୧୦୦ କୋଟିର ମାନହାନୀ ମାମଲା: ମଲ୍ଲିକାର୍ଜୁନ ଖଡଗେଙ୍କୁ ନୋଟିସ ପଠାଇଲେ ପଞ୍ଜାବ କୋର୍ଟ

Published: May 15, 2023, 5:18 pm IST

ନୂଆଦିଲ୍ଲୀ: କଂଗ୍ରେସ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରତିବନ୍ଧିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ସହିତ ବିଶ୍ୱ ହିନ୍ଦୁ ପରିଷଦର ଯୁବ ୱିଙ୍ଗ ବଜରଙ୍ଗ ଦଳ ସହ ତୁଳନା କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କ ନାମରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ପଞ୍ଜାବ କୋର୍ଟରେ ରୁଜ୍ଜୁ ହୋଇଛି। “ବଜରଙ୍ଗ ଦଳ ହିନ୍ଦୁସ୍ତାନ” ନାମକ ଏକ ସଂଗଠନର ସଭାପତି ହିତେଶ ଭରଦ୍ୱାଜଙ୍କ ଅଭିଯୋଗ ପରେ ସାଙ୍ଗରୁର ଜିଲ୍ଲା କୋର୍ଟ କଂଗ୍ରେସ ସଭାପତିଙ୍କୁ ନୋଟିସ ପଠାଇଛନ୍ତି। ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ନିଜର ଘୋଷଣା ପତ୍ରରେ ବଜରଙ୍ଗ ଦଳକୁ “ସିମି ଏବଂ ଅଲ-କାଏଦା ଭଳି ରାଷ୍ଟ୍ର ବିରୋଧୀ ସଂଗଠନ” ସହିତ ତୁଳନା କରିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ବଜରଙ୍ଗ ଦଳର ନାମ ନେଇ କଂଗ୍ରେସ ଏହାର ଘୋଷଣା ପତ୍ରରେ “ବହୁ ସଂଖ୍ୟକ କିମ୍ବା ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା କିମ୍ବା ଘୃଣା” କୁ ପ୍ରୋତ୍ସାହିତ କରୁଥିବା ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରତିଶୃତି ଦେଇଥିଲା।

କଂଗ୍ରେସ ଏହାର ଘୋଷଣା ପତ୍ରରେ କହିଛି ଯେ, ଜାତି କିମ୍ବା ଧର୍ମ ଆଧାରରେ ସମ୍ପ୍ରଦାୟ ମଧ୍ୟରେ ଘୃଣାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ତଥା ସଂଗଠନ ବିରୋଧରେ କଂଗ୍ରେସ ଦଳ ଦୃଢ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମେ ବିଶ୍ୱାସ କରୁ ଯେ, ଆଇନ ଆଉ ସମ୍ବିଧାନ ପବିତ୍ର ଏବଂ ବଜରଙ୍ଗ ଦଳ କିମ୍ବା ପିଏଫଆଇ ପରି ସଂଗଠନ ଦ୍ୱାରା ଏହାର ଉଲ୍ଲଂଘନ କରାଯାଇପାରିବ ନାହିଁ।

ପ୍ରକାଶ ଥାଉକି, ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜନସଭାରେ ସମାଲୋଚନା ଓ ବିଜେପି ନେତାଙ୍କ ବଡ ବିରୋଧ ପରେ କଂଗ୍ରେସକୁ ଏହାର ପ୍ରତିଶ୍ରୁତି ସ୍ପଷ୍ଟ କରିବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଭୋଟରମାନଙ୍କୁ ‘ଜୟ ବଜରଙ୍ଗବଲି’ ଜପ କରିବାକୁ ଏବଂ ଯେଉଁମାନେ ସଂସ୍କୃତିର ଅପବ୍ୟବହାର କରୁଛନ୍ତି ସେମାନଙ୍କୁ ଦଣ୍ଡ ଦେବାକୁ ଅନୁରୋଧ କରିଥିଲେ।

Related posts