୁ ବିଭିନ୍ନ ଦଳର ନେତାମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି।

ବିଜେଡି, ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତାମାନେ ବର୍ତ୍ତମାନ ଘରକୁ ଘର ବୁଲି ସେମାନଙ୍କର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାରେ ଲାଗିଛନ୍ତି। କଂଗ୍ରେସ ତରଫରୁ ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଲାଗି ପଡିଛନ୍ତି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ଭୋଟ ଦେବା ପାଇଁ ସେମାନେ ଭୋଟରଙ୍କୁ ଅନୁରୋଧ କରିବାରେ ଲାଗିଛନ୍ତି।

ସେହିପରି ବିଜେପି ମଧ୍ୟ ପାରୁ ପର୍ଯ୍ୟନ୍ତ ପ୍ରାର୍ଥୀ ଟଙ୍କଧରଙ୍କ ସପକ୍ଷରେ ପ୍ରଚାରକୁ ଯୋରଦାର କରିଛନ୍ତି। କାରଣ ଏହି ନିର୍ବାଚନ ହେଉଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ପ୍ରଥମ ଯୁଦ୍ଧ। ସେ ସଭାପତି ହେବା ପରେ ପରେ ଏହି ଉପନିର୍ବାଚନର ସମ୍ମୁଖୀନ ହେଉଛନ୍ତି। ପ୍ରଚାରକୁ ଜୋରଦାର କରିବା ପାଇଁ ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି।

ତେବେ ସବୁଠାରୁ ଯାହା ବଡ ଚର୍ଚ୍ଚାର ବିଷୟ, ତାହା ହେଲା ରବିବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନବୀନ ରବିବାର ଦିନ ଅମିଲିପାଲିଠାରେ ବିଶାଳ ଜନ ସମାବେଶକୁ ଉଦବୋଧନ ଦେବେ। ନବୀନଙ୍କୁ ନେଇ ବିଜେଡି ତାହାର ଶକ୍ତି ପ୍ରଦର୍ଶନ କରିବ। ସେଥିପାଇଁ ଦଳ ତରଫରୁ ବେଶ ଉତ୍ସାହ ସୃଷ୍ଟି ହୋଇଛି।

ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ନବୀନ ଝାରସୁଗୁଡାବାସୀଙ୍କୁ ଭୋଟ ଭିକ୍ଷା କରିବେ। ଏହି ସମାବେଶକୁ ସଫଳ କରିବା ପାଇଁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପୂଜାରୀ ପ୍ରମୁଖ ଘନଘନ ବୈଠକ କରି ପ୍ରସ୍ତୁତି କରିବାରେ ଲାଗିଛନ୍ତି।

ପୂର୍ବରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ନବୀନ ପ୍ରଚାର କରିବେ ବୋଲି ନିଷ୍ପତି ହୋଇଥିଲା। ହେଲେ ନିଜେ ନବୀନ ଝାରସୁଗୁଡା ଯିବେ ବୋଲି ନିଷ୍ପତି କରିବାରୁ ସେଠାରେ ବିଶାଳ ସମାବେଶର ଆୟୋଜନ କରାଯାଇଛି। ଝାରସୁଗୁଡା ଉପନିର୍ବାଚନ ୧୦ ତାରିଖରେ ହେଉଥିବା ବେଳେ ଗଣତି ୧୩ ତାରିଖରେ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନାମରେ ରହିଛି ହତ୍ୟା ଉଦ୍ୟମ ସହ ୧୨ଟି ମାମଲା: ବିଜେଡି

ଭୁବନେଶ୍ୱର: ଓଡିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଏବଂ ୪.୫ କୋଟି ଓଡିଆ ହେଉଛନ୍ତି ଅତ୍ୟନ୍ତ ଶାନ୍ତିପ୍ରିୟ ଲୋକ। ସେମାନେ ଉଭୟ ଅପରାଧ ଓ ଅପରାଧୀଙ୍କୁ ଘୃଣା କରନ୍ତି। ଓଡିଶାର ସଂସ୍କୃତି ଏବଂ ପରମ୍ପରାରେ ଶାନ୍ତି ଓ ସୌହାର୍ଦ୍ଦ୍ୟକୁ ଗୁରୁତ୍ୱ ଦିଆଯାଏ ଏବଂ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଘୃଣା ଚକ୍ଷୁରେ ଦେଖାଯାଇଥାଏ।

