ଦେଶରେ କଂଗ୍ରେସ କମିଙ୍ଗି, ହେଲେ ଓଡିଶାରେ କଂଗ୍ରେସ ଗୋଇଁଙ୍ଗି…

Published: May 13, 2023, 6:59 pm IST
congress

ଭୁବନେଶ୍ବର: କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଏକ ବକ୍ତବ୍ୟ ହେଲା କଂଗ୍ରେସ କମିଙ୍ଗି। ହେଲେ ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ସେହି ବକ୍ତବ୍ୟ ହେବ, ଦେଶରେ କଂଗ୍ରେସ କମିଙ୍ଗ, ହେଲେ ଓଡିଶାରେ କଂଗ୍ରେସ ଗୋଇଙ୍ଗି। କାରଣ ଜାତୀୟ ସ୍ତରରେ ବର୍ତ୍ତମାନ କଂଗ୍ରେସ ସ୍ଥିତିରେ ସୁଧାର ଆସୁଥିବା ବେଳେ ଓଡିଶାରେ ତାହା ହୋଇପାରୁ ନାହିଁ।

ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନ ଫଳାଫଳକୁ ବିଚାରକୁ ନିଆଯାଉ। ସେଠାରେ କଂଗ୍ରେସର ଦୟନୀୟ ଅବସ୍ଥା ହେଲା। ଅମାନତ ହରାଇଲା। ସେତିକି ନୁହେଁ ଗତ ନିର୍ବାଚନରେ କଂଗ୍ରେସକୁ ଲୋକେ ଯେତିକି ଭୋଟ ଦେଇଥିଲେ ଏଥର ସେତିକି ମଧ୍ୟ  ଦେଲେ ନାହିଁ। ଉଭୟ ବିଜେଡି ଓ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ କଂଗ୍ରେସ ଭୋଟ ହରାଇଛି।

ଭୋଟ ଗଣନାରୁ ଜଣାପଡିଛି ଯେ, ଝାରସୁଗୁଡାରେ କଂଗ୍ରେସ ମୋଟ ୪୪୯୬ ଖଣ୍ଡ ଭୋଟ ମିଳିଛି। ହେଲେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୮୮୨୩ ଖଣ୍ଡ ଭୋଟ ହାତେଇଥିଲେ। ଫଳରେ ଏହି ଉପନିର୍ବାଚନରେ କଂଗ୍ରେସ ୧୪ ୩୨୭ ଖଣ୍ଡ ଭୋଟ ହରାଇଛି। ଏକ ବଡ ବ୍ୟବଧାନ ସୃଷ୍ଟି ହୋଇଛି। କଂଗ୍ରେସ ଜଣେ ଯୁବ ତଥା ପୂର୍ବତନ ବିଧାୟକଙ୍କ ପୁଅଙ୍କୁ ପ୍ରାର୍ଥୀ କରିଥିଲା। ତଥାପି ଏପରି ଦୟନୀୟ ଅବସ୍ଥା ହେବାକୁ ନେଇ କଂଗ୍ରେସ ଚିନ୍ତା କରିବାର ଆବଶ୍ୟକ ରହିଛି।

ଅନ୍ୟପକ୍ଷରେ ଦେଖିଲେ ଉଭୟ ବିଜେଡି ଓ ବିଜେପି ଗତ ବିଧାନସଭା ନିର୍ବାଚନ ଅପେକ୍ଷା ଅଧିକ ଭୋଟ ହାତେଇଛନ୍ତି। ଗତଥର ବିଜେଡି ୯୮୬୨୦ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ଉପନିର୍ବାଚନରେ ଦୀପାଳି ୧୦୭୧୯୮ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଗତ ବିଧାନସଭା ନିର୍ବାଚନରେ ବିଜେପି ୫୨୯୨୧ ଖଣ୍ଡ ଭୋଟ ହାସଲ କରିଥିବା ବେଳେ ଏଥର ବିଜେପକୁ ମିଳିଛି ୫୮୪୭୭ ଖଣ୍ଡ ଭୋଟ। ଅର୍ଥାତ ଗତ ବିଧାନସଭା ନିର୍ବାଚନରୁ ବିଜେଡି ୮୫୭୮ ଖଣ୍ଡ ଏବଂ ବିଜେପି ୫୫୫୬ ଖଣ୍ଡ ଅଧିକ ଭୋଟ ହାସଲ କରିଛନ୍ତି।

ଏଥର କଂଗ୍ରେସ ନୂଆ ନେତୃତ୍ବ ନୂଆ ପ୍ରାର୍ଥୀଙ୍କୁ ଧରି ନିର୍ବାଚନ ମଇଦାନରେ ଓହ୍ଲାଇଥିଲା। ନୂଆ ନେତୃତ୍ବ ମଧ୍ୟରେ ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ସମସ୍ତେ ଆଶା କରିଥିଲେ ବିଜୟ ପଟ୍ଟନାୟକଙ୍କ ପ୍ରଶାସନିକ ଅଭିଜ୍ଞତାକୁ ପାଥେୟ କରି ଝାରସୁଗୁଡାରେ କିଛି କରି ଦେଖାଇବେ। ହେଲେ ତାହା ଫସର ଫାଟିଛି। ନା ଶରତ ନା ବିଜୟ କାହାକୁ ହେଲେ ଭୋଟର ପସନ୍ଦ କଲେ ନାହିଁ।

Related posts