ବିଧାୟକ ପଦ ଓ ବିଜେପି ଛାଡିବାର ମୋର ଏ ନିଷ୍ପତ୍ତି କାହିଁକି-ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କ ଖୋଲା ଚିଠି

Published: Dec 2, 2018, 12:43 pm IST

ଦିଲ୍ଲୀପ ରାୟ

( ବିଜେପିରୁ ଇସ୍ତଫା ଦେବାବେଳେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ଯେଉଁ ଲେଖାଟି ଲେଖିଛନ୍ତି ତାହା ରାଜନୈତିକ ଇତିହାସ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆମେ ଦିଲ୍ଲୀପ ରାୟଙ୍କ ଲେଖାର ସାମାନ୍ୟ ସମ୍ପାଦନା କରି ଏଠାରେ ଉପସ୍ଥାପନ କରୁଛୁ। – ସମ୍ପାଦକ )

କିଛି ନିଷ୍ପତ୍ତି ଆନନ୍ଦ ମନରେ ନିଆଯାଏ  । ଆଉ କିଛି ନିଷ୍ପତ୍ତି ନେବାକୁ ପଡ଼େ ଦୁଃଖ ଓ ଗଭୀର ମର୍ମବେଦନା ଭିତରେ  । ୨୦୧୪ରେ  ଅତି ଆନନ୍ଦ ଚିତ୍ତରେ ରାଉରକେଲା ବିଧାନସଭା ଆସନରୁ ମୁଁ ପୁଣି ଲଢିବା ସକାଶେ ନିଷ୍ପତ୍ତି ନେଇଥିଲି  । ରାଉରକେଲାର ଭାଇଭଉଣୀ, ମା’ ମାଉସୀ ଓ ସକଳ ଶ୍ରେଣୀର ଜନତା ମୋତେ ବିପୁଳ ସମର୍ଥନ ଜଣାଇ ଋଣୀ କରିଦେଲେ  ।

୨୦୧୪ ନିର୍ବାଚନ ବେଳେ ରାଉରକେଲା ନିକଟରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ପୋଲ ନିର୍ମାଣ ଏବଂ ଆଇଜିଏଚକୁ  ଏକ ମେଡ଼ିକାଲ୍ କଲେଜ ତଥା ସୁପର୍ ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବା ଏକ ବଡ଼ ଇସ୍ୟୁ ଆଦୌ ନଥିଲା   । ମୁଁ ବି କିଛି ପ୍ରତିଶ୍ରୁତି ଦେଇନଥିଲି  । ହେଲେ ସେତେବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାରକୁ ଆସିବାବେଳେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଆଖିରେ ରଖି ବିଜେପି ବିଧାନସଭା ପ୍ରାର୍ଥୀ ଭାବେ ତାଙ୍କ ନିକଟରେ ଏହି ଦୁଇଟି ଦାବି ରଖିଥିଲି  । ମୋଦିଜୀ ମଧ୍ୟ ବ୍ୟାପକ ଆଲୋଚନା ପରେ ଏହି ଦାବି ଦୁଇଟିକୁ ଗ୍ରହଣ କରି ୨୦୧୪ ନିର୍ବାଚନୀ ସଭାରେ ପ୍ରତିଶ୍ରୁତି ଦେଲେ  । କେନ୍ଦ୍ରରେ ମୋଦିଜୀଙ୍କ ନେତୃତ୍ୱରେ ଏନ୍ଡ଼ିଏ ସରକାର ଗଢା ହେଲା  । ସମସ୍ତେ ଜାଣିଛନ୍ତି ସମ୍ମାନନୀୟ ନରେନ୍ଦ୍ର ମୋଦିଜୀ ପ୍ରଧାନମନ୍ତ୍ରୀ ଭାବେ ୨୦୧୫, ଏପ୍ରିଲ୍ ପହିଲା ଉତ୍କଳ  ଦିବସରେ ରାଉରକେଲାକୁ ଆସିଥିଲେ  । ସେତେବେଳେ ସାଧାରଣ ସଭାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଏବଂ ଆଇଜିଏଚକୁ  ମେଡ଼ିକାଲ୍ କଲେଜ ତଥା ସୁପର ସ୍ପେଶିଆଲିଟି ହସ୍ପିଟାଲ ନିଶ୍ଚିତ କରାଯିବ ବୋଲି ସେ ଦୃଢ ଘୋଷଣା କରିଥିଲେ  । ମୋଦିଜୀ, ଜଣେ ବିକାଶ ପୁରୁଷ  । ତେଣୁ ତାଙ୍କ ଘୋଷଣାକୁ ଆଧାର କରି ସମସ୍ତେ ଧରିନେଲେ ଯେ, ୨୦୧୯ ଭିତରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ସହିତ ମେଡ଼ିକାଲ କଲେଜ ଓ ସୁପର୍ ସ୍ପେଶିଆଲିଟି ହସ୍ପିଟାଲ୍ ଉଦ୍ଘାଟନ ନିଶ୍ଚୟ ହେବ  । ପ୍ରଚାର ବି ହେଲା କେନ୍ଦ୍ର ସରକାର ସୁପର୍ ସ୍ପେଶିଆଲିଟି ହସ୍ପିଟାଲ୍ ପାଇଁ ୨୦୦ କୋଟି ଟଙ୍କା ମଂଜୁର କଲେଣି – ଏଇ କାମ ଆରମ୍ଭ ହେଉଛି  । ଯେଉଁ କେନ୍ଦ୍ରମନ୍ତ୍ରୀମାନେ ରାଉରକେଲା ଆସିଲେ, ସେମାନେ ବି ଏ ନେଇ ସମାନ ଢଙ୍ଗରେ କହିଲେ  ।

