ଗରମ ହେଲା ଝାରସୁଗୁଡା ପ୍ରଚାର, ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Published: May 6, 2023, 12:03 pm IST
Naveen

ଭୁବନେଶ୍ବର: ପାଖେଇଲାଣି ଝାରସୁଗୁଡା ଉପନିର୍ବାଚନ। ଆସନ୍ତା ୧୦ ତାରିଖରେ ହେବ ଏହି ଉପନିର୍ବାଚନ। ସେଥିପାଇଁ ୯ ତାରିଖରେ ପ୍ରଚାର ବନ୍ଦ ରହିବ। ଅର୍ଥାତ ଆଜିଠାରୁ ଆଉ ତିନିଦିନ ଧରି ପ୍ରଚାର କାର୍ଯ୍ୟ ଚାଲିବ। ହାତରେ ଆଉ ଅଳ୍ପଦିନ ଥିବାରୁ ବିଭିନ୍ନ ଦଳର ନେତାମାନେ ସେମାନଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି।

ବିଜେଡି, ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତାମାନେ ବର୍ତ୍ତମାନ ଘରକୁ ଘର ବୁଲି ସେମାନଙ୍କର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାରେ ଲାଗିଛନ୍ତି। କଂଗ୍ରେସ ତରଫରୁ ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଲାଗି ପଡିଛନ୍ତି। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ଭୋଟ ଦେବା ପାଇଁ ସେମାନେ ଭୋଟରଙ୍କୁ ଅନୁରୋଧ କରିବାରେ ଲାଗିଛନ୍ତି।

ସେହିପରି ବିଜେପି ମଧ୍ୟ ପାରୁ ପର୍ଯ୍ୟନ୍ତ ପ୍ରାର୍ଥୀ ଟଙ୍କଧରଙ୍କ ସପକ୍ଷରେ ପ୍ରଚାରକୁ ଯୋରଦାର କରିଛନ୍ତି। କାରଣ ଏହି ନିର୍ବାଚନ ହେଉଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଇଁ ପ୍ରଥମ ଯୁଦ୍ଧ। ସେ ସଭାପତି ହେବା ପରେ ପରେ ଏହି ଉପନିର୍ବାଚନର ସମ୍ମୁଖୀନ ହେଉଛନ୍ତି। ପ୍ରଚାରକୁ ଜୋରଦାର କରିବା ପାଇଁ ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି।

ତେବେ ସବୁଠାରୁ ଯାହା ବଡ ଚର୍ଚ୍ଚାର ବିଷୟ, ତାହା ହେଲା ରବିବାର ଦିନ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନବୀନ ରବିବାର ଦିନ ଅମିଲିପାଲିଠାରେ ବିଶାଳ ଜନ ସମାବେଶକୁ ଉଦବୋଧନ ଦେବେ। ନବୀନଙ୍କୁ ନେଇ ବିଜେଡି ତାହାର ଶକ୍ତି ପ୍ରଦର୍ଶନ କରିବ। ସେଥିପାଇଁ ଦଳ ତରଫରୁ ବେଶ ଉତ୍ସାହ ସୃଷ୍ଟି ହୋଇଛି।

ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ନବୀନ ଝାରସୁଗୁଡାବାସୀଙ୍କୁ ଭୋଟ ଭିକ୍ଷା କରିବେ। ଏହି ସମାବେଶକୁ ସଫଳ କରିବା ପାଇଁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ନିରଞ୍ଜନ ପୂଜାରୀ ପ୍ରମୁଖ ଘନଘନ ବୈଠକ କରି ପ୍ରସ୍ତୁତି କରିବାରେ ଲାଗିଛନ୍ତି।

ପୂର୍ବରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ନବୀନ ପ୍ରଚାର କରିବେ ବୋଲି ନିଷ୍ପତି ହୋଇଥିଲା। ହେଲେ ନିଜେ ନବୀନ ଝାରସୁଗୁଡା ଯିବେ ବୋଲି ନିଷ୍ପତି କରିବାରୁ ସେଠାରେ ବିଶାଳ ସମାବେଶର ଆୟୋଜନ କରାଯାଇଛି। ଝାରସୁଗୁଡା ଉପନିର୍ବାଚନ ୧୦ ତାରିଖରେ ହେଉଥିବା ବେଳେ ଗଣତି ୧୩ ତାରିଖରେ କରାଯିବ।

Related posts