ତେବେ ଓଡ଼ିଶା ବିଜେପି ରାଜନୀତିରେ ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ଉତ୍ସାହିତ କରୁଥିବା ବେଳେ ଓଡ଼ିଶାକୁ ଆଇନହୀନ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଝାରସୁଗୁଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ନାମରେ ହତ୍ୟା ଉଦ୍ୟମ ସମେତ ୧୨ ଟି ମାମଲା ରହିଛି। ଏହା ଏକମାତ୍ର ଉଦାହରଣ ନୁହେଁ, ଓଡିଶା ବିଜେପି ସବୁବେଳେ ଅପରାଧିକ ପୃଷ୍ଟଭୂମି ଥିବା ପ୍ରାର୍ଥୀଙ୍କୁ ହିଁ ସ୍ଥାନ ଦେଇଥାଏ। ପଦମପୁର ଉପନିର୍ବାଚନରେ ଓଡିଶା ବିଜେପି ପ୍ରାର୍ଥୀ କରିଥିବା ଶ୍ରୀ ପ୍ରଦୀପ ପୁରୋହିତଙ୍କ ବିରୋଧରେ ୧୩ ଟି ଅପରାଧିକ ମାମଲା ବିଚାରାଧୀନ ଅଛି।

ଅଭ୍ୟାସଗତ ଅପରାଧୀ ଏବଂ ହତ୍ୟା ଅଭିଯୁକ୍ତ ଶ୍ରୀ ଇରାସିସ୍ ଆଚାର୍ଯ୍ୟଙ୍କ କଥା ସମସ୍ତଙ୍କୁ ଜଣା ଏବଂ ହତ୍ୟା ମାମଲା ସମେତ ତାଙ୍କ ବିରୋଧରେ ୧୪ ଟି ମାମଲା ବିଚାରାଧୀନ ଅଛି। ସେହିଭଳି ଓଡିଶା ବିଜେପିର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ରଙ୍କ ଟ୍ରାକ୍ ରେକର୍ଡ ବି ସମସ୍ତଙ୍କୁ ଜଣା। ତାଙ୍କ ବିରୋଧରେ ହତ୍ୟା ମାମଲା ସମେତ ୧୬ ଟି ଅପରାଧିକ ମାମଲା ରହିଛି।

ଯେତେବେଳେ ଏହାର ନେତାଙ୍କ ବିରୋଧରେ ଏତେଗୁଡ଼ିଏ ଅପରାଧିକ ମାମଲା ରହିଛି, ସେତେବେଳେ ଓଡ଼ିଶା ବିଜେପି କିନ୍ତୁ ଓଡିଶାବାସୀଙ୍କ ସମ୍ମାନହାନୀ କରିବା ପାଇଁ ସେମାନଙ୍କୁ ଆଇନହୀନ ବୋଲି କହିବା ଜାରି ରଖିଛି। କିଏ ବେଆଇନ୍‍ କାର୍ଯ୍ୟ କରୁଛି ଏବଂ ଅପରାଧୀଙ୍କୁ କିଏ ସମର୍ଥନ କରୁଛି ତାହା ଓଡିଶାର ଲୋକମାନେ ଦେଖୁଛନ୍ତି। ସେମାନେ ଏହାର ଉପଯୁକ୍ତ ଉତ୍ତର ଦେଉଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଉପଯୁକ୍ତ ଉତ୍ତର ଦେବା ଜାରି ରଖିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଏହା ଆଶ୍ଚର୍ଯ୍ୟଜନକ ନୁହେଁ ଯେ ଝାରସୁଗୁଡା ଉପନିର୍ବାଚନରେ ଓଡିଶା ବିଜେପି ନିଜର ଆସନ୍ନ ପରାଜୟକୁ ଦେଖି ବିଜୁ ଜନତା ଦଳର ନେତା ତଥା କର୍ମୀଙ୍କ ଉପରେ ନିର୍ବାଚନ ହିଂସା ଆରମ୍ଭ କରିଦେଇଛି। ଆମେ ଦେଖିଲୁ ଯେ ପଦମପୁର ଏବଂ ବିଜେପୁର ଉପନିର୍ବାଚନରେ ଏବଂ ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନରେ ପରାଜୟକୁ ଭୟ କରି ସେମାନେ ପୁଣି ଏଭଳି କାଣ୍ଡ ଆରମ୍ଭ କରିଛନ୍ତି।

ମଇ ୨ତାରିଖରେ ଓଡିଶା ବିଜେପି କର୍ମୀ ବିପ୍ର ବାଞ୍ଚୋରଙ୍କ ସମେତ ଓଡିଶା ବିଜେପିର ବହୁ ସମର୍ଥକ ବିଜେଡି କର୍ମୀ ଶ୍ରୀ ଗୋବିନ୍ଦ ଝରାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ। ଝାରସୁଗୁଡା ବିଧାନସଭା ନିର୍ବାଚନୀ କ୍ଷେତ୍ରର ଗୌରପଡା, ଧୁବେନବୁଡା, କୁଲିହାମଲ, କୋଲାବିରା ବ୍ଲକରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବିଜେଡି କର୍ମୀ ଶ୍ରୀ ଗୋବିନ୍ଦ ଝରା ଗୁରୁତର ଭାବେ ଆହତ ହୋଇଛନ୍ତି।

