ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବସିଲା ନୋଡ଼ାଲ ଅଧିକାରୀଙ୍କ ବୈଠକ

Published: Apr 6, 2023, 7:24 pm IST

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ୭-ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟସ୍ତରୀୟ ନୋଡାଲ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରାଇଛନ୍ତି। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ବର୍ତ୍ତମାନ ଆଦର୍ଶ ଆଚରଣବିଧି ବଳବତ୍ତର ରହିଛି।

ଆଦର୍ଶ ଆଚରଣବିଧିର ଅନୁପାଳନ, ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା, ଜନଗହଳି ସ୍ଥାନରେ ଅଯଥା ଗହଳି ନକରିବା, ଟ୍ରାଫିକ୍‌ ସୁପରିଚାଳନା, ଅବକାରୀ ବିଭାଗ ଓ ପୁଲିସ ବିଭାଗର ମିଳିତ ଚଢ଼ାଉ, ନିର୍ବାଚନ ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମ୍ଭାବ୍ୟ ଅର୍ଥ କାରବାର ଉପରେ ରୋକ ଲଗାଇବା ଇତ୍ୟାଦି ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ବିସ୍ତୃତ ଭାବେ ଆଲୋଚନା କରିବା ସହ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ରାଜ୍ୟ ପୁଲିସ ମୁଖ୍ୟାଳୟର ଆଇଜି ଯତୀନ୍ଦ୍ରନାଥ କୋଏଲ୍‌, ଆଇନଶୃଙ୍ଖଳା ବିଭାଗ ଆଇଜି ପ୍ରବୀନ୍‌ କୁମାର, ଆୟକର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବୀନୟ ଶୀଲ୍‌ ଗୌତମ, ଅବକାରୀ ବିଭାଗର ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପଳତା ଓ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ପ୍ରମୁଖ ଉପସ୍ଥିତ ଥିଲେ।

Related posts