Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ: ବିଜେପି ପ୍ରାର୍ଥୀ ଓ ବିଧାୟିକାଙ୍କ ବିରୋଧର ଅଭିଯୋଗ କଲା ବିଜେଡି

ଭୁବନେଶ୍ବର: ଆଜି ବିଜେଡିର ବରିଷ୍ଠ ନେତା ଲେନିନ ମହାନ୍ତିଙ୍କ ନେତୃତ୍ୟରେ ଏକ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି। ଏଥିସହିତ ସେମାନେ ଝାରସୁଗୁଡା ଉପନିର୍ବାଚନ ନେଇ ଏକ ଅଭିଯୋଗ ସିଇଓଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ସେମାନେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ ବିଧାୟିକା କୁସୁମ ଟେଟେଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗ ପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଗତକାଲି ବିଜେଡି କର୍ମିମାନେ ପ୍ରଚାର କରୁଥିବା ବେଳେ ସେମାନଙ୍କୁ ଉଭୟ ଡରାଇଥିଲେ। ସେମାନେ ଲାଇକେରା ବ୍ଲକର ନିକିତିମାଳରେ ପ୍ରଚାର କରୁଥିବା ବେଳେ ଏହା ଘଟିଛି। ଉଭୟ କର୍ମମାନଙ୍କୁ ବିଜେପିର ପ୍ରଚାର କରିବାକୁ ବାଧ୍ୟ କରିଥିଲେ। ତାହା ନ କରିବାରୁ ସେମାନେ ବିଜେଡି କର୍ମିଙ୍କ ମୋଟର ସାଇକେଲକୁ ଗୋଇଠା ମାରିଥିଲେ। ଏହା ଉପରେ ଉପଯୁକ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠନ ନେବାକୁ ବିଜେଡି ନେତା ଅନୁରୋଧ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଆଜିଠାରୁ କମ୍ପିବ ଝାରସୁଗୁଡା ମଇଦାନ, ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା, କିଏ ଆଗରେ

ଭୁବନେଶ୍ବର: ଆଜିଠାରୁ ଝାରସୁଗୁଡା ମଇଦାନ କମ୍ପିବ। କାରଣ ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବର୍ତ୍ତମାନ ୯ ଜଣ ପ୍ରତିଦ୍ବନ୍ଦିତା କରିବାକୁ ରହିଲେ। ଏହି ଉପନିର୍ବାଚନ ପାଇଁ ସମୁଦାୟ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ହେଲେ ଭୁବନେଶ୍ୱର ଗର୍ତିଆ ନାମକ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ଉପନିର୍ବାଚନ ମଇଦାନରେ ୯ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି।

ସେମାନେ ହେଲେ ଭାରତୀୟ ଜନତା ପାର୍ଟିର ଟଙ୍କଧର ତ୍ରିପାଠୀ, ଭାରତୀୟ ଜାତୀୟ କଂଗ୍ରେସର ତରୁଣ ପାଣ୍ଡେ, ବିଜୁ ଜନତା ଦଳର ଦୀପାଳି ଦାସ, ଓଡ଼ିଶା ପ୍ରଗତି ଦଳର ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହିନ୍ଦ୍ର ପଟ୍ଟନାୟକ, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଜାଳାନ, ସ୍ୱାଧୀନ ପ୍ରାର୍ଥୀ ମହେନ୍ଦ୍ର ଲୁହା ଓ ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା ପ୍ରମୁଖ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ତେବେ ଏହି ଉପନିର୍ବାଚନରେ ମୁଖ୍ୟତଃ ବିଜେଡିର ଦୀପାଳି ଦାସଙ୍କ ସହିତ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଲଢେଇ ହେବ। ଏପରି ପରିସ୍ଥିତିରେ କଂଗ୍ରେସ ସ୍ଥିତି କଣ ହେବ ତାହା ବର୍ତ୍ତମାନ ସୁଦ୍ଧା କିଛି ଜଣାପଡି ନାହିଁ। କାରଣ ନିକଟରେ କଂଗ୍ରେସ ତାହାର ନୂଆ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ବିଜୟ ପଟ୍ଟନାୟକଙ୍କୁ ନିଯୁକ୍ତି କରିଛି। ସେ ବର୍ତ୍ତମାନ ଏହି ଉପନିର୍ବାଚନରେ କିପରି ମଙ୍ଗ ଧରିବେ ତାହା ଜଣାପଡି ନାହିଁ।

ତେବେ ନିର୍ବାଚନ ଘୋଷଣା ବହୁ ପୂର୍ବରୁ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ସେଠାରେ ପ୍ରଚାର ଆରମ୍ଭ କରିସାରିଛନ୍ତି। ପ୍ରତ୍ୟେକ ଦିନ ସେ ଝାରସୁଗୁଡାର ବିଭିନ୍ନ ସ୍ଥାନକୁ ଯାଇ ଲୋକ ସଂପର୍କ ସ୍ଥାପନ କରିଆସୁଛନ୍ତି। ତାଙ୍କର ବାପା ସ୍ବର୍ଗତ ନବ ଦାସଙ୍କ ଯେଉଁ ପତିୟାରା ଥିଲା ତାହାକୁ ମଧ୍ୟ ପାଥେୟ କରି ସେ ଲୋକ ସଂପର୍କ ସ୍ଥାପନ କରିବାରେ ଲାଗିଛନ୍ତି। ଫଳରେ ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କଲେ ଦୀପାଳିଙ୍କ ପଲା ଭାରି ରହିଛି।

ସେହିପରି ବିଜେପି ପାଇଁ ମଧ୍ୟ ଏହି ଉପନିର୍ବାଚନ ଏକ ନୂଆ ଅନୁଭବ ସୃଷ୍ଟି କରିବ। କାରଣ ରାଜ୍ୟ ସଭାପତି ଭାବେ ମନମୋହନ ସାମଲ ଦାୟିତ୍ବ ନେବା ପରେ ଏହା ହେଉଛି ପ୍ରଥମ ଯୁଦ୍ଧ। ତାଙ୍କ ନେତୃତ୍ବରେ ଏହି ଉପନିର୍ବାଚନରେ ଦଳ ଲଢେଇ କରିବ। ଅନ୍ୟପକ୍ଷରେ ଟଙ୍କଧରଙ୍କ ପାଇଁ ମଧ୍ୟ ନିର୍ବାଚନ ମଇଦାନରେ ଓହ୍ଲାଇବା ପ୍ରଥମ ଅନୁଭବ ହେବ। ସେଥିପାଇଁ ଦଳ କି ପ୍ରକାରର ରଣନୀତି କରିବ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆସନ୍ତା ମେ ୧୦ ତାରିଖରେ କରାଯିବ। ସେହିପରି ଭୋଟ ଗଣତି ମେ ୧୩ ତାରିଖରେ ଅନୁଷ୍ଠିତ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେଲା ଝାରସୁଗୁଡା ଉପନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ସମୁଦାୟ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିବସ । ଭୁବନେଶ୍ୱର ଗର୍ତିଆ ନାମକ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବାରୁ ଉପନିର୍ବାଚନ ମଇଦାନରେ ୯ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି ।

ସେମାନେ ହେଲେ ଭାରତୀୟ ଜନତା ପାର୍ଟିର ଟଙ୍କଧର ତ୍ରିପାଠୀ, ଭାରତୀୟ ଜାତୀୟ କଂଗ୍ରେସର ତରୁଣ ପାଣ୍ଡେ, ବିଜୁ ଜନତା ଦଳର ଦୀପାଳି ଦାସ, ଓଡ଼ିଶା ପ୍ରଗତି ଦଳର ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହିନ୍ଦ୍ର ପଟ୍ଟନାୟକ, ସ୍ୱାଧୀନ ପ୍ରାର୍ଥୀ ବିଜୟ କୁମାର ଜାଳାନ, ସ୍ୱାଧୀନ ପ୍ରାର୍ଥୀ ମହେନ୍ଦ୍ର ଲୁହା ଓ ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା ପ୍ରମୁଖ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Categories
ବିଶେଷ ଖବର ରାଜ୍ୟ ଖବର

