ରାଜ୍ୟରେ ବିଜୁଳି ବିଭ୍ରାଟ ନେଇ ଟାଟା ପାୱାର ଅଫିସ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି

Published: Jun 13, 2023, 8:59 pm IST

ଭୁବନେଶ୍ୱର :  ରାଜ୍ୟରେ ବିଜୁଳି ବିଭ୍ରାଟ ଏବଂ ଶକ୍ତି ବିଭାଗର ବିଫଳତା ପ୍ରତିବାଦରେ ଭାରତୀୟ ଜନତା ପାର୍ଟୀ ତରଫରୁ ଆସନ୍ତା କାଲି ୧୪ ଓ ୧୫ ତାରିଖରେ ସାରା ରାଜ୍ୟରେ ଥିବା ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ରାଜ୍ୟରେ ଅଘୋଷିତ ବିଜୁଳି କାଟ୍ କଣ ପାଇଁ ? ରାଜ୍ୟବାସୀଙ୍କୁ ନିରବିଚ୍ଛନ ଭାବେ ବିଜୁଳି ସେବା ଯୋଗାଇ ଦେବାର ଦାୟିତ୍ୱ ନେଇଥିବା ଟାଟା ପାୱାର ସମସ୍ତ ଚୁକ୍ତି ଓ ନିୟମକୁ ଖିଲାପ କରୁଛି ଏବଂ ଗ୍ରାମାଂଚଳରେ ଦିନକୁ ୪-୫ ଘଂଟାରୁ ଉଦ୍ଧ୍ୱର୍ ଏବଂ ସହରାଂଚଳରେ ଦିନକୁ ୨୦-୨୫ ଥର ଅଘୋଷିତ ପାୱାର କଟ୍ କରୁଛି । ୧୯୯୫ ମସିହାରୁ ରାଜ୍ୟବାସୀଙ୍କ ଟ୍ୟାକ୍ସ ପଇସାରେ ବିଜୁଳି ବିଭାଗର ଭିତିଭୁମିର ଆଧୁନିକୀକରଣ ଆରମ୍ଭ ହୋଇଥିଲା।

ରାଜ୍ୟର ସମସ୍ତ ବିଜୁଳି ଭିତିଭୁମିକୁ ମାଗଣାରେ ସଂପୂର୍ଣ୍ଣ ବ୍ୟବହାର କରି ମଧ୍ୟ ବିଜୁଳି ସେବା ଯୋଗାଇ ଦେବାରେ ଟାଟା ପାୱାର ଫେଲ୍ ମାରିଛି ଏବଂ ରାଜ୍ୟ ସରକାର ଏଥି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ରାଜ୍ୟ ସରକାର ଟାଟା ପାୱାର ଉପରୁ ନିଜ ନିୟନ୍ତ୍ରଣ ହରାଇଛନ୍ତି। ଶକ୍ତି ବିଭାଗ ସ୍ଥାଣୁ ପାଲଟିଛି। ବାସ୍ତବରେ ଏଠି କିଏ ସରକାର ଚଲାଉଛି ଏବଂ ଏହି ସରକାରର ମାଲିକ କିଏ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ବିଜୁଳି କଟ୍ ହେବା ଭଳି ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି। ମାତ୍ର ୧୫-୨୦ ମିନିଟ କାଳବୈଶାଖୀରେ ରାଜଧାନୀ ଭୁବନଶ୍ୱେର ସମେତ ଓଡିଶାର ବିଭିନ୍ନ ସ୍ଥାନରେ ୨୪ ଘଂଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ ହେଲା। ପାୱାର କଟକୁ ପାୱାର ଟ୍ରିପ୍ ବୋଲି କହି ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଟାଟା ପାୱାର ସପକ୍ଷରେ ଯୁକ୍ତି ବାଢିଲେ ଏବଂ ଟାଟା ପାୱାରକୁ ସୁହାଇଲା ଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ହରିଚନ୍ଦନ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ପ୍ରମୁଖ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Related posts