ମଇ ୩ ତାରିଖ ସନ୍ଧ୍ୟାରେ ବିଜେପି ବିଧାୟିକା ଶ୍ରୀମତୀ କୁସୁମ ଟେଟେଙ୍କ ସମେତ ଝାରସୁଗୁଡା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓଡିଶା ବିଜେପିର ଶ୍ରୀ ଟଙ୍କଧର ତ୍ରିପାଠୀ ତାଙ୍କର ଦଳ ବଳ ସହିତ ଲୋଇକେରା ବ୍ଲକର ନିକିଟିମାଳ ଠାରେ ପହଞ୍ଚିଥିଲେ ଯେଉଁଠାରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିଲା।

ଯେତେବେଳେ ସେମାନେ ବିଜେଡି କର୍ମୀମାନେ ପ୍ରଚାର କରୁଥିବା ଦେଖିଲେ, ସେମାନେ ବିଜୁ ଜନତା ଦଳ କର୍ମୀଙ୍କୁ ପ୍ରଚାର ବନ୍ଦ କରିବାକୁ ଏବଂ ସେମାନଙ୍କ ସହ ଯିବାକୁ କହିଥିଲେ । ଯେତେବେଳେ ବିଜେଡି କର୍ମୀମାନେ ତାହା କରିନଥିଲେ, ସେତେବେଳେ ଓଡିଶା ବିଜେପିର ଜଣେ କର୍ମୀ ଲାଇକେରା ବ୍ଲକ ନିକିଟିମାଳର ସ୍ୱର୍ଗତ କାଲୋ ପ୍ରଧାନଙ୍କ ପୁଅ ଶ୍ରୀ ଦିଲ୍ଲୀପ ପ୍ରଧାନଙ୍କ ମୋଟରସାଇକେଲକୁ ଗୋଇଠା ମାରି ଭାଙ୍ଗି ଦେଇଥିଲେ।

ବିଜେଡି କର୍ମୀମାନେ ସେଠାରେ ଥିବା ଓଡିଶା ବିଜେପି ନେତା ଓ କର୍ମୀମାନଙ୍କ ଏହି ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରିବାରୁ ଓଡିଶା ବିଜେପି ନେତାମାନେ ବିଜେଡି କର୍ମୀଙ୍କୁ ଦୁର୍ବ୍ୟବହାର ଆରମ୍ଭ କରିଦେଇଥିଲେ। ଯେତେବେଳେ ଓଡିଶା ବିଜେପି ନେତାଙ୍କ ଏପରି ଆଚରଣରେ ଗ୍ରାମବାସୀ ଅଶ୍ଚର୍ଯ୍ୟ ପ୍ରକଟ କରିଥିଲେ ସେତେବେଳେ ଓଡିଶା ବିଜେପିର ନେତା ଓ କର୍ମୀମାନେ ଗାଁ ଛାଡି ପଳାଇଥିଲେ।

ଓଡିଶା ବିଜେପି ନେତାଙ୍କ ଅପରାଧିକ ମାମଲା ତଥା ଝାରସୁଗୁଡା ଉପନିର୍ବାଚନରେ ନିର୍ବାଚନୀ ହିଂସା ତଥା ପଦମପୁର ଏବଂ ବିଜେପୁର ଉପନିର୍ବାଚନର ସମସ୍ତ ଉଦାହରଣ ଦର୍ଶାଉଛି ଯେ ଅପରାଧିକ ରେକର୍ଡ ଥିବା ଲୋକଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଓଡିଶା ବିଜେପି କିପରି ଉତ୍ସାହିତ କରୁଛି ଏବଂ ଯେତେବେଳେ ନିର୍ବାଚନରେ ନିଶ୍ଚିତ ପରାଜୟ ଦେଖୁଛି ମୁଖଲଜା ବଞ୍ଚାଇବାକୁ ଏଭଳି ହିଂସାକାଣ୍ଡ ଭିଆଉଛି।

ଏଥିପାଇଁ ଓଡିଶାର ଲୋକମାନେ ଓଡିଶା ବିଜେପିକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି ଏବଂ ଝାରସୁଗୁଡା ଉପର୍ନିବାଚନରେ ମଧ୍ୟ ଓଡିଶା ବିଜେପିକୁ ଅନୁରୂପ ଭାବେ ପ୍ରତ୍ୟାଖ୍ୟାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମତୀ ଲୋରା ମହାପାତ୍ର ଏବଂ ମଧୁସ୍ମିତା ସାହୁ ଉପସ୍ଥିତ ଥିଲେ।