ବର୍ଷାଙ୍କ ଭଳି ଦୀପାଳିଙ୍କୁ ମଧ୍ୟ ବ୍ୟକ୍ତିଗତ ଆକ୍ଷେପ କରୁଛି ବିଜେପି, ବିଜେଡି କଲା ଅଭିଯୋଗ

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନବେଳେ ବି‌ଜେପି ନେତାମାନେ ବିଜେଡିର ମହିଳା ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହ ଅତ୍ୟନ୍ତ ତଳ ସ୍ତରକୁ ଯାଇ କୁତ୍ସା ରଟନା କରିବାକୁ ପଛାଇ ନ ଥିଲେ। ଏବେ ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ବିଜେପି ନେତାମାନେ ସମାନ ରଣନୀତି ଆପଣାଇ ଦୀପାଳି ଦାସଙ୍କୁ ବ୍ୟକ୍ତିଗତ ଆକ୍ଷେପ ଓ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ବିରୋଧୀ ବିଜେପିର ଏଭଳି ହୀନ ରାଜନୀତିକୁ ବିଜୁ ଜନତା ଦଳ କଡ଼ା ନିନ୍ଦା କରିଛି।

ଆଜି ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ନିଜ ମତ ରଖି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ଯେ‌ତେବେ‌ଳେ ପଦ୍ମପୁରର ଲୋକପ୍ରିୟ ବିଧାୟକ ବିଜୟ ରଂଜନ ସିଂ ବରିହା ପ୍ରାଣ ହରାଇଲେ, ପଦ୍ମପୁରବାସୀ ଚାହିଁଲେ ତାଙ୍କ ଝିଅ ବର୍ଷା ସିଂ ବରିହା ରାଜନୀତିରେ ପ୍ରବେଶ କରନ୍ତୁ ଏବଂ ପଦ୍ମପୁର ପାଇଁ ତାଙ୍କ ବାପା ଦେଖିଥିବା ସ୍ୱପ୍ନକୁ ପୂରଣ କରନ୍ତୁ। ଆଉ ପଦ୍ମପୁରରେ ଉପନିର୍ବାଚନ ଘୋଷଣା ହେବା ପରେ ବର୍ଷା ରାଜନୀତିରେ ପ୍ରବେଶ କରି ଲୋକଙ୍କ ସେବା କରିବାକୁ ସ୍ଥିର କଲେ।

ମାତ୍ର ଓଡ଼ିଶା ବିଜେପିର ନେତାମାନେ ବର୍ଷାଙ୍କୁ ରାଜନୈତିକ ଭାବେ ସମାଲୋଚନା କରିବା ପରିବର୍ତ୍ତେ ବ୍ୟକ୍ତିଗତ ସ୍ତର‌କୁ ଯାଇ ତାଙ୍କୁ କଟୁ ଆକ୍ଷେପ ଓ ଆକ୍ରମଣ କଲେ। ତାଙ୍କ ବିରୋଧରେ ଅତ୍ୟନ୍ତ ନିମ୍ନ ରୁଚିର ଅଶାଳୀନ ଶବ୍ଦ ବ୍ୟବହାର କଲେ, ଯାହାକି ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ନୁହେଁ। କେବଳ ସେତିକି ନୁହେଁ, ତାଙ୍କୁ ଟାର୍ଗେଟ କରି ସେମାନେ ଏମିତି କିଛି ମହିଳା ବିରୋଧୀ ମନ୍ତବ୍ୟ ମଧ୍ୟ ଦେଲେ, ଯାହାକି ଅଧିକ ଯନ୍ତ୍ରଣାଦାୟକ ଥିଲା।

ଅନ୍ୟ କେହି ନୁହନ୍ତି, ଜୟନାରାୟଣ ମିଶ୍ର, ପ୍ରଦୀପ ପୁରୋହିତଙ୍କ ଭଳି ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ତଳ ସ୍ତରକୁ ଯାଇ ଏଭଳି ମନ୍ତବ୍ୟ ଦେଉଥିଲେ। ସ୍ୱାଭାବିକ ଭାବେ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଏଭଳି କହିବାକୁ ସେମାନଙ୍କୁ ଉସୁକାଉଥିଲେ। ସେମାନଙ୍କର ଏଭଳି ଆଚରଣ ଓ ଉଚ୍ଚାରଣ ବ୍ୟକ୍ତିଗତ ଭାବେ ବର୍ଷା ଏବଂ ତାଙ୍କ ପରିବାର ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଆମେ କେହି ବିଶ୍ୱାସ କରିପାରୁ ନ ଥିଲୁ ଯେ ଓଡ଼ିଶା ବିଜେପିର ନେତାମାନେ ଏତେ ତଳ ସ୍ତରକୁ ଖସି ଯାଇ ପାରନ୍ତି। ମାତ୍ର ନିର୍ବାଚନରେ ଲଢ଼େଇ ପାଇଁ ଏହା ବର୍ଷାଙ୍କୁ ଅଧିକ ସଶକ୍ତ କରିଥିଲା।

ଶ୍ରୀମତୀ ମିଶ୍ର ଆହୁରି କହିଛନ୍ତି ଯେ ପଦ୍ମପୁର ଉପନିର୍ବାଚନରେ କରିଥିବା ତ୍ରୁଟିରୁ ବିଜେପି ନେତାମାନେ କିଛି ଶିକ୍ଷା ଲାଭ କରିପାରିଲେନି। ଏବେ ପ୍ରଦୀପ ପୁରୋହିତଙ୍କ ଭଳି ବିଜେପି ନେତାମାନେ ଝାରସୁଗୁଡ଼ାରେ ଉପନିର୍ବାଚନ ଲଢ଼ୁଥିବା ଦୀପାଳି ଦାସଙ୍କ ବିରୋଧରେ ଅନୁରୂପ ଭାବେ ବ୍ୟକ୍ତିଗତ ଆକ୍ଷେପମୂଳକ ଏବଂ ବିଦ୍ୱେଷପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି।

ଦୀପାଳି ଓ ତାଙ୍କ ପରିବାର ଏହାକୁ ନେଇ କେତେ ମାନସିକ ଯନ୍ତ୍ରଣା ପାଉଥିବେ, ତାହା ସହଜରେ ଅନୁମେୟ। ଆମେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶା ବିଜେପିର ଅନ୍ୟ ନେତାମାନଙ୍କୁ ପଚାରିବାକୁ ଚାହୁଁ, ସେମାନଙ୍କର ମଧ୍ୟ ଝିଅ, ଭଉଣୀ ଏବଂ ପରିବାରରେ ଅନ୍ୟ ମହିଳାମାନେ ଅଛନ୍ତି। ଯଦି କେହି ସେମାନଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦିଏ, ସେମାନଙ୍କୁ କେମିତି ଲାଗିବ ?

