ବିରାଟ ଶୋଭାଯାତ୍ରା ଭିତରେ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଦୀପାଳି ଦାସ

Published: Apr 18, 2023, 5:18 pm IST

ଝାରସୁଗୁଡା/ଭୁବନେଶ୍ବର: ଆଜି ଏକ ବିରାଟ ଶୋଭାଯାତ୍ରାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରାରେ ଦଳର ବରିଷ୍ଠ ନେତା ଓ ହଜାର ହଜାର କର୍ମି ସାମିଲ ହୋଇଥିଲେ। କହିବାକୁ ଗଲେ ବିଜେଡି ଆଜି ନାମାଙ୍କନ ଦାଖଲ ବେଳେ ପ୍ରଦର୍ଶିତ କରିଛି ଏହାର ଶକ୍ତି। ଯାହା ସେହି ଉପନିର୍ବାଚନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଖୋଦ୍ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଦଳ ବିଜ୍ଞପ୍ତି ପ୍ରକାଶ କରିଥିଲା। ତେବେ ତା ପୂର୍ବରୁ ଦୀପାଳି ସେହି ଅଞ୍ଚଳରେ ନିଜର ପ୍ରଚାର ଆରମ୍ଭ କରିଦେଇଥିଲେ।

ଦୀପାଳି ମନମୋହନ ସ୍କୁଲରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକଙ୍କ ସହ ପ୍ରତାପ ଜେନା, ମନ୍ତ୍ରୀ ରୀତା ସାହୁ ପ୍ରମୁଖ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ। ନାମାଙ୍କନ ଦାଖଲ ପୂର୍ବରୁ ଦୀପାଳି ମା ପାଟଣେଶ୍ବରୀ, ଶ୍ରୀଗଣେଶ ଓ ମହାଦେବଙ୍କ ଦର୍ଶନ କରିଥିଲେ।

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଏହି ଝାରସୁଗୁଡାରେ ଉପନିର୍ବାଚନ ହେଉଛି। ଏଥିରେ ଖୋଦ ନବ ଦାସଙ୍କ ଝିଅ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କଂଗ୍ରେସରୁ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ପୁଅ ତରୁଣ ପାଣ୍ତେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ଆସନ୍ତା ମଇ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ। ଏପ୍ରିଲ ୨୦ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି। ମଇ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Related posts