Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାୟକ ପଦ ଓ ବିଜେପି ଛାଡିବାର ମୋର ଏ ନିଷ୍ପତ୍ତି କାହିଁକି-ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କ ଖୋଲା ଚିଠି
ବିଶେଷ ଖବର

ବିଧାୟକ ପଦ ଓ ବିଜେପି ଛାଡିବାର ମୋର ଏ ନିଷ୍ପତ୍ତି କାହିଁକି-ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କ ଖୋଲା ଚିଠି

December 2, 2018No Comments7 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀପ ରାୟ

( ବିଜେପିରୁ ଇସ୍ତଫା ଦେବାବେଳେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ଯେଉଁ ଲେଖାଟି ଲେଖିଛନ୍ତି ତାହା ରାଜନୈତିକ ଇତିହାସ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମେ ଦିଲ୍ଲୀପ ରାୟଙ୍କ ଲେଖାର ସାମାନ୍ୟ ସମ୍ପାଦନା କରି ଏଠାରେ ଉପସ୍ଥାପନ କରୁଛୁ। – ସମ୍ପାଦକ )

କିଛି ନିଷ୍ପତ୍ତି ଆନନ୍ଦ ମନରେ ନିଆଯାଏ  । ଆଉ କିଛି ନିଷ୍ପତ୍ତି ନେବାକୁ ପଡ଼େ ଦୁଃଖ ଓ ଗଭୀର ମର୍ମବେଦନା ଭିତରେ  । ୨୦୧୪ରେ  ଅତି ଆନନ୍ଦ ଚିତ୍ତରେ ରାଉରକେଲା ବିଧାନସଭା ଆସନରୁ ମୁଁ ପୁଣି ଲଢିବା ସକାଶେ ନିଷ୍ପତ୍ତି ନେଇଥିଲି  । ରାଉରକେଲାର ଭାଇଭଉଣୀ, ମା’ ମାଉସୀ ଓ ସକଳ ଶ୍ରେଣୀର ଜନତା ମୋତେ ବିପୁଳ ସମର୍ଥନ ଜଣାଇ ଋଣୀ କରିଦେଲେ  ।

୨୦୧୪ ନିର୍ବାଚନ ବେଳେ ରାଉରକେଲା ନିକଟରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣ ଏବଂ ଆଇଜିଏଚକୁ  ଏକ ମେଡ଼ିକାଲ୍ କଲେଜ ତଥା ସୁପର୍ ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବା ଏକ ବଡ଼ ଇସ୍ୟୁ ଆଦୌ ନଥିଲା   । ମୁଁ ବି କିଛି ପ୍ରତିଶ୍ରୁତି ଦେଇନଥିଲି  । ହେଲେ ସେତେବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାରକୁ ଆସିବାବେଳେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଆଖିରେ ରଖି ବିଜେପି ବିଧାନସଭା ପ୍ରାର୍ଥୀ ଭାବେ ତାଙ୍କ ନିକଟରେ ଏହି ଦୁଇଟି ଦାବି ରଖିଥିଲି  । ମୋଦିଜୀ ମଧ୍ୟ ବ୍ୟାପକ ଆଲୋଚନା ପରେ ଏହି ଦାବି ଦୁଇଟିକୁ ଗ୍ରହଣ କରି ୨୦୧୪ ନିର୍ବାଚନୀ ସଭାରେ ପ୍ରତିଶ୍ରୁତି ଦେଲେ  । କେନ୍ଦ୍ରରେ ମୋଦିଜୀଙ୍କ ନେତୃତ୍ୱରେ ଏନ୍ଡ଼ିଏ ସରକାର ଗଢା ହେଲା  । ସମସ୍ତେ ଜାଣିଛନ୍ତି ସମ୍ମାନନୀୟ ନରେନ୍ଦ୍ର ମୋଦିଜୀ ପ୍ରଧାନମନ୍ତ୍ରୀ ଭାବେ ୨୦୧୫, ଏପ୍ରିଲ୍ ପହିଲା ଉତ୍କଳ  ଦିବସରେ ରାଉରକେଲାକୁ ଆସିଥିଲେ  । ସେତେବେଳେ ସାଧାରଣ ସଭାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଏବଂ ଆଇଜିଏଚକୁ  ମେଡ଼ିକାଲ୍ କଲେଜ ତଥା ସୁପର ସ୍ପେଶିଆଲିଟି ହସ୍ପିଟାଲ ନିଶ୍ଚିତ କରାଯିବ ବୋଲି ସେ ଦୃଢ ଘୋଷଣା କରିଥିଲେ  । ମୋଦିଜୀ, ଜଣେ ବିକାଶ ପୁରୁଷ  । ତେଣୁ ତାଙ୍କ ଘୋଷଣାକୁ ଆଧାର କରି ସମସ୍ତେ ଧରିନେଲେ ଯେ, ୨୦୧୯ ଭିତରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ସହିତ ମେଡ଼ିକାଲ କଲେଜ ଓ ସୁପର୍ ସ୍ପେଶିଆଲିଟି ହସ୍ପିଟାଲ୍ ଉଦ୍ଘାଟନ ନିଶ୍ଚୟ ହେବ  । ପ୍ରଚାର ବି ହେଲା କେନ୍ଦ୍ର ସରକାର ସୁପର୍ ସ୍ପେଶିଆଲିଟି ହସ୍ପିଟାଲ୍ ପାଇଁ ୨୦୦ କୋଟି ଟଙ୍କା ମଂଜୁର କଲେଣି – ଏଇ କାମ ଆରମ୍ଭ ହେଉଛି  । ଯେଉଁ କେନ୍ଦ୍ରମନ୍ତ୍ରୀମାନେ ରାଉରକେଲା ଆସିଲେ, ସେମାନେ ବି ଏ ନେଇ ସମାନ ଢଙ୍ଗରେ କହିଲେ  ।