ବିଜେପି ନେତାମାନଙ୍କୁ ଚେତାବନୀ ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଏସବୁ ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ବିରୋଧୀ। ଦୟାକରି ଏଭଳି କୁକର୍ମ ବନ୍ଦ କରନ୍ତୁ। ଓଡ଼ିଶାର ମହିଳାମାନଙ୍କୁ ଏମିତି ଲାଞ୍ଛିତ କରିବା ଏବଂ କୁତ୍ସା ରଟନା କରୁଥିବା ଓଡ଼ିଶା ବିଜେପି ଏବଂ ଏହାର ନେତାମାନଙ୍କୁ ଓଡ଼ିଶାବାସୀ କେବେ ବି କ୍ଷମା ଦେବେ ନାହିଁ।

Categories
ବିଶେଷ ଖବର

ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ: ଦଳକୁ ସ୍ୱାଗତ କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଛୁଟିଛି ସମର୍ଥନର ସୁଅ। ନିର୍ବାଚନ ଘୋଷଣା ହେବା ପରଠାରୁ ଝାରସୁଗୁଡ଼ାରେ ବିଭିନ୍ନ ଦଳର କର୍ମୀ ଓ କର୍ମକର୍ତ୍ତା ନିୟମିତ ବ୍ୟବଧାନରେ ବିଜେଡିରେ ଯୋଗ ଦେଉଛନ୍ତି। ଏହି କ୍ରମରେ ଶୁକ୍ରବାର ଝାରସୁଗୁଡ଼ା ଜିଲ୍ଲା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଗୋଁଡ଼ ସମାଜର ୬୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଓ ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ ବିଜେଡିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେଡି କାର‌୍ୟ୍ୟାଳୟରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଁଡ଼ ମହାସଭାର ରାଜ୍ୟ ସଭାପତି ମହେନ୍ଦ୍ର ନାୟକ, ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାୟକ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗ ଦେଇଛନ୍ତି।

ଅନୁରୂପ ଭାବରେ ଗୋଁଡ଼ ମହାସଭା କୋଲାବିରା ବ୍ଲକ ସଭାପତି ରୁଦ୍ରପ୍ରତାପ ସିଂହ, ରାଜ୍ୟ ମହିଳା ସଂଯୋଜକ ଦମୟନ୍ତୀ ମହାପାତ୍ର, ବଲାଙ୍ଗୀର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ, ଅନୁଗୋଳ ଜିଲ୍ଲା ସଭାପତି ସଦାଶିବ ନାୟକ, ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ପରାମର୍ଶଦାତା ସଦାଶିବ ନାୟକ, ସାଧାରଣ ସମ୍ପାଦକ ଅଶୋକ ମାଝି, ଉପସଭାପତି ବୀର ଧୁରୁଆ, ବରଗଡ଼ ଜିଲ୍ଲା ଗୋଁଡ଼ ସମାଜ ସମ୍ପାଦକ ଧନେଶ୍ୱର ସିଂହଙ୍କ ସହ ୬୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି।

ସାଂସଦ ଶ୍ରୀ ମଙ୍ଗରାଜ ଏହି ନେତାମାନଙ୍କୁ ବିଜେଡି ଓ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଯେଉଁ ବିକାଶ ଓ ରୂପାନ୍ତରଣର ଧାରା ଆରମ୍ଭ କରିଛନ୍ତି ସେଥିପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଦଳର କର୍ମୀ ଓ କର୍ମକର୍ତ୍ତାମାନେ ଯୋଗ ଦେଉଛନ୍ତି। ବିଜୁ ଜନତା ଦଳରେ ସମସ୍ତଙ୍କ ପାଇଁ କାର‌୍ୟ୍ୟ କରିବାର ସୁଯୋଗ ରହିଛି। ତେଣୁ ଯେଉଁମାନେ ବାସ୍ତବରେ ରାଜ୍ୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଦଳ ସର୍ବଦା ସ୍ୱାଗତ କରି ଆସିଛି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡିରେ ଯୋଗ ଦେଇଥିବା ମହେନ୍ଦ୍ର ନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଝାରସୁଗୁଡ଼ା ସହ ସାରା ରାଜ୍ୟର ବିକାଶରେ ମୁଖ୍ୟମନ୍ତ୍ରୀଙ୍କର ଯୋଗଦାନ ଅବିସ୍ମରଣୀୟ। ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ କରିଛି ଓ ସେମାନଙ୍କ ବର୍ଗ ନିମନ୍ତେ ମୁଖ୍ୟମନ୍ତ୍ରୀ ଯେପରି ନିଷ୍ଠାପର ଭାବରେ କାର‌୍ୟ୍ୟ କରିଛନ୍ତି ସେଥିପାଇଁ ସାରା ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ବୋଲି ଉଲ୍ଲେଖ କରି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିଜୟ ନିମନ୍ତେ ସେମାନେ କାର‌୍ୟ୍ୟ କରିବେ ବୋଲି କହିଛନ୍ତି ମହେନ୍ଦ୍ର। ସେହିପରି ଝାରସୁଗୁଡ଼ା ଜିଲ୍ଲା ସମ୍ମିଳିତ ଆଦିବାସୀ ସମାଜ ସଭାପତି ମାଧବ ସିଂହ ନାୟକ ମଧ୍ୟ ବିଜେଡିରେ ଯୋଗ ଦେଇ ସେମାନେ ସାଧାରଣ ଲୋକଙ୍କ ନିମନ୍ତେ କାର‌୍ୟ୍ୟ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ବିଜେଡି ନେତା ମହେନ୍ଦ୍ର ବଢ଼େଇ, ଦଳର ମୁଖପାତ୍ର ସଞ୍ଜୟ ବାବୁ, ସମ୍ପାଦକ ତଥା ଦେବଗଡ଼ ଜିଲ୍ଲା ପର‌୍ୟ୍ୟବେକ୍ଷକ ଅମରେଶ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପି ପ୍ରକାଶ କଲା ଷ୍ଟାର ପ୍ରଚାରକ ତାଲିକା, ଦୁଇ ନମ୍ବରରେ ଜୁଏଲ, ତିନି ନମ୍ବରରେ ଧର୍ମେନ୍ଦ୍ର

ଭୁବନେଶ୍ବର: ଆଜି ବିଜେପି ମଧ୍ୟ ଝାରସୁଗୁଡା ଉପନିର୍ବାଚନ ପାଇଁ ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଚାଳିଶ ଜଣିଆ ଏହି ତାଲିକାରେ ପ୍ରଥମେ ଅଛନ୍ତି ଦଳର ସଭାପତି ମନମୋହନ ସାମଲ। ଏହାପରେ ଦ୍ବିତୀୟରେ ଅଛନ୍ତି ଜୁଅଲ ଓରାମ। ତୃତୀୟକୁ ଖସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲେ

ଏଥର ଝାରସୁଗୁଡା ଉପନିର୍ବାଚନ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଦଳ ପ୍ରଥମ ଥର ପାଇଁ ଲଢେଇ କରୁଛି। ସେଥିପାଇଁ ମନମୋହନ ବେଶ ମାପିଚୁପି ଏହି ତାଲିକା ପ୍ରସ୍ତୁତ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ ତାହାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ଚାଳିଷ ଜଣ ପ୍ରଚାରକ ଅଛନ୍ତି। ତାଲିକାର ପ୍ରଥମରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବା ବେଳେ ଦ୍ବିତୀୟରେ ଅଛନ୍ତି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲେ..