ଆମର ବାରମ୍ବାର ଅନୁରୋଧ କ୍ରମେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ରାଉରକେଲା ଆସି ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଶିଳାନ୍ୟାସ କରିବା ସହିତ ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ  । କିନ୍ତୁ ୧୫ ମାସ ହେବାକୁ ବସିଲା, ଆଖିଦୃଶିଆ କିଛି ହେଲା ନାହିଁ  । ସେହିପରି କେତେକ ବିଭାଗକୁ ଉନ୍ନତି କରାଯିବା ପ୍ରକ୍ରିୟା ଆରମ୍ଭ ଛଡ଼ା ଆଇଜିଏଚ୍ ମେଡିକାଲ କଲେଜ ଘୋଷଣା କେବଳ ଘୋଷଣାରେ ରହିଲା ନାହିଁ, ବରଂ ବାରମ୍ବାର ମିଥ୍ୟା ପ୍ରଚାର ଯୋଗୁଁ ଲୋକେ ଭୁଲ୍ ବୁଝିବା ଆରମ୍ଭ କଲେ  । ଏହି ଦୁଇଟି ଦାବି ପୂରଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ବହୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛି  । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ବାବୁ ବି ଭେଟିଛନ୍ତି  । ବୋଧହୁଏ ମୁଁ ନେଇଆଣି ଥୋଇପାରିଲି ନାହିଁ  । ଏହି ପରୋକ୍ଷ ବିଫଳତା ମୋତେ ବାରମ୍ବାର ଆଘାତ ଦେଇଛି  । ଏ ଦୃଷ୍ଟିରୁ ଦୁଇଟି ଅଧୁରା କାମ ପୂର୍ଣ୍ଣ ନ ହେବା ଯାଏଁ ପ୍ରିୟ ଭୋଟରମାନଙ୍କ ପାଖକୁ ଅନ୍ତତଃ ନିଜ ପାଇଁ ଭୋଟ ମାଗିବାକୁ ଯିବା ଲାଗି ବିବେକ ମୋତେ ବାଧା ଦେଉଛି  । ଏଥର ରାଉରକେଲାରୁ ୨୦୧୯ରେ ନ ଲଢିବା ପାଇଁ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି  । ସେହି କାରଣରୁ ମୁଁ ରାଉରକେଲା ବିଧାୟକ ପଦରୁ ଇସ୍ତଫା ଦେବା ସହ ଭାରତୀୟ ଜନତା ପାର୍ଟିରୁ ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଉଛି  ।

ଉଭୟ ପ୍ରକଳ୍ପର ଇତିହାସ ଦେଖାଯାଉ  । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିଷ୍ପତ୍ତି ନୂଆ ନଥିଲା  । ୨୦୧୧ ମସିହାରେ ତତ୍କାଳୀନ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଥିଲେ  । ବିରମିତ୍ରପୁର – ବାରକୋଟ୍ ମଧ୍ୟରେ ୨୩ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ଯୋଜନା ଅନୁସାରେ ୨୦୧୨ରେ ଗେମନ ଇଣ୍ଡିଆକୁ ଏହି ପ୍ରକଳ୍ପ ଦାୟିତ୍ୱ ଦିଆଯାଇଥିଲା  । କିନ୍ତୁ କାମ ଆରମ୍ଭ ହେଲା ନାହିଁ  । ଏହି କାରଣ ଯୋଗୁଁ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଲାଗି ମୋତେ ବିଭିନ୍ନ ଫୋରମରେ ଲଢେଇ କରିବାକୁ ପଡ଼ିଲା  । ଯେଉଁ ଦିନରୁ ମାନନୀୟ ଗଡକରୀଜୀ ବ୍ରାହ୍ଣଣୀ  ସେତୁର ଶୁଭ ଦେଲେଣି, ଏତେ ବେଳକୁ କାମ କେତେ ଆଗେଇ ଯାଆନ୍ତାଣି  । ମୁଁ ବି ଆଶ୍ଚର୍ଯ୍ୟ, କାମ ଅଟକି ଯାଉଛି କାହା ପାଇଁ ??

ଆଇଜିଏଚ୍ କଥା ଦେଖାଯାଉ  । ଯେତେବେଳେ କାହାରି ଦେହାନ୍ତରେ ଶୋକ ସନ୍ତପ୍ତ ପରିବାରକୁ ମୁଁ ଭେଟିବାକୁ ଯାଏ, ସେତେବେଳେ ଗୋଟିଏ କଥା ଶୁଣେ – ‘ଭଲ ଡାକ୍ତର, ଭଲ ବ୍ୟବସ୍ଥା ଥିଲେ ମୋ ପୁଅ କି ମା’ର ଜୀବନ ଯାଇନଥାନ୍ତା  । ମୋ ବାପା କି ଭାଇ ହୁଏତ ବଞ୍ଚି ଯାଇଥାନ୍ତେ  । ମୁଁ ଦେଖୁଛି ଭଲ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ରୋଗୀ  ଦିଲ୍ଲୀ, ବିଶାଖାପାଟଣା କିମ୍ବା ରାୟପୁର ଇତ୍ୟାଦି ସ୍ଥାନକୁ ବହୁ ଖର୍ଚ୍ଚାନ୍ତ ହୋଇ ଯାଆନ୍ତି  । ଏହା ମୋତେ ବହୁ ଦିନରୁ ଆନ୍ଦୋଳିତ କରିଛି  । ସେଥିପାଇଁ ଆଇଜିଏଚକୁ  ସୁପର୍ ସ୍ପେଶିଆଲିଟି ହସ୍ପିଟାଲ୍ ଓ ମେଡ଼ିକାଲ କଲେଜରେ ପରିଣତ କରିବା ପାଇଁ ଦାବି ଉଠାଇଛି  । ମୋ’ ସହିତ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ  ମଧ୍ୟ ବାରମ୍ବାର ସ୍ୱର ମିଳାଇ ଆସିଛନ୍ତି  । ଗଲା ସାଢେ ଚାରିବର୍ଷ ଭିତରେ ଜିଲ୍ଲାର ଏହି ୨ଟି ପ୍ରମୁଖ ଦାବି ପୂରଣ ପାଇଁ ମୁଁ କୌଣସି ହେଳା କରିନଥିବା ସମସ୍ତେ ଜାଣନ୍ତି  ।

ତେବେ ଉଭୟ ପ୍ରକଳ୍ପ ନେଇ ଲୋକଙ୍କ ମନରେ ଆସୁଥିବା ସାଧାରଣ ଧାରଣା ଏବେ ବେଶ୍ ଗୁରୁତ୍ୱପୂର୍ଣ୍ଣ  ।

୧. ପ୍ରଥମ ଧାରଣା ଯେ, ମୁଁ ବିଜେପି ବିଧାୟକ ଥିବା ପର୍ଯ୍ୟନ୍ତ ସେତୁ ସରିବନି କି ଆଇଜିଏଚ୍ ମେଡ଼ିକାଲ୍ କଲେଜ ହୋଇପାରିବନି  । ମୁଁ ହୁଏତ ଗଲାପରେ କାମ ଠିକଠାକ ଚାଲିବ ! କାରଣ କାମ ହେଲେ କାଳେ ମୋତେ ଶ୍ରେୟ ମିଳିଯିବ, ଲୋକେ ବାହା ବାହା କହିବେ ବୋଲି କେତେକ ଦଳୀୟ ନେତା ଆଶଙ୍କା କରନ୍ତି  ।

ତେଣୁ କେହି ପ୍ରଭାବଶାଳୀ ଗୋଷ୍ଠୀ ବା ବ୍ୟକ୍ତି ହୁଏତ ଏହା ଚାହୁଁନଥିବାରୁ କାମ ଅଟକି ଯାଉଛି  । ନହେଲେ ମାନନୀୟ ପ୍ରଧାନମନ୍ତ୍ରୀ ଦାଦ୍ରା – ନଗର ହାବେଳୀରେ ମେଡ଼ିକାଲ କଲେଜ ଘୋଷଣା କରିବାର ତିନିମାସ ଭିତରେ ଟଙ୍କା ଆସିଲା କେମିତି ? ରାଉରକେଲା ଇସ୍ପାତ କାରଖାନାରୁ କେନ୍ଦ୍ର ସରକାର ପ୍ରଚୁର ରାଜସ୍ୱ ପାଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ଆଇଜିଏଚକୁ  ମେଡ଼ିକାଲ୍ କଲେଜ ଓ ସୁପର୍ ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରିବା ପାଇଁ ଟଙ୍କା ମିଳିନି କାହିଁକି ?

୨. ଲୋକଙ୍କ ଦ୍ୱିତୀୟ ଧାରଣା, ଯେଉଁ ପ୍ରଭାବଶାଳୀ ବ୍ୟକ୍ତି ଏହା ଶୀଘ୍ର ନ ହେଉ ବୋଲି ଚାହୁଁଛନ୍ତି, ସେ ହୁଏତ ରାଜ୍ୟର ୨୧ ଆସନ ମଧ୍ୟରୁ ଗତ ପାଳିରେ ବିଜେପି ଜିଣିଥିବା ଏକମାତ୍ର ସୁନ୍ଦରଗଡ଼ ଲୋକସଭା ଆସନର ପୁନରାବୃତ୍ତି ଚାହୁଁନାହାଁନ୍ତି ! ଗତଥର ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଜିଣିଥିଲେ ଜୁଏଲ୍ ଓରାମ  । ଜିଲ୍ଲାର ୭ଟି ଯାକ ବିଧାନସଭା ଆସନ ଭିତରୁ କେବଳ ବିଜେପି ପ୍ରାର୍ଥୀ ଭାବେ  ମୁଁ ରାଉରକେଲାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ସମର୍ଥନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲି  । ମୁଁ ଉଠାଇଥିବା ଦୁଇଟି ଦାବୀ ସାକାର ହୋଇଥିଲେ ଲୋକଙ୍କର କେବଳ ମଙ୍ଗଳ ହୋଇନଥାନ୍ତା, ବିଜେପିର ପତିଆରା ବି ବେଶ୍ ବଢିଥା’ନ୍ତା  । ହେଲେ ଏହା ନ ହେବାରୁ ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି କହିବା ନିଷ୍ପ୍ରୟୋଜନ, କାରଣ ଲୋକଙ୍କ ଧାରଣା ଯେ, ପ୍ରକଳ୍ପ କରାଇ ନ ଦେବାକୁ ଚାହୁଁଥିବା ଶକ୍ତି ହୁଏତ ଭାବୁଛନ୍ତି ସୁନ୍ଦରଗଡ଼ରୁ ବିଜେପି ଆଉ ନ ଆସୁ ! ଦିଲ୍ଳୀପ ରାୟଙ୍କୁ ଲୋକେ ବାହାବାହା ନ କରନ୍ତୁ ! ହେଲେ ଏହା ଦ୍ୱାରା କାହାର ବ୍ୟକ୍ତିଗତ ସ୍ୱାର୍ଥକୁ କେତେ ଫାଇଦା ମିଳିବ ମତେ ବୁଝିବା କଷ୍ଟକର ହେଉଛି  ।

୨୦୧୪ ତୁଳନାରେ ଜିଲ୍ଲାରେ ବି ବିଜେପି ଅଧିକ ସଂଗଠିତ ହୋଇଯାଇଥିଲା  । ଏହାର ସାଂଗଠନିକ ଶକ୍ତି ବଢୁଥିଲା ଓ ଲୋକ ଦଳ ପ୍ରତି ଅଧିକ ଆକୃଷ୍ଟ ହେଉଥିଲେ  । ହେଲେ, ଜଣେ ଅଧିକ କ୍ଷମତାକାଂକ୍ଷୀ ବ୍ୟକ୍ତିଙ୍କ ଯୋଗୁ ତାହା ମଧ୍ୟ ନଷ୍ଟ ହୋଇଗଲା  । ଯେଉଁ ଜିଲ୍ଲାରୁ ବିଜେପିର ଚମତ୍କାର  ପ୍ରଦର୍ଶନର ସମ୍ଭାବନା ଥିଲା, ତାହାକୁ କେହି ନିଜ ସ୍ୱାର୍ଥ ପାଇଁ ନଷ୍ଟ କରି ଦେଇଥିବା ଆଲୋଚନା ମୋତେ ଅଧିକ ବ୍ୟଥିତ ଓ ମ୍ରିୟମାଣ କରିଛି  । ଅବଶ୍ୟ ଲୋକଙ୍କ ଧାରଣା ଠିକ୍ କି ଭୁଲ୍ ତାହା ସମୟ ହିଁ କହିବ  । ମୁଁ ସେତୁ କାର୍ଯ୍ୟରେ ବିଳମ୍ବ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କଦାପି ଦୋଷ ଦେବି ନାହିଁ  । ହୁଏତ କାହାର ପେଞ୍ଚମୋଡ଼ା ଯୋଗୁଁ ମୋଦିଜୀଙ୍କ ପ୍ରତିଶ୍ରୁତି ପୂରଣ ହୋଇପାରୁନାହିଁ  । ନହେଲେ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସବୁଆଡ଼େ ତୁରନ୍ତ କାର୍ଯ୍ୟକାରୀ ହେଉଥିବା ବେଳେ ରାଉରକେଲା ପାଇଁ କାହିଁକି ବିଳମ୍ବ ଘଟୁଛି ? କଥାନୁହେଁ,  କାମରେ ମୁଁ ବିଶ୍ୱାସ କରେ ବୋଲି ରାଉରକେଲା ତଥା ଓଡ଼ିଶାବାସୀ ଭଲରେ ଜାଣନ୍ତି  ।

ରାଉରକେଲାକୁ ସ୍ମାର୍ଟସିଟିରେ ପରିଣତ କରିବା  ସହିତ ଏଠାରେ ଆଞ୍ଚଳିକ ପାସ୍ପୋର୍ଟ ଅଫିସ୍ ଖୋଲିବା, ବିମାନ ବନ୍ଦର ନିର୍ମାଣ, ରାଉରକେଲା ରେଳଷ୍ଟେସନର ଆଧୁନିକୀକରଣ ଆଦି କାମ ଏହି ୫ ବର୍ଷ ମଧ୍ୟରେ କରାଇବାର ମୁଁ ବେଶ୍ ଖୁସି  । ଏଥିରେ ସ୍ଥାନୀୟ ସାଂସଦ  ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର ଅବଦାନ ରହିଛି  । ଏହାଛଡ଼ା ରାଉରକେଲା ମହାନଗର ନିଗମ ଭାବେ ଘୋଷିତ ହେବା ପରେ ଏହାର ବିଭିନ୍ନ ସମସ୍ୟା ସମାଧାନ ଲାଗି ବିଧାନସଭା ଭିତରେ ଓ ବାହାରେ ବାରମ୍ବାର ମୁଁ ସ୍ୱର ଉତ୍ତୋଳନ କରିଛି  । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲା ତଥା ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା,  ନିଯୁକ୍ତି,  ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ଲୋକଙ୍କ ସମସ୍ୟା ଆଦି ପ୍ରସଙ୍ଗରେ ଲଗାତାର ସ୍ୱର ବି ଉଠାଇ ଆସିଛି  । କୋଏଲ୍ ନଦୀରେ ପୋଲ ନିର୍ମାଣଠାରୁ ଆରମ୍ଭ କରି ଆରଏମସି  ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ, ତାଳଚେର-ବିମଳାଗଡ଼ ରେଳପଥ, ରାଉରକେଲାକୁ ଅଧିକ ରେଳ ଚଳାଚଳ ଆଦି ପ୍ରସଙ୍ଗ ବି ବିଭିନ୍ନ ଫୋରମ୍ରେ ଉଠାଇଛି  । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଳା, ପଶ୍ଚିମାଞ୍ଚଳ ଓ ସମଗ୍ର ରାଜ୍ୟର ସ୍ୱାର୍ଥ ସମ୍ବଳିତ ଶହଶହ ପ୍ରଶ୍ନ ମଧ୍ୟ ବିଧାନସଭାର ବିଭିନ୍ନ ଅଧିବେଶନ ସମୟରେ ଉଠାଇବା ସଙ୍ଗେ ସଙ୍ଗେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ବି କରିଛି  । ବିଧାନସଭା ଅଧିବେଶନ ସମୟରେ ଏଭଳି କୌଣସି ଦିନ ନାହିଁ ଯେଉଁଦିନ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ତଥା ରାଉରକେଲା ଓ ରାଜ୍ୟର ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗ ମୁଁ ଉଠାଇ ନାହିଁ  ।

ରାଉରକେଲା ମୋତେ ବହୁତ କିଛି ଦେଇଛି  । ସେଥିପାଇଁ ଦୁଇ ପ୍ରକଳ୍ପ ନେଇ ଲୋକଙ୍କ ପ୍ରଶ୍ନର ମୁଁ କି ଉତ୍ତର ଦେବି ? ନିର୍ବାଚନରେ ନିଜ ଓ ଦଳ ପାଇଁ କିପରି ଭୋଟ ମାଗିବି  ? ବରଂ ଏହି ଉତ୍ତର ପାଇଁ ବିଜେପିର ପରବର୍ତ୍ତୀ ଉତ୍ତରାଧିକାରୀ ବୋଧହୁଏ ଯୋଗ୍ୟବ୍ୟକ୍ତି ହେବେ  । ବିଧାୟକ ପଦରୁ ଇସ୍ତଫା ଦେଉଥିଲେ ବି ସବୁବେଳେ ରାଉରକେଲାବାସୀଙ୍କ ଶ୍ରଦ୍ଧା ଓ ସ୍ନେହ ମୋ’ ପାଇଁ ଅଭୁଲା ହୋଇ ରହିବ  । ଶକ୍ତି ମୁତାବକ ମୁଁ ସେମାନଙ୍କର ସେବା କରୁଥିବି  । ବିଶେଷ କରି ବିଜେପି କର୍ମୀମାନେ ଗତ ନିର୍ବାଚନରେ ଓ ବିଧାୟକ ଭାବେ ମୋ କାର୍ଯ୍ୟକାଳ ସମୟରେ ଯେପରି ସହଯୋଗ କରିଛନ୍ତି ସେଥିଲାଗି ମୁଁ କୃତଜ୍ଞ  । ଆଶା କରୁଛି ମୋର ଆବେଗ ଓ ନିଷ୍ଠାକୁ ଇସ୍ପାତ ସହରବାସୀ ବୁଝିବେ ଓ ସହଯୋଗ କରିବେ  । ତେବେ ବିଜେପି କର୍ମୀ ଓ ନେତାମାନଙ୍କୁ ମୋର ବିନମ୍ର ନିବେଦନ, ବିକାଶ ପାଇଁ ସେମାନେ ପାର୍ଟିର ଡାକ ଅପେକ୍ଷା ଆଗେ ମାଟିର ଡାକକୁ ଶୁଣନ୍ତୁ  । ମାଟି ମା’ର ବିକାଶ ହିଁ ପ୍ରକୃତ ବିକାଶ  ।

Related posts