ଆମର ବାରମ୍ବାର ଅନୁରୋଧ କ୍ରମେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ରାଉରକେଲା ଆସି ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଶିଳାନ୍ୟାସ କରିବା ସହିତ ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ  । କିନ୍ତୁ ୧୫ ମାସ ହେବାକୁ ବସିଲା, ଆଖିଦୃଶିଆ କିଛି ହେଲା ନାହିଁ  । ସେହିପରି କେତେକ ବିଭାଗକୁ ଉନ୍ନତି କରାଯିବା ପ୍ରକ୍ରିୟା ଆରମ୍ଭ ଛଡ଼ା ଆଇଜିଏଚ୍ ମେଡିକାଲ କଲେଜ ଘୋଷଣା କେବଳ ଘୋଷଣାରେ ରହିଲା ନାହିଁ, ବରଂ ବାରମ୍ବାର ମିଥ୍ୟା ପ୍ରଚାର ଯୋଗୁଁ ଲୋକେ ଭୁଲ୍ ବୁଝିବା ଆରମ୍ଭ କଲେ  । ଏହି ଦୁଇଟି ଦାବି ପୂରଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ବହୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛି  । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ବାବୁ ବି ଭେଟିଛନ୍ତି  । ବୋଧହୁଏ ମୁଁ ନେଇଆଣି ଥୋଇପାରିଲି ନାହିଁ  । ଏହି ପରୋକ୍ଷ ବିଫଳତା ମୋତେ ବାରମ୍ବାର ଆଘାତ ଦେଇଛି  । ଏ ଦୃଷ୍ଟିରୁ ଦୁଇଟି ଅଧୁରା କାମ ପୂର୍ଣ୍ଣ ନ ହେବା ଯାଏଁ ପ୍ରିୟ ଭୋଟରମାନଙ୍କ ପାଖକୁ ଅନ୍ତତଃ ନିଜ ପାଇଁ ଭୋଟ ମାଗିବାକୁ ଯିବା ଲାଗି ବିବେକ ମୋତେ ବାଧା ଦେଉଛି  । ଏଥର ରାଉରକେଲାରୁ ୨୦୧୯ରେ ନ ଲଢିବା ପାଇଁ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି  । ସେହି କାରଣରୁ ମୁଁ ରାଉରକେଲା ବିଧାୟକ ପଦରୁ ଇସ୍ତଫା ଦେବା ସହ ଭାରତୀୟ ଜନତା ପାର୍ଟିରୁ ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଉଛି  ।