ଏହି ତାଲିକା ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ କରାଯାଇଛି। ଏଥିରେ ବିଧାୟକ ସୁଶାନ୍ତ ସିଂଙ୍କ ନାମ ରହିଛି। ତାଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରି ନ ଥିବାରୁ ବିଭିନ୍ନ ବାଦବିବାଦ ସୃଷ୍ଟି ହୋଇଥିଲା। ହେଲେ ଷ୍ଟାର ପ୍ରଚାରକ ତାଲିକାରେ ଦଳ ତାଙ୍କୁ ସାମିଲ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା ଉପନିର୍ବାଚନ ନିମନ୍ତେ କଂଗ୍ରେସ ତାରକା ପ୍ରଚାରକ ନାମ ତାଲିକା ଘୋଷିତ

ଭୁବନେଶ୍ୱର: ଚଳିତ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ନିମନ୍ତେ ପ୍ରଚାର କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ୪୦ ଜଣିଆ ତାରକା ପ୍ରଚାରକ ମାନଙ୍କ ନାମ ତାଲିକା ଘୋଷଣା କରାଯାଇଛି।

ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ତଥା ଏ.ଆଇ.ସି.ସି. ସାଧାରଣ ସମ୍ପାଦକ ସାଂସଦ ଡଃ ଏ. ଚେଲା କୁମାର, ପି.ସି.ସି. ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ସମେତ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, କଂଗ୍ରେସ ଦଳର ବିଧାୟକ ନେତା ନରସିଂହ ମିଶ୍ର ଏ.ଆଇ.ସି.ସିର କେନ୍ଦ୍ରୀୟ ନେତା କହ୍ମେୟା କୁମାର, ପୂର୍ବତନ ପି.ସି.ସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ପ୍ରମୁଖ ରହିଥିବାବେଳେ ସାଂସଦ ଶପ୍ତଗିରୀ ଉଲ୍ଲକା, ଏ.ଆଇ.ସି.ସି. ସାଧାରଣ ସମ୍ପାଦକ – ଭକ୍ତ ଚରଣ ଦାସ, ଏଆଇସିସି ସମ୍ପାଦକ ଶରତ ରାଉତ, ପୂର୍ବତନ ଏ.ଆଇ.ସି.ସି. ସମ୍ପାଦକ – ବିଶ୍ୱରଞ୍ଜନ ମହାନ୍ତି, ପୂର୍ବତନ ସାଂସଦ ଡଃ ରାମଚନ୍ଦ୍ର ଖୁଂଟିଆ, ସୁଶିଲା ତିରିଆ, ଅନନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଂଚାନନ କାନୁନ୍‌ଗୋ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ଯୁଧିଷ୍ଟିର ଜେନା, ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରମୁଖ ରହିଥିବାବେଳେ ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋସ ସିଂ ସାଲୁଜା, ତାରା ପ୍ରସାଦ ବାହିନପତି, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ସି.ଏସ୍‌. ରାଜନ ଏକା ପ୍ରମୁଖ ମଧ୍ୟ ରହିଛନ୍ତି।

ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଏ.ଆଇ.ସି.ସି. ମହିଳା ସମ୍ପାଦକ ଶସ୍ମିତା ବେହେରା, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ପୂର୍ବତନ ବିଧାୟକ ଭୂଜବଳ ମାଝୀ, ଦେବାଶିଷ ପଟ୍ଟନାୟକ, ମହିଳା କଂଗ୍ରେସର ସଭାନେତ୍ରୀ – ବନ୍ଦିତା ପରିଡ଼ା, ଛାତ୍ର ସଭାପତି – ୟାଶିର ନୱାଜ, ଯୁବ କଂଗ୍ରେସ ସଭାପତି – ସ୍ମୁତିରଞ୍ଜନ ଲେଙ୍କା, ଅନୁସୂଚିତ ଜାତି ଅଧ୍ୟକ୍ଷ – ବାଙ୍କନିଧି ବେହେରା, ସଂଖ୍ୟାଲଘୁ ଅଧ୍ୟକ୍ଷ – ଜିୟା ଉଲ୍ଲ ହକ୍‌, କିଷାନ ସେଲ୍‌ର ଅଧ୍ୟକ୍ଷ – ଅମୀୟ ପଟ୍ଟନାୟକ, ରାଜ୍ୟ ମୁଖପାତ୍ର – ଅମୀୟ ପାଣ୍ଡବ, ଅମିତା ବିଶ୍ୱାଳ ଓ ମହେନ୍ଦ୍ର ନାୟକ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ରହିଛନ୍ତି । ଏହି ପ୍ରଚାରକମାନେ ଚଳିତ ମାସ ଅପ୍ରିଲ ୨୫ ତାରିଖ ରୁ ମଇ ୮ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାରେ ଉପସ୍ଥିତ ରହି କଂଗ୍ରେସ ପ୍ରାର୍ଥୀ ଶ୍ରୀ ପାଣ୍ଡେଙ୍କ ସପକ୍ଷରେ ପ୍ରଚାର କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଅନୁରୋଧ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ଜଣାଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ବିରାଟ ଶୋଭାଯାତ୍ରା ଭିତରେ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଦୀପାଳି ଦାସ

ଝାରସୁଗୁଡା/ଭୁବନେଶ୍ବର: ଆଜି ଏକ ବିରାଟ ଶୋଭାଯାତ୍ରାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରାରେ ଦଳର ବରିଷ୍ଠ ନେତା ଓ ହଜାର ହଜାର କର୍ମି ସାମିଲ ହୋଇଥିଲେ। କହିବାକୁ ଗଲେ ବିଜେଡି ଆଜି ନାମାଙ୍କନ ଦାଖଲ ବେଳେ ପ୍ରଦର୍ଶିତ କରିଛି ଏହାର ଶକ୍ତି। ଯାହା ସେହି ଉପନିର୍ବାଚନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଖୋଦ୍ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଦଳ ବିଜ୍ଞପ୍ତି ପ୍ରକାଶ କରିଥିଲା। ତେବେ ତା ପୂର୍ବରୁ ଦୀପାଳି ସେହି ଅଞ୍ଚଳରେ ନିଜର ପ୍ରଚାର ଆରମ୍ଭ କରିଦେଇଥିଲେ।

ଦୀପାଳି ମନମୋହନ ସ୍କୁଲରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକଙ୍କ ସହ ପ୍ରତାପ ଜେନା, ମନ୍ତ୍ରୀ ରୀତା ସାହୁ ପ୍ରମୁଖ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ। ନାମାଙ୍କନ ଦାଖଲ ପୂର୍ବରୁ ଦୀପାଳି ମା ପାଟଣେଶ୍ବରୀ, ଶ୍ରୀଗଣେଶ ଓ ମହାଦେବଙ୍କ ଦର୍ଶନ କରିଥିଲେ।

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଏହି ଝାରସୁଗୁଡାରେ ଉପନିର୍ବାଚନ ହେଉଛି। ଏଥିରେ ଖୋଦ ନବ ଦାସଙ୍କ ଝିଅ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କଂଗ୍ରେସରୁ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ପୁଅ ତରୁଣ ପାଣ୍ତେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ଆସନ୍ତା ମଇ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ। ଏପ୍ରିଲ ୨୦ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି। ମଇ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା/ଭୁବନେଶ୍ୱର : ଆସନ୍ତା ମେ ୧୦ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମନମୋହନ ଏମଇ ସ୍କୁଲ ଗ୍ରାଉଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଉପନିର୍ବାଚନ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଏହି ଶୋଭାଯାତ୍ରାରେ ପ୍ରାୟ ୧୦ହଜାରୁ ଅଧିକ ଜନତା ସାମିଲ ଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ସାଧାରଣ ଲୋକେ ଆଜି ନ୍ୟାୟ ପାଇବା ପାଇଁ ତ୍ରାହି ତ୍ରାହି ଡାକୁଥିବାବେଳେ ରାଜ୍ୟ ସରକାରଙ୍କ ବିଫଳତା ସ୍ପଷ୍ଟ ବାରୀ ହୋଇପଡୁଛି। ସାଧାରଣ ଲୋକ ନ୍ୟାୟ ପାଇଁ ଲଢ଼ୁଛନ୍ତି ଓ ଲଢ଼ିବେ ଏବଂ ନ୍ୟାୟର ବିଜୟ ହେବ। ଜଣେ ଉଚ୍ଚଶିକ୍ଷିତ, ଯୋଗ୍ୟ, ଦକ୍ଷ ଓ ଯୁବକ ଶ୍ରୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଝାରସୁଗୁଡା ନିର୍ବାଚନମଣ୍ଡଳୀର ସଚେତନ ଭୋଟର ଭାଇ ଓ ଭଉଣୀମାନେ ଏଭଳି ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ତାଙ୍କ ବିଜୟକୁ ସୁନିଶ୍ଚିତ କରାଇବେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଦୀର୍ଘ ୨୪ବର୍ଷ ଧରି ନିରନ୍ତର ଶାସନ କ୍ଷମତାରେ ରହି ମଧ୍ୟ ନିର୍ବାଚନ ମଣ୍ଡଳୀର ସଠିକ୍ ବିକାଶ ହୋଇପାରିଲା ନାହିଁ। ଏ ଲଢ଼େଇ ଝାରସୁଗୁଡାବାସୀଙ୍କର, ମୁଁ ନିମିତ ମାତ୍ର ବୋଲି ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି।

ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେଭି ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ବିିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ଭବାନୀ ଭୋଇ, କୁସୁମ ଟେଟେ, ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ଡ. ବୁଧାନ ମୁର୍ମୁ ସାମିଲ ହୋଇଥିଲେ।

ସେହିପରି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ସଭାପତି ମଙ୍ଗଳ ସାହୁ, ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାଏକ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସମାନ୍ତସିଂହାର, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ବିଂରଚି ନାରାୟଣ ତ୍ରିପାଠୀ, ଠାକୁର ରଞ୍ଜିତ ଦାସ, ମନୋଜ ମହାପାତ୍ର, ତେଜେଶ୍ୱର ପରିଡା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ ପ୍ରମୁଖ ସମେତ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଇକେରା, କିର୍ମିରା, କୋଲାବିରା, ଝାରସୁଗୁଡା ବ୍ଲକ ଓ ମ୍ୟୁନିସପାଲଟିରୁ ୧୦ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଦୁଇଟି କମିଟି ଗଠନ କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର : ଆସନ୍ତା ମେ ୧୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ଝାରସୁଗୁଡା ଉପ-ନିର୍ବାଚନ। ବିଜେପି ପ୍ରାର୍ଥୀ ଭାବେ ଯୁବ ନେତା ତଥା ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ। ନିର୍ବାଚନର ସୁପରିଚାଳନା ଓ ସୁପ୍ରଚାର ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦୁଇଟି କମିଟିର ନାମ ଘୋଷଣା କରିଛନ୍ତି।

ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ସାଂସଦ ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାୟକ ଏବଂ ଗୋଲକ ପ୍ରସାଦ ମହାପାତ୍ର ସଦସ୍ୟ ଅଛନ୍ତି।

ସେହିପରି ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପ୍ରଚାର କମିଟିରେ ସାସଂଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସାଂସଦ ତଥା ରାଜ୍ୟ ଉପସଭାପତି ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଅଛନ୍ତି।

ସେହିପରି ବିଧାୟକ ଶଂକର ଓରାମ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ, ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବିଧାୟକ ତଥା ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଂକର ଭୋଇ, କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ ଏବଂ ବରିଷ୍ଠ ନେତା ରଂଜନ କୁମାର ପଟେଲ ସଦସ୍ୟ ଅଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ନିଜ ଦଳର ପ୍ରାର୍ଥୀଙ୍କ ପ୍ରଚାରର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଗତକାଲି ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଦଳୀୟ ଟିକେଟ ପ୍ରଦାନ କରି ଏହି ପ୍ରଚାର କରିଛନ୍ତି। ଦୀପାଳି ନବୀନ ନିବାସରେ ଖୋଦ ମୁଖ୍ୟମନ୍ତ୍ରୀଙ୍କଠାରୁ ଏହି ଟିକେଟ ଗ୍ରହଣ କରିଛନ୍ତି।

ଏହି ସମୟରେ ବିଜେଡିର ଝାରସୁଗୁଡା ଉପନିର୍ବାଚନର ମଙ୍ଗୁଆଳ ପ୍ରଣବ ପ୍ରକାଶ ଦାସ ଏବଂ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ। ଏହି ଟିକେଟ ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ଏକ ଟୁଇଟ କରିଛନ୍ତି। ସେଥିରେ ସେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଦୀପାଳି ଦାସଙ୍କୁ ବିଜୁ ଜନତା ଦଳର ଟିକେଟ ପ୍ରଦାନ କଲି। ଲୋକଙ୍କ କଲ୍ୟାଣ ସହ ଝାରସୁଗୁଡ଼ା ବିକାଶ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ଉପନିର୍ବାଚନରେ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।’

ଝାରସୁଗୁଡା ଉପନିର୍ବାଚନ ପାଇଁ ମେ୧୦ ତାରିଖରେ ଭୋଟ ଗ୍ରହଣ ହେବ। ସେଥିପାଇଁ ୨୦ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଏପ୍ରିଲ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଏବଂ ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ। ସେହିଭଳି ମେ ୧୦ ତାରିଖରେ ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ମେ’ ୧୩ ତାରିଖରେ ଭୋଟ ଗଣତି ହେବ।

ଏହି ଉପନିର୍ବାଚନ ପାଇଁ ବିଜେଡି ପ୍ରଥମେ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଏହାପରେ କଂଗ୍ରେସ ଦଳ ପୂର୍ବତନ ବିଧାୟକ ସ୍ବର୍ଗତ ବିରେନ୍ଦ୍ର ପାଣ୍ଡେଙ୍କ ପୁତ୍ର ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା। ଶେଷରେ ବହୁ ବାଦବିବାଦ ପରେ ବିଜେପି ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି। ପ୍ରାର୍ଥୀ ପତ୍ର ଦଖଲ ପରେ ଆରମ୍ଭ ହେବ ଘମାଘଟ ଲଢେଇ।

Categories
ବିଶେଷ ଖବର

୧୭ରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଭୁବନେଶ୍ଵର: ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖ ଦିନ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାର୍ଥୀପତ୍ର ଦାଖଲ କରିବେ। ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, ସ୍ଥାନୀୟ ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ, ବିଧାୟକ ଶଂକର ଓରାମ, ଭବାନୀ ଭୋଇ, କୁସୁମ ଟେଟେ, ସୁବାଷ ପାଣିଗ୍ରାହୀ, ନାଉରୀ ନାୟକ, ଡ.ମୁକେଶ ମହାଲିଙ୍ଗ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି.ସିଂହଦେଓ ପ୍ରମୁଖଙ୍କ ସମେତ ବହୁ ପଦାଧିକାରୀ ସାମିଲ ହେବେ ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆର୍ଥିକ ଦୃଷ୍ଟିକୋଣରୁ ଝାରସୁଗୁଡା ଜିଲ୍ଲା ଗୋଟିଏ ସମୃଦ୍ଧଶୀଳ ଜିଲ୍ଲା। ତଥାପି ବିକାଶ ପହଂଚିପାରିନାହିଁ। ଜିଲ୍ଲାରେ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟବସ୍ଥା, ରାସ୍ତାଘାଟ, ପାନୀୟ ଜଳ, ଭଳି ବିଭିନ୍ନ ସମସ୍ୟା ଘେରରେ ରହିଥିବାବେଳେ ପ୍ରଦୁଷଣ ବର୍ତମାନ ଚିନ୍ତାର କାରଣ ସାଜିଛି। ଏହି କାରଣରୁ ଝାରସୁଗୁଡା ଜିଲ୍ଲା ବର୍ତମାନ ରାଜ୍ୟ ତଥା ଦେଶର ଉତପ୍ତ ଜିଲ୍ଲା ଭାବେ ରେକର୍ଡ ସୃଷ୍ଟି କରିଛି । ଜିଲ୍ଲାର ଜଣେ ଛୋଟ ପିଲାକୁ ଦିନଦ୍ୱିପହରରେ ଅପହରଣ କରାଯାଇ ନିର୍ମମ ଭାବେ ହତ୍ୟା କରାଯିବା ହେଉଛି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଆଉ ଏକ ନଗ୍ନ ଉଦାହରଣ। ସେହିପରି ଓଡ଼ିଶାର ଅନ୍ୟତମ ପ୍ରଦୂଷିତ ଜିଲ୍ଲା ହେଉଛି ଝାରସୁଗୁଡା। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲ୍ୟାଣ ପାଣ୍ଠୀରୁ ଅର୍ଥ ଯୋଗାଯାଉଛି, କିନ୍ତୁ ତାକୁ ରାଜ୍ୟ ସରକାର ବାଟମାରଣା କରୁଛନ୍ତି। ଫଳରେ ରାଜ୍ୟ ସରକାର ପ୍ରଦୂର୍ଷଣ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି । ସେହିପରି ଝାରସୁଗୁଡାରେ ଜଳସେଚନ ବଡ ସମସ୍ୟା ହୋଇଛି। ଜିଲ୍ଲାର ଗ୍ରାମାଂଚଳରେ ଆଜି ବି ଶୁଦ୍ଧ ପାନୀୟ ଜଳ ପାଇଁ ସ୍ଥାନୀୟବାସିନ୍ଦା ହନ୍ତସନ୍ତ ହେଉଛନ୍ତି। ଏଭଳି ଅନେକ ସମସ୍ୟା ଘେରରେ ଝାରସୁଗୁଡା ଜିଲ୍ଲା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ଭାର ସମ୍ଭାଳିବା ଶିଳ୍ପ ଜିଲ୍ଲା ଭାବେ ପରିଚିତ ଝାରସୁଗୁଡା ଜିଲ୍ଲାରେ ବିମାନ ସେବା ଆରମ୍ଭ ହୋଇଛି। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନେ ଜିଲ୍ଲାର ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ମାତ୍ର ରାଜ୍ୟ ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନର ସ୍ଥାଣୁତା ପାଇଁ ଜିଲ୍ଲାର ବିକାଶମୁଳକ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଖଣିଜ କଲ୍ୟାଣ ପାଣ୍ଠି ଜରିଆରେ ଜିଲ୍ଲାକୁ ୯୦୦ଶହ କୋଟି ଟଙ୍କା ମୋଦି ସରକାର ଦେଇଛନ୍ତି। ଜିଲ୍ଲାବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ୨୦୨୦ ଭିତରେ ସମସ୍ତ ପ୍ରକଳ୍ପ କାମ ଶେଷ ହେବାର ଧାର୍ଯ୍ୟ ଲକ୍ଷ୍ୟ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଆଜି ବିଫଳ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ଘର ଆସିଛି ବିଜେଡିର ଧନୀ ନେତାମାନେ ବାପା, ମା ଓ ସ୍ତ୍ରୀ ନାଁ ବଦଳାଇ ପାଂଚ ପାଂଚଟି ଘର ହାତେଇବାର ଚକ୍ରାନ୍ତ କରିଛନ୍ତି। ପ୍ରକୃତ ହିତାଧିକାରୀଙ୍କ ପାଖରେ ଆବାସ ପଂହଚି ପାରୁନାହିଁ। ବିସ୍ଥାପିତଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ। ସେହିପରି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ବିଭିନ୍ନ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ। ଏଥି ପାଇଁ ବିଜେଡି ସରକାର ଦାୟୀ। ଝାରସୁଗୁଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ବିଜେପି ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ମଙ୍ଗଳ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ପଣ୍ଡା, ଜିଲ୍ଲା ସାଧାରଣ ସଂପାଦକ ପ୍ରେମସେନ୍ ରାୟ, ଅନୁସୁଚିତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଲିତ୍ ମଗର୍ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେପିର କିଏ ହେବ ଝାରସୁଗୁଡା ପ୍ରାର୍ଥୀ, ଦୁଇ ଜଣଙ୍କୁ ନେଇ ଦୁଇ ଗୋଷ୍ଠୀର ଚାଲିଛି ବଳକଷା

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଖେଲାଣି। ଯଥେଷ୍ଠ ପୂର୍ବରୁ ବିଜେଡି ତାହାର ପ୍ରାର୍ଥୀ ଘୋଷଣା କରି ସାରିଛି। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳ ଦାସ ହୋଇଛନ୍ତି ପ୍ରାର୍ଥୀ। ତେବେ ଏ ପର୍ଯ୍ୟନ୍ତ ପ୍ରମୁଖ ବିରୋଧୀ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ କିଛି ନିଷ୍ପତି ହୋଇପାରୁ ନାହିଁ। ଫଳରେ ପ୍ରାର୍ଥୀ ଘୋଷଣା ଲଟକି ରହିଛି।

ଖବର ଅନୁସାରେ ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପିର ଦୁଇଜଣ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନେ ହେଲେ ପୂର୍ବଥର ବିଜେପିର ପ୍ରାର୍ଥୀ ହୋଇଥିବା ଦୀନେଶ ଜୈନ ଏବଂ ଯୁବ ନେତା ତଥା ବିଜେପିର ସାଧାରଣ ସଂପାଦକ ଟଙ୍କଧର ତ୍ରିପାଠୀ। ତେବେ ଏହି ଦୁଇଜଣଙ୍କ ମଧ୍ୟରେ ଟଙ୍କଧରଙ୍କ ନାମ କୁଆଡେ ଆଗରେ ଅଛି ବୋଲି ଆଲୋଚନା ହେଉଛି।

କାରଣ ହେଲା ତାଙ୍କ ପାଇଁ ବିଜେପିର ଏକ ଶକ୍ତିଶାଳି ଗୋଷ୍ଠୀ ଲବି କରୁଛନ୍ତି। ସେ ପ୍ରାର୍ଥୀ ହୁଅନ୍ତୁ ବୋଲି ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ଉପରେ ଚାପ ପ୍ରୟୋଗ ମଧ୍ୟ କରୁଛନ୍ତି। ସେହି ଗୋଷ୍ଠୀର ଦିଲ୍ଲୀରେ ରହିଛି ବେଶ ଦବଦବା। ସେଥିପାଇଁ ଅନେକ ଭାବି ନେଇଛନ୍ତି ଯେ ବୋଧହୁଏ ଟଙ୍କଙ୍କ ପଲା ଭାରୀ ହେବ।

ସେହିପରି ଦୀନେଶଙ୍କ ପାଇଁ ପଶ୍ଚିମ ଓଡିଶା ଏବଂ ରାଜ୍ୟର ବହୁ ବିଜେପି ନେତା ଲବି କରୁଛନ୍ତି। ସେ ପ୍ରାର୍ଥୀ ହୁଅନ୍ତୁ ବୋଲି ସେମାନେ ଦିଲ୍ଲୀରେ ବିଭିନ୍ନ ଯୁକ୍ତି ବାଢିବାରେ ଲାଗିଛନ୍ତି। ଏମାନେ ମଧ୍ୟ ବିଭିନ୍ନ ନେତାଙ୍କୁ ଭେଟି ତାଙ୍କ ପାଇଁ ଚାପ ସୃଷ୍ଟି କରୁଛନ୍ତି। ହେଲେ ଶକ୍ତିଶାଳି ଗୋଷ୍ଠୀର ଦବଦବା ଯୋଗୁଁ ଦୀନେଶଙ୍କ ଭାଗ୍ୟ ଏ ପର୍ଯ୍ୟନ୍ତ ଫିଟିପାରୁ ନାହିଁ।

ଦୀନେଶ ଜୈନଙ୍କ ଗୋଷ୍ଠୀର ଦାବୀ ହେଲା ଯେ, ସେ ଗତ ନିର୍ବାଚନରେ ଭଲ ଭୋଟ ହାସଲ କରିଥିଲେ। ଏଥିସହିତ ସେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ନେତା। ହେଲେ ଟଙ୍କଧର ସୁନ୍ଦରଗଡ ଜିଲ୍ଲାର ହୋଇଥିବାରୁ ତାଙ୍କୁ ଟିକେଟ ଦିଆ ନ ଯାଉ ବୋଲି ସେମାନେ କହୁଛନ୍ତି। ଫଳରେ ଦୁଇ ଗୋଷ୍ଠୀର ଏପରି ବଳ କଷାକଷି ଭିତରେ ଦିଲ୍ଲୀ ନେତାମାନେ କିଛି ନିଷ୍ପତି ନେବା କଷ୍ଟକର ବ୍ୟାପାର ହୋଇପଡିଲାଣି।

ପ୍ରକୃତରେ ଦେଖିବାକୁ ଗଲେ ଗତ ବିଧାନସଭା ନିର୍ବାଚନରେ ଦୀନେଶ ଜୈନ ନବ ଦାସଙ୍କଠାରୁ ହାରିଥିଲେ ସତ ହେଲେ ଭଲ ଭୋଟ ପାଇଥିଲେ। ନବ ଦାସଙ୍କୁ ୯୮ ହଜାର ୬୨୦ ଖଣ୍ଡ ଭୋଟ ମିଳିଥିବା ବେଳେ ଦୀନେଶ ଜୈନ ପାଇଥିଲେ ୫୨ ହଜାର ୯୨୨ ଖଣ୍ଡ ଭୋଟ। ଅର୍ଥାତ ଦୀନେଶ ୪୫ ହଜାର ୬୯୮ ଖଣ୍ଡ ଭୋଟରେ ହାରିଥିଲେ। ସେତେବେଳେ କଂଗ୍ରେସର ମହେନ୍ଦ୍ର ନାୟକ ପାଇଥିଲେ ୧୮ ହଜାର ୮୨୩ ଖଣ୍ଡ ଭୋଟ। ତେଣୁ ଦୀନେଶଙ୍କ ଗୋଷ୍ଠୀର ଯୁକ୍ତ ଯଥାର୍ତତା ରହିଛି।

ତେବେ ସବୁଠାରୁ ଯାହା ବଡ କଥା ହେବ ତାହା ହେଲା ଏହି ଝାରସୁଗୁଡା ଉପନିର୍ବାଚନ ବିଜେପି ସଭାପତି ମନମୋହନ ସାମଲଙ୍କ ପାଇଁ ପ୍ରଥମ ଯୁଦ୍ଧ। କାରଣ ନିକଟରେ ସେ ସଭାପତି ହେବା ପରେ ଏହି ଉପନିର୍ବାଚନ ତାଙ୍କ ନେତୃତ୍ବରେ ପ୍ରଥମ ଥର ପାଇଁ ଲଢାଯିବ। ହେଲେ ଘରେ ନ ପଶୁଣୁ, ଚାଳ ବାଜିଲା ପରି ବର୍ତ୍ତମାନ ପ୍ରାର୍ଥୀ ଚୟନ ନେଇ ମନମୋହନ କୁଆଡେ ଲହୁଲୁହାଣ ହୋଇ ସାରିଲେଣି ବୋଲି ଚର୍ଚ୍ଚା ଚାଲିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ୧୨ ନେତାଙ୍କୁ ମିଳିଲା ନୂଆ ଦାୟିତ୍ବ, ଡେରା ପକାଇଲେ ବବି

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବିଜେଡି ଆରମ୍ଭ କରିଦେଇଛି ତାହାର ରଣ ନୀତି। ଅନ୍ୟ ପ୍ରମୁଖ ଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରି ନାହାଁନ୍ତି। ହେଲେ ସବୁବେଳେ ଆଗୁଆ ନିଷ୍ପତି ନେଉଥିବା ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା ସହିତ ଦଳିୟ ପର୍ଯ୍ୟବେକ୍ଷକଙ୍କ ନାମ ମଧ୍ୟ ଘୋଷଣା କରିସାରିଛି।

ସେହିପରି ପ୍ରେକ୍ଷୀରେ ଆଜି ବିଜେଡି ଝାରସୁଗୁଡା ବ୍ଲକ ଏବଂ ମ୍ୟୁନିସପାଲିଟ ସମ୍ଭାଳିବା ପାଇଁ ନୂଆ ୧୨ ଜଣ ନେତାଙ୍କ ନାମ ଘୋଷଣା କରିଛି। ସେହି ଅନୁସାରେ କିରିମିରା ବ୍ଲକ ଦାୟିତ୍ବରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ମନ୍ତ୍ରୀ ଟୁକୁନି ସାହୁ। ସେହିପରି କୋଲାବିରା ବ୍ଲକ ପାଇଁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସରୋଜ ମେହେର। ଝାରସୁଗୁଡା ପାଇଁ ପଦ୍ମନାଭ ବେହେରେ ଏବଂ ଅରୁଣ ସାହୁ, ଲାଇକେରା ପାଇଁ ମନ୍ତ୍ରୀ ପ୍ରତାପ ଦେବ ଏବଂ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର ଅଛନ୍ତି।

ସେହିପରି ଝାରସୁଗୁଡା ମ୍ୟୁନିସପାଲଟି ପାଇଁ ଚାରିଜଣଙ୍କୁ ବିଜେଡି ଦାୟିତ୍ବ ଦେଇଛି। ସେମାନେ ହେଲେ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନ ଛୁରିଆ ଏବଂ ରିତା ସାହୁଙ୍କୁ ଦଳ ନିଯୁକ୍ତି କରିଛି। ଏହି ୧୨ ଜଣ ନେତା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରିବେ। ଏ ନେଇ ବିଜେଡି ତରଫରୁ ସଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗତକାଲି ରାତିରେ ବିଜେଡି ସଂଗଠାନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଝାରସୁଗୁଡାରେ ପହଞ୍ଚିସାରିଛନ୍ତି। ସେହିପରି ଏହି ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ ଏବଂ ସାରଦା ନାୟକ ମଧ୍ୟ ଝାରସୁଗୁଡାରେ ପହଞ୍ଚିଛନ୍ତି।

ଆଜି ସାଂଗଠାନିକ ସଂପାଦକ ପ୍ରଣବ ଦାସଙ୍କ ସହିତ ଏହି ତିନି ପର୍ଯ୍ୟବେକ୍ଷକ ଋଦ୍ଧ ଦ୍ବାରା ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି। ଏହାପରେ ସେଠାରେ ବାରମ୍ବାର ବୈଠକ କରି ପୁରା ନିର୍ବାଚନ ମଣ୍ଡଳୀରେ ଜାଲ ବିଛାଇବା ପାଇଁ ପ୍ରଣବ ପ୍ରକାଶ ଯୋଜନା ପ୍ରସ୍ତୁତ କରିଛନ୍ତି।

ଆଶ୍ଚର୍ଯ୍ୟର କଥା ବିଜେଡି ବର୍ତ୍ତମାନ ଆଗୁଆ ପ୍ରାର୍ଥୀ ଘୋଷଣା କରି ସେଠାରେ ନିଜର ରଣନୀତି ଆରମ୍ଭ କରିସାରିିଥିଲେ ମଧ୍ୟ ଅନ୍ୟଦଳ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନାହାଁନ୍ତି। କଂଗ୍ରସର ଏକ ଦଳ ଝାରସୁଗୁଡା ଗସ୍ତ କରି କିଏ ପ୍ରାର୍ଥୀ ହେବ ତାହା ଖୋଜୁଛନ୍ତି। ସେହିପରି ବିଜେପିର ଏକ ଦଳ ସେଠାକୁ ଯାଇଥିବାର ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ: ବଦଳିଲେ ଜିଲ୍ଲାପାଳ

ଭୁବନେଶ୍ବର: ଆଜି ଝାରସୁଗୁଡା ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ଝାରସୁଗୁଡାରେ ଥିବା ଜିଲ୍ଲାପାଳ ସରୋଜ ସାମଲଙ୍କ ବଦଳି ହୋଇଛି। ଏବେ ନୂଆ ଜିଲ୍ଲାପାଳ ଭାବେ ୨୦୧୫ ଆଇଏଏସ୍‍ ଆବୋଲି ସୁନୀଲ ନରଭଣେ ଯୋଗଦେବେ। ସୁଶ୍ରୀ ନରଭଣେ ବର୍ତ୍ତମାନ ସୋନପୁର ଜିଲ୍ଲାପାଳ ଦାୟିତ୍ୱରେ ଅଛନ୍ତି। ସେ ତୁରନ୍ତ ଝାରସୁଗୁଡାରେ ଯୋଗଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ମେ 10 ତାରିଖରେ ଝାରସୁଗୁଡା ଉପନିର୍ବାଚନ ହେବ। ବର୍ତ୍ତମାନ ସେଠାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ଏପରି ପରିସ୍ଥିତିରେ ଝାରସଗୁଡା ଜିଲ୍ଲାପାଳ ସରୋଜ ସାମଲଙ୍କୁ କଣ ପାଇଁ ବଦଳି କରାଗଲା ତାହା ଜଣାପଡି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବସିଲା ନୋଡ଼ାଲ ଅଧିକାରୀଙ୍କ ବୈଠକ

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟସ୍ତରୀୟ ନୋଡାଲ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରାଇଛନ୍ତି। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ବର୍ତ୍ତମାନ ଆଦର୍ଶ ଆଚରଣବିଧି ବଳବତ୍ତର ରହିଛି।

ଆଦର୍ଶ ଆଚରଣବିଧିର ଅନୁପାଳନ, ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା, ଜନଗହଳି ସ୍ଥାନରେ ଅଯଥା ଗହଳି ନକରିବା, ଟ୍ରାଫିକ୍‌ ସୁପରିଚାଳନା, ଅବକାରୀ ବିଭାଗ ଓ ପୁଲିସ ବିଭାଗର ମିଳିତ ଚଢ଼ାଉ, ନିର୍ବାଚନ ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମ୍ଭାବ୍ୟ ଅର୍ଥ କାରବାର ଉପରେ ରୋକ ଲଗାଇବା ଇତ୍ୟାଦି ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ବିସ୍ତୃତ ଭାବେ ଆଲୋଚନା କରିବା ସହ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ରାଜ୍ୟ ପୁଲିସ ମୁଖ୍ୟାଳୟର ଆଇଜି ଯତୀନ୍ଦ୍ରନାଥ କୋଏଲ୍‌, ଆଇନଶୃଙ୍ଖଳା ବିଭାଗ ଆଇଜି ପ୍ରବୀନ୍‌ କୁମାର, ଆୟକର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବୀନୟ ଶୀଲ୍‌ ଗୌତମ, ଅବକାରୀ ବିଭାଗର ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପଳତା ଓ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡିର ଘୋଷଣା: ଝାରସୁଗୁଡା ଉପନିର୍ବାଚନ ପାଇଁ ନୂଆ ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ ତିନି ଜଣ ନୂଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିଛି। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଏବଂ ସାରଦା ପ୍ରସାଦ ନାୟକ। ଆଜି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ସେ ହେଉଛନ୍ତି ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ। ଏ ନେଇ ଦୀପାଳି ଝାରସୁଗୁଡାରେ ତାଙ୍କର ପ୍ରଚାର ଆରମ୍ଭ କରିସାରିଲେଣି। ଏହି ସ୍ଥାନରେ ଆସନ୍ତା ମେ ୧୦ ତାରିଖରେ ଉପନିର୍ବାଚନ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ କଂଗ୍ରେସ ଟିମ ଖୋଜୁଛନ୍ତି ପ୍ରାର୍ଥୀ

ଭୁବନେଶ୍ବର: କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ବରେ ଏକ ପାଞ୍ଚ ଜଣିଆ ଦଳ ଝାରସୁଗୁଡାରେ ପହଁଚିଛନ୍ତି। ସେମାନେ ମୁଖ୍ୟତଃ ଝାରସୁଗୁଡା ଉପନିର୍ବାଚନରେ ଦଳ ତରଫରୁ କିଏ ପ୍ରାର୍ଥୀ ହେବ ତାହା ନିର୍ଦ୍ଧାରଣ କରିବେ। ଏହି ଦଳରେ ସାଲୁଜାଙ୍କ ସହିତ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ସଦସ୍ୟ ଅଛନ୍ତି।

ଏହି ଦଳ ଆଜି ଝାରସୁଗୁଡା କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତିନୋଟି ବ୍ଲକ ଗସ୍ତରେ ଯାଇଥିଲେ। ସେଠାରେ ଏହି ଦଳ ତ୍ରୁଣମୂଳ ସ୍ତରର ନେତାଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେମାନେ ଭୁବନେଶ୍ବର ଆସି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ନାମ ପ୍ରସ୍ତାବ ଦେବେ। ଝାରସୁଗୁଡା ଉପନିର୍ବାଚନ ମେ ଦଶ ତାରିଖରେ ହେବ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଝାରସୁଗୁଡା ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଦୀପାଳି ଦାସ। ଝାରସୁଗୁଡା ଉପନିର୍ବାଚନ ପାଇଁ ଦୀପାଳିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ କନ୍ୟା। ନବ ଦାସଙ୍କୁ ଗତ ଜାନୁୟାରୀ ମାସରେ ପୋଲିସ ଅଫିସର ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲା।

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଦୀପାଳି ତାଙ୍କ ସୋସିଆଲ ମିଡିଆରେ ଏ ନେଇ ଫଟୋ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ” ମା’ ଓ ଭାଇଙ୍କ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କଲି। ଝାରସୁଗୁଡା ଉପନିର୍ବାଚନରେ ମତେ ଦଳୀୟ ପ୍ରାର୍ଥୀ କରିଥିବାରୁ କୃତଜ୍ଞତା ଜ୍ଞାପନ କରିବା ସହ ବାପାଙ୍କ ଭଳି ଝାରସୁଗୁଡାବାସୀଙ୍କ ସେବା କରିବାର ପ୍ରତିଶ୍ରୁତି ଦେଲି। ”

Categories
ଆଜିର ଖବର ରାଜ୍ୟ ଖବର

ଯେଉଁ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା, ସେହି ତାରିଖରେ ଉପନିର୍ବାଚନ ଘୋଷଣା

ଭୁବନେଶ୍ବର: ଏହାକୁ ଏକ ସଂଯୋଗ ବୋଲି କୁହାଯାଇ ପାରେ। କାରଣ ଆଜି ଘୋଷଣା ହୋଇଛି ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ। ଭାରତ ମୁଖ୍ୟ ନିର୍ବାଚନ କମିଶନର ଏହି ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଆସନ୍ତା ମେ ଦଶ ତାରିଖରେ ହେବ ଝାରସୁୁଗୁଡା ଉପନିର୍ବାଚନ।

ସଂଯୋଗ ବଶତଃ ଏହି ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଯାହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଖୋଦ ଜଣେ ପୋଲିସ କର୍ମଚାରୀ ହତ୍ୟା କରିବାକୁ ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଥିଲା। ସେଦିନ ଥିଲା ଜାନୁୟାରୀ ୨୯ ତାରିଖ, ଆଉ ଆଜି ହେଉଛି ମାର୍ଚ୍ଚ ୨୯ ତାରିଖ ଯେଉଁଠି ଝାରସୁଗୁଡା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି।