Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପରିଚାଳନା ନେଇ ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ସହ ସଂପୃକ୍ତ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଭିଡ଼ିଓ କନ୍‌ଫେରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରାଇଛନ୍ତି ।

ବିଶେଷ କରି ଉପନିର୍ବାଚନବେଳେ ସମଗ୍ର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଆଇନ୍‌ଶୃଙ୍ଖଳା ରକ୍ଷା, ନିର୍ବାଚନ ମଣ୍ଡଳୀର ସବୁ ବୁଥ୍‌କୁ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସାମଗ୍ରୀର ସୁବଣ୍ଟନ, କଳାବୈଶଖି ଝଡ଼ବାତ୍ୟାର ଆଗୁଆ ଆକଳନ, ଏକଜିଟ୍‌ ପୋଲ ଉପରେ ରୋକ୍‌, ଉପନିର୍ବାଚନ ପୂର୍ବ ଓ ପରବର୍ତ୍ତୀ ପ୍ରସ୍ତୁତି ଯଥା-ଷ୍ଟ୍ରଙ୍ଗ୍‌ରୁମ୍‌ ପ୍ରସ୍ତୁତି ଓ ଏହାର ସୁରକ୍ଷା, ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଣ ନିମନ୍ତେ ପ୍ରସ୍ତୁତି ଇତ୍ୟାଦି ସଂପର୍କରେ ବିସ୍ତୃତ ଭାବରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସଂପୃକ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ଆଭାସୀ ବୈଠକରେ ଉପନିର୍ବାଚନ ନିମନ୍ତେ ନିଯୁକ୍ତି ହୋଇଥିବା ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଦେବକ୍ରିଷ୍ଣା ତିୱାରୀ (ଭା.ପ୍ର.ସେ), ପୁଲିସ ପର୍ଯ୍ୟବେକ୍ଷକ ହମିଦ୍‌ ଅଖତାର (ଭା.ପୋ.ସେ), ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ରବିରାଜ ସାହୁରାଜ ଖୋଗରେ (ଆଇ.ଆର୍‌.ଏସ୍‌) ରାଜ୍ୟ ଆଇନଶୃଙ୍ଖଳା ଆଇ.ଜି ପ୍ରବୀଣ କୁମାର (ଭା.ପୋ.ସେ), ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ଏସ୍‌. ନରୱାଣେ ଓ ଆରକ୍ଷୀ ଅଧୀକ୍ଷକ ସ୍ମିଥ୍‌ ପି. ପୁରୁଷୋତ୍ତମଦାସ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରତ୍ରୁଘ୍ନ କର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡାରେ ଅନ୍ଧାରୀ ବିଜେ କରୁଛନ୍ତି ବିଜେପି ପ୍ରାର୍ଥୀ, ବିଜେଡିର ଅଭିଯୋଗ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପ୍ରଚାର ବେଳେ ସବୁ ପ୍ରକାରର ନିୟମ ଉଲ୍ଲଂଘନ କରୁଛି ବିଜେପି। ରାତି ଅଧରେ ମାଇକ ଲଗାଇ ପ୍ରଚାର କରୁଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ବିଜୁ ଜନତା ଦଳ।

ବିଜେଡି ନେତା ଲେନିନ ମହାନ୍ତିଙ୍କ ନେତୃତ୍ବରେ ବହୁ ନେତା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସେମାନେ ସେଥିରେ ଉଲ୍ଲେଖ କରିଛନ୍ତି ଯେ, ଗତକାଲି ବିଜେପି ପ୍ରାର୍ଥୀ ଟଙ୍କଧର ରାତି ଗୋଟାଏ ପରେ ଲଳିତ ହେରିଟେଜ ନିକଟ ସାମସଙ୍ଗ ଛକରେ ସହଯୋଗୀଙ୍କ ସହିତ ପ୍ରଚାର କରିଥିଲେ। ନିୟମ ଅନୁସାରେ ରାତି ଦଶଟା ବେଳେ ପ୍ରଚାର ବନ୍ଦ ହେବ। ହେଲେ ସେମାନେ ବେଆଇନି ଭାବେ ପ୍ରଚାର କରୁଛନ୍ତି।

ଅନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିରାଟ ଶୋଭାଯାତ୍ରା ଭିତରେ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଦୀପାଳି ଦାସ

ଝାରସୁଗୁଡା/ଭୁବନେଶ୍ବର: ଆଜି ଏକ ବିରାଟ ଶୋଭାଯାତ୍ରାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରାରେ ଦଳର ବରିଷ୍ଠ ନେତା ଓ ହଜାର ହଜାର କର୍ମି ସାମିଲ ହୋଇଥିଲେ। କହିବାକୁ ଗଲେ ବିଜେଡି ଆଜି ନାମାଙ୍କନ ଦାଖଲ ବେଳେ ପ୍ରଦର୍ଶିତ କରିଛି ଏହାର ଶକ୍ତି। ଯାହା ସେହି ଉପନିର୍ବାଚନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଖୋଦ୍ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଦଳ ବିଜ୍ଞପ୍ତି ପ୍ରକାଶ କରିଥିଲା। ତେବେ ତା ପୂର୍ବରୁ ଦୀପାଳି ସେହି ଅଞ୍ଚଳରେ ନିଜର ପ୍ରଚାର ଆରମ୍ଭ କରିଦେଇଥିଲେ।

ଦୀପାଳି ମନମୋହନ ସ୍କୁଲରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକଙ୍କ ସହ ପ୍ରତାପ ଜେନା, ମନ୍ତ୍ରୀ ରୀତା ସାହୁ ପ୍ରମୁଖ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ। ନାମାଙ୍କନ ଦାଖଲ ପୂର୍ବରୁ ଦୀପାଳି ମା ପାଟଣେଶ୍ବରୀ, ଶ୍ରୀଗଣେଶ ଓ ମହାଦେବଙ୍କ ଦର୍ଶନ କରିଥିଲେ।

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଏହି ଝାରସୁଗୁଡାରେ ଉପନିର୍ବାଚନ ହେଉଛି। ଏଥିରେ ଖୋଦ ନବ ଦାସଙ୍କ ଝିଅ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କଂଗ୍ରେସରୁ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ପୁଅ ତରୁଣ ପାଣ୍ତେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ଆସନ୍ତା ମଇ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ। ଏପ୍ରିଲ ୨୦ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି। ମଇ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା/ଭୁବନେଶ୍ୱର : ଆସନ୍ତା ମେ ୧୦ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମନମୋହନ ଏମଇ ସ୍କୁଲ ଗ୍ରାଉଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଉପନିର୍ବାଚନ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଏହି ଶୋଭାଯାତ୍ରାରେ ପ୍ରାୟ ୧୦ହଜାରୁ ଅଧିକ ଜନତା ସାମିଲ ଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ସାଧାରଣ ଲୋକେ ଆଜି ନ୍ୟାୟ ପାଇବା ପାଇଁ ତ୍ରାହି ତ୍ରାହି ଡାକୁଥିବାବେଳେ ରାଜ୍ୟ ସରକାରଙ୍କ ବିଫଳତା ସ୍ପଷ୍ଟ ବାରୀ ହୋଇପଡୁଛି। ସାଧାରଣ ଲୋକ ନ୍ୟାୟ ପାଇଁ ଲଢ଼ୁଛନ୍ତି ଓ ଲଢ଼ିବେ ଏବଂ ନ୍ୟାୟର ବିଜୟ ହେବ। ଜଣେ ଉଚ୍ଚଶିକ୍ଷିତ, ଯୋଗ୍ୟ, ଦକ୍ଷ ଓ ଯୁବକ ଶ୍ରୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଝାରସୁଗୁଡା ନିର୍ବାଚନମଣ୍ଡଳୀର ସଚେତନ ଭୋଟର ଭାଇ ଓ ଭଉଣୀମାନେ ଏଭଳି ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ତାଙ୍କ ବିଜୟକୁ ସୁନିଶ୍ଚିତ କରାଇବେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଦୀର୍ଘ ୨୪ବର୍ଷ ଧରି ନିରନ୍ତର ଶାସନ କ୍ଷମତାରେ ରହି ମଧ୍ୟ ନିର୍ବାଚନ ମଣ୍ଡଳୀର ସଠିକ୍ ବିକାଶ ହୋଇପାରିଲା ନାହିଁ। ଏ ଲଢ଼େଇ ଝାରସୁଗୁଡାବାସୀଙ୍କର, ମୁଁ ନିମିତ ମାତ୍ର ବୋଲି ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି।

ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେଭି ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ବିିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ଭବାନୀ ଭୋଇ, କୁସୁମ ଟେଟେ, ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ଡ. ବୁଧାନ ମୁର୍ମୁ ସାମିଲ ହୋଇଥିଲେ।

ସେହିପରି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ସଭାପତି ମଙ୍ଗଳ ସାହୁ, ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାଏକ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସମାନ୍ତସିଂହାର, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ବିଂରଚି ନାରାୟଣ ତ୍ରିପାଠୀ, ଠାକୁର ରଞ୍ଜିତ ଦାସ, ମନୋଜ ମହାପାତ୍ର, ତେଜେଶ୍ୱର ପରିଡା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ ପ୍ରମୁଖ ସମେତ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଇକେରା, କିର୍ମିରା, କୋଲାବିରା, ଝାରସୁଗୁଡା ବ୍ଲକ ଓ ମ୍ୟୁନିସପାଲଟିରୁ ୧୦ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦୁଇଟି କମିଟି ଗଠନ କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର : ଆସନ୍ତା ମେ ୧୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ଝାରସୁଗୁଡା ଉପ-ନିର୍ବାଚନ। ବିଜେପି ପ୍ରାର୍ଥୀ ଭାବେ ଯୁବ ନେତା ତଥା ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ। ନିର୍ବାଚନର ସୁପରିଚାଳନା ଓ ସୁପ୍ରଚାର ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦୁଇଟି କମିଟିର ନାମ ଘୋଷଣା କରିଛନ୍ତି।

ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ସାଂସଦ ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାୟକ ଏବଂ ଗୋଲକ ପ୍ରସାଦ ମହାପାତ୍ର ସଦସ୍ୟ ଅଛନ୍ତି।

ସେହିପରି ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ ସାସଂଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସାଂସଦ ତଥା ରାଜ୍ୟ ଉପସଭାପତି ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅଛନ୍ତି।

ସେହିପରି ବିଧାୟକ ଶଂକର ଓରାମ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବିଧାୟକ ତଥା ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଂକର ଭୋଇ, କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ ଏବଂ ବରିଷ୍ଠ ନେତା ରଂଜନ କୁମାର ପଟେଲ ସଦସ୍ୟ ଅଛନ୍ତି ।