ଉଭୟ ପ୍ରକଳ୍ପର ଇତିହାସ ଦେଖାଯାଉ  । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିଷ୍ପତ୍ତି ନୂଆ ନଥିଲା  । ୨୦୧୧ ମସିହାରେ ତତ୍କାଳୀନ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଥିଲେ  । ବିରମିତ୍ରପୁର – ବାରକୋଟ୍ ମଧ୍ୟରେ ୨୩ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ଯୋଜନା ଅନୁସାରେ ୨୦୧୨ରେ ଗେମନ ଇଣ୍ଡିଆକୁ ଏହି ପ୍ରକଳ୍ପ ଦାୟିତ୍ୱ ଦିଆଯାଇଥିଲା  । କିନ୍ତୁ କାମ ଆରମ୍ଭ ହେଲା ନାହିଁ  । ଏହି କାରଣ ଯୋଗୁଁ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଲାଗି ମୋତେ ବିଭିନ୍ନ ଫୋରମରେ ଲଢେଇ କରିବାକୁ ପଡ଼ିଲା  । ଯେଉଁ ଦିନରୁ ମାନନୀୟ ଗଡକରୀଜୀ ବ୍ରାହ୍ଣଣୀ  ସେତୁର ଶୁଭ ଦେଲେଣି, ଏତେ ବେଳକୁ କାମ କେତେ ଆଗେଇ ଯାଆନ୍ତାଣି  । ମୁଁ ବି ଆଶ୍ଚର୍ଯ୍ୟ, କାମ ଅଟକି ଯାଉଛି କାହା ପାଇଁ ??

ଆଇଜିଏଚ୍ କଥା ଦେଖାଯାଉ  । ଯେତେବେଳେ କାହାରି ଦେହାନ୍ତରେ ଶୋକ ସନ୍ତପ୍ତ ପରିବାରକୁ ମୁଁ ଭେଟିବାକୁ ଯାଏ, ସେତେବେଳେ ଗୋଟିଏ କଥା ଶୁଣେ – ‘ଭଲ ଡାକ୍ତର, ଭଲ ବ୍ୟବସ୍ଥା ଥିଲେ ମୋ ପୁଅ କି ମା’ର ଜୀବନ ଯାଇନଥାନ୍ତା  । ମୋ ବାପା କି ଭାଇ ହୁଏତ ବଞ୍ଚି ଯାଇଥାନ୍ତେ  । ମୁଁ ଦେଖୁଛି ଭଲ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ରୋଗୀ  ଦିଲ୍ଲୀ, ବିଶାଖାପାଟଣା କିମ୍ବା ରାୟପୁର ଇତ୍ୟାଦି ସ୍ଥାନକୁ ବହୁ ଖର୍ଚ୍ଚାନ୍ତ ହୋଇ ଯାଆନ୍ତି  । ଏହା ମୋତେ ବହୁ ଦିନରୁ ଆନ୍ଦୋଳିତ କରିଛି  । ସେଥିପାଇଁ ଆଇଜିଏଚକୁ  ସୁପର୍ ସ୍ପେଶିଆଲିଟି ହସ୍ପିଟାଲ୍ ଓ ମେଡ଼ିକାଲ କଲେଜରେ ପରିଣତ କରିବା ପାଇଁ ଦାବି ଉଠାଇଛି  । ମୋ’ ସହିତ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ  ମଧ୍ୟ ବାରମ୍ବାର ସ୍ୱର ମିଳାଇ ଆସିଛନ୍ତି  । ଗଲା ସାଢେ ଚାରିବର୍ଷ ଭିତରେ ଜିଲ୍ଲାର ଏହି ୨ଟି ପ୍ରମୁଖ ଦାବି ପୂରଣ ପାଇଁ ମୁଁ କୌଣସି ହେଳା କରିନଥିବା ସମସ୍ତେ ଜାଣନ୍ତି  ।

ତେବେ ଉଭୟ ପ୍ରକଳ୍ପ ନେଇ ଲୋକଙ୍କ ମନରେ ଆସୁଥିବା ସାଧାରଣ ଧାରଣା ଏବେ ବେଶ୍ ଗୁରୁତ୍ୱପୂର୍ଣ୍ଣ  ।

୧. ପ୍ରଥମ ଧାରଣା ଯେ, ମୁଁ ବିଜେପି ବିଧାୟକ ଥିବା ପର୍ଯ୍ୟନ୍ତ ସେତୁ ସରିବନି କି ଆଇଜିଏଚ୍ ମେଡ଼ିକାଲ୍ କଲେଜ ହୋଇପାରିବନି  । ମୁଁ ହୁଏତ ଗଲାପରେ କାମ ଠିକଠାକ ଚାଲିବ ! କାରଣ କାମ ହେଲେ କାଳେ ମୋତେ ଶ୍ରେୟ ମିଳିଯିବ, ଲୋକେ ବାହା ବାହା କହିବେ ବୋଲି କେତେକ ଦଳୀୟ ନେତା ଆଶଙ୍କା କରନ୍ତି  ।

ତେଣୁ କେହି ପ୍ରଭାବଶାଳୀ ଗୋଷ୍ଠୀ ବା ବ୍ୟକ୍ତି ହୁଏତ ଏହା ଚାହୁଁନଥିବାରୁ କାମ ଅଟକି ଯାଉଛି  । ନହେଲେ ମାନନୀୟ ପ୍ରଧାନମନ୍ତ୍ରୀ ଦାଦ୍ରା – ନଗର ହାବେଳୀରେ ମେଡ଼ିକାଲ କଲେଜ ଘୋଷଣା କରିବାର ତିନିମାସ ଭିତରେ ଟଙ୍କା ଆସିଲା କେମିତି ? ରାଉରକେଲା ଇସ୍ପାତ କାରଖାନାରୁ କେନ୍ଦ୍ର ସରକାର ପ୍ରଚୁର ରାଜସ୍ୱ ପାଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ଆଇଜିଏଚକୁ  ମେଡ଼ିକାଲ୍ କଲେଜ ଓ ସୁପର୍ ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବା ପାଇଁ ଟଙ୍କା ମିଳିନି କାହିଁକି ?

୨. ଲୋକଙ୍କ ଦ୍ୱିତୀୟ ଧାରଣା, ଯେଉଁ ପ୍ରଭାବଶାଳୀ ବ୍ୟକ୍ତି ଏହା ଶୀଘ୍ର ନ ହେଉ ବୋଲି ଚାହୁଁଛନ୍ତି, ସେ ହୁଏତ ରାଜ୍ୟର ୨୧ ଆସନ ମଧ୍ୟରୁ ଗତ ପାଳିରେ ବିଜେପି ଜିଣିଥିବା ଏକମାତ୍ର ସୁନ୍ଦରଗଡ଼ ଲୋକସଭା ଆସନର ପୁନରାବୃତ୍ତି ଚାହୁଁନାହାଁନ୍ତି ! ଗତଥର ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଜିଣିଥିଲେ ଜୁଏଲ୍ ଓରାମ  । ଜିଲ୍ଲାର ୭ଟି ଯାକ ବିଧାନସଭା ଆସନ ଭିତରୁ କେବଳ ବିଜେପି ପ୍ରାର୍ଥୀ ଭାବେ  ମୁଁ ରାଉରକେଲାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ସମର୍ଥନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲି  । ମୁଁ ଉଠାଇଥିବା ଦୁଇଟି ଦାବୀ ସାକାର ହୋଇଥିଲେ ଲୋକଙ୍କର କେବଳ ମଙ୍ଗଳ ହୋଇନଥାନ୍ତା, ବିଜେପିର ପତିଆରା ବି ବେଶ୍ ବଢିଥା’ନ୍ତା  । ହେଲେ ଏହା ନ ହେବାରୁ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି କହିବା ନିଷ୍ପ୍ରୟୋଜନ, କାରଣ ଲୋକଙ୍କ ଧାରଣା ଯେ, ପ୍ରକଳ୍ପ କରାଇ ନ ଦେବାକୁ ଚାହୁଁଥିବା ଶକ୍ତି ହୁଏତ ଭାବୁଛନ୍ତି ସୁନ୍ଦରଗଡ଼ରୁ ବିଜେପି ଆଉ ନ ଆସୁ ! ଦିଲ୍ଳୀପ ରାୟଙ୍କୁ ଲୋକେ ବାହାବାହା ନ କରନ୍ତୁ ! ହେଲେ ଏହା ଦ୍ୱାରା କାହାର ବ୍ୟକ୍ତିଗତ ସ୍ୱାର୍ଥକୁ କେତେ ଫାଇଦା ମିଳିବ ମତେ ବୁଝିବା କଷ୍ଟକର ହେଉଛି  ।

୨୦୧୪ ତୁଳନାରେ ଜିଲ୍ଲାରେ ବି ବିଜେପି ଅଧିକ ସଂଗଠିତ ହୋଇଯାଇଥିଲା  । ଏହାର ସାଂଗଠନିକ ଶକ୍ତି ବଢୁଥିଲା ଓ ଲୋକ ଦଳ ପ୍ରତି ଅଧିକ ଆକୃଷ୍ଟ ହେଉଥିଲେ  । ହେଲେ, ଜଣେ ଅଧିକ କ୍ଷମତାକାଂକ୍ଷୀ ବ୍ୟକ୍ତିଙ୍କ ଯୋଗୁ ତାହା ମଧ୍ୟ ନଷ୍ଟ ହୋଇଗଲା  । ଯେଉଁ ଜିଲ୍ଲାରୁ ବିଜେପିର ଚମତ୍କାର  ପ୍ରଦର୍ଶନର ସମ୍ଭାବନା ଥିଲା, ତାହାକୁ କେହି ନିଜ ସ୍ୱାର୍ଥ ପାଇଁ ନଷ୍ଟ କରି ଦେଇଥିବା ଆଲୋଚନା ମୋତେ ଅଧିକ ବ୍ୟଥିତ ଓ ମ୍ରିୟମାଣ କରିଛି  । ଅବଶ୍ୟ ଲୋକଙ୍କ ଧାରଣା ଠିକ୍ କି ଭୁଲ୍ ତାହା ସମୟ ହିଁ କହିବ  । ମୁଁ ସେତୁ କାର୍ଯ୍ୟରେ ବିଳମ୍ବ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କଦାପି ଦୋଷ ଦେବି ନାହିଁ  । ହୁଏତ କାହାର ପେଞ୍ଚମୋଡ଼ା ଯୋଗୁଁ ମୋଦିଜୀଙ୍କ ପ୍ରତିଶ୍ରୁତି ପୂରଣ ହୋଇପାରୁନାହିଁ  । ନହେଲେ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସବୁଆଡ଼େ ତୁରନ୍ତ କାର୍ଯ୍ୟକାରୀ ହେଉଥିବା ବେଳେ ରାଉରକେଲା ପାଇଁ କାହିଁକି ବିଳମ୍ବ ଘଟୁଛି ? କଥାନୁହେଁ,  କାମରେ ମୁଁ ବିଶ୍ୱାସ କରେ ବୋଲି ରାଉରକେଲା ତଥା ଓଡ଼ିଶାବାସୀ ଭଲରେ ଜାଣନ୍ତି  ।

ରାଉରକେଲାକୁ ସ୍ମାର୍ଟସିଟିରେ ପରିଣତ କରିବା  ସହିତ ଏଠାରେ ଆଞ୍ଚଳିକ ପାସ୍ପୋର୍ଟ ଅଫିସ୍ ଖୋଲିବା, ବିମାନ ବନ୍ଦର ନିର୍ମାଣ, ରାଉରକେଲା ରେଳଷ୍ଟେସନର ଆଧୁନିକୀକରଣ ଆଦି କାମ ଏହି ୫ ବର୍ଷ ମଧ୍ୟରେ କରାଇବାର ମୁଁ ବେଶ୍ ଖୁସି  । ଏଥିରେ ସ୍ଥାନୀୟ ସାଂସଦ  ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର ଅବଦାନ ରହିଛି  । ଏହାଛଡ଼ା ରାଉରକେଲା ମହାନଗର ନିଗମ ଭାବେ ଘୋଷିତ ହେବା ପରେ ଏହାର ବିଭିନ୍ନ ସମସ୍ୟା ସମାଧାନ ଲାଗି ବିଧାନସଭା ଭିତରେ ଓ ବାହାରେ ବାରମ୍ବାର ମୁଁ ସ୍ୱର ଉତ୍ତୋଳନ କରିଛି  । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲା ତଥା ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା,  ନିଯୁକ୍ତି,  ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ଲୋକଙ୍କ ସମସ୍ୟା ଆଦି ପ୍ରସଙ୍ଗରେ ଲଗାତାର ସ୍ୱର ବି ଉଠାଇ ଆସିଛି  । କୋଏଲ୍ ନଦୀରେ ପୋଲ ନିର୍ମାଣଠାରୁ ଆରମ୍ଭ କରି ଆରଏମସି  ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ, ତାଳଚେର-ବିମଳାଗଡ଼ ରେଳପଥ, ରାଉରକେଲାକୁ ଅଧିକ ରେଳ ଚଳାଚଳ ଆଦି ପ୍ରସଙ୍ଗ ବି ବିଭିନ୍ନ ଫୋରମ୍ରେ ଉଠାଇଛି  । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଳା, ପଶ୍ଚିମାଞ୍ଚଳ ଓ ସମଗ୍ର ରାଜ୍ୟର ସ୍ୱାର୍ଥ ସମ୍ବଳିତ ଶହଶହ ପ୍ରଶ୍ନ ମଧ୍ୟ ବିଧାନସଭାର ବିଭିନ୍ନ ଅଧିବେଶନ ସମୟରେ ଉଠାଇବା ସଙ୍ଗେ ସଙ୍ଗେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ବି କରିଛି  । ବିଧାନସଭା ଅଧିବେଶନ ସମୟରେ ଏଭଳି କୌଣସି ଦିନ ନାହିଁ ଯେଉଁଦିନ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ତଥା ରାଉରକେଲା ଓ ରାଜ୍ୟର ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗ ମୁଁ ଉଠାଇ ନାହିଁ  ।

ରାଉରକେଲା ମୋତେ ବହୁତ କିଛି ଦେଇଛି  । ସେଥିପାଇଁ ଦୁଇ ପ୍ରକଳ୍ପ ନେଇ ଲୋକଙ୍କ ପ୍ରଶ୍ନର ମୁଁ କି ଉତ୍ତର ଦେବି ? ନିର୍ବାଚନରେ ନିଜ ଓ ଦଳ ପାଇଁ କିପରି ଭୋଟ ମାଗିବି  ? ବରଂ ଏହି ଉତ୍ତର ପାଇଁ ବିଜେପିର ପରବର୍ତ୍ତୀ ଉତ୍ତରାଧିକାରୀ ବୋଧହୁଏ ଯୋଗ୍ୟବ୍ୟକ୍ତି ହେବେ  । ବିଧାୟକ ପଦରୁ ଇସ୍ତଫା ଦେଉଥିଲେ ବି ସବୁବେଳେ ରାଉରକେଲାବାସୀଙ୍କ ଶ୍ରଦ୍ଧା ଓ ସ୍ନେହ ମୋ’ ପାଇଁ ଅଭୁଲା ହୋଇ ରହିବ  । ଶକ୍ତି ମୁତାବକ ମୁଁ ସେମାନଙ୍କର ସେବା କରୁଥିବି  । ବିଶେଷ କରି ବିଜେପି କର୍ମୀମାନେ ଗତ ନିର୍ବାଚନରେ ଓ ବିଧାୟକ ଭାବେ ମୋ କାର୍ଯ୍ୟକାଳ ସମୟରେ ଯେପରି ସହଯୋଗ କରିଛନ୍ତି ସେଥିଲାଗି ମୁଁ କୃତଜ୍ଞ  । ଆଶା କରୁଛି ମୋର ଆବେଗ ଓ ନିଷ୍ଠାକୁ ଇସ୍ପାତ ସହରବାସୀ ବୁଝିବେ ଓ ସହଯୋଗ କରିବେ  । ତେବେ ବିଜେପି କର୍ମୀ ଓ ନେତାମାନଙ୍କୁ ମୋର ବିନମ୍ର ନିବେଦନ, ବିକାଶ ପାଇଁ ସେମାନେ ପାର୍ଟିର ଡାକ ଅପେକ୍ଷା ଆଗେ ମାଟିର ଡାକକୁ ଶୁଣନ୍ତୁ  । ମାଟି ମା’ର ବିକାଶ ହିଁ ପ୍ରକୃତ ବିକାଶ  ।

Share. Facebook Twitter LinkedIn Email WhatsApp Copy Link

Related Posts

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026
Latest News

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.