ଝାରସୁଗୁଡା ଉପନିର୍ବାଚନ ପରିଚାଳନା ନେଇ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

Published: May 6, 2023, 6:13 pm IST

ଭୁବନେଶ୍ୱର: ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ସହ ସଂପୃକ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଭିଡ଼ିଓ କନ୍‌ଫେରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରାଇଛନ୍ତି ।

ବିଶେଷ କରି ଉପନିର୍ବାଚନବେଳେ ସମଗ୍ର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆଇନ୍‌ଶୃଙ୍ଖଳା ରକ୍ଷା, ନିର୍ବାଚନ ମଣ୍ଡଳୀର ସବୁ ବୁଥ୍‌କୁ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସାମଗ୍ରୀର ସୁବଣ୍ଟନ, କଳାବୈଶଖି ଝଡ଼ବାତ୍ୟାର ଆଗୁଆ ଆକଳନ, ଏକଜିଟ୍‌ ପୋଲ ଉପରେ ରୋକ୍‌, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି ଯଥା-ଷ୍ଟ୍ରଙ୍ଗ୍‌ରୁମ୍‌ ପ୍ରସ୍ତୁତି ଓ ଏହାର ସୁରକ୍ଷା, ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ଇତ୍ୟାଦି ସଂପର୍କରେ ବିସ୍ତୃତ ଭାବରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସଂପୃକ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ଆଭାସୀ ବୈଠକରେ ଉପନିର୍ବାଚନ ନିମନ୍ତେ ନିଯୁକ୍ତି ହୋଇଥିବା ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଦେବକ୍ରିଷ୍ଣା ତିୱାରୀ (ଭା.ପ୍ର.ସେ), ପୁଲିସ ପର୍ଯ୍ୟବେକ୍ଷକ ହମିଦ୍‌ ଅଖତାର (ଭା.ପୋ.ସେ), ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ରବିରାଜ ସାହୁରାଜ ଖୋଗରେ (ଆଇ.ଆର୍‌.ଏସ୍‌) ରାଜ୍ୟ ଆଇନଶୃଙ୍ଖଳା ଆଇ.ଜି ପ୍ରବୀଣ କୁମାର (ଭା.ପୋ.ସେ), ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍‌. ନରୱାଣେ ଓ ଆରକ୍ଷୀ ଅଧୀକ୍ଷକ ସ୍ମିଥ୍‌ ପି. ପୁରୁଷୋତ୍ତମଦାସ